ପଚାଶ ବର୍ଷ ପୂର୍ବ ଘଟଣା। ଆଜି ବି ମନେପଡ଼େ, କାରଣ ଏହା ଭାରତର ଗଣତନ୍ତ୍ର ପାଇଁ ଏକ କଳା ଅଧ୍ୟାୟ ଥିଲା। ଦେଶରେ ପୁଲିସ, ସେନା, ପାରାମିଲିଟାରୀ ଦେଶର ନିର୍ବାଚିତ ସରକାରମାନଙ୍କ ଉପରେ ଥିଲା। ଜଣେ ଲୋକ ଗଣତନ୍ତ୍ରର ଉର୍ଦ୍ଧ୍ୱରେ ରହି ରାଜା ମହାରାଜା ଭଳି ଶାସନ କରୁଥିଲେ। ଯିଏ ବିରୋଧ କଲା ତାକୁ ଗିରଫ କରାଯାଉଥିଲା। ୧ଲକ୍ଷ ୧୦ ହଜାର ୮୦୬ ଜଣଙ୍କୁ ବନ୍ଦୀ କରାଯାଇଥିଲା। ପରିସ୍ଥିତିର ଫାଇଦା ନେବାକୁ ତତ୍କାଳୀନ ଓଡ଼ିଶା ସରକାର ବି ଭୁଲି ନ ଥିଲେ। ଫଳରେ ଏଠି ବି ପରିସ୍ଥିତି ଅନ୍ଧକାରମୟ ହୋଇଥିଲ, ପ୍ରାୟ ୨୧ ମାସ। କ’ଣ ଥିଲା ସେତେବେଳେ ଓଡ଼ିଶାର ରାଜନୀତି। କେମିତି ଚାଲିଥିଲା ଶାସନ ବ୍ୟବସ୍ଥା? ତାହାକୁ ମନେପକାଇବା ଆଜିର ଏପିସୋଡରେ।
ଆଜିକୁ ୫୦ ବର୍ଷ ପୂର୍ବେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲଗାଯାଇଥିଲା। ଏହା ପ୍ରଥମ ଓ ଏଯାଏ ଶେଷ ଜରୁରୀ କାଳୀନ ପରିସ୍ଥିତି। ବିଜେପି ସରକାର ଆସିବା ପରେ ଏହି ପରିସ୍ଥିତିର କଳଙ୍କ ବାବଦରେ ଲୋକଙ୍କୁ ସଚେତନ କରିବାର ଏକ ପରମ୍ପରା ଆରମ୍ଭ ହୋଇଛି। ଏହିକ୍ରମରେ ଭାରତ ସରକାର ଏହି ଦିବସକୁ ‘ସମ୍ବିଧାନ ହତ୍ୟା ଦିବସ’ଭାବେ ପାଳନ କରୁଛି। ସ୍ୱାଧୀନ ଭାରତରେ ଓଡ଼ିଶାର ରାଜନୀତି କେନ୍ଦ୍ରୀୟ ସ୍ତରରେ କଦବା କ୍ୱଚିତ୍ ଗୁରୁତ୍ୱ ପାଇଛି କିନ୍ତୁ ଜରୁରୀକାଳୀନ ପରିସ୍ଥିତିରେ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ପ୍ରଭାବିତ କରିଥିଲା। ଏପରି ପରିସ୍ଥିତି ଉପୁଜିଥିଲା ଯେ, ତତ୍କାଳୀନ ପ୍ରଧାନମନ୍ତ୍ରୀ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ହଟାଇବା ଲାଗି ରାଜନୀତିକ ଖେଳ ଖେଳିଥିଲେ। ଆଉ ସେଥିରେ ବଳି ପଡ଼ିଥିଲେ ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥି।
ଦେଶରେ ଜରୁରୀକାଳୀନ ପରିସ୍ଥିତିର ନିଅଁ ପଡ଼ିଥିଲା ୧୯୭୧ ମସିହା ନିର୍ବାଚନରେ। ଏହି ନିର୍ବାଚନରେ ୫୧୮ ଆସନରୁ ୩୫୨ ଆସନରେ କଂଗ୍ରେସ ଜିତିଥିଲା। ହେଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସରକାରୀ କଳ ଓ ବଳ ବ୍ୟବହାର କରି ଜିତିଥିବା ଅଭିଯୋଗ କରିଥିଲେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ରାଜ ନାରାୟଣ। ଆଲ୍ଲାବାଦ୍ ହାଇକୋର୍ଟ ଏହାର ଶୁଣାଣୀ କରି ଇନ୍ଦିରାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ। ଏ ଭିତରେ ୪ ବର୍ଷ ସମୟ ଅତିବାହିତ ହୋଇସାରିଥିଲା। ଦେଶର ସେନା ଏକ ବଡ଼ ଯୁଦ୍ଧ ଲଢ଼ି ବିଶାଳ ବିଜୟ ଲାଭ କରିଥିଲା। ଆମର ପାରମ୍ପରିକ ଶତ୍ରୁ ଦେଶ ପାକିସ୍ତାନ ଶରଣ ପଶିଥିଲା। ଅର୍ଥାତ୍ ୧୯୭୬ରେ ନିର୍ବାଚନ ହେଲେ ଇନ୍ଦିରା ପୁଣିଥରେ ପ୍ରଧାନମନ୍ତ୍ରୀ ହେବାର ସମ୍ଭାବନା ଉଜ୍ଜ୍ୱଳ ରହିଥିବା କୁହାଯାଏ।
କିନ୍ତୁ ଜୁନ୍ ୧୨ ତାରିଖ ୧୯୭୫ ମସିହାରେ ଆଲ୍ଲାହବାଦ ହାଇକୋର୍ଟ ଇନ୍ଦିରା ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରି ଛଅବର୍ଷ ପାଇଁ ତାଙ୍କ ନିର୍ବାଚନ ଲଢ଼ିବା ଉପରେ କଟକଣା ଲଗାଇବା ଇନ୍ଦିରାଙ୍କୁ ହଜମ ହେଲା ନାହିଁ। ଦେଶର ଲୌହ ମହିଳା, ରାଇଜିଂ ଷ୍ଟାରଭାବେ ପରିଚିତ ଇନ୍ଦିରା ସୁପ୍ରିମକୋର୍ଟଙ୍କ ବିଶ୍ଳେଷଣକୁ ଅପେକ୍ଷା କରିବାକୁ ଧୈର୍ଯ୍ୟ ରଖିପାରିଲେ ନାହିଁ। ଶେଷରେ ଜୁନ୍ ୨୫ରେ ଏକ ଅଧ୍ୟାଦେଶ ବଳରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲଗାଇଲେ। ରାତି ପାହିଲେ କ୍ୟାବିନେଟ୍ ବୈଠକକୁ ବି ପ୍ରଧାନମନ୍ତ୍ରୀ ଅପେକ୍ଷା କରିପାରିଲେ ନାହିଁ। ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ବିପଦରେ ଥିବା ଦର୍ଶାଇ ରାଷ୍ଟ୍ରପତି ଫକିରୁଦ୍ଦିନ ଅଲ୍ଲୀ ଅହମ୍ମଦଙ୍କ ଉପରେ ଚାପ ପକାଇଲେ ଆଉ ରାଷ୍ଟ୍ରପତି ଏହି ଅଧ୍ୟାଦେଶରେ ଦସ୍ତଖତ ବି କରିଲେ। ଜରୁରୀ ପରିସ୍ଥିତି ଲାଗୁ ହେବା ପରେ ଅସଲ ଇନ୍ଦିରାଙ୍କୁ ଲୋକେ ଦେଖିଲେ। ରାଜନୀତିରେ କ୍ଷମତାରେ ଥିବା ବ୍ୟକ୍ତି କେତେ ପ୍ରତିଶୋଧ ପରାୟଣ ହୋଇପାରେ ତାହା ଅନୁଭବ କଲେ। ଦିନକୁ ଦିନ ଗିରଫଦାରୀ ବଢ଼ିଲା, ବଢ଼ି ଚାଲିଲା। ପରିସ୍ଥିତି ଏମିତି ହେଲା ଯେ ଜେଲରେ ବି ଜାଗା ମିଳିଲା ନାହିଁ।
ଆଉ ଏତିକିବେଳେ ଓଡ଼ିଶାରେ ନିଜପାଇଁ ମିନି ଇନ୍ଦିରାଭାବେ ପରିଚୟ ସୃଷ୍ଟି କରିଥିବା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥି ମଧ୍ୟ କମ୍ ପ୍ରତିଶୋଧ ପରାୟଣା ନୁହନ୍ତି ତାହା ପ୍ରମାଣିତ କରିଥିଲେ। ସ୍ୱର୍ଗତ ସାମ୍ବାଦିକ ବସନ୍ତ ଦାସ ତାଙ୍କ ପୁସ୍ତକ ‘ଓଡ଼ିଶା ରାଜନୀତି’ରେ ଏ ବିଷୟକୁ ଉଲ୍ଲେଖ କରିବାକୁ ଯାଇ କହିଛନ୍ତି, ‘ଶ୍ରୀମତୀ ଶତପଥି ଅତ୍ୟନ୍ତ ପ୍ରତିଶୋଧ ପରାୟଣ ଥିଲେ। ତାଙ୍କୁ ବିରୋଧ କରୁଥିବା ରାଜନେତାମାନଙ୍କୁ ଶାସ୍ତି ଦେବା ଲାଗି ସେ ଏହି ପରିସ୍ଥିତିକୁ ବ୍ୟବହାର କରିଥିଲେ’। ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀଙ୍କୁ ଗିରଫ କରି ଜେଲରେ ଭର୍ତ୍ତି କରିଦିଆଗଲା। ପୁଣି ଗୋଟିଏ ଜେଲରେ ରହିଲେ ବିରୋଧୀ ମେଳି ହେବ ବୋଲି ଜାଣି ନବକୃଷ୍ଣଙ୍କୁ ବାରିପଦା ଏବଂ ମହତାବଙ୍କୁ ଭଞ୍ଜନଗର ପଠାଯାଇଥିଲା।
ଅର୍ଥାତ୍ କିଏ କେଉଁ ଜେଲରେ ରହିବେ ତାହା ସିଧା ସଳଖ ନନ୍ଦିନୀ ବୁଝୁଥିଲେ। କିଏ ଯଦି ସ୍ୱାଧୀନ ମତ ଦେଲା ତାକୁ ଗିରଫ କରିବା ପାଇଁ ଆଦେଶ ଦେଇଥିଲେ ନନ୍ଦିନୀ। ଏଥିରୁ ଖବରକାଗଜ ପ୍ରତିନିଧି, ବୁଦ୍ଧିଜୀବୀ ବାଦ୍ ପଡ଼ୁ ନ ଥିଲେ। ଖାଲି ସେତିକି ନୁହେଁ ରାଜ୍ୟପାଳ ବି ନନ୍ଦିନୀଙ୍କୁ କୋପରୁ ବର୍ତ୍ତିବା ସକ୍ଷମ ହୋଇନଥିଲେ। ପରିସ୍ଥିତି ଏମିତି ହୋଇଥିଲା ଯେ, ରାଜ୍ୟପାଳ ବିଧାନସଭା ରାସ୍ତାରେ ଯାଉଥିବାବେଳେ ନୂଆ ରାଜ୍ୟପାଳ ରବୀନ୍ଦ ମଣ୍ଡପରେ ଶପଥ ନେଇଥିଲେ।
ସେତେବଳେ ଓଡ଼ିଶାରେ ରାଜ୍ୟପାଳ ଥାଆନ୍ତି ଆକବର ଅଲ୍ଲୀ ଖାଁ। ତାଙ୍କ ବନ୍ଧୁ ହେଉଛନ୍ତି ସଂଗ୍ରାମୀ ଜୟପ୍ରକାଶ ନାରାୟଣ। ଜୟ ପ୍ରକାଶ ଜରୁରୀକାଳୀନ ପରିସ୍ଥିତି ବିରୋଧରେ ଲୋକଙ୍କୁ ସଚେତନ କରୁଥିଲେ। ଜୟପ୍ରକାଶ ନାରାୟଣ ଓଡ଼ିଶା ଆସିଥିବାବେଳେ ବନ୍ଧୁଙ୍କୁ ଡକାଇ ଆପ୍ୟାୟିତ କରିଥିଲେ ରାଜ୍ୟପାଳ। କିନ୍ତୁ ଏହାକୁ ଏକ ପ୍ରସଙ୍ଗ କରି ଇନ୍ଦିରାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ନନ୍ଦିନୀ। ତାଙ୍କ ବିଶ୍ୱସ୍ତ ମନ୍ତ୍ରୀ କେ ବ୍ରହ୍ମାନନ୍ଦ ରେଡ୍ଡୀଙ୍କୁ କହିଲେ। ରେଡ୍ଡୀ ରାଜ୍ୟପାଳଙ୍କୁ ଫୋନ୍ ଯୋଗେ ଏ ବିଷୟ ପଚାରିଲେ। ଜଣେ ଦେଶଦ୍ରୋହୀଙ୍କୁ କିପରି ସେ ରାଜଭବନରେ ଅତିଥି ସତ୍କାର କରିଲେ ସେ କଥା ପଚାରିବାରୁ ରାଜ୍ୟପାଳ ଖପ୍ପା ହୋଇ ତାଙ୍କୁ ସରକାର କେବେ ଦେଶଦ୍ରୋହୀ ଘୋଷଣା କରିଛନ୍ତି ତାହା ପଚାରିଥିଲେ। ଏହା ସହ ଆକବର ଅଲ୍ଲୀ ଖାଁ କୌଣସି ପଦବୀ ଲାଗି ଲାଳାୟିତ ନୁହେଁ। କେବେ ସାଲିସ ନ କରି ସ୍ୱାଧୀନ ଭାବେ ରହିବାକୁ ଚାହେଁ ବୋଲି ସିଧା ସଳଖ କହିଥିଲେ।
ଏହାର କିଛିଦିନ ପରେ ଶ୍ରୀ ଖାଁ ଉତ୍କଳ ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିବାବେଳେ ରାଜ୍ୟରେ ଆଉ ଜଣେ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇ ସେ ଶପଥ ଗ୍ରହଣ କରୁଥିବା ବିଷୟ ଜାଣିବାକୁ ପାଇଥିଲେ। ବଡ଼ ଅପମାନଜନକ ସ୍ଥିତିରେ ତାଙ୍କୁ ନନ୍ଦିନୀଙ୍କ ପାଇଁ ବାହାରିବାକୁ ପଡ଼ିଥିଲା।
ନନ୍ଦିନୀ କେତେ ଅହଙ୍କାରୀ ଓ ପ୍ରତିଶୋଧପରାୟଣା ଏଠାରୁ ଅନୁମାନ କରାଯାଇପାରେ। କିନ୍ତୁ ତାଙ୍କଠୁ ଆହୁରି ଅଧିକ ପ୍ରତିଶୋଧ ପରାୟଣା ଇନ୍ଦିରା ଥିଲେ। ଯେଉଁ ପରିସ୍ଥିତିରେ ରାଜ୍ୟପାଳଙ୍କୁ ଗାଦିଚ୍ୟୁତ କରାଯାଇଥିଲା ସେମିତି ପରିସ୍ଥିତିରେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥିଙ୍କୁ ବଦଳାଇଥିଲେ ଇନ୍ଦିରା।
ଜରୁରୀକାଳୀନ ପରିସ୍ଥିତିବେଳେ ରାଜ୍ୟରେ କିପରି କଂଗ୍ରେସ ସରକାର ମୁଖ୍ୟମନ୍ତ୍ରୀଙ୍କୁ ହଟାଇଥିଲା ତହାର ଅନୁଶୀଳନ ଏହି ଘଟଣାରୁ କରାଯାଇପାରେ। ପୂର୍ବରୁ କହିଛି ଯେ ଇନ୍ଦିରାଙ୍କ ଭଳି ନନ୍ଦିନୀ ନିଜକୁ ପରିଚୟ ଦେବାକୁ ଚାହୁଁଥିଲେ। ତାଙ୍କର ଅନୁଗାମୀମାନେ ତାଙ୍କୁ ଏସିଆର ମୁକ୍ତିସୂର୍ଯ୍ୟ ବୋଲି ଡାକୁଥିଲା। ହେଲେ ନନ୍ଦିନୀ ଏହି ନାଁ’ରେ ତାଙ୍କ ଛଡ଼ା ଆଉ କାହାକୁ ଡକାଯାଉ ତାହା କେବେ ଗ୍ରହଣ କରିପାରିନଥିଲେ। ହେଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଏହିପରି ଭାବେ ସମ୍ବୋଧିତ ହେବା ଖବର ସଞ୍ଜୟ ଗାନ୍ଧିଙ୍କ ପାଖରେ ପହଞ୍ଚିଲା। ଇନ୍ଦିରାଙ୍କ ପୁତ୍ର ସଞ୍ଜୟ ସେତେବେଳେ ଅତ୍ୟନ୍ତ କ୍ଷମତାଶାଳୀ ଥିଲେ। ସଞ୍ଜୟ ଏଥିରେ ହସ୍ତକ୍ଷେପ କରି ନନ୍ଦିନୀଙ୍କୁ ହଟାଇବା ଲାଗି ପ୍ରଭାବ ବିସ୍ତାର କଲେ। ୧୯୭୬ ଡିସେମ୍ବର ୧୬ ତାରିଖରେ ଅନେକ ରାଜନୀତିକ ପ୍ରଯତ୍ନ ସତ୍ତ୍ୱେ ବିରୋଧୀଙ୍କଠାରୁ ବର୍ତ୍ତିପାରିଲେ ନାହିଁ ନନ୍ଦନୀ। କେନ୍ଦ୍ରରୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ନନ୍ଦିନୀ ତୁରନ୍ତ ଇସ୍ତଫା ଦେବେ। ଯଦି ଇସ୍ତଫା ନ ଦିଅନ୍ତି ତେବେ ନନ୍ଦିନୀଙ୍କ ମନ୍ତ୍ରିମଣ୍ଡଳକୁ ବରଖାସ୍ତ କରିବା ଲାଗି ରାଜ୍ୟପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାସହ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ଆଶା ଥିବାରୁ କେନ୍ଦ୍ରୀୟ ପୁଲିସ ବଳକୁ ବି ନିୟୋଜିତ କରାଯାଇଥିଲା।
ଏହି ଦିନ ନିଜର ନିର୍ବାଚନ ମଣ୍ଡଳୀରେ ଏକ ସଭାରେ ନନ୍ଦନୀ ଭାଷଣ ଦେଉଥିବାବେଳେ ଜିଲ୍ଲାପାଳ ତାଙ୍କୁ ଇସ୍ତଫା ଦେବା ପାଇଁ କେନ୍ଦ୍ରୀୟ ନିର୍ଦ୍ଦେଶ ଆସିଥିବା କଥା କହିଲେ। ଏହାପରେ ନନ୍ଦିନୀ ସିଧାସଳଖ ଭୁବନେଶ୍ୱର ଆସି ରାଜ୍ୟପାଳଙ୍କୁ ଇସ୍ତଫା ପ୍ରଦାନ କରିଥିଲେ।
ଜରୁରୀକାଳୀନ ପରିସ୍ଥିତିତ ୨୧ ମାର୍ଚ୍ଚ ୧୯୭୭ ଯାଏ ଚାଲିଥିଲା କିନ୍ତୁ ଏଥିରେ ଭୀଷଣ ପ୍ରଭାବିତ ହୋଇଥିଲା ଓଡ଼ିଶାର ରାଜନୀତି ଓ ସରକାର। କଂଗ୍ରେସର ସରକାର ଥାଇ ମଧ୍ୟ କେନ୍ଦ୍ରର ଆସ୍ଥା ଜିତି ନ ଥିଲା। ଆଉ ଯେତେବଳେ ଆସ୍ଥା ଜିତୁଥିଲା ସେତେବଳେ ଲୋକେ ଶାନ୍ତିରେ ରହିପାରୁନଥିଲେ। ବିକଳ୍ପ ଚିନ୍ତାଧାରା ପାଇଁ ସୁଯୋଗ ନ ଥିଲା। ଥରେ ଭାବନ୍ତୁ ଆଜି ଯଦି ସେଭଳି ଅବସ୍ଥା ସୃଷ୍ଟି ହେବ ତେବେ ପରିସ୍ଥିତି କ’ଣ ହେବ?
Also readhttps://purvapaksa.com/fifty-years-of-indira-gandhis-emergenc
Fifty years of Indira Gandhi’s Emergency ।। ଇନ୍ଦିରା ଗାନ୍ଧୀଙ୍କ ଜରୁରୀକାଳୀନ ପରିସ୍ଥିତିର ପଚାଶ ବର୍ଷ
