ଟ୍ରେଡିଂ ଆପ୍ରେ ବାଇଆ ଯୁବପିଢି
ରାତାରାତି ଧନୀ ହେବାର ନିଶା ହୋଇଛି କାଳ। ଏହି ନିଶାରେ ବେଶୀ ଉବୁଟୁବୁ ଯୁବପିଢି। ଛାତ୍ରଙ୍କ ଠୁ ଆରମ୍ଭ କରି ଜବରେ ଥିବା ଯୁବକମାନେ ଏଥିରେ ବେଶୀ ମଜ୍ଜି ଯାଉଛନ୍ତି। ଖାଲି ଯେ ଯୁବକ ତାହା ନୁହେଁ, ସରକାରୀ ଚାକିରିଆ, ବଡ ବଡ ବ୍ୟବସାୟୀ, ଅବସରପ୍ରାପ୍ତ ଅଧିକାରୀ ମଧ୍ୟ ସେମାନଙ୍କ ଗଚ୍ଛିତ ଟଙ୍କାକୁ କିପରି କମ ସମୟ ମଧ୍ୟରେ ଡବଲ, ତିନି ଡବଲ କରିବେ ସେ ନିଶାରେ ସାଇବର ଠକଙ୍କ ଶିକାର ହେଉଛନ୍ତି। ସେଥିପାଇଁ ସହଜ ମାଧ୍ୟମ ପାଲଟିଛି ସୋସିଆଲ ମିଡିଆ। କିଛି ନଜାଣି ଷ୍ଟକ ମାକେର୍ଟ, ଟ୍ରେଡିଂ ଆପରେ ଟଙ୍କା ଲଗାଇ ଦେଉଛନ୍ତି। ତାପରେ ଆକାଉଣ୍ଟ ଖାଲି ହୋଇଯାଉଛି। ପ୍ରତିଦିନ ଏପରି ଘଟଣା ଗଣମାଧ୍ୟମରେ ପ୍ରକାଶ ପାଉଥିଲେ ମଧ୍ୟ ଲୋକେ ସଚେତନ ହେଉନାହାନ୍ତି। ରାତିରାତି ବଡ ଲୋକ ହେବା ନିଶାରେ ନିଜ ଟଙ୍କା ଓ ଋଣ କରି ଲକ୍ଷ ଲକ୍ଷ ଟଙ୍କା ହରାଇ ସର୍ବସ୍ୱାନ୍ତ ହେଉଛନ୍ତି। ତାପରେ ମାନସିକ ଭାରସାମ୍ୟ ହରାଇ ଜୀବନ ହାରୁଛନ୍ତି। ସେମିତି ଏକ ଖବର ଆଜି ସକାଳୁ ଝାରସୁଗୁଡାରୁ ଆସିଛି। ଟ୍ରେଡିଂ ଆପରେ ଲକ୍ଷ ଲକ୍ଷ ଟଙ୍କା ହରାଇ ଜଣେ ଯୁବକ ଶେଷରେ ଟ୍ରେନ ଆଗକୁ ଡେଇଁ ଜୀବନ ହାରିଛି। ମୃତ ଯୁବକ ହେଲେ ୩୧ ବର୍ଷୀୟ ଅଚ୍ୟୁତାନନ୍ଦ ସାହୁ।
ଘରର ଭେଣ୍ଡିଆ ପୁଅ ରୋଜଗାର ପାଇଁ କେନ୍ଦ୍ରାପଡ଼ାରୁ ଯାଇଥିଲା ଝାରସୁଗୁଡ଼ା। ଟଙ୍କା ରୋଜଗାର କରି ପରିବାର ପୋଷିବ ବୋଲି ବାପାମା’ ଆଶା ରଖିଥିଲେ। ମାତ୍ର ଅଧିକ ରୋଜଗାର ଆଶାରେ ପୁଅ ଟ୍ରେଡିଂ ଆପ୍ରେ ଟଙ୍କା ଲଗାଇବା କାଳ ହେଲା । ଲକ୍ଷାଧିକ ଟଙ୍କାର କରଜ ବୋଝ ତଳେ ଚାପି ହୋଇଥିବା ପୁଅ ସେଥିରୁ ମୁକୁଳି ପାରିଲାନି। ଆଉ ଶେଷରେ ଟ୍ରେନ୍ ଆଗକୁ ଡେଇଁ ଜୀବନ ହାରିଲା। ଯେଉଁ ପୁଅକୁ ରୋଜଗାର ପାଇଁ ବାପା ଘରୁ ଛାଡ଼ିଥିଲା ସେହି ଭେଣ୍ଡିଆ ପୁଅର ମୃତଦେହ ଧରି ଘରକୁ ଫେରିଲା ବୁଢ଼ା ବାପା। ଏପରି ଏକ ହୃଦୟ ବିଦାରକ ଘଟଣା ଝାରସୁଗୁଡ଼ାରେ ଘଟିଥିବା ବେଳେ ରେଳ ଷ୍ଟେସନରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି।
ସେ ଝାରସୁଗୁଡ଼ାସ୍ଥିତ ମାଇକ୍ରୋ କଣ୍ଟିନେଣ୍ଟାଲ ହୋଟେଲରେ କ୍ୟାସିୟର ଭାବେ କାମ କରୁଥିଲେ। ତାଙ୍କ ଘର କେନ୍ଦ୍ରାପଡ଼ା (ଓରାଡି) ଲଙ୍କାପଡ଼ାରେ ବୋଲି ଜଣାଯାଇଛି। ପୁଲିସ୍ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅଚ୍ୟୁତାନନ୍ଦ କିଛି ବର୍ଷ ହେବ ଝାରସୁଗୁଡ଼ାସ୍ଥିତ ମାଇକ୍ରୋ କଣ୍ଟିନେଣ୍ଟାଲ ହୋଟେଲରେ କାମ କରୁଥିଲେ।
ଜୀବନ ହାରିବା ପୂର୍ବରୁ ସେ ଛାଡ଼ି ଯାଇଥିବା ସୁଇସାଇଡ ନୋଟରେ ଲେଖିଛନ୍ତି, ‘ଏତେ ବଡ଼ ଭୁଲ ମୋ ଦ୍ଵାରା କେମିତି ହୋଇଗଲା ସବୁ ଜାଣି ବି ଜାଣି ହେଲାନି। ଏତେ ପରିମାଣର ଋଣ ବୋଝର ଚାପ ସହିବା ଭଳି ମୋ ପାଖରେ ସେ ସାହସ ନାହିଁ । ଶେଷ ନିଶ୍ୱାସ ଯାଏଁ ବହୁତ ଚେଷ୍ଟା କଲି। ଆଉ ବିଳମ୍ବ କରିଥିଲେ ଆହୁରି ଅଧିକ ଲୋକ କଷ୍ଟ ପାଇଥାନ୍ତେ । ତାହା ମୁଁ ସହି ପାରି ନ ଥାନ୍ତି। ଯେଉଁ ସମୟରେ ବାପା ବୋଉଙ୍କ ସେବା କରିବା କଥା ସେ ସମୟରେ ତାଙ୍କ ମନକୁ ଆଘାତ ଦେଇ ଛାଡ଼ି ଚାଲି ଯାଉଛି । ବହୁତ ଭାଗ୍ୟବାନ ଥିଲି ଯେ ଏମିତି ବାପା ବୋଉଙ୍କୁ ପାଇଥିଲି। କିନ୍ତୁ ସେ ସୁଖରୁ ବଞ୍ଚିତ ହେବାକୁ ପଡ଼ିଲା । ଏତିକି ଅନୁରୋଧ ମତେ କ୍ଷମା କରିଦେବ।’
ଏହାପରେ ସେ ଝାରସୁଗୁଡ଼ା ରେଳ ଷ୍ଟେଶନରୁ କିଛି ଦୂରରେ ଟ୍ରେନ୍ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଥିଲେ। ମୃତ୍ୟୁ ପୂର୍ବରୁ ପୁଅ କରିଥିବା ମେସେଜ୍ ପାଇବା ପରେ ଅଚ୍ୟୁତାନନ୍ଦଙ୍କ ପିତା ତୁରନ୍ତ ହୋଟେଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ। ଖବର ପାଇ ପୁଲିସ୍ ଓ ରେଳବାଇ ପୁଲିସ୍ ଘଟଣାସ୍ଥଳରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଏହାପରେ ମୃତଦେହ ଧରି ପରିବାର ଲୋକେ ଘରକୁ ଫେରିଥିବା ଜଣାଯାଇଛି।
story read: https://purvapaksa.com/11-kuki-militants-killed-in-manipur/