ନିକଟରେ ବିଶ୍ୱ ବ୍ୟାଙ୍କ ତରଫରୁ ପ୍ରକାଶ ପାଇଛି ଭାରତରେ ଗରିବୀ ହ୍ରାସ ସମ୍ବନ୍ଧିତ ରିପୋର୍ଟ । ଏହା ଉଲ୍ଲେଖ କରିଛି ଯେ ଭାରତର ମୁଣ୍ଡ-ଗଣତି ଗରିବୀ ଗଣନା ୨୦୨୨-୨୩ରେ ମୋଟ ଜନସଂଖ୍ୟାର ୫.୩ ପ୍ରତିଶତ ଥିଲା । ୨୦୧୧-୧୨ରେଏହି ସଂଖ୍ୟା ୨୭.୧ ପ୍ରତିଶତ ଥିଲା । ଏ ଦୁଇଟିଯାକ ସଂଖ୍ୟା ଦର୍ଶାଉଛି ଯେ ମାତ୍ର ଏକ ଦଶନ୍ଧିର ସମୟ ଭିତରେ ୧୭୧ ନିୟୁତ ବା ସତର କୋଟି ଭାରତୀୟଙ୍କୁ ଦାରିଦ୍ର୍ୟର ପଞ୍ଝାରୁ ବାହାର କରାଯାଇଛି ।
ମୋଟାମୋଟି ସଂଖ୍ୟାରେ କହିଲେ, ଦଶ ବର୍ଷ ପୂର୍ବେ ଭାରତରେ ୨୩ କୋଟି ଲୋକ ଅତି ଗରିବ ଥିବା ବେଳେ ଏବେ ସେମାନଙ୍କ ସଂଖ୍ୟା ମାତ୍ର ୩.୩ କୋଟି ଅଛି । ପୁନଶ୍ଚ, ବିଶ୍ଵ ବ୍ୟାଙ୍କର ୨୦୨୫ ପଭର୍ଟି ଆଣ୍ଡ୍ ଇକ୍ଵିଟି ବ୍ରିଫ୍ ରିପୋର୍ଟ ଅନୁସାରେ, ନିମ୍ନ-ମଧ୍ୟବିତ୍ତ-ଆୟ ସ୍ତର ୬୧.୮ ପ୍ରତିଶତରୁ ୨୮.୧ ପ୍ରତିଶତକୁ ହ୍ରାସ ପାଇଛି । ଏହାର ଅର୍ଥ, ୩୭୮ ନିୟୁତ ଲୋକ ଦାରିଦ୍ର୍ୟରୁ ଉପରକୁ ଉଠିଛନ୍ତି । ଏହିସବୁ ତଥ୍ୟ ନିଃସନ୍ଦେହରେ ଦେଶ ପାଇଁ ଗର୍ବର ବିଷୟ ହୋଇଥିବା ବେଳେ ଆହୁରି କେତେକ ପ୍ରଶ୍ନ ରହିଛି, ଯାହା ଏବେ ବି ଅବୁଝା ରହିଛି ।
ପ୍ରଥମ ପ୍ରଶ୍ନଟି ଏକ ଅଟକଳ ସହିତ ସମ୍ପର୍କିତ ଯାହା କୋଭିଡ୍-୧୯ ମହାମାରୀର ଅବ୍ୟବହିତ ପରେ କରାଯାଇଥିଲା । ତାହା ହେଲା ଆୟ ଏବଂ ଜୀବିକାର୍ଜନରେ ହାନି ଘଟିବା କାରଣରୁ ପ୍ରାୟ ତେଇଶି କୋଟି ଲୋକ ଦାରିଦ୍ର୍ୟ ସୀମାରେଖା ତଳକୁ ଖସି ଯାଇଥିଲେ । ୨୦୨୨- ୨୩ ବେଳକୁ କୋଭିଚ୍-୧୯ ମହାମାରୀର କୋପ କମିଗଲା । ତେଣୁ ବିଶ୍ୱ ବ୍ୟାଙ୍କର ଆକଳନ ମହାମାରୀ ପରେ ଏକ ଦୀର୍ଘ ସମୟର ହିସାବକୁ ଅନ୍ତର୍ଭୁକ୍ତ କରି ନାହିଁ,ଯେତେବେଳେ କି ଲୋକମାନଙ୍କ ଆୟର ପୁନରୁଦ୍ଧାର ହୋଇଥାଇପାରେ ଏବଂ ଦାରିଦ୍ର୍ୟ ହ୍ରାସ ପାଇଥାଇପାରେ । ଅର୍ଥାତ୍, ମହାମାରୀ ପରେ ଏତେ କମ୍ ସମୟ ଭିତରେ ଲୋକମାନଙ୍କ ଆୟର ସ୍ତରରେ ହଠାତ୍ ଦ୍ରୁତ ବୃଦ୍ଧି ଘଟି ସେମାନଙ୍କୁ ଉତ୍କଟ ଦାରିଦ୍ର୍ୟରୁ ସାମାନ୍ୟ ସ୍ଵଚ୍ଛଳ ଅବସ୍ଥାକୁ ନେଇଯିବା କେମିତି ଅସହଜ ମନେହୁଏ ।
ଏବେ ଆସିବା ଦ୍ଵିତୀୟ ପ୍ରଶ୍ନକୁ । ଏହା ହେଉଛି ବିଶ୍ଵ ବ୍ୟାଙ୍କର ଦରିଦ୍ର୍ୟ ସୀମାରେଖାର ସଂଶୋଧନ ଯାହା ଦୈନିକ ମୁଣ୍ଡପିଛା ୨.୧୫ ଆମେରିକୀୟ ଡଲାରରୁ ୩ ଡଲାରକୁ ବୃଦ୍ଧି କରାଯିବା । ଦାରିଦ୍ର୍ୟ ରେଖାରେ ଯେତେବେଳେ ଉତ୍ଥାନ ହୁଏ ଅଧିକ ସଂଖ୍ୟକ ଲୋକଙ୍କୁ ଗରିବ ବର୍ଗରେ ଅନ୍ତର୍ଭୁକ୍ତ କରାଯିବା ଆଶା କରାଯାଏ, କମ୍ ଲୋକଙ୍କୁ ନୁହେଁ । ଆନ୍ତର୍ଜାତିକ ପରିସଂଖ୍ୟାନ ଯେତେବେଳେ ସୁହାଇବା ଭଳି ହୋଇ ନଥାଏ, ଭାରତ ସରକାର ସାଧାରଣତଃ ଏଥରେ ପଦ୍ଧତିଗୁଡ଼ିକ ଭୁଲ ଥିବା ଦର୍ଶାଇଥାନ୍ତି । କିନ୍ତୁ ଯେତେବେଳେ ଏହାର ବିପରୀତ କିଛି ଘଟେ, ସେତେବେଳେ ଏଥିପାଇଁ ଗ୍ରହଣ କରଯାଇଥିବା ପ୍ରଣାଳୀ ବା ବ୍ୟବହାର କରାଯାଇଥିବା ଡାଟାବେସ୍ ବିଷୟରେ କୌଣସି ପ୍ରକାରର ସମାଲୋଚନା କରାଯାଏ ନାହିଁ ।
ଯଦି ବି ଉପରୋକ୍ତ କଥାଗୁଡ଼ିକରେ ସହମତି ପ୍ରକାଶ କରାଯାଏ, ଏକ ଉଲ୍ଲେଖନୀୟ ସଂଖ୍ୟକ ଭାରତୀୟଙ୍କୁ ଉତ୍କଟ ଦାରିଦ୍ର୍ୟର ହାତମୁଠାରୁ ମୁକୁଳା ଯାଇ ପାରିଛି ଏଥିରେ ସନ୍ଦେହ ନାହିଁ । ତଥାପି ଏହା ଦାରିଦ୍ର୍ୟ ରୂପକ ଆହ୍ୱାନର ଅନ୍ୟାନ୍ୟ ଅନେକ ଦିଗକୁ ସ୍ପଷ୍ଟ ଶବ୍ଦରେ ଉଲ୍ଲେଖ କରେ ନାହିଁ । ମୁଣ୍ଡପିଛା ଆୟ, ମାନବ ବିକାଶ ସୂଚନାଙ୍କ ଏବଂ ବିଶ୍ୱ କ୍ଷୁଧା ସୂଚନାଙ୍କ ଭଳି ବିକାଶ ଓ କଲ୍ୟାଣର କେତେକ ଆନ୍ତର୍ଜାତିକ ସ୍ତରରେ ଗୃହୀତ ମାପ ଦର୍ଶାଉଛି ଯେ ଏସବୁ ସୂଚକାଙ୍କରେ ଭାରତର ପ୍ରଦର୍ଶନ ଅତି ଦୁର୍ବଳ ଏବଂ ଏସବୁ ତାଲିକାରେ ଭାରତର ସ୍ଥାନରେ ସେପରି ବିଶେଷ ଉନ୍ନତି ଘଟିନାହିଁ ।
ସଦ୍ୟତମ ତଥ୍ୟ ଅନୁସାରେ ଉପରୋକ୍ତ ସୂଚକାଙ୍କ ତାଲିକାଗୁଡ଼ିକରେ ଭାରତର ସ୍ଥାନ ଯଥାକ୍ରମେ ୧୪୪, ୧୩୦ ଏବଂ ୧୦୫ ରହିଥିବା ଦେଖିବାକୁ ମିଳେ । ତେଣୁ ଦେଶ ଏକ ଉଲ୍ଲେଖନୀୟ ମାତ୍ରା ପର୍ଯ୍ୟନ୍ତ ଉତ୍କଟ ଦାରିଦ୍ର୍ୟକୁ ହ୍ରାସ କରିବାରେ ସମର୍ଥ ହୋଇଥିବା ନେଇ ଆଶ୍ଵସ୍ତର ନିଃଶ୍ଵାସ ମାରିବା କଦାଚିତ୍ର ସମୀଚୀନ ହେବ ବୋଲି କୁହାଯାଇପାରେ । ଆହୁରି ଅନେକ ଗୁଣାତ୍ମକ ମାନର ଜୀବନ ବଞ୍ଚିବା ଭଳି ପ୍ରସଙ୍ଗମାନ ରହିଛି, ଯେଉଁଗୁଡ଼ିକର ସମାଧାନ କରାଯିବା ଆବଶ୍ୟକ । ସାମାଜିକ ଏବଂ ଅର୍ଥନୀତିକ କଲ୍ୟାଣର ଗୁରୁତ୍ଵପୂର୍ଣ୍ଣ ଉପାଦାନଗୁଡ଼ିକ ହେଉଛି ଜୀବିକାର୍ଜନର ନିରାପତ୍ତା ଏବଂ ସ୍ଥିର ଓ ସୁସ୍ଥ ଆୟ ବା ଉପାର୍ଜନ।
ଭାରତରେ ଏସବୁର ଅଭାବ ରହିଛି ଏବଂ ଅର୍ଥନୀତିକ ଉତ୍ଥାନ ପତନ ଯୋଗୁଁ ଅନେକ ଲୋକ ଗରିବୀର ପଞ୍ଝାରୁ କେତେବେଳେ ମୁକୁଳୁଛନ୍ତି ତ ଆଉ କେତେବେଳେ ତା’ ମଧ୍ୟକୁ ପଶି ଆସୁଛନ୍ତି । ଏଥିପାଇଁ ଆବଶ୍ୟକ ଆର୍ଥିକ ସୁରକ୍ଷା ଜାଲ ପରିସରଭୁକ୍ତିକରଣ ଏବଂ ପହଞ୍ଚ ଦୃଷ୍ଟିରୁ ବ୍ୟାପକ ହେବାଠାରୁ ଏବେ ବି ବହୁ ଦୂରରେ ରହିଛି । ଭାରତର ଦାରିଦ୍ର୍ୟ ନକ୍ସାରେ ଲିଙ୍ଗ ଏବଂ ଜାତି ତଥା ଆଞ୍ଚଳିକ ଅସମାନତା ଧାରାରେ ଭେଦଭାବ ଏବେ ବି ତିଷ୍ଠି ରହିଛି ।
ବିଶ୍ୱ ବ୍ୟାଙ୍କର ଉପରୋକ୍ତ ରିପୋର୍ଟ ଉପରେ ଏଥିରେ ପରିସରଭୁକ୍ତ ସବୁ ଦେଶ ସନ୍ତୋଷ ବ୍ୟକ୍ତ କରି ନାହାନ୍ତି ଯେ ଦାରିଦ୍ର୍ୟ ପ୍ରକୃତରେ ହ୍ରାସ ପାଇଛି।ତାହା ସେତିକି ପରିମାଣ ପର୍ଯ୍ୟନ୍ତ, ଯେତିକି ଏହାର ପରିସଂଖ୍ୟାନ ଦର୍ଶାଉଛି । ସେଥିପାଇଁ ବେଶ୍ କେତେକ ଦେଶ ଏହାର ଭଲ ଭାବରେ ଯାଞ୍ଚ କରାଯିବା ନିମନ୍ତେ ଆହ୍ୱାନ ଦେଇଛନ୍ତି।
ସମାଲୋଚକମାନେ ଏହାର ପ୍ରତିବାଦ କରିବାକୁ ଯାଇ କହିଛନ୍ତି ଯେ ଏହାକୁ ନେଇ ବାହାସ୍ଫୋଟ ମାରିବା ଭଳି କିଛି ନାହିଁ କି କହିବାର ଆବଶ୍ୟକତା ନାହିଁ । ଏହାକୁ ବିଶ୍ଵାସ କରନାହିଁ କି ଏହାକୁ ତୃଣମୂଳ ବାସ୍ତବତା ଭାବରେ ଗ୍ରହଣ କରନାହିଁ ବୋଲି ସେମାନେ ଯୁକ୍ତି କରୁଛନ୍ତି ।
ତେଣୁ ୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ର ଭାବରେ ପରିଚିତି ଲାଭ କରିବାକୁ ହେଲେ ଦାରିଦ୍ର୍ୟ ଦୂରୀକରଣ ଅର୍ଥପୂର୍ଣ ହେବା ଆବଶ୍ୟକ ଏବଂ ଏହାକୁ ଦୂର କରିବାର ପ୍ରଣାଳୀଗୁଡ଼ିକ ସମାନ ଭାବରେ ବିସ୍ତାରିତ ହେବା ଜରୁରୀ। ବିକାଶର ଅଳ୍ପ କେତେକ ସୂଚକରେ ପରିସଂଖ୍ୟାନ ଦୃଷ୍ଟିରୁ ଆକର୍ଷଣୀୟ ହୋଇଯିବା ଯଥେଷ୍ଟ ନୁହେଁ ।
ALSO READ https://purvapaksa.com/light-to-moderate-rain-at-many-places-under-the-influence-of-low-pressure/
