ଆଗାମୀ ଏପ୍ରିଲରେ ହେବାକୁ ଯାଉଥିବା ରାଜ୍ୟସଭା ନିର୍ବାଚନ ଓଡ଼ିଶା ରାଜନୀତିକୁ ପୁଣିଥରେ ଏକ ଅସ୍ଥିର, ସନ୍ଦେହଜନକ ଓ କୌତୁହଳପୂର୍ଣ୍ଣ ପରିବେଶ ମଧ୍ୟକୁ ଟାଣି ଆଣିଛି । ବିଷୟଟି କେବଳ ଚାରିଟି ଆସନର ନୁହେଁ ; ଏହା ଦଳୀୟ ଶିଷ୍ଟାଚାର, ଆନ୍ତରିକ ଏକତା ଏବଂ ଓଡ଼ିଶାର ବିରୋଧୀ ରାଜନୀତିର ଭବିଷ୍ୟତ ଦିଗକୁ ନେଇ ଗଭୀର ପ୍ରଶ୍ନ ଉଠାଇ ଦେଇଛି । ‘କ୍ରସ ଭୋଟିଂ’- ଏହି ଦୁଇଟି ଶବ୍ଦ ଏବେ ରାଜ୍ୟର ରାଜନୀତିକ ଶବ୍ଦକୋଷରେ ସବୁଠାରୁ ଭୟଙ୍କର ଓ ସବୁଠାରୁ ଆଲୋଚିତ ଶବ୍ଦ ହୋଇ ଉଠିଛି ।

ଏହି ଭୟ କେବଳ ଶାସକ ଶିବିର ପାଇଁ ନୁହେଁ । ରାଜ୍ୟର ବିରୋଧୀ ଶିବିର ବିଜେଡି ଓ କଂଗ୍ରେସରେ ଏହାର ଛାୟା ସ୍ପଷ୍ଟ । ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଓ ରାଜ୍ୟ କଂଗ୍ରେସର ସଭାପତି ଭକ୍ତ ଦାସ- ଦୁଇଜଣଙ୍କ ଆଖିରୁ ନିଦ ହଜିଯାଇଥିବା ଏବେ ଖୋଲାଖୋଲି ଆଲୋଚନା ହେଉଛି । କାରଣ ଚତୁର୍ଥ ରାଜ୍ୟସଭା ଆସନଟି କେବଳ ଗଣିତର ପ୍ରଶ୍ନ ନୁହେଁ ; ଏହା ରାଜନୀତିକ ମନୋବୃତ୍ତି, ଦଳୀୟ ନିଷ୍ଠା ଓ ଶକ୍ତି ସମୀକରଣର ଏକ କଠିନ ପରୀକ୍ଷା।
ରାଜ୍ୟସଭା ଗଣିତ : ସଂଖ୍ୟାର ଭାଷା ଓ ରାଜନୀତିର ଅର୍ଥ
ଏପ୍ରିଲରେ ଓଡ଼ିଶାରୁ ରାଜ୍ୟସଭାର ଚାରିଟି ଆସନ ଖାଲି ହେବ । ଏକସାଙ୍ଗରେ ଚାରିଜଣଙ୍କ ନିର୍ବାଚନ ହେଉବାରୁ ପ୍ରତ୍ୟେକ ପ୍ରାର୍ଥୀଙ୍କୁ ଜିତିବା ପାଇଁ ସର୍ବନିମ୍ନ ୩୦ ଖଣ୍ଡ ପ୍ରଥମ ପସନ୍ଦ ଭୋଟ ଆବଶ୍ୟକ । ଏହି ସଂଖ୍ୟା ହିଁ ସମଗ୍ର ରାଜ୍ୟସଭା ଭୋଟ ରାଜନୀତିର ଚାବି । ବିଧାନସଭାରେ ବର୍ତ୍ତମାନ ରାଜ୍ୟରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି ପାଖରେ ୭୯ଜଣ ବିଧାୟକ ଅଛନ୍ତି । ଦୁଇଜଣ ସ୍ୱାଧୀନ ବିଧାୟକ ହିମାଂଶୁ ସାହୁ ଓ ବିଜୟ ଦଳବେହେରା ବିଜେପିକୁ ସମର୍ଥନ କରୁଛନ୍ତି । ଏହି ଦୁଇଜଣଙ୍କୁ ମିଶାଇଲେ ବିଜେପିର ବିଧାୟକ ସଂଖ୍ୟା ୮୧ ହେବ। ସରଳ ଗଣିତ ଅନୁଯାୟୀ, ବିଜେପି ସହଜରେ ଦୁଇଟି ଆସନ ପାଇଁ ୬୦ ଖଣ୍ଡ ଭୋଟ ବ୍ୟବହାର କରିପାରିବ । ଏହାପରେ ବିଜେପି ପାଖରେ ୨୧ ଖଣ୍ଡ ଭୋଟ ବଳକା ରହିଯିବ। ମୁଖ୍ୟ ବିରୋଧୀ ବିଜୁ ଜନତା ଦଳ ପାଖରେ ୫୦ଜଣ ବିଧାୟକ ରହିଥିବାରୁ ଦଳ ଗୋଟିଏ ଆସନ ସହଜରେ ଜିତିପାରିବ । ୩୦ ଖଣ୍ଡ ଭୋଟ ଦେଇ ଜଣେ ପ୍ରାର୍ଥୀଙ୍କୁ ଜିତାଇବା ପରେ ବିଜେଡି ପାଖରେ ୨୦ ଖଣ୍ଡ ଭୋଟ ବଳକା ରହିବ । ଏ ପର୍ଯ୍ୟନ୍ତ ଗଣିତ ସ୍ପଷ୍ଟ କିନ୍ତୁ ଚତୁର୍ଥ ଆସନରେ ଆସିଲେ ସମସ୍ତ ଗଣିତ ଅସ୍ପଷ୍ଟ ହୋଇଯାଉଛି ।
କଂଗ୍ରେସ, ବାମ ଓ ‘କିଙ୍ଗମେକର’ ବିଜେଡି
/sambad-english/media/media_files/2025/07/18/bhakta-das-2025-07-18-14-18-28.jpeg)
ରାଜ୍ୟରେ ଭାରତୀୟ ଜାତୀୟ କଂଗ୍ରେସ ପାଖରେ ୧୪ଜଣ ବିଧାୟକ ଅଛନ୍ତି । ସିପିଏମର ଜଣେ ବିଧାୟକଙ୍କୁ ମିଶାଇ ମୋଟ ୧୫ ଖଣ୍ଡ ଭୋଟ । ଏହି ସଂଖ୍ୟା କାହାକୁ ଏକାକୀ ଜିତାଇବା ପାଇଁ ପର୍ଯ୍ୟାପ୍ତ ନୁହେଁ । କିନ୍ତୁ ଏହି ୧୫ ଭୋଟ ହିଁ ଚତୁର୍ଥ ଆସନର ଭାଗ୍ୟ ନିର୍ଣ୍ଣୟ କରିପାରେ- ଯଦି ବିଜେଡି ସହ ମିଳିତ ରଣନୀତି ହୁଏ । ବିଜେଡିର ବଳକା ୨୦ ଭୋଟ ସହ କଂଗ୍ରେସ–ବାମର ୧୫ ଭୋଟ ମିଶିଲେ ୩୫- ଏକ ସୁରକ୍ଷିତ ବିଜୟ ସଂଖ୍ୟା । ଏହି ପରିସ୍ଥିତିରେ ବିରୋଧୀ ମିଳିତ ପ୍ରାର୍ଥୀ ଚତୁର୍ଥ ଆସନ ଜିତିପାରିବେ । କିନ୍ତୁ ରାଜନୀତି ସବୁବେଳେ ଗଣିତ ଅନୁସାରେ ଚାଲେ ନାହିଁ ।
ବିଜେଡି–ବିଜେପି ‘ବୁଝାମଣା’: ପୁରୁଣା ଅନୁଭବ, ନୂଆ ସନ୍ଦେହ
ବିଜେଡି ଓ ବିଜେପି ମଧ୍ୟରେ ଭିତିରି ବୁଝାମଣାର ଅଭିଯୋଗ ନୂଆ ନୁହେଁ । ପୂର୍ବରୁ ଦୁଇଥର ବିଜେଡି ରାଜ୍ୟସଭା ଆସନ ବିଜେପିକୁ ଛାଡ଼ିଥିଲା । ସେହି ଦୁଇଥର ମଧ୍ୟ ବର୍ତ୍ତମାନର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଜେଡି ସମର୍ଥନରେ ରାଜ୍ୟସଭାକୁ ଯାଇଥିଲେ । ଏହି ପୂର୍ବାନୁଭବ ଆଜିର ସନ୍ଦେହକୁ ଅଧିକ ଗଭୀର କରିଦେଇଛି ।
ଯଦି ବିଜେଡି ଏଥର ମଧ୍ୟ ବିଜେପି ସହ ବୁଝାମଣା କରେ- ପ୍ରକାଶ୍ୟରେ ହେଉ ବା ଅପ୍ରକାଶ୍ୟରେ – ତେବେ ବିଜେପି ତା’ର ବଳକା ୨୧ଖଣ୍ଡ ଭୋଟ ସହ ବିଜେଡିର ମାତ୍ର ୯ଟି ଭୋଟ ପାଇଲେ ଚତୁର୍ଥ ଆସନଟି ନେଇଯାଇପାରିବ । କିନ୍ତୁ ଏହି ପଥ ଅତ୍ୟନ୍ତ ବିପଦଜନକ; କାରଣ ଏହା ଦଳ ମଧ୍ୟରେ କ୍ରସ ଭୋଟିଂର ଆଶଙ୍କାକୁ ଉତ୍ତେଜିତ କରିପାରେ ।
ୱାକଫ ବିଲ ଓ ବିଜେଡିର ଦ୍ୱନ୍ଦ୍ୱାତ୍ମକ ନିଷ୍ପତ୍ତି

ବିଜେଡି ଭିତରେ ଦଳୀୟ ଏକତା କେତେ ଦୃଢ଼- ତାହାର ଉଦାହରଣ ସଂସଦର ମୌସୁମୀ ଅଧିବେଶନରେ ଦେଖିବାକୁ ମିଳିଥିଲା। ୱାକଫ ସଂଶୋଧନ ବିଲ ଉପରେ ଦଳର ସ୍ଥିତି ଦେଖାଇ ଦେଇଛି। ଦଳ ଅଧ୍ୟକ୍ଷ ଭାବରେ ନବୀନ ପଟ୍ଟନାୟକ ସମସ୍ତ ସାଂସଦଙ୍କୁ ଡାକି ବିଲକୁ ବିରୋଧ କରିବା ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଭୋଟ ଦିନ ‘ବିବେକ ଅନୁସାରେ ମତଦାନ’ କରିବାକୁ ଅନୁମତି ଦିଆଯାଇଥିଲା। ଫଳସ୍ୱରୂପ, ୭ଜଣ ବିଜେଡି ରାଜ୍ୟସଭା ସାଂସଦଙ୍କ ମଧ୍ୟରୁ ୨ଜଣ ବିରୋଧରେ ଓ ୪ଜଣ ସପକ୍ଷରେ ଭୋଟ ଦେଲେ। ଜଣେ ଭୋଟ ଦେଲେ ନାହିଁ। ଏହା ଦଳ ଭିତରେ ଭୂମିକମ୍ପ ସୃଷ୍ଟି କଲା। ଏହି ପୃଷ୍ଠଭୂମିରେ ରାଜ୍ୟସଭା ନିର୍ବାଚନ ଆସୁଥିବାରୁ ବିଜେଡି ଭିତରେ ‘ସମସ୍ତେ ଏକ ମତ’ ରହିବେ କି ନାହିଁ—ତାହା ନେଇ ସନ୍ଦେହ ସ୍ୱାଭାବିକ।
୨୦୦୦ ପୂର୍ବର ଇତିହାସ: କ୍ରସ ଭୋଟିଂର ଆଘାତ
ଓଡ଼ିଶା ରାଜନୀତିରେ କ୍ରସ ଭୋଟିଂ କିଛି ନୂଆ କଥା ନୁହେଁ । ୨୦୦୦ ମସିହା ପୂର୍ବରୁ ବିଜେଡି କ୍ଷମତାରେ ନ ଥିବା ସମୟରେ ରାଜ୍ୟସଭା ନିର୍ବାଚନରେ ବଡ଼ ପରିମାଣର କ୍ରସ ଭୋଟିଂ ହୋଇଥିଲା । ସେହି ନିର୍ବାଚନରେ ବିଜେଡି ପ୍ରାର୍ଥୀ ଅନଙ୍ଗ ଉଦୟ ସିଂହଦେଓ ହାରିଯାଇଥିଲେ । ତା’ପରେ ନବୀନ ପଟ୍ଟନାୟକ ଦଳର ୫ଜଣ ବରିଷ୍ଠ ନେତାଙ୍କୁ ସସପେଣ୍ଡ କରିଥିଲେ । ଆଜି ପରିସ୍ଥିତି ଆଶ୍ଚର୍ଯ୍ୟଜନକ ଭାବରେ ସମାନ ସ୍ଥିତିକୁ ଆସିଯାଇଛି । ବିଜେଡି ଏବେ କ୍ଷମତାରେ ନାହିଁ । ଦଳ ଭିତରେ ଅସନ୍ତୋଷ ବହୁତ ପରିମାଣରେ ରହିଛି । ଏବଂ ଏକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟସଭା ନିର୍ବାଚନ ସାମ୍ନାରେ ।
ନବୀନଙ୍କ ତାଳିପକା ଉଦ୍ୟମ ଆରମ୍ଭ

ଦଳରେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ନେଇ ଅସନ୍ତୋଷ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏପରିକି ରାଜ୍ୟସଭା ଯିବା ପାଇଁ ପାଣ୍ଡିଆନଙ୍କ ପତ୍ନୀଙ୍କ ସମେତ ଅନେକ ନବାଗତ ଓ ପୁରୁଖା ନେତାଙ୍କ ନାଁ’କୁ ନେଇ ଆଲୋଚନା ହେଉଛି । ଦଳରେ ବିଧାୟକମାନଙ୍କ ଯେପରି ଏକତା ରହିବ ସେଥିପାଇଁ ନବୀନ ପଟ୍ଟନାୟକ ନିଜେ ଆଗକୁ ଆସି ତାଳିପକା ଉଦ୍ୟମ ଆରମ୍ଭ କରିଛନ୍ତି । ଗତ ଦୁଇ ଦିନ ହେଲା ଦଳର ୧୦ଜଣ ଲେଖାଏଁ ବିଧାୟକଙ୍କୁ ନବୀନ ନିବାସ ଡାକି ସେମାନଙ୍କ ସହିତ ଆଲୋଚନା କରୁଛନ୍ତି । ଏହି ଆଲୋଚନାର ଏକମାତ୍ର ଉଦ୍ଦେଶ୍ୟ ଆଗାମୀ ରାଜ୍ୟସଭା ନିର୍ବାଚନରେ କିପରି ସମ୍ଭାବ୍ୟ କ୍ରସ ଭୋଟିଂକୁ ରୋକା ଯାଇପାରିବ ।
ଚତୁର୍ଥ ଆସନ ପାଇଁ କିଏ ପ୍ରାର୍ଥୀ?
ବିଜେପି ଓ ବିଜେଡି ନିଜ ବିଧାୟକଙ୍କ ସଂଖ୍ୟାବଳରେ ଯଥାକ୍ରମେ ଦୁଇ ଓ ଗୋଟିଏ ଆସନ ନେଇଯିବା ପରେ ଚତୁର୍ଥ ଆସନ ପାଇଁ ଯୋଡ଼ ତୋଡ଼ ଗଣିତ ଉପରେ ଭରସା କରିବାକୁ ପଡ଼ିବ । ଏହି ଚତୁର୍ଥ ଆସନ ପାଇଁ ବିଜେଡି-ବିଜେପିର ମିଳିତ ପ୍ରାର୍ଥୀ ଭାବରେ ଶିଳ୍ପପତି ଦିଲ୍ଲୀପ ରାୟ ପ୍ରାର୍ଥୀ ହୋଇପାରନ୍ତି ବୋଲି ଆଲୋଚନା ହେଉଛି । କାରଣ ଦିଲ୍ଲୀପ ରାୟ ଅତୀତରେ ସ୍ୱାଧୀନ ପ୍ରାର୍ଥୀ ହୋଇ ବିଭିନ୍ନ ଦଳର ବିଧାୟକମାନଙ୍କ ସମର୍ଥନରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବାର ନଜିର ରହିଛି । ଏପରିକି ତାଙ୍କର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହିତ ଏବେ ଭଲ ସମ୍ପର୍କ ରହିଛି । ତେଣୁ ସେ ପ୍ରାର୍ଥୀ ହେଲେ ବିଜେଡିରେ କ୍ରସ ଭୋଟିଂର ଭୟ ରହିବ ନାହିଁ କି ଦଳ ନିନ୍ଦିତ ହେବ ନାହିଁ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି ।
କଂଗ୍ରେସ ଭିତରର ଅସନ୍ତୋଷ: ଭକ୍ତ ଦାସଙ୍କ ପାଇଁ ଆଉ ଏକ ଚ୍ୟାଲେଞ୍ଜ
କ୍ରସ ଭୋଟିଂର ଭୟ କେବଳ ବିଜେଡି ପର୍ଯ୍ୟନ୍ତ ସୀମିତ ନୁହେଁ । ରାଜ୍ୟ କଂଗ୍ରେସ ଭିତରେ ମଧ୍ୟ ଅସନ୍ତୋଷ କୁହୁଳିବାରେ ଲାଗିଛି । ପିସିସି ସଭାପତି ଭକ୍ତ ଦାସଙ୍କ ମନମୁଖୀ କାର୍ଯ୍ୟଶୈଳୀକୁ ନେଇ ଦଳର ୧୪ ବିଧାୟକଙ୍କ ମଧ୍ୟରୁ ଅନ୍ୟୁନ ୫ଜଣ ଅସନ୍ତୁଷ୍ଟ ବୋଲି ଚର୍ଚ୍ଚା । ଏମାନଙ୍କ ମଧ୍ୟରେ କିଛି ବରିଷ୍ଠ ନେତା ସିଧାସଳଖ ପିସିସି ଲାଇନ୍ରେ ନାହାନ୍ତି । ଏମାନଙ୍କ ମଧ୍ୟରେ ବିଧାୟକ ରମେଶ ଜେନା ଓ ବିଧାୟିକା ସୋଫିଆ ଫିରଦୌସ ସିଧାସଳଖ ପିସିସି ସହିତ ନାହାନ୍ତି । କଂଗ୍ରେସରୁ ବହିଷ୍କୃତ ହୋଇଥିବା ନେତା ମହମ୍ମଦ ମୋକିମଙ୍କ ସହିତ ଏହି ଅସନ୍ତୁଷ୍ଟ ବିଧାୟକମାନେ ସିଧାସଳଖ ସମ୍ପର୍କ ରଖିଛନ୍ତି । ଆବଶ୍ୟକ ପଡ଼ିଲେ ଏହି ବିଧାୟକମାନେ ପାର୍ଟି ବିରୋଧରେ ଯାଇ କ୍ରସ ଭୋଟିଂ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏହି ଆଶଙ୍କାକୁ ଅଣଦେଖା କରିହେବ ନାହିଁ।
ଚତୁର୍ଥ ଆସନ ଓ ଓଡ଼ିଶା ରାଜନୀତିର ପରୀକ୍ଷା

ରାଜ୍ୟସଭାର ଚତୁର୍ଥ ଆସନ ଏବେ କେବଳ ଏକ ସଂସଦୀୟ ଆସନ ନୁହେଁ । ଏହା ଓଡ଼ିଶା ରାଜନୀତିର ନୈତିକତା, ଦଳୀୟ ଏକତା ଓ ବିରୋଧୀ ରଣନୀତିର ଏକ ଅଗ୍ନି ପରୀକ୍ଷା । ବିଜେଡି କି ବିରୋଧୀ ଏକତାକୁ ବଞ୍ଚାଇବ, ନା ପୁରୁଣା ବୁଝାମଣାର ପଥରେ ଯିବ ? କଂଗ୍ରେସ କି ନିଜ ଘରକୁ ସମ୍ଭାଳିପାରିବ ? ବିଜେପି କ’ଣ ବିରୋଧୀ ଦଳର ଏହି ଅବସ୍ଥାରୁ ଲାଭ ଉଠାଇ ଚତୁର୍ଥ ଆସନଟି ହାତେଇବ ? ଏହି ସବୁ ପ୍ରଶ୍ନର ଉତ୍ତର ଏପ୍ରିଲର ରାଜ୍ୟସଭା ଭୋଟଦାନ ଦିନ ମିଳିବ। କିନ୍ତୁ ତା’ପୂର୍ବରୁ ଯେ ରାଜନୀତିକ ଉତ୍ତାପ ଅନିଶ୍ଚିତତା ଓ କ୍ରସ ଭୋଟିଂର ଭୟ—ସେହି ଓଡ଼ିଶା ରାଜନୀତିକୁ ଏକ ଦୀର୍ଘ ସମୟ ପର୍ଯ୍ୟନ୍ତ ପଛୁଆ କରିଦେବ, ଏହା କହିବାକୁ ଭୁଲ ହେବ ନାହିଁ।
ALSO READ https://purvapaksa.com/trump-wants-to-destroy-brics-to-save-the-dollar/


