ଏକ ରହସ୍ୟମୟ ଅନ୍ତରୀକ୍ଷ ବସ୍ତୁ ୨,୦୯,୨୧୪ କିଲୋମିଟର ପ୍ରତି ଘଣ୍ଟା ଗତିରେ ପୃଥିବୀ ଆଡ଼କୁ ଆଗେଇ ଆସୁଛି। ଏହାର ନାମ 3I/ATLAS। ଏହାକୁ ନେଇ ବୈଜ୍ଞାନିକମାନଙ୍କ ମଧ୍ୟରେ ତୀବ୍ର ମତଭେଦ ଦେଖାଦେଇଛି। କେତେକ ଏହାକୁ ଆମ ସୌରମଣ୍ଡଳ ବାହାରୁ ଆସିଥିବା ଏକ ସାଧାରଣ ଧୂମକେତୁ ବୋଲି ମନେ କରୁଛନ୍ତି, ଯେତେବେଳେ କେତେକ ବିଶେଷଜ୍ଞ ଦାବି କରୁଛନ୍ତି ଯେ ଏହା ଏକ ଏଲିଅନ ସଭ୍ୟତାର ନିରୀକ୍ଷଣ ଯନ୍ତ୍ର ହୋଇପାରେ, ଯାହା ନଭେମ୍ବରରେ ପୃଥିବୀର ଅତ୍ୟନ୍ତ ନିକଟକୁ ଆସିବ। ଏହି ବସ୍ତୁର ଗତି ଓ ଦିଗ ଏପରି ଯେ ଏହାକୁ ଏଯାଏ ଦେଖାଯାଇଥିବା ଇଣ୍ଟରଷ୍ଟାଲର ବସ୍ତୁଠାରୁ ଭିନ୍ନ ମନେ କରାଯାଉଛି। ଏହା ବୈଜ୍ଞାନିକ ଜଗତରେ ହଇଚଇ ସୃଷ୍ଟି କରିଛି। ପ୍ରଶ୍ନ ଉଠୁଛି ଯେ ଏହା କ’ଣ ଏକ ପ୍ରାକୃତିକ ପିଣ୍ଡ ନା ବୁଦ୍ଧିମାନ ଏଲିଅନ ପ୍ରଯୁକ୍ତିର ଏକ ଅଂଶ?
3I/ATLAS କ’ଣ?
3I/ATLASକୁ ପ୍ରଥମେ ୧ ଜୁଲାଇରେ ଦେଖାଯାଇଥିଲା ଯେତେବେଳେ ଏହା ସୂର୍ଯ୍ୟଙ୍କ ଆଡ଼କୁ ଦ୍ରୁତ ଗତିରେ ଆଗେଇ ଆସୁଥିଲା। ମାତ୍ର ଏକ ଦିନ ପରେ ଏହା ସ୍ପଷ୍ଟ ହେଲା ଯେ ଏହି ବସ୍ତୁ ଆମ ସୌରମଣ୍ଡଳର ଅଂଶ ନୁହେଁ ବରଂ ବାହାରୁ ଆସିଥିବା ଏକ ଇଣ୍ଟରଷ୍ଟାଲର ଆଗନ୍ତୁକ। ଏପରି ଘଟଣା ମାତ୍ର ତୃତୀୟ ଥର ପାଇଁ ଘଟିଛି। ଏହି ବସ୍ତୁ ପ୍ରାୟ ୧୫ ମାଇଲ ଚଉଡ଼ା, ଅର୍ଥାତ ନିଉୟର୍କର ମ୍ୟାନହାଟନଠାରୁ ମଧ୍ୟ ବଡ଼। ଏଥିରେ ବରଫ, କାର୍ବନ ଯୁକ୍ତ ଖଣିଜ, ଜୈବିକ ଅଣୁ ଓ ସିଲିକେଟ ମିଳିଛି। ବୈଜ୍ଞାନିକମାନେ ମନେ କରୁଛନ୍ତି ଯେ ଏଥିରେ ଥିବା ଜଳ ୭ ବିଲିୟନ ବର୍ଷ ପୁରୁଣା ହୋଇପାରେ। ଅର୍ଥାତ ଆମ ସୌରମଣ୍ଡଳଠାରୁ ମଧ୍ୟ ଅଧିକ ବୟସ୍କ!
ଏଲିଅନ ଆକ୍ରମଣ ନା ବୈଜ୍ଞାନିକଙ୍କ ଭ୍ରମ?
ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ଓ ପ୍ରସିଦ୍ଧ ଜ୍ୟୋତିର୍ବିଜ୍ଞାନୀ ଅଭି ଲୋଏବ କୁହନ୍ତି ଯେ 3I/ATLAS କୌଣସି ସାଧାରଣ ଅନ୍ତରୀକ୍ଷ ପିଣ୍ଡ ନୁହେଁ, ବରଂ ଏଲିଅନ ପ୍ରଯୁକ୍ତିରେ ସଜ୍ଜିତ ଏକ ନିରୀକ୍ଷଣ ଯନ୍ତ୍ର ହୋଇପାରେ। ସେ ତାଙ୍କର ଦୁଇ ସହଯୋଗୀ ଆଡମ ହିବାର୍ଡ ଓ ଆଡମ କ୍ରୋଲଙ୍କ ସହିତ ମିଶି ଦାବି କରିଛନ୍ତି ଯେ ଏହି ବସ୍ତୁର ଗତି, ପ୍ରବେଶ କୋଣ ଓ ଏହା କିପରି ଚୁପଚାପ ଗ୍ରହମାନଙ୍କ ନିକଟ ଦେଇ ଗତି କରୁଛି, ଏସବୁ କୌଣସି ବୁଦ୍ଧିମାନ ରଣନୀତିର ଅଂଶ ହୋଇପାରେ। ଲୋଏବ ଏହାପୂର୍ବେ ୨୦୧୭ରେ ଦେଖାଯାଇଥିବା ‘ଓଉମୁଆମୁଆ(Oumuamua)’ ବସ୍ତୁକୁ ମଧ୍ୟ ଏଲିଅନ “ପ୍ରୋବ” ବୋଲି ମନେ କରିଥିଲେ।
ନଭେମ୍ବରରେ ଦେଖାଯିବ ନାହିଁ, କିନ୍ତୁ ସବୁଠାରୁ ନିକଟତର ହେବ!
3I/ATLAS ନଭେମ୍ବର ଶେଷରେ ସୂର୍ଯ୍ୟଙ୍କ ନିକଟତମ ହେବ, କିନ୍ତୁ ସେତେବେଳେ ଏହା ପୃଥିବୀରୁ ଦୃଶ୍ୟମାନ ହେବ ନାହିଁ। ଅଭି ଲୋଏବ କହୁଛନ୍ତି ଯେ ଏହା “ସଂଯୋଗ” ନୁହେଁ ବରଂ “ରଣନୀତି” ହୋଇପାରେ। ତାଙ୍କ ମତରେ, “ସମ୍ଭବତଃ ଏଲିଅନ ସଭ୍ୟତା ଚାହୁଁନଥିବେ ଯେ ଯେତେବେଳେ ଏହା ସବୁଠାରୁ ଉଜ୍ଜ୍ୱଳ ହେବ, ସେତେବେଳେ ପୃଥିବୀର ଟେଲିସ୍କୋପ ଏହାକୁ ଦେଖିବ କିମ୍ବା ସେହି ସମୟରେ କୌଣସି ଯନ୍ତ୍ର ପୃଥିବୀ ଆଡ଼କୁ ପଠାଯିବ।” ସେ ଏହି ପରିସ୍ଥିତିକୁ ଡାର୍କ ଫରେଷ୍ଟ ଥିଓରୀ ସହିତ ସଂଯୋଗ କରିଛନ୍ତି। ଏଥିରେ ମନେ କରାଯାଏ ଯେ ଏଲିଅନ ସଭ୍ୟତା ଜାଣିଶୁଣି ନିଜକୁ ଲୁଚାଇ ରଖେ ଅନ୍ୟ ବିପଦରୁ ବର୍ତ୍ତିବା ପାଇଁ। କିନ୍ତୁ ସମସ୍ତେ ଏହି ଥିଓରୀକୁ ଗ୍ରହଣ କରନ୍ତି ନାହିଁ।ଅନେକ ବୈଜ୍ଞାନିକ ଏହି ଚିନ୍ତାଧାରାକୁ “ଅଧିକ କାଳ୍ପନିକ ଓ କମ ବୈଜ୍ଞାନିକ” ବୋଲି କହିଛନ୍ତି। କାନାଡାର ଖଗୋଳ ବିଜ୍ଞାନୀ ସମାନ୍ଥା ଲଲର ଲାଇଭ ସାଇନ୍ସକୁ କହିଛନ୍ତି, “ଏହା ଏକ ସାଧାରଣ ଧୂମକେତୁ, ଯେପରି ପ୍ରତ୍ୟେକ ସୌରମଣ୍ଡଳରୁ ବାହାରେ।” ଏହି ଗବେଷଣା ଏଯାଏ ପିଅର-ରିଭ୍ୟୁ ଅର୍ଥାତ ବୈଜ୍ଞାନିକ ସମୀକ୍ଷା ପ୍ରକ୍ରିୟାରୁ ଗତି କରିନାହିଁ। ଲୋଏବ ନିଜେ ମଧ୍ୟ ସ୍ୱୀକାର କରିଛନ୍ତି ଯେ ସମ୍ଭାବନା ଏହା ଯେ ଏହା ଏକ ପ୍ରାକୃତିକ ପିଣ୍ଡ।


