ଓଡ଼ିଶା ଆଜି ଉନ୍ନତିର ଗୀତ ଗାଉଛି। ସରକାରୀ ବିଜ୍ଞାପନରେ “ନିବେଶ ମେଳା”, “ନୂତନ ଇଣ୍ଡଷ୍ଟ୍ରିଆଲ୍ ପଲିସି”, “ସମୃଦ୍ଧ ଓଡ଼ିଶା”ର ଗାଥା ଶୁଣିଲେ ଲାଗେ ଯେ- ଏହି ମାଟି ଏବେ ଭାରତର ନୂଆ ଅର୍ଥନୈତିକ ଇଞ୍ଜିନ୍ ହେଉଛି। ଏଭଳି ସ୍ଲୋଗାନ ଶୁଣିଲେ ଲାଗେ ରାଜ୍ୟ ଅର୍ଥନୈତିକ ପରିବର୍ତ୍ତନର ଏକ ସୁବର୍ଣ୍ଣ ଯୁଗକୁ ପ୍ରବେଶ କରୁଛି।
ବଡ଼ ବଡ଼ ଶିଳ୍ପ ପ୍ରକଳ୍ପ, ମେଗା ଇନଭେଷ୍ଟମେଣ୍ଟ ଏବଂ ବିଦେଶୀ ନିବେଶକଙ୍କ ସହିତ ଚୁକ୍ତି- ସବୁ କିଛି ଦେଖାଉଛି ରାଜ୍ୟ ଏକ ନୂଆ ଆଧୁନିକ ଯୁଗକୁ ପ୍ରବେଶ କରୁଛି। କିନ୍ତୁ ଏହି ଚକଚକା ଆଲୋକ ପଛରେ ରହିଛି ଏକ ଅନ୍ଧକାର ଛାୟା- ଗାଁ, ଚାଷୀ ଓ ଶ୍ରମିକଙ୍କ ଜୀବନ। ଯେଉଁଠି ଶିଳ୍ପର ମିଟିଂ ହଲରେ ରୋଜଗାରର ସଂଖ୍ୟା ଗଣାଯାଉଛି, ସେଠି ଗାଁର ଜମି ଅନୁତ୍ପାଦନ ହେଉଛି ଏବଂ ଯୁବକ ଚାଷ ଛାଡ଼ି ଦାଦନ ଶ୍ରମିକ ଭାବରେ ସୁରତ, ଆନ୍ଧ୍ର କିମ୍ବା କେରଳ ଯାଉଛନ୍ତି। ଏକ “ଶିଳ୍ପ ଓଡ଼ିଶା” ଓ ଅନ୍ୟଟି “କୃଷିକ ଓଡ଼ିଶା”।

ଶିଳ୍ପର ଶିକାର ହେଉଛି ମାଟି
ଗତ ଦୁଇ ଦଶକ ଧରି ଓଡ଼ିଶା ସରକାର ଶିଳ୍ପାୟନକୁ ସର୍ବାଧିକ ପ୍ରାଥମିକତା ଦେଇଆସୁଛି। POSCO, Vedanta, JSW, Tata Steel, Jindal, Adani- ଏମିତି ନାମଗୁଡ଼ିକ ଆଜି ଓଡ଼ିଶାର ଶିଳ୍ପ ନୀତିର ପ୍ରତୀକ। ରାଜ୍ୟରେ ଅନେକ ଶିଳ୍ପ ପାଇଁ ବୁଝାମଣାପତ୍ର ସ୍ୱାକ୍ଷର ହୋଇ ଜମି ଅଧିଗ୍ରହଣ ହୋଇଥିଲେ ବି ସେହି ଶିଳ୍ପ ଏହି ଜମିକୁ ବ୍ୟାଙ୍କରେ ବନ୍ଧକ ରଖି ଋଣ ନେଇ ଫେରାରା ହେବାର ମାମଲା ବି ଦେଖିବାକୁ ମିଳିଛି।
ସରକାର କହୁଛି- ଏହା ରାଜ୍ୟକୁ ରୋଜଗାର ଓ ସମୃଦ୍ଧି ଦେବ।
କିନ୍ତୁ ପ୍ରଶ୍ନ ହେଉଛି- ଏହି ଶିଳ୍ପ ଯାହା ପାଇଁ ହଜାର ଏକର ଜମି ଅଧିଗ୍ରହଣ ହେଲା, ଶିଳ୍ପ ସଂସ୍ଥା ଏଥିରେ ମାଲେମାଲ ହେଲା; ସେଇ ଜମି କାହାର ଥିଲା?
ଉତ୍ତର ହେଉଛି- ଗରିବ ଚାଷୀ, ଆଦିବାସୀ ଓ ଗ୍ରାମବାସୀଙ୍କ ଜମି, ଜୀବିକାର ମାଟି, ଚାଷ ଭୂଇଁ।
ସେହି ଗରିବ ଚାଷୀମାନଙ୍କୁ ସରକାରୀ ମାନଦଣ୍ଡରେ କ୍ଷତିପୂରଣ ମିଳିଲା, କିନ୍ତୁ ସେମାନେ ଜୀବନର ଜୀବିକା ସବୁଦିନ ପାଇଁ ହାରାଇ ସର୍ବସ୍ୱାନ୍ତ ହେଲେ, ଦିନକୁ ଦୁଇମୁଠା ଖାଇବା ପାଇଁ ଅନ୍ୟରାଜ୍ୟରେ ଦାଦନ ଶ୍ରମିକ ହେଲେ।
ଏବଂ ଯେଉଁ ଶିଳ୍ପ ଆସିଲା, ସେଠାରେ ତାଙ୍କ ପାଇଁ କାମ ନ ଥିଲା- ଦେଶର ଅନ୍ୟ ଅଞ୍ଚଳରୁ ଟେକ୍ନିକାଲ୍ ଶ୍ରମିକ ଆଣାଗଲା। ଏପରିକି ଶ୍ରମିକ ମଧ୍ୟ ଅନ୍ୟରାଜ୍ୟରୁ ଅଣାଗଲା। କୁହାଗଲା ଯେ ସ୍ଥାନୀୟ ଶ୍ରମିକଙ୍କୁ ନିଯୁକ୍ତି ଦେଲେ ସେମାନେ ଅଡ଼ୁଆ ସୃଷ୍ଟି କରିବେ।
ଫଳରେ ଓଡ଼ିଶା ହେଲା ଏକ ମାଟି ଯେଉଁଠି ସମ୍ପଦ ତ ଅଛି, କିନ୍ତୁ ସେ ସମ୍ପଦର ଫଳ ଅନ୍ୟମାନେ ଉପଭୋଗ କରୁଛନ୍ତି।
କୃଷିର ଗାଁ’ରେ ନୀରବତା
ଓଡ଼ିଶାର ୬୫ ଶତାଂଶ ଲୋକ ଆଜି ମଧ୍ୟ କୃଷି ଉପରେ ନିର୍ଭରଶୀଳ।
କିନ୍ତୁ ସେଇ କୃଷିର ଅବସ୍ଥା- ଅତ୍ୟନ୍ତ ଦୁର୍ଦ୍ଦଶାରେ ରହିଛି।
ଧାନ ଚାଷୀ ତାଙ୍କ ଉତ୍ପାଦନର ଯଥେଷ୍ଟ ମୂଲ୍ୟ ପାଉ ନାହାନ୍ତି, ପାଣି ନାହିଁ, ଜଳ ସେଚନ ନାହିଁ, ବିହନ-ସାର ଅଭାବ, ଓ ସରକାରୀ ବଜାର ଯୋଗାଣ ବ୍ୟବସ୍ଥା ଦୁର୍ବଳ। ଏପରିକି କୃଷି ଉତ୍ପାଦନକୁ ବେଶୀଦିନ ପର୍ଯ୍ୟନ୍ତ ସଂରକ୍ଷିତ କରି ରଖିବା ପାଇଁ ଶୀତଳ ଭଣ୍ଡାର ବି ନାହିଁ।
ଏହି ସମୟରେ ଗୁଜୁରାଟରୁ ଚିନାବାଦାମ, ଇନ୍ଦୋରରୁ ବିରି ଓ ସୋୟାବିନ, ନାସିକରୁ ପିଆଜ, ପଶ୍ଚିମବଙ୍ଗରୁ ଆଳୁ, ଆନ୍ଧ୍ରରୁ ମାଛ ଆସୁଛି।
ଓଡ଼ିଆ ମାଟିରେ ଯେଉଁସବୁ ଚାଷ ସହଜରେ ହେଉ ଥିଲା, ସେଗୁଡ଼ିକ ଆଜି ବାହାର ରାଜ୍ୟରୁ ଆମଦାନି ହେଉଛି।
ଏହା କେବଳ ଅର୍ଥନୀତି ନୁହେଁ- ଏହା ଏକ ମନୋବଳ ହ୍ରାସର ଚିହ୍ନ।
ରାଜ୍ୟର ଚାଷୀମାନେ ଆଜି ନିଜ ପେଶା ପ୍ରତି ଆତ୍ମବିଶ୍ୱାସ ହାରାଇ ବସିଛନ୍ତି।
ଜମି ପଡିଆ ପଡ଼ୁଛି, ଏବଂ ଗାଁରେ ଶିକ୍ଷିତ ଯୁବକମାନେ କାମଧନ୍ଧା ନ ପାଇ ଶସ୍ତା ମଦ ପିଇ ତାସ୍ ଖେଳୁଛନ୍ତି।
ଏହି ହେଉଛି “ଉନ୍ନତିର ମୂଲ୍ୟ”- ଯେଉଁଠି ଶିଳ୍ପ ଚକମକ କରୁଛି, ଏବଂ କୃଷି ମୁହଁ ମାଡ଼ି ପଡ଼ିରହିଛି।
ଦାଦନ ଶ୍ରମିକ — ଓଡ଼ିଆ ଶ୍ରମିକର ଦୁଃଖକାହାଣୀ

ଆନ୍ଧ୍ର, ତେଲେଙ୍ଗାନା, କେରଳ, ସୁରଟ, ମହାରାଷ୍ଟ୍ର, ତାମିଲନାଡୁ — ଯେଉଁଠି କି ଗଲେ ସେଠାରେ ଓଡ଼ିଆ ଦାଦନ ଶ୍ରମିକଙ୍କ ଦଳ ଦେଖିବାକୁ ନିଶ୍ଚୟ ମିଳିବ।
ସେମାନେ ଦୈନିକ ୧୨-୧୪ ଘଣ୍ଟା କାମ କରି ନିଜ ପରିବାର ପାଇଁ ସାମନ୍ୟ କିଛି ଟଙ୍କା ପଠାଇବାକୁ ସମର୍ଥ ହୋଇଥାଆନ୍ତି।
କିନ୍ତୁ ସେହି ଆୟ ରାଜ୍ୟର ଅର୍ଥନୀତିକୁ ଗଢ଼ିନଥାଏ- କାରଣ ଏହା ଗାଁରେ ରୋଜଗାର ସୃଷ୍ଟି କରିପାରୁନାହିଁ କି ଲୋକମାନଙ୍କ ହାତକୁ କାମ ବି ଦେଇପାରୁନାହିଁ।
ଏହା ହେଉଛି “ମାନବ ସମ୍ପଦ ରପ୍ତାନି”- ଯାହା ଓଡ଼ିଶାର ଏକ ନିରବ ଅପମାନ।
ଏହି ଦାଦନ ପ୍ରଥା କେବଳ ଅର୍ଥନୀତିକ ସମସ୍ୟା ନୁହେଁ, ଏହା ଗାଁର ସାମାଜିକ ସଂରଚନାକୁ ଭାଙ୍ଗି ଦେଉଛି।
ବୃଦ୍ଧ ମା’ ବାପା ଏକା, ଶିଶୁ ଅଶିକ୍ଷିତ, ଯୁବକମାନେ ଗାଁ ଛାଡ଼ି ବାହାର ରାଜ୍ୟରେ।
ଏହି ଦୃଶ୍ୟ ଯେକୌଣସି “ଉନ୍ନତ ରାଜ୍ୟ” ପାଇଁ ଅତ୍ୟନ୍ତ ଲଜ୍ଜାଜନକ।
କିନ୍ତୁ ସରକାରୀ କଳର ପରିସଂଖ୍ୟାନରେ ସରକାର କହୁଛନ୍ତି ରାଜ୍ୟ ଉନ୍ନତି କରୁଛି।
ରାଜ୍ୟର ଉନ୍ନତି: ସରକାରୀ ଚକଚକା ତଥ୍ୟର ପଛରେ ଖାଲି ଅସ୍ତିତ୍ୱ
ସରକାରୀକଳ ତଥ୍ୟ ଦେଖାଉଛି ରାଜ୍ୟର ଜିଡିପି ୮% ବୃଦ୍ଧି ପାଇଛି। ରାଜ୍ୟରେ ଶିଳ୍ପ ନିବେଶ ରେକର୍ଡ ସ୍ତରରେ ପହଞ୍ଚିଛି।
କିନ୍ତୁ ଏଭଳି ଉନ୍ନତି ପ୍ରକୃତ ପକ୍ଷରେ ରାଜ୍ୟର ସାଧାରଣ ଓ ଗ୍ରାମାଞ୍ଚଳ ଲୋକମାନଙ୍କ ଜୀବନରେ ଦେଖାଯାଉନି।
ଯେଉଁ ଗାଁରେ ଏଯାବତ୍ ଚାଷଜମିକୁ ଜଳସେଚନ ବ୍ୟବସ୍ଥା ନାହିଁ, ସେଠାରେ ଶିଳ୍ପ ନୀତିର ସଫଳତା କିପରି ମାନିବା?
ଏହି “ଡିଜିଟାଲ ଓଡ଼ିଶା”ରେ ଆଜି ମଧ୍ୟ କୃଷକ ବିହନ ଓ ସାର ପାଇଁ ସାରାରାତି ଧାଡ଼ିରେ ଲାଗିଥାନ୍ତି।
ସରକାର ଯେତେବେଳେ ନିବେଶ ମେଳା କରେ, ସେତେବେଳେ ଗାଁରେ ଧାନ ଚାଷୀ ଋଣ ପାଇଁ ବ୍ୟାଙ୍କ ଦ୍ୱାରରେ ଲାଇନ୍ ଲଗାଉଛି; କିନ୍ତୁ ଋଣ ମିଳୁନାହିଁ। ଅପରପକ୍ଷରେ ଶିଳ୍ପପତି ଓଡ଼ିଶାର ଜମିକୁ ବନ୍ଧକ ରଖି ଋଣ ନେଇ ଛୁ ମାରୁଛନ୍ତି। ସରକାର କେବଳ ନୀରବଦ୍ରଷ୍ଟା। କାରଣ ଶିଳ୍ପସଂସ୍ଥା ରାଜନୈତିକ ଦଳକୁ ନିର୍ବାଚନୀ ଚାନ୍ଦା ଓ ସରକାରୀ କଳକୁ ଆପ୍ୟାୟିତ କରୁଛି। ଗରିବ ଚାଷୀଟି ଏକଥାକୁ ବୁଝିପାରୁନାହିଁ।
ଏହି ହେଉଛି “ଦୁଇ ପ୍ରକାର ଓଡ଼ିଶା”ର ଯଥାର୍ଥ ଚିତ୍ର।
ଓଡ଼ିଶା ପାଇଁ ଆବଶ୍ୟକ ନୂଆ ମଡେଲ୍
ଯେ ପର୍ଯ୍ୟନ୍ତ ଶିଳ୍ପ ଓ କୃଷି ମଧ୍ୟରେ ସମତୁଲ ସମ୍ବନ୍ଧ ତିଆରି ହେବ ନାହିଁ; ସେ ପର୍ଯ୍ୟନ୍ତ ଓଡ଼ିଶାର ଉନ୍ନତି ହେବା ସମ୍ଭବପର ନୁହେଁ।
ଶିଳ୍ପ ଆବଶ୍ୟକ- କିନ୍ତୁ ତାହା ସେଇ ମାଟିରେ ହେଉ, ଯେଉଁ ଜିରେ ଚାଷ ହୋଇପାରୁନାହିଁ। ଯାହାକି ଗୁଜରାଟ ମଡେଲ ଭାବରେ ଜଣାଶୁଣା।
କୃଷିକୁ ଆଧୁନିକ କରିବା, ଜଳସେଚନ ବ୍ୟବସ୍ଥା ସୁଧାରିବା, ଗ୍ରାମ ଉତ୍ପାଦନରେ ଛୋଟ ଶିଳ୍ପ ସୃଷ୍ଟି କରିବା-ଏହି ହେଉଛି ନୂଆ ରାସ୍ତା।
ସହକାରୀ ସମିତି, ଖାଦ୍ୟ ପ୍ରସ୍ତୁତି ଉଦ୍ୟମ, ଗ୍ରାମ ବଜାର ବିକାଶ, ଶୀତଳ ଭଣ୍ଡାର ନିର୍ମାଣ ଏବଂ କୃଷକ ଆଧାରିତ ଅର୍ଥନୀତିରେ ଓଡ଼ିଶା ନିଜକୁ ଆତ୍ମନିର୍ଭର କରିପାରିବ।
ମାଟି ଓ ମାନସିକତାର ଉନ୍ନତି ଆବଶ୍ୟକ
ଓଡ଼ିଶା ଆଜି ଶିଳ୍ପସଂସ୍ଥା ଓଡ଼ିଶାକୁ ଆଣି ଆତ୍ମସନ୍ତୁଷ୍ଟ ହେଉଛି, କିନ୍ତୁ ଗାଁ ଖାଲି ହେଉଛି।
କୃଷି ଯଦି ଆତ୍ମା, ତେବେ ଶିଳ୍ପ ହେଉଛି ଶରୀର।
ଆତ୍ମା ବିନା ଶରୀର ଦୀର୍ଘକାଳ ଚାଲିପାରିବ ନାହିଁ।
ସେଥିପାଇଁ ପ୍ରଶ୍ନ ହେଉଛି- “ଶିଳ୍ପ ଆଣି ଓଡ଼ିଶା ଉନ୍ନତି କଲା କି, ନା ନିଜ ମାଟିକୁ ହାରାଇଲା?”
ସତ୍ୟ ଉନ୍ନତି ହେଉଛି ଯେତେବେଳେ ଓଡ଼ିଆ ଚାଷୀ ନିଜ ଜମିରେ ଗର୍ବ କରିବେ, ଯୁବକମାନେ ରୋଜଗାର ଆଶାରେ ଦେଶାନ୍ତରିତ ହେବେ ନାହିଁ ଓ ଗାଁର ମଣିଷ ନିଜ ମାଟିରେ ଆଶା ଦେଖିବେ।
ସେ ଦିନ ଆସିଲେ ମାତ୍ର କହିହେବ — ଓଡ଼ିଶା ସତରେ ଉନ୍ନତି କରିଛି।
also read https://purvapaksa.com/digital-seizure-of-rs-3000-crore-supreme-court/


