ଓଡ଼ିଶା ରାଜନୀତିର ପଶାପାଲିରେ ୨୬ ବର୍ଷ ପରେ ପୁଣି ଥରେ ଇତିହାସ ନିଜକୁ ନିଜେ ଦୋହରାଇବାକୁ ଚେଷ୍ଟା କରୁଛି। ୨୦୦୦ ମସିହାରେ ଯେଉଁ ଧାରାରେ ବିଜୟ ମହାପାତ୍ରଙ୍କୁ ଦଳରୁ ବିଦା କରାଯାଇଥିଲା, ୨୦୨୬ରେ ଠିକ୍ ସେହିଭଳି ଏକ ଅଭିଯୋଗ ଆଣି ତାଙ୍କ ପୁଅ ତଥା ଯୁବ ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବିତ କରିଛି ବିଜୁ ଜନତା ଦଳ (ବିଜେଡି)। ‘ଦୁର୍ନୀତିଗ୍ରସ୍ତ’ ଓ ‘ବିଶ୍ୱାସଘାତକ’ ଭଳି କଠୋର ଶବ୍ଦ ବ୍ୟବହାର କରି ଦଳ ଯେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି, ତାହା ଦଳ ଭିତରେ ଉଷ୍ମତା ବଢ଼ାଇବା ସହ ରାଜ୍ୟ ରାଜନୀତିରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନିଷ୍ପତ୍ତି ପରେ ବିଗତ କିଛିଦିନ ଧରି ଦଳର ଜୁନିଅର ମୁଖପାତ୍ରମାନେ ଯେଉଁ ଅଭିଯୋଗର ପାହାଡ଼ ତିଆରି କରୁଛନ୍ତି, ସେଥିରେ ଶବ୍ଦ ଅଛି, ଦାବି ଅଛି- କିନ୍ତୁ ଠୋସ୍ ପ୍ରମାଣ ନାହିଁ। ବଡ଼ ପ୍ରଶ୍ନ ଏଠି- ଯଦି ଏହି ନିଲମ୍ବନ ସତରେ ଦଳ ବିରୋଧୀ ଷଡ଼ଯନ୍ତ୍ରକୁ ରୋକିବା ପାଇଁ, ତେବେ ଦଳର ଆଗଧାଡ଼ିର ବରିଷ୍ଠ ନେତାମାନେ କାହିଁକି ନୀରବ? ସମର୍ଥନରେ ନୁହେଁ, ବିରୋଧରେ ମଧ୍ୟ ନୁହେଁ—କେବଳ ନୀରବତା।
ନୀରବ ବରିଷ୍ଠ ନେତୃତ୍ୱ: ଭୟ କି ଅସହମତି ?

ଦଳୀୟ ସୂତ୍ର ଅନୁଯାୟୀ, ଅନେକ ବରିଷ୍ଠ ନେତା ଏହି ନିଲମ୍ବନ ନିଷ୍ପତ୍ତିକୁ ମନରୁ ଗ୍ରହଣ କରିପାରୁନାହାନ୍ତି। ହେଲେ ମୁହଁ ଖୋଲିବାକୁ ଡର—କାରଣ ଆଗକୁ ରାଜ୍ୟସଭା ଭଳି ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ। ଏମିତି ସମୟରେ ଦଳ ଭିତରେ ଫାଟ ଦେଖାଇବା କାହାରି ଆଗ୍ରହ ନାହିଁ। ଜଣେ ବରିଷ୍ଠ ନେତା ସ୍ୱୀକାର କରୁଛନ୍ତି- “ଯଦି କିଛି ଭୁଲ ଥିଲା, ତେବେ ଆଗରୁ ଚେତାବନୀ, ଆଲୋଚନା, ଦଳୀୟ ମଞ୍ଚରେ ବିଚାର କାହିଁକି ହେଲା ନାହିଁ?” ଏହି ପ୍ରଶ୍ନର ଉତ୍ତର କାହା ପାଖରେ ନାହିଁ।
‘ମିଡ୍-ଡେ ଅପରେସନ୍’: ଦାବି ଅଛି, ପ୍ରମାଣ ନାହିଁ
ଦଳୀର ଜୁନିଅର ମୁଖପାତ୍ରମାନେ ଯାହାକୁ ‘ମିଡ୍-ଡେ ଅପରେସନ୍’ ବୋଲି କହୁଛନ୍ତି, ସେଥିରେ ମୂଳ ପ୍ରଶ୍ନ- ଏହାର ପ୍ରମାଣ କେଉଁଠି? ଯଦି ସତରେ ଏଭଳି ଏକ ଷଡ଼ଯନ୍ତ୍ର ଚାଲିଥିଲା, ତେବେ ଦଳର ଗୁଇନ୍ଦା ବ୍ୟବସ୍ଥା, ରାଜ୍ୟ ରାଜନୀତିର ଚତୁର ମନ- କାହାରି ଚକ୍ଷୁରେ କାହିଁକି ପଡ଼ିଲା ନାହିଁ?
ଗଣମାଧ୍ୟମ ପ୍ରଶ୍ନ କଲେ ପ୍ରମାଣ କ’ଣ- ଏହାର ସ୍ପଷ୍ଟ ଉତ୍ତର ନ ଥିବାରୁ ଦଳର ବରିଷ୍ଠ ନେତାମାନେ ସାମ୍ନାକୁ ଆସିବାକୁ କୁଣ୍ଠାବୋଧ କରୁଛନ୍ତି। ଏହା ନିଜେ ନିଜେ ଦଳର ଯୁକ୍ତିକୁ ଦୁର୍ବଳ କରୁଛି।
ଅରବିନ୍ଦ ମହାପାତ୍ର ପ୍ରଶ୍ନ: ୧୮ ମାସ ଧରି ନୀରବ କାହିଁକି?
ଯୁବ ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଶ୍ୱାସଘାତକ କୁହାଯାଉଛି। କିନ୍ତୁ ପ୍ରଶ୍ନ- ଯଦି ସେ ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ କାର୍ଯ୍ୟ କରିଥିଲେ, ତେବେ ୧୮ ମାସ ଧରି ଦଳ କାହିଁକି ନୀରବ ଥିଲା?
ତାଙ୍କ ପ୍ରସ୍ତାବ ଆଧାରରେ ନିର୍ବାଚନମଣ୍ଡଳିରେ ପଦାଧିକାରୀ ନିଯୁକ୍ତି କିଏ ଅନୁମୋଦନ କରୁଥିଲା? ଏହି ପ୍ରଶ୍ନ ଆଜି ଦଳ ଭିତରେ ଘୁରୁଛି। ଯଦି ଦୋଷ ଥିଲା, ତେବେ ସେହି ସମୟରେ ଧରାପଡ଼ିଲା ନାହିଁ କାହିଁକି?
୨୬ ବର୍ଷ ପରେ ପୁଣି ବିଜୟ ମହାପାତ୍ର

ଦୀର୍ଘ ୨୬ ବର୍ଷ ପରେ ଓଡ଼ିଶା ରାଜନୀତିରେ ପୁଣି ଥରେ ବିଜୟ ମହାପାତ୍ରଙ୍କ ନାଁ ଘୁରୁଛି- ଏଥର ଏକ ‘ଖଳନାୟକ’ ଭାବରେ। ପ୍ରଶ୍ନ- ସତରେ କ’ଣ ସେଦିନ ଓ ଆଜି ବି ସେ ବିଜେଡିକୁ ଅତିଆର କରିବାକୁ ଚାହୁଁଥିଲେ?
ଏହାର ଉତ୍ତର କେବଳ ନବୀନ ପଟ୍ଟନାୟକ ହିଁ ଦେଇପାରିବେ। କିନ୍ତୁ ଇତିହାସ କହେ- ନବୀନ ୨୦୦୦ ମସିହାର ବହିଷ୍କାରକୁ ନେଇ କେବେ ସ୍ପଷ୍ଟ ଉତ୍ତର ରଖିନାହାନ୍ତି। ତେବେ ୨୦୨୬ରେ ଉତ୍ତର ଆସିବ ବୋଲି ରାଜନୈତିକ ବିଶ୍ଳେଷକମାନେ ନିଶ୍ଚିତ ନୁହେଁ।
୨୦୦୦ ମସିହା: ପାଟକୁରା ଓ ଇତିହାସର ଆଘାତ
୨୦୦୦ ଫେବୃଆରୀ ୫; ବିଜୟ ମହାପାତ୍ରଙ୍କୁ ଦଳରୁ ବହିଷ୍କାର। ଅଭିଯୋଗ-ଦଳ ବିରୋଧୀ କାର୍ଯ୍ୟ, ବିଜେଡିକୁ ‘ହାଇଜାକ୍’ କରିବା ଚେଷ୍ଟା। ତାଙ୍କ ଟିକେଟ କଟିଲା, ପାଟକୁରାରୁ ‘ପ୍ରଜାତନ୍ତ୍ର’ର ସାମ୍ବାଦିକ ଅତନୁ ସବ୍ୟସାଚୀ ନାୟକ ପ୍ରାର୍ଥୀ ହେଲେ। ଫଳାଫଳ? ବିଜେଡି ହାରିଲା। ବିଜୟଙ୍କ ସମର୍ଥନରେ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଜିତିଲେ। ସେବେଠାରୁ ବିଜୟ ନିର୍ବାଚନ ଜିତିନାହାନ୍ତି, କିନ୍ତୁ ତାଙ୍କ ରାଜନୈତିକ ପ୍ରଭାବ କମିନାହିଁ- ଏହା ହିଁ ବିଡ଼ମ୍ବନା।
ପୁଅ ଅରବିନ୍ଦ ଓ ‘ମୋହରା’ ଅଭିଯୋଗ
୨୦୨୪ରେ ପ୍ରଥମ ଥର ପାଇଁ ରାଜନୀତିକୁ ଆସିଥିବା ଅରବିନ୍ଦ ମହାପାତ୍ରଙ୍କୁ ‘ମୋହରା’ କରାଯାଇଛି ବୋଲି ଅଭିଯୋଗ। କିନ୍ତୁ ଯେଉଁମାନେ ବିଜୟ ମହାପାତ୍ରଙ୍କ ରାଜନୀତି ଜାଣନ୍ତି, ସେମାନେ କହୁଛନ୍ତି- ସେ ଏତେ କଞ୍ଚା ଖେଳାଳି ନୁହେଁ ଯେ ଏଭଳି ଅପରେସନରେ ନିଜ ପୁଅକୁ ଆଗରେ ରଖିବେ। ବିଜୟ ନିଜେ ପୁଅକୁ ରାଜନୀତିକୁ ଆଣିନଥିଲେ। ପୁଅର ଇଚ୍ଛାରେ ସେ ଲଢ଼େଇ ଛାଡ଼ିଲେ, ସମର୍ଥନ କଲେ- ଏହାକୁ ଷଡ଼ଯନ୍ତ୍ର ବୋଲି ଦେଖିବାକୁ ଅନେକ ରାଜନୈତିକ ବିଶାରଦମାନେ ପସନ୍ଦ କରୁନାହାନ୍ତି।
ଦଳର ଜୁନିଅର ମୁଖପାତ୍ର ଲେନିନ ମହାନ୍ତି କୌଣସି ସାମ୍ବାଦିକ ସମ୍ମିଳନୀ ନ ଡାକି ଛିଡ଼ା ଛିଡ଼ା ଏକ ବଡ଼ ଅଭିଯୋଗ ଆଣି ବିଜୟ ମହାପାତ୍ର, ତାଙ୍କ ପୁଅ ଓ ବିଧାୟକ ସନାତନ ମହାକୁଡଙ୍କୁ ‘ମିଡ –ଡେ’ ଅପରେସନର ଖଳନାୟକ ସଜାଇଛନ୍ତି। ପ୍ରଶ୍ନ ଉଠୁଛି ସତରେ କ’ଣ ବିଜେଡିରେ ‘ମିଡ-ଡେ ’ ଅପରେସନ ହେଉଥିଲା ? ସତରେ କ’ଣ ବିଜୟ ମହାପାତ୍ର ବିଜେଡିକୁ ଦୁର୍ବଳ କରିବାକୁ ଉଦ୍ୟମ କରୁଥିଲେ ? ସତରେ କ’ଣ ଏଥିପାଇଁ ସେ ଆଉ କାହାକୁ ନ ପାଇ ନିଜ ପୁଅକୁ ହିଁ ମୋହରା କରିଥିଲେ ? ଏସବୁ ପ୍ରଶ୍ନର ଉତ୍ତର ଏବେ ଓଡ଼ିଶା ରାଜନୀତି ଖୋଜିବ। କାରଣ ବିଗତ ୨୫ ବର୍ଷର ବିଜେଡି ଶାସନ କାଳରେ ବିଜୟ ମହାପାତ୍ର ଯେ ଦଳକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି ସେ ଅଭିଯୋଗ ଆସିନଥିଲା। ଏବେ ହଠାତ କିପରି ସେହି ଅଭିଯୋଗ ଆସିଲା ?
ସନାତନ ମହାକୁଡ: ଭିନ୍ନ ରାଜନୀତି, ସରଳ ଦୋଷ?

ନିଲମ୍ବିତ ଅନ୍ୟ ବିଧାୟକ ସନାତନ ମହାକୁଡ- ପ୍ରଥମ ଥର ପାଇଁ ବିଜେଡିରୁ ଜିତିଥିବା ନେତା। ପୂର୍ବରୁ ସ୍ୱାଧୀନ ଭାବେ ଜିତିଥିଲେ, ୨୦୨୪ରେ ବିଜେଡି ପ୍ରାର୍ଥୀ ହୋଇ ଜିତିଲେ। କେନ୍ଦୁଝର ଜିଲ୍ଲାରେ ତାଙ୍କ ରାଜନୀତି ସବୁବେଳେ ଭିନ୍ନ।
ସନାତନ ବିଜେଡି ବିଧାୟକ ଦଳ ବୈଠକକୁ ଆସିନଥିଲେ ବୋଲି ବର୍ଷକ ତଳେ ନବୀନ ପଟ୍ଟନାୟକ ତାଙ୍କୁ ବିଧାନସଭା କରିଡରରେ ପ୍ରଶ୍ନ କରିଥିଲେ । ଏବେ ଗତ ସପ୍ତାହରେ ସନାତନ ମୁଖ୍ୟମନ୍ତ୍ରୀଙ୍କ ସଭାରେ ଉପସ୍ଥିତ ରହି ପରବର୍ତ୍ତୀ ସମୟରେ ବିଜେଡି ଶାସନରେ କେନ୍ଦୁଝର ଜିଲ୍ଲାର ବିକାଶ ହୋଇନଥିବା କହିଥିଲେ। ବିଜେପି ପ୍ରତି ନିକଟତର ହେବା ଓ ବିଜେଡିକୁ ବିକାଶ କାମରେ ଦୋଷଗୋପ କରିବା ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଦର୍ଶାଉଛି । କିନ୍ତୁ ଦଳ ତାଙ୍କୁ ବିଜୟ ମହାପାତ୍ର ଓ ଅରବିନ୍ଦ ମହାପାତ୍ରଙ୍କ ସହ ଯୋଡୁଛି। ବିଜେପି ପ୍ରତି ସମର୍ଥନ, ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା- ଏସବୁ ଖୋଲା। ଦଳ ଯଦି ଏହି କାରଣରୁ କାର୍ଯ୍ୟାନୁଷ୍ଠାନ କଲା, ତେବେ ଏହାକୁ ବିଜୟ ଓ ଅରବିନ୍ଦଙ୍କ ସହ ଯୋଡ଼ିବା କାହିଁକି? ଏହି ସରଳ ପ୍ରଶ୍ନ ଆଜି ଦଳ ଭିତରେ ଘୁରୁଛି।
ମୁଖପାତ୍ର ରାଜନୀତି: କାହାଣୀ ଅଛି, ପ୍ରମାଣ ନାହିଁ
ବର୍ତ୍ତମାନ ପରିସ୍ଥିତିରେ ବିଜେଡି ପକ୍ଷରୁ ସାମ୍ନାକୁ ଆସୁଛନ୍ତି କେବଳ ଜୁନିଅର ମୁଖପାତ୍ର- ଲେନିନ ମହାନ୍ତି ଓ ଅମରେଶ ପତ୍ରୀ। ପ୍ରତିଦିନ ନୂଆ କାହାଣୀ, ନୂଆ ଦାବି- କିନ୍ତୁ ଅରବିନ୍ଦ ମହାପାତ୍ର ପଚାରୁଥିବା ସିଧାସଳଖ ପ୍ରଶ୍ନର ଉତ୍ତର ନାହିଁ।
ବରିଷ୍ଠ ବିଧାୟକମାନେ ସମର୍ଥନ କରୁନାହାନ୍ତି, ସେହିପରି ବିରୋଧ ମଧ୍ୟ ନୁହେଁ- ଏହି ନୀରବତା ହିଁ ଦଳର ସବୁଠାରୁ ବଡ଼ ସମସ୍ୟା।
ନବୀନଙ୍କ ଶୈଳୀ: ଅଭିଯୋଗ, ନୀରବତା, ଇତିହାସ
ନଳିନୀ ମହାନ୍ତି, କମଳା ଦାସଙ୍କଠାରୁ ଆରମ୍ଭ କରି ପ୍ୟାରୀ ମୋହନ ମହାପାତ୍ର ଏବଂ ଆଜିର ଅରବିନ୍ଦ ଓ ସନାତନ ପର୍ଯ୍ୟନ୍ତ ନବୀନ ପଟ୍ଟନାୟକଙ୍କ ରାଜନୀତିରେ ଏକ ଧାରା ଦେଖାଯାଏ: ଅଭିଯୋଗ ଆସେ, କାର୍ଯ୍ୟାନୁଷ୍ଠାନ ହୁଏ, କିନ୍ତୁ ପରେ ପ୍ରମାଣ ସାମ୍ନାକୁ ଆସେନି। ଏହି କାରଣରୁ ଆଜି ବିଜେଡି ଭିତରେ ନିଲମ୍ବନ ନାଟକକୁ ନେଇ ବିଶ୍ୱାସର ସଙ୍କଟ। ଦଳ ଯଦି ଏହାକୁ ସମ୍ଭାଳିପାରିବ ନାହିଁ, ତେବେ ରାଜ୍ୟସଭା ନିର୍ବାଚନରେ ଏହାର ପ୍ରଭାବ ପଡ଼ିପାରେ।
ଗପ ନା ସତ—ଉତ୍ତର କେଉଁଠି?
ସତରେ କ’ଣ ବିଜେଡିରେ ‘ମିଡ୍-ଡେ ଅପରେସନ୍’ ହେଉଥିଲା? ସତରେ କ’ଣ ବିଜୟ ମହାପାତ୍ର ବିଜେଡିକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଥିଲେ? ସତରେ କ’ଣ ପୁଅ ଏକ ମୋହରା?
ଏହି ସମସ୍ତ ପ୍ରଶ୍ନର ଉତ୍ତର ଏବେ ଓଡ଼ିଶା ରାଜନୀତି ଖୋଜୁଛି। କାରଣ ୨୫ ବର୍ଷର ଶାସନ କାଳରେ ଏଭଳି ଅଭିଯୋଗ ଆଗରୁ ଆସିନଥିଲା। ଏବେ ହଠାତ୍ କାହିଁକି?
ପ୍ରମାଣ ଆସିଲେ ଦଳର ନିଷ୍ପତ୍ତି ସଠିକ୍ ବୋଲି ପ୍ରମାଣିତ ହେବ। ପ୍ରମାଣ ନ ଆସିଲେ- ଏହା କେବଳ ଏକ ଆଭ୍ୟନ୍ତରୀଣ ଭୟ, ଏକ ରାଜନୀତିକ ଆତଙ୍କ ବୋଲି ଇତିହାସ ଲେଖିଦେବ।
ଏବଂ ସେଇ ଇତିହାସର ଆଗରେ ଆଜି ଠିଆ ହୋଇଛି ବିଜେଡି, ନବୀନ ପଟ୍ଟନାୟକ ଓ ଓଡ଼ିଶାର ଆଗାମୀ ଦିନର ରାଜନୀତି।
also read https://purvapaksa.com/bjd-mla-suspension-controversy-expelled-leader-srimayee-criticizes-the-party/


