ଇଣ୍ଡୋନେସିଆର ପଶ୍ଚିମ ଜାଭା ପ୍ରାନ୍ତର ବାନ୍ଦୁଙ୍ଗ ଅଞ୍ଚଳରେ ଘଟିଥିବା ଭୟଙ୍କର ଭୂସ୍ଖଳନ ଦେଶକୁ ଦୋହଲାଇ ଦେଇଛି। ପ୍ରବଳ ବର୍ଷା ପରେ ହଠାତ୍ ପାହାଡ଼ ଧସି ପଡ଼ିବାରୁ ଘଟିଥିବା ଏହି ବିପର୍ଯ୍ୟୟରେ ଏପର୍ଯ୍ୟନ୍ତ ୭ ଜଣଙ୍କର ମୃତ୍ୟୁ ସୁନିଶ୍ଚିତ ହୋଇଥିବାବେଳେ ୮୨ରୁ ଅଧିକ ଲୋକ ନିଖୋଜ ରହିଛନ୍ତି। ନିଖୋଜଙ୍କ ସଂଖ୍ୟା ଅଧିକ ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି। ସୂଚନା ଅନୁଯାୟୀ, ସକାଳୁ ବାନ୍ଦୁଙ୍ଗ ଅଞ୍ଚଳରେ ଭାରୀ ବର୍ଷା ହେଉଥିଲା। ଲଗାତାର ବର୍ଷାରେ ପାହାଡ଼ ମାଟି ଢିଲା ହୋଇଯିବା ପରେ ଅଚାନକ ଏକ ବଡ଼ ଭୂସ୍ଖଳନ ଘଟିଥିଲା। ପାହାଡ଼ରୁ ଖସିଥିବା ମାଟି ଓ ପଥର ପାଖପାଖି ଗାଁ ଉପରେ ମାଡ଼ି ଯାଇଥିଲା, ଯାହାଫଳରେ ଗାଁର ଅନେକ ଘର ସମ୍ପୂର୍ଣ୍ଣ ଭାବେ ମାଟି ତଳେ ପୋତି ହୋଇଯାଇଛି।

ଏହି ଭୂସ୍ଖଳନରେ ଅନେକ ପରିବାର ସବୁକିଛି ହରାଇଥିବାବେଳେ, ଘଟଣାସ୍ଥଳରେ ଚାରିଆଡ଼େ ହାହାକାର ଦୃଶ୍ୟ ଦେଖାଯାଉଛି। ଅନେକ ଲୋକ ନିଜ ପରିବାର ଲୋକଙ୍କୁ ଖୋଜୁଥିବାବେଳେ, ଧ୍ଵଂସାବଶେଷ ତଳେ ଅନେକେ ଫସିଥିବା ଆଶଙ୍କା କରାଯାଉଛି। ଘଟଣା ଘଟିବା ସହିତ ସହିତ ସ୍ଥାନୀୟ ପ୍ରଶାସନ, ପୋଲିସ ଓ ଜାତୀୟ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଭାରୀ ମାଟି ଓ ପଥର ହଟାଇବା ପାଇଁ ବୁଲଡୋଜର ଓ ଅନ୍ୟାନ୍ୟ ଯନ୍ତ୍ରପାତି ବ୍ୟବହାର କରାଯାଉଛି। ତେବେ ଲଗାତାର ବର୍ଷା ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଜଣାପଡ଼ିଛି।
ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଆସପାସର ଅଞ୍ଚଳରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସେହିପରି ଅଧିକ ବର୍ଷା ହେଲେ ଆଉ ଭୂସ୍ଖଳନ ହେବାର ଆଶଙ୍କା ଥିବାରୁ ସତର୍କ ସୂଚନା ଜାରି କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ମଧ୍ୟ ଇଣ୍ଡୋନେସିଆର ଦକ୍ଷିଣ ସୁମାତ୍ରା ଓ ପଶ୍ଚିମ ସୁମାତ୍ରାରେ ଘଟିଥିବା ଭୟଙ୍କର ଭୂସ୍ଖଳନ ଓ ବନ୍ୟାରେ ୧୧୮୦ ଜଣଙ୍କ ମୃତ୍ୟୁ ହୋଇଥିଲା। ଲଗାତାର ପ୍ରାକୃତିକ ବିପର୍ଯ୍ୟୟ ଦେଶ ପାଇଁ ଗଭୀର ଚିନ୍ତାର କାରଣ ପାଲଟିଛି।
also read https://purvapaksa.com/dharmendras-plan-to-transform-surendra-sais-village/


