ନୂଆ କରି ଟେଷ୍ଟ ଦଳରେ ସ୍ଥାନ ପାଇଥିବା ଯୁବ ଅଲ୍ରାଉଣ୍ଡର ନିତିଶ କୁମାର ରେଡ୍ଡୀ ପର୍ଥରେ ପଦାର୍ପଣ କରିବାର ଯେଥଷ୍ଟ ସମ୍ଭାବନା ରହିଛି। ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ କୋଚ ଗୌତମ ଗମ୍ଭୀର କହିଛନ୍ତି, ନିତିଶଙ୍କ ଖେଳ ବେଶ ପ୍ରଭାବିତ କରିଛି। ଟି-ଟ୍ୱେଣ୍ଟିରେ ତାଙ୍କ ପ୍ରଦର୍ଶନ ଚମତ୍କାର ରହିଥିଲା। ସେ ବେଶ ପ୍ରତିଭାବାନ। ତାଙ୍କ ଉପରେ ମୋର ଯଥେଷ୍ଟ ଭରସା ରହିଛି। ଅଷ୍ଟ୍ରେଲିଆରେ ସେ ସଫଳ ହେବେ ବୋଲି ମୋର ଆଶା ରହିଛି।
ବାଂଲାଦେଶ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜରେ ନିତିଶ ଅଲ୍ରାଉଣ୍ଡ ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ ଭରସା ଜିତିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଟେଷ୍ଟ ଦଳରେ ସ୍ଥାନ ମିଳିଥିଲା। ସ୍ଥାନୀୟ ଜଳବାୟୁ ସହ ଖାପ ଖୁଆଇବା ପାଇଁ ତାଙ୍କୁ ଭାରତ ଏ’ ଦଳ ସହ ଆଗୁଆ ଅଷ୍ଟ୍ରେଲିଆ ପଠା ଯାଇଛି। ଅଷ୍ଟ୍ରଲିଆ ଏ’ ଦଳ ବିପକ୍ଷରେ ସେ ଉଭୟ ଅନଫିସିଆଲ ଟେଷ୍ଟ ଖେଳିଛନ୍ତି।
ସୂଚନାଯୋଗ୍ୟ, ଭାରତର ଏକମାତ୍ର ପେସ ବୋଲିଂ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟ ଟେଷ୍ଟ କ୍ରିକେଟ ପ୍ରତି ଆଗ୍ରହ ଦେଖାଉ ନାହାନ୍ତି। ବାରମ୍ବାର ଆହତ ହେଉଥିବାରୁ ସେ ଛୋଟ (ଟି-ଟ୍ୱେଣ୍ଟି) ଫର୍ମାଟରେ ସୀମିତ ରହୁଛନ୍ତି। ତେଣୁ ବିସିସିଆଇ ବ୍ୟାକୁଳତାର ସହ ଜଣେ ପେସ ବୋଲିଂ ଅଲ୍ରାଉଣ୍ଡର ସନ୍ଧାନରେ ରହିଥିଲା। ଭାଗ୍ୟକୁ ଗତ ଆଇପିଏଲରେ ନିତିଶ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳିବାକୁ ସୁଯୋଗ ପାଇଥିଲେ ଓ ଦର୍ଶନୀୟ ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ପର୍ଥ ପିଚ ପାରମ୍ପରିକ ଭାବେ ପେସ ବୋଲରଙ୍କୁ ସହାୟତା କରିଆସୁଛି। ଏଠାରେ ପିଚରୁ ଅତିରିକ୍ତ ବାଉନ୍ସ ମିଳେ ଓ ନୂଆ ବଲ୍ ମାତ୍ରାଧିକ ସୁଇଂ ହୁଏ। ପଶ୍ଚିମ ଅଷ୍ଟ୍ରେଲିଆର ମାଳ ଅଞ୍ଚଳରେ ଷ୍ଟାଡ଼ିୟମ ରହିଥିବାରୁ ଅପରାହ୍ଣରେ ପୁରୁଣା ବଲ୍ ରିଭର୍ସ ସୁଇଂ ହୋଇଥାଏ। ତେଣୁ ଭାରତ ଏଠାରେ ଅତିରିକ୍ତ ପେସ ବୋଲର ନେଇ ଖେଳିବା ନିଶ୍ଚତ। ଏଭଳି ସ୍ଥଳେ ନିତିଶ ଦଳର ଶକ୍ତି ବୃଦ୍ଧି କରିପାରିବ।
Previous article : https://purvapaksa.com/bumrah-will-captain-if-rohit-isnt-available/
1 Comment
Pingback: Page not found – purvapaksa.com