ମେକ୍ସିକୋର ଗୁଆନାଜୁଆତେ ରାଜ୍ୟ ସ୍ଥିତ ସଲମାଙ୍କା ସହରରେ ଘଟିଥିବା ଏକ ଭୟାବହ ଗୁଳିମାଡ଼ ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏକ ଫୁଟବଲ ମ୍ୟାଚ୍ ସମାପ୍ତ ହେବା ସହ ହଠାତ୍ ବନ୍ଧୁକଧାରୀଙ୍କ ଦ୍ୱାରା ଆଖିବୁଜା ଗୁଳିମାଡ଼ ଆରମ୍ଭ ହୋଇଥିଲା । ଏହି ନିର୍ମମ ଘଟଣାରେ ଅତିକମରେ ୧୧ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ସ୍ଥାନୀୟ ପୋଲିସ ଏବଂ ପ୍ରଶାସନ କହିଛନ୍ତି ଯେ, ଫୁଟବଲ ମ୍ୟାଚ୍ ସରିବା ପରେ ଦର୍ଶକ ଏବଂ ଖେଳାଳିମାନେ ସ୍ଥାନ ଛାଡ଼ୁଥିବା ସମୟରେ କିଛି ଅଜଣା ବନ୍ଧୁକଧାରୀ ହଠାତ୍ ଗୁଳିଚାଳନା ଆରମ୍ଭ କରିଥିଲେ। ଘଟଣାସ୍ଥଳରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଆହତ ଅବସ୍ଥାରେ ଥିବା ଜଣେ ବ୍ୟକ୍ତି ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହାରିଛନ୍ତି।
ଏହି ଗୁଳିମାଡ଼ ଘଟଣା ପରେ ସଲମାଙ୍କା ସହରରେ ଭୟ ଓ ଶୋକର ମାହୋଲ ସୃଷ୍ଟି ହୋଇଛି। ଆହତମାନଙ୍କ ମଧ୍ୟରେ ଜଣେ ମହିଳା ଏବଂ ଜଣେ ନାବାଳକ ଥିବା ଜଣାପଡ଼ିଛି, ଯାହା ଏହି ଘଟଣାର ନିର୍ମମତାକୁ ଆହୁରି ସ୍ପଷ୍ଟ କରୁଛି। ସମସ୍ତ ଆହତଙ୍କୁ ନିକଟସ୍ଥ ହସପିଟାଲକୁ ନେଇ ଚିକିତ୍ସା କରାଯାଉଛି।

ଘଟଣାକୁ ନେଇ ସଲମାଙ୍କାର ମେୟର ସିଜର ପ୍ରିଟୋ ସୋସିଆଲ ମିଡିଆ ମାଧ୍ୟମରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସେ ଏହି ହିଂସାକୁ କଡ଼ା ନିନ୍ଦା କରି କହିଛନ୍ତି ଯେ, ସହରବାସୀ ଏହି ଘଟଣାରେ ଗଭୀର ଭାବେ ମର୍ମାହତ। ସେ ମେକ୍ସିକୋର ରାଷ୍ଟ୍ରପତି କ୍ଲାଉଡିଆ ଶିନବାମଙ୍କୁ ତତ୍କାଳ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି।
ମେୟର ପ୍ରିଟୋ କହିଛନ୍ତି ଯେ, ଏହି ଘଟଣାର ସଠିକ୍ ତଦନ୍ତ କରାଯିବା ସହିତ ସହରରେ ଲୋକଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ଆବଶ୍ୟକ। ଅପରାଧୀମାନଙ୍କୁ ଚିହ୍ନଟ କରି ଶୀଘ୍ର ଗିରଫ କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ଗତବର୍ଷ ଗୁଆନାଜୁଆତେ ମେକ୍ସିକୋର ସବୁଠାରୁ ଅଧିକ ହତ୍ୟା ଘଟୁଥିବା ରାଜ୍ୟ ଭାବେ ଚିହ୍ନଟ ହୋଇଥିଲା। ଏଠାରେ ଅପରାଧୀ ଗୋଷ୍ଠୀ ଓ ଡ୍ରଗ୍ କାର୍ଟେଲ୍ମାନଙ୍କ ମଧ୍ୟରେ ଘଟୁଥିବା ସଂଘର୍ଷ କାରଣରୁ ଅନେକ ସାଧାରଣ ନାଗରିକଙ୍କ ଜୀବନ ଯାଇଛି। ସଲମାଙ୍କାର ଏହି ନୂତନ ଘଟଣା ପୁଣିଥରେ ମେକ୍ସିକୋର ସୁରକ୍ଷା ପରିସ୍ଥିତିକୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛି।
also read https://purvapaksa.com/2026-padma-awards/


