୨୦୨୪ ନିର୍ବାଚନ ପରାଜୟ ପରେ ବିଜୁ ଜନତା ଦଳ ଏକ ଦୀର୍ଘ ଓ କଠିନ ପରିବର୍ତ୍ତନ ମଧ୍ୟରେ ଗତି କରୁଛି। ୨୪ ବର୍ଷ ଧରି ଶାସନ କରିଥିବା ଦଳ ପାଇଁ ହଠାତ୍ ବିପକ୍ଷରେ ବସିବା ମାନସିକ ଭାବେ ମଧ୍ୟ ସହଜ ନୁହେଁ। ୨୦୨୪ ନିର୍ବାଚନରେ ବିଜେଡିର ଅପ୍ରତ୍ୟାଶିତ ପରାଜୟ ପରେ ରାଜ୍ୟ ରାଜନୀତିରେ ସ୍ଥିରତା ଆସିବା ପରିବର୍ତ୍ତେ ଅସ୍ଥିରତା ବଢ଼ିବାରେ ଲାଗିଛି। ଦୀର୍ଘ ୨୪ ବର୍ଷର ଶାସନ ଗାଦିରୁ ଓହ୍ଲାଇବା ପରେ ଶଙ୍ଖ ଦଳ ଏବେ ଏକ ବଡ଼ ଧରଣର ଆଭ୍ୟନ୍ତରୀଣ ସଂକଟ ଦେଇ ଗତି କରୁଛି। ଗୋଟିଏ ପଟେ ଦଳର ଶୀର୍ଷ ନେତୃତ୍ୱ ନିଜର ସଂଗଠନକୁ ସଜାଡ଼ିବାକୁ ଚେଷ୍ଟା କରୁଥିବାବେଳେ, ଅନ୍ୟପଟେ ‘ଡିଲ୍’ ରାଜନୀତିର ଅଭିଯୋଗ ଦଳର ଭାବମୂର୍ତ୍ତିକୁ ଜନମାନସରେ ଦୋହଲାଇ ଦେଇଛି। ଏହି ପରିସ୍ଥିତିରେ ଦଳ ନେତୃତ୍ୱର ପ୍ରତ୍ୟେକ ନିଷ୍ପତ୍ତି; ବିଶେଷକରି ରାଜ୍ୟସଭା ନିର୍ବାଚନ ସମ୍ବନ୍ଧୀୟ ସନ୍ଦେହ, ଆଶଙ୍କା ଓ ଅନୁମାନର ଆଲୋକରେ ପଢ଼ାଯାଉଛି। ଚମ୍ପୁଆର ବିଧାୟକ ସନାତନ ମହାକୁଡ଼ ଓ ପାଟକୁରାର ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ଏହି ଆଲୋଚନାକୁ ଆଉ ତୀକ୍ଷ୍ଣ କରିଦେଇଛି।

ଦୁଇ ବିଧାୟକଙ୍କ ନିଲମ୍ବନ: କଠୋରତା କି କୌଶଳ ?
ଚମ୍ପୁଆର ବିଧାୟକ ସନାତନ ମହାକୁଡ଼ ଓ ପାଟକୁରାର ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ନିଲମ୍ବନ କରିବା ଘଟଣା ହଠାତ୍ ଘଟିନଥିଲା। ବିଜେଡି ଭିତରେ ଦୀର୍ଘଦିନ ଧରି ଚାଲିଥିବା ଅସନ୍ତୋଷ, ଗୋଷ୍ଠୀବିବାଦ ଓ ନେତୃତ୍ୱ ପ୍ରତି ଅବିଶ୍ୱାସର ଏହା ଏକ କରୁଣ ପରିଣତି।
କିନ୍ତୁ ପ୍ରଶ୍ନ ହେଉଛି—ଏହି ନିଲମ୍ବନର ସମୟ ଏତେ ଗୁରୁତ୍ୱପୂର୍ଣ୍ଣ କାହିଁକି? ଯେତେବେଳେ ରାଜ୍ୟସଭା ନିର୍ବାଚନ ଆଗକୁ ରହିଛି, ଏହି ସମୟରେ ଦଳର ଏକତା ସବୁଠାରୁ ଅଧିକ ଆବଶ୍ୟକ, ସେତେବେଳେ ଏପରି କଠୋର ପଦକ୍ଷେପ ନେବା ଦଳୀୟ ଅନୁଶାସନର ନାମରେ ଗୋଟିଏ ସଂକେତ ନୁହେଁ ତ?
କିନ୍ତୁ ରାଜନୀତିରେ ସମୟ ଓ ପ୍ରସଙ୍ଗ ସବୁବେଳେ ଗୁରୁତ୍ୱପୂର୍ଣ୍ଣ। ରାଜ୍ୟସଭା ନିର୍ବାଚନ ପୂର୍ବରୁ ଏପରି କଠୋର ପଦକ୍ଷେପ ନେବାର ଅର୍ଥ—ଦଳ ଭିତରେ ଅନୁଶାସନ ସୁଦୃଢ଼ କରିବା, ନା ଦଳର ସଂଖା ଗଣିତକୁ ପୁନଃସଜାଇବା?
ଶ୍ରୀମୟୀ ମିଶ୍ରଙ୍କ ଲେଖା ଓ ‘ଡିଲ୍’ ଅଭିଯୋଗ ?
ବିଜେଡିରୁ ନିଲମ୍ବିତ ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ସୋସିଆଲ ମିଡିଆ ଲେଖା—“ନୂଆପଡ଼ା ପରେ ଆରମ୍ଭ ହେଲା ରାଜ୍ୟସଭା ଡିଲ୍”—ରାଜନୀତିକ ମହଲରେ ନିଆଁ ଲଗାଇଦେଇଛି। ଏହି ଲେଖାକୁ ଗୋଟିଏ ରୋଷାନ୍ୱିତ ନେତ୍ରୀଙ୍କ ବ୍ୟକ୍ତିଗତ ମତ ଭାବେ ଖାରଜ କରିଦେବା ସହଜ; କିନ୍ତୁ ଏହା ପଛରେ ଥିବା ଅନୁକ୍ରମିକ ଘଟଣା—ନୂଆପଡ଼ା ଉପନିର୍ବାଚନ, ପ୍ରାର୍ଥୀ ଚୟନ, ଦଳୀୟ ଅସନ୍ତୋଷ—ସବୁକୁ ଏକାଠି ଦେଖିଲେ ଡିଲ ଅଭିଯୋଗର ଗୁରୁତ୍ୱ ରହିଛି।
ଶ୍ରୀମୟୀ କ’ଣ ଲେଖିଛନ୍ତି ?

ବିଜେଡିର ଏହି ପଦକ୍ଷେକୁ ବିଜେଡିରୁ ନିଲମ୍ବିତ ନେତ୍ରୀ ଶ୍ରୀମୟୀ ମିଶ୍ର ତାଙ୍କ ସୋସିଆଲ ମିଡିଆ ଏକାଉଣ୍ଡରେ ଲେଖିଛନ୍ତି, ‘‘ନୂଆପଡ଼ା ପରେ ଆରମ୍ଭ ହେଲା ରାଜ୍ୟସଭା ଡିଲ୍, ସମଝଦାରୋ କୋ ଇସାରା କାଫି’’।
ଏହା ପୂର୍ବରୁ ୧୫ ଅକ୍ଟୋବର ୨୦୨୫ରେ ଶ୍ରୀମୟୀ ଲେଖିଥିଲେ ପ୍ରମାଣିତ ହେଲା କହ୍ନେଇଙ୍କ ‘ଦିଲ୍ଲୀ ଡିଲ୍’। ଜିଲ୍ଲା ବାହାରର ପରାଜିତ ନେତ୍ରୀଙ୍କୁ ବିଜେଡି ଟିକେଟ୍ ଦେଇ ପରୋକ୍ଷରେ ‘କହ୍ନେଇ’ଙ୍କ ସ୍ଥାୟିତ୍ୱ ଓ ଡିଲକୁ କାର୍ଯ୍ୟକାରୀ କରାଇଛି । ଯେଉଁ ନେତ୍ରୀଙ୍କୁ ବିଜେଡି ନୂଆପଡ଼ା ଉପନିର୍ବାଚନରେ ପ୍ରାର୍ଥୀ କରିବ ବୋଲି କହିଛି ସେ ଗତ ମାସରେ କହ୍ନେଇଙ୍କୁ ନବୀନବାବୁଙ୍କ ‘ମାନସ ପୁତ୍ର’ କହିବା ପରେ ହିଁ ତାଙ୍କୁ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ପଦବୀରେ ପୁରସ୍କୃତ କରାଯାଇଥିଲା । ଯେଉଁ ମହିଳା ନିଜ ଦଳର ନେତ୍ରୀଙ୍କୁ ଅପମାନିତ ହେବାର ଦେଖି ଚୁପ୍ ରହିଥିଲେ ଓ ପାଣ୍ଡିଆନଙ୍କ ଚାପରେ ବାରମ୍ବାର ବୟାନ ବଦଳାଇଥିଲେ ଏବେ ତାଙ୍କୁ ନୂଆପଡ଼ାରେ ବିଜେଡିର ପ୍ରାର୍ଥୀ କରାଯାଇଛି । ବରଗଡ଼ର ଏହି ନେତ୍ରୀ ଗତ ସାଧାରଣ ନିର୍ବାଚନରେ ନିଜ ପାରମ୍ପରିକ ଆସନରୁ ୨୯ହଜାର ଭୋଟ୍ ବ୍ୟବଧାନରେ ଶୋଚନୀୟ ପରାଜିତ ହୋଇଥିଲେ। ଏବେ ସିଏ ନୂଆପଡ଼ାରେ ଦଳର ପ୍ରାର୍ଥୀ ହେବାପରେ ସ୍ପଷ୍ଟ ପ୍ରମାଣିତ ହେଲା ଯେ, ବିଜେଡି କିଭଳି ନୂଆପଡ଼ାରେ ତୃତୀୟ ସ୍ଥାନରେ ରହିବ ସେଥିପାଇଁ ବିରାଟ ଷଡ଼ଯନ୍ତ୍ର ଗତ ସପ୍ତାହରେ ଦିଲ୍ଲୀରେ ହୋଇସାରିଥିଲା । ଦଳର କୋର ଟିମ୍ ସଦସ୍ୟମାନେ ସେହି କହ୍ନେଇଙ୍କୁ ନବୀନ ନିବାସରେ ଭେଟି ମଙ୍ଗଳବାର ସନ୍ଧ୍ୟାରେ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ବି ଦେଲେ । ମାତ୍ର ହେଲା କ’ଣ? ନୂଆପଡ଼ାର ହଜାର ହଜାର ବିଜୁପ୍ରେମୀ ଓ ଦଳୀୟ କର୍ମୀଙ୍କ ପ୍ରତି ଏହା ଅପମାନ ନୁହେଁ ତ ଆଉ କ’ଣ? ଯେଉଁ ଅଣଓଡ଼ିଆ ବ୍ୟକ୍ତି ପାଇଁ ବିଜେଡିର ୨୪ବର୍ଷର ସରକାର ଚାଲିଗଲା, ଆଉ ଏବେ ନୂଆପଡ଼ାରେ ତୃତୀୟ ସ୍ଥାନରେ ରହିବାର ଷଡ଼ଯନ୍ତ୍ର ହେଲା, ତାକୁ କେତେଦିନ ସହିବେ ବିଜେଡିର ନେତାମାନେ, ସେ ବିଚାର ଆପଣମାନଙ୍କ ଉପରେ ଛାଡ଼ିଲି ।
also read https://purvapaksa.com/how-many-names-have-been-excluded-from-the-voter-list/


