ଭାରତର ଶିକ୍ଷାନୀତି ଇତିହାସରେ କେତେକ ମୁହୂର୍ତ୍ତ ଆସେ, ଯେଉଁଠାରେ ପ୍ରଶ୍ନ ବିରୋଧୀ ଶିବିରରୁ ଆସେ ନାହିଁ, ବରଂ ସରକାରଙ୍କ ନିଜ ଆଦର୍ଶ ପରିବାର ଭିତରୁ ଆସିଥାଏ । ଏହି ମୁହୂର୍ତ୍ତ ସେଇପରି। ଆରଏସଏସ ସହଯୋଗୀ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଯେତେବେଳେ ୟୁଜିସିର ଇକ୍ୱିଟି ନିୟମର “ଅସ୍ପଷ୍ଟତା” ଉପରେ ସରକାରଙ୍କୁ ସ୍ପଷ୍ଟତା ଦେବାକୁ ଅନୁରୋଧ କରିଛି। ତେଣୁ ଏହାକୁ ସାଧାରଣ ଛାତ୍ର ସଂଗଠନର ବିବୃତ୍ତି ଭାବେ ଅଗ୍ରାହ୍ୟ କରାଯାଇପାରିବ ନାହିଁ । ଏହା ଏକ ଗଭୀର ରାଜନୈତିକ ସଙ୍କେତ- ଶିକ୍ଷାନୀତିରେ ଅସ୍ପଷ୍ଟତା ଏତେ ଗଭୀର ଯେ, ସରକାରଙ୍କ ନିଜ ଆଦର୍ଶର ମୂଳ ଭିତ୍ତି ମଧ୍ୟ ଅସୁବିଧାରେ ପଡ଼ିବାକୁ ଆଶଙ୍କା କରୁଛି।

ଏଠି ଏକ ସରଳ ପ୍ରଶ୍ନ ରଖେ—ସମସ୍ୟା କ’ଣ ଆଇନରେ, ନା ଆଇନ ଲେଖିବାର ଧାରାରେ? ଯଦି ମୂଳ ଉଦ୍ଦେଶ୍ୟ ସତରେ ସମାନତା, ତେବେ ଭୟ କାହିଁକି ? ତେବେ ମିଥ୍ୟା ଅଭିଯୋଗରୁ ସୁରକ୍ଷା ଧାରା କାହିଁକି ହଟିଗଲା? ତେବେ ସରକାର କାହିଁକି ସ୍ପଷ୍ଟ ଉତ୍ତର ଦେଉନାହିଁ?
ସଂଗଠନ ସମ୍ପର୍କର ଭଙ୍ଗା ଆଇନା
ଏହି ବିବାଦର ସବୁଠାରୁ ଅସୁବିଧାଜନକ ଦିଗ ହେଉଛି- ଯେଉଁ ସଂଗଠନର ବ୍ୟାନରରେ ଆଜିର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଛାତ୍ର ରାଜନୀତି ଆରମ୍ଭ କରିଥିଲେ, ସେହି ସଂଗଠନ ଆଜି ତାଙ୍କ ନୀତିକୁ ପ୍ରଶ୍ନ କରୁଛି। ଏହା ଦଳୀୟ ରାଜନୀତିର ସାଧାରଣ ମତଭେଦ ନୁହେଁ; ଏହା ଶିକ୍ଷାନୀତିର ଗଭୀର ଅନ୍ତର୍ଦ୍ୱନ୍ଦ୍ୱ। ଏବିଭିପି ଯେତେବେଳେ କହେ- “ମୂଳ ଉଦ୍ଦେଶ୍ୟ ଭଲ, କିନ୍ତୁ ନିୟମରେ ସ୍ପଷ୍ଟତା ନାହିଁ”; ସେତେବେଳେ ଏହା ନୀତିକୁ ସମର୍ଥନ କରି ବି ତାହାର ଗଠନ ଓ କାର୍ଯ୍ୟକାରୀତା ଉପରେ ପ୍ରଶ୍ନ ଉଠାଏ। ଏହା ଅର୍ଥ- ଆଇନ ଭାବି ଲେଖାଯାଇନି।
ୟୁଜିସି ଇକ୍ୱିଟି ନିୟମ: ନାମ ଭଲ, ନିୟମ ଅସ୍ପଷ୍ଟ
“ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ସମାନତା ପ୍ରୋତ୍ସାହନ) ନିୟମାବଳୀ, ୨୦୨୬”—ନାମଟି ନୀତିମୂଳକ, ଉଦ୍ଦେଶ୍ୟ ଆଦର୍ଶର କଥା କହୁଛି। ଏହା କହେ ଯେ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଜାତିଭିତ୍ତିକ ବୈଷମ୍ୟକୁ ରୋକିବାକୁ ହେବ। ଏସସି, ଏସଟି, ଓବିସି ଛାତ୍ରଛାତ୍ରୀଙ୍କ ଅଭିଯୋଗ ପାଇଁ ସ୍ୱତନ୍ତ୍ର କମିଟି, ହେଲ୍ପଲାଇନ୍ ଓ ମନିଟରିଂ ଦଳ ଥିବ। କିନ୍ତୁ ଏଠି ପ୍ରଶ୍ନ ହେଉଛି- ଏହି ମେକାନିଜମ୍ଗୁଡ଼ିକ କେମିତି କାମ କରିବ? କେଉଁଠି ଯାଞ୍ଚ–ସନ୍ତୁଳନ? କିପରି ମିଥ୍ୟା ଅଭିଯୋଗରୁ ସୁରକ୍ଷା ମିଳିବ? ତାହା ସ୍ପଷ୍ଟ ନାହିଁ।
ପୂର୍ବ ଡ୍ରାଫ୍ଟରେ ମିଥ୍ୟା ବୈଷମ୍ୟ ଅଭିଯୋଗ କ୍ଷେତ୍ରରେ ଜରିମାନା ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ଥିଲା। ନୂଆ ଡ୍ରାଫ୍ଟରୁ ସେହି ଧାରା ହଟିଯାଇଛି। ଏହା କାହିଁକି? ଯଦି ଆଇନ ନ୍ୟାୟସଙ୍ଗତ, ତେବେ ଭୁଲ ଅଭିଯୋଗକୁ ନେଇ ଭୟ କାହିଁକି? ଯଦି ଭୟ ଅଛି, ତେବେ ନୀତିରେ ତ୍ରୁଟି ଅଛି।
ସମାନତା ନାମରେ ଅନିଶ୍ଚିତତା ?

ଅନେକ ସାଧାରଣ ବର୍ଗର ଛାତ୍ର ଓ ଅଧ୍ୟାପକଙ୍କ ମଧ୍ୟରେ ଏକ ଆଶଙ୍କା ରହିଛି-ଏହି ନିୟମଗୁଡ଼ିକ ମିଥ୍ୟା ଅଭିଯୋଗ ପାଇଁ ଅପବ୍ୟବହାର ହେବ କି? ଏହି ଆଶଙ୍କାକୁ ସରକାର “ଭୁଲ ଧାରଣା” ବୋଲି କହି ଉଡ଼ାଇ ଦେଇପାରେ, କିନ୍ତୁ ଯେତେବେଳେ ଏବିଭିପି ମଧ୍ୟ ସ୍ପଷ୍ଟତା ମାଗୁଛି, ସେତେବେଳେ ଏହାକୁ ଅଣଦେଖା କରାଯାଇପାରିବ ନାହିଁ। ଅସ୍ପଷ୍ଟ ଆଇନ ସଦା ଭୟ ସୃଷ୍ଟି କରେ; ଭୟ ବିଭାଜନ ସୃଷ୍ଟି କରେ; ବିଭାଜନ ଶିକ୍ଷା କ୍ୟାମ୍ପସକୁ ପ୍ରଦୂଷିତ କରେ।
କୋର୍ଟରେ ମାମଲା, ସରକାରର ନିରବତା
ଏହି ମାମଲା ବର୍ତ୍ତମାନ କୋର୍ଟରେ ବିଚାରାଧୀନ। ଏବିଭିପି ସ୍ପଷ୍ଟ କହିଛି—ୟୁଜିସି ବିଳମ୍ବ ନ କରି କୋର୍ଟରେ ସତ୍ୟପାଠ ଦାଖଲ କରୁ, ନିଜ ସ୍ଥିତି ସ୍ପଷ୍ଟ କରୁ। ଏହା ଆଶ୍ଚର୍ଯ୍ୟଜନକ- ସରକାର ଯେଉଁଠି “ସବୁ ସ୍ପଷ୍ଟ” ବୋଲି କହୁଛି, ସେଠି ନିଜ ସହଯୋଗୀ ସଂଗଠନ ମଧ୍ୟ ସ୍ପଷ୍ଟତା ଚାହୁଁଛି। ଏହି ନିରବତା ଅନେକ ପ୍ରଶ୍ନ ଜନ୍ମ ଦେଉଛି- ନୀତି ଅସମ୍ପୂର୍ଣ୍ଣ କି? ନା ସରକାର ଆଲୋଚନାକୁ ଭୟ କରୁଛି?
ଶିକ୍ଷା କ୍ୟାମ୍ପସ କ’ଣ ପରୀକ୍ଷାଶାଳା?
ଶିକ୍ଷା କ୍ୟାମ୍ପସ କୌଣସି ଲ୍ୟାବରେଟରି ନୁହେଁ, ଯେଉଁଠି ଅସ୍ପଷ୍ଟ ଆଇନ ଲାଗୁ କରି “ଦେଖିବା” ଯାଏ। ଏଠି ଯୁବମନ, ଭବିଷ୍ୟତ, କ୍ୟାରିଅର ଜଡ଼ିତ। ଏକ ଭୁଲ ଅଭିଯୋଗ, ଏକ ଅସ୍ପଷ୍ଟ ପ୍ରକ୍ରିୟା- ସାରା ଜୀବନକୁ ପ୍ରଭାବିତ କରିପାରେ। ସେଥିପାଇଁ ଆଇନରେ ସନ୍ତୁଳନ ଅତ୍ୟାବଶ୍ୟକ।
ପୂର୍ବପକ୍ଷର ସିଧା ପ୍ରଶ୍ନ
ପ୍ରଥମ—ସମାନତା କ’ଣ କେବଳ ଘୋଷଣାରେ ସାଧିତ ହୁଏ, ନା ନ୍ୟାୟସଙ୍ଗତ ପ୍ରକ୍ରିୟାରେ?
ଦ୍ୱିତୀୟ—ମିଥ୍ୟା ଅଭିଯୋଗରୁ ସୁରକ୍ଷା ନ ଥିଲେ, ଶିକ୍ଷା କ୍ୟାମ୍ପସ କେମିତି ନିରାପଦ ରହିବ?
ତୃତୀୟ—ଏବିଭିପି ଯଦି ପ୍ରଶ୍ନ କରୁଛି, ଶିକ୍ଷାମନ୍ତ୍ରୀ କାହିଁକି ଉତ୍ତର ଦେଉନାହାନ୍ତି?
ନୀତି ଯଦି ଭାଗ କରେ, ସେ ନୀତି ନୁହେଁ
ଶିକ୍ଷା ଏକତା ଗଢ଼ିବା ପାଇଁ; ଭାଗ କରିବା ପାଇଁ ନୁହେଁ। ଯଦି ଏକ ନୀତି ଅସ୍ପଷ୍ଟ, ଭୟ ସୃଷ୍ଟି କରେ, ଏବଂ ସରକାରଙ୍କ ନିଜ ସହଯୋଗୀମାନେ ମଧ୍ୟ ପ୍ରଶ୍ନ କରୁଛନ୍ତି- ତେବେ ସେହି ନୀତିକୁ ପୁନଃବିଚାର କରିବା ଦରକାର। ସ୍ପଷ୍ଟତା, ସନ୍ତୁଳନ ଏବଂ ଖୋଲା ଆଲୋଚନା- ଏହା ଦୁର୍ବଳତା ନୁହେଁ; ଏହା ଗଣତନ୍ତ୍ରର ଶକ୍ତି।
“ଆଜିର ପୂର୍ବପକ୍ଷ” ଏହି ଦାବି ସହିତ ଶେଷ କରେ- ଯଦି ସରକାର ସତରେ ସମାନତା ଚାହୁଁଛି, ତେବେ ସ୍ପଷ୍ଟ କରୁ, ଶୁଣୁ ଏବଂ ସଂଶୋଧନ କରୁ। ନ ହେଲେ ଇତିହାସ ଲେଖିବ- ଏକ ଶିକ୍ଷାନୀତି, ଯାହାକୁ ତାହାର ନିଜ ସହଯୋଗୀମାନେ ମଧ୍ୟ ପ୍ରଶ୍ନ କରିଥିଲେ।
also read https://purvapaksa.com/the-states-development-money-is-now-in-the-bank/
The state’s development money is now in the bank || ରାଜ୍ୟର ବିକାଶ ଟଙ୍କା ଏବେ ବ୍ୟାଙ୍କରେ


