ବାରମ୍ବାର ସୋଶାଲ୍ ମିଡ଼ିଆରେ ନେତୃତ୍ୱଙ୍କ ଦୁର୍ବଳତାକୁ ଇଙ୍ଗିତ କରି ଚର୍ଚ୍ଚାରେ ଥିବା ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ଦଳର ଉପ ସଭାପତିଙ୍କ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ଏହି ଆଦେଶ ଦିଆଯାଇଛି। ଦଳ ବିରୋଧୀ କାର୍ଯ୍ୟକଳାପ ହେତୁ ତାଙ୍କୁ ନିଲମ୍ବନ କରାଯାଇଥିବା ଏଥିରେ କୁହାଯାଇଛି। ଶ୍ରୀମୟୀଙ୍କ ସହ ମୟୁରଭଞ୍ଜର ଦୁଇ ବିଜେଡି ନେତା ସୁବାସ ଚନ୍ଦ୍ର ସାଏ ଓ ପ୍ରବୀର ଚନ୍ଦ୍ର ସାଏଙ୍କୁ ମଧ୍ୟ ତତ୍କ୍ଷଣାତ ନିଲମ୍ବନ କରାଯାଇଛି।
ଶ୍ରୀମୟୀ ମିଶ୍ର ବିଜୁ ଜନତା ଦଳର ମହିଳା ବ୍ୟାପାର ସାଧାରଣ ସମ୍ପାଦକ ଥିଲେ। ସେ ୨୦୨୪ ନିର୍ବାଚନରେ ବିଜେଡି ପାଇଁ ପ୍ରାର୍ଥୀ ହେବେ ବୋଲି ପ୍ରଚାର କରାଯାଇଥିଲେ ମଧ୍ୟ ତାଙ୍କୁ ଟିକଟ ଦିଆଯାଇନଥିଲା। ଏହାକୁ ନେଇ ସେ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଥିଲା। କିନ୍ତୁ ଏହା ସ୍ପଷ୍ଟ ହୋଇଥିଲା ଯେତେବେଳେ ଶ୍ରୀମୟୀ ନିଜ ଶୋଶାଲ୍ ମିଡିଆ ହ୍ୟାଣ୍ଡଲରୁ ବିଜେଡିର ସଂଯୋଗକୁ ହଟାଇ ନିଜକୁ ଜଣେ ସଙ୍ଗୀତ ପ୍ରେମୀର ପରିଚୟ ଦେବାକୁ ଚାହିଁଥିଲେ।
କିଛିଦିନ ପରେ ତାଙ୍କର ଫେସବୁକ୍ ହ୍ୟାଣ୍ଡଲରେ ଏକ ଧ୍ରୁତରାଷ୍ଟ୍ର ଉପାଖ୍ୟାନ ଯୋଡ଼ା ଯାଇଥିଲା। ମିଡିଆରେ ନବୀନଙ୍କୁ ଏହି ଧ୍ରୁତରାଷ୍ଟ୍ର ବୋଲି ଇଙ୍ଗିତ କରାଯାଇଥିଲା। ତା’ପରେ ଶ୍ରୀମୟୀ ଭଣ୍ଡ ସନ୍ନ୍ୟାସୀ କହି ଏକ ପୋଷ୍ଟ କରିଥିଲେ। ଯାହାକୁ ନେଇ ପ୍ରବଳ ଚର୍ଚ୍ଚା ହୋଇଥିଲା। ଏହି ଭଣ୍ଡ ସନ୍ନ୍ୟାସୀଭାବେ ସେ ପାଣ୍ଡିଆନଙ୍କୁ ଆଖ୍ୟାୟିତ କରୁଛନ୍ତି ବୋଲି କୁହାଯାଇଥିଲା। ଏହାପରେ ଶ୍ରୀମୟୀଙ୍କୁ କିପରି ପରିଜାଳନା କରାଯିବ ତାହାର ବାଟ ପାଇନଥିଲେ ବିଜେଡି କର୍ମୀ। ତାଙ୍କ ବିରୋଧରେ ପାଣ୍ଡିଆନ୍ଙ୍କ ସମର୍ଥକ କିଛି ମୁହଁ ଖୋଲିଥିଲେ। କିନ୍ତୁ ଅନ୍ୟ ଏକ ଗୋଷ୍ଠୀ ଶ୍ରୀମୟୀଙ୍କୁ ସମର୍ଥନ କରିବା ସହ ତାଙ୍କ କ୍ଷୋଭକୁ ଶୁଣିବା ପାଇଁ ସୁଯୋଗ ଦେବାକୁ ଅନୁରୋଧ କରିଥିଲେ। ହେଲେ ପାଣ୍ଡିଆନ୍ଙ୍କ ସମର୍ଥକମାନେ ତାଙ୍କୁ ପରୋକ୍ଷରେ ଧମକ ଦେବା ସହ ତାଙ୍କର କିଛି ଭିଡିଓକୁ ଭାଇରାଲ କରିବାକୁ ବି ଧମକ ଦେଇଥିଲେ।
ଏଥିରେ ଭୟଭୀତ ନ ହୋଇ ଶ୍ରୀମୟୀ ଗତକାଲି ରାତିରେ ଆଉ ଏକ ପୋଷ୍ଟ କରିଛନ୍ତି। ଏଥିରେ ସେ ଭଗବତ ଗୀତାର ଏକ ସ୍ଲୋକକୁ ଉଦ୍ଧାର କରିଛନ୍ତି। ଏଥିରେ ସେ ‘ଶ୍ରେଷ୍ଠ ବ୍ୟକ୍ତି କିଏ ଓ ସେ କିପରି ଅନୁକରଣୀୟ ହୁଅନ୍ତି’ ତାହାକୁ ଆଲୋଚନା କରିଥିଲେ। ଯଦି ଜଣେ ନେତା ମହିଳାଙ୍କ ଅଧିକାର ଓ ମର୍ଯ୍ୟାଦା ରକ୍ଷାପାଇଁ ଦୃଢ଼ ପଦକ୍ଷେପ ନିଅନ୍ତି ତେବେ ଅନ୍ୟମାନେ ତାଙ୍କ ଆଦର୍ଶକୁ ଅନୁସରଣ କରି ମହିଳାଙ୍କୁ ପ୍ରତି ସମ୍ମାନ ପୋଷଣ କରନ୍ତି ବୋଲି ସେ କହିଥିଲେ।
ଲଗାତାର ଏପରି ପୋଷ୍ଟ ମିଡିଆରେ ଚର୍ଚ୍ଚିତ ହେଉଥିବାରୁ ଆଜି ବିଜେଡି ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନସ୍ୱରୂପ ଏହାକୁ ଦଳ ବିରୋଧୀ ବୋଲି କହିଛନ୍ତି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ବିଜେଡି ତାଙ୍କର ଏହି ପୋଷ୍ଟଗୁଡ଼ିକ ଦ୍ୱାରା ଆଘାତ ହୋଇଛି। ଏବଂ ଏହି ପୋଷ୍ଟଗୁଡ଼ିକ ବିଜେଡିର ନେତାମାନଙ୍କୁ ଇଙ୍ଗିତ କରିଛି।
Also readhttps://purvapaksa.com/who-will-compensate-the-party-for-the-losses-caused-by-manmmatha/
