ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାଇପ୍ରସ ଗସ୍ତକୁ ନେଇ ଆଲୋଚନା ଆରମ୍ଭ ହୋଇଛି । ଏଥିପାଇଁ ନୁହେଁ ଯେ ,ସେ ଦେଶର ତୃତୀୟ ପ୍ରଧାନମନ୍ତ୍ରୀ ଭାବେ ବହୁତ ଦିନ ପରେ ସାଇପ୍ରସ ଯାଉଛନ୍ତି । ଅପରେସନ୍ ସିନ୍ଦୂର ପରେ ତୁର୍କି ଓ ପାକିସ୍ତାନକୁ ସନ୍ଦେଶ ଦେବା ଏହି ଗସ୍ତର ଉଦ୍ଦେଶ୍ୟ । ସାଇପ୍ରସ ଗସ୍ତସାରି ପ୍ରଧାନମନ୍ତ୍ରୀ ମୋଦୀ ଜି୭ ଶିଖର ସମ୍ମିଳନୀ ପାଇଁ କାନାଡା ଯିବେ । ତା’ପରେ ସ୍ୱଦେଶ ଫେରିବା ସମୟରେ ସେ କ୍ରୋଏସିଆ ମଧ୍ୟ ଯିବେ । ଭାରତ ଇଉରୋପରେ ନିଜର ଭୂମିକା ବୃଦ୍ଧି କରିବାକୁ ଚାହୁଁଛି ଏବଂ ତାଙ୍କର ଏହି ଯାତ୍ରା କାର୍ଯ୍ୟକ୍ରମଗୁଡ଼ିକରୁ ମଧ୍ୟ ଏହି କଥା ସ୍ପଷ୍ଟ ହେଉଛି । ସାଇପ୍ରସ ଏବଂ କ୍ରୋଏସିଆ ଉଭୟ ଇଉରୋପୀୟ ସଂଘ (EU) ର ସଦସ୍ୟ । ସାଇପ୍ରସ ଆଗାମୀ ବର୍ଷର ପ୍ରଥମ ଛଅ ମାସ ପାଇଁ ଇଉରୋପୀୟ ସଂଘ କାଉନସିଲର ଅଧ୍ୟକ୍ଷତା ମଧ୍ୟ କରିବ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଗତ ମାସରେ କ୍ରୋଏସିଆ ଯିବାର କାର୍ଯ୍ୟକ୍ରମ ଥିଲା। ଏହା ସହିତ ସେ ନେଦରଲ୍ୟାଣ୍ଡ ଏବଂ ନରୱେ ମଧ୍ୟ ଯାଉଥିଲେ। କିନ୍ତୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ହେତୁ ଏହି ଯାତ୍ରା ବାତିଲ ହୋଇଥିଲା।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାଇପ୍ରସ ଯାତ୍ରା : ତୁର୍କୀ-ପାକିସ୍ତାନକୁ ସଂଦେଶ
ଜି୭ ଶିଖର ସମ୍ମୀଳନୀ କାନାଡାର ଆଲବର୍ଟାରେ ୧୫ରୁ ୧୭ ଜୁନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ଏହାର ଶେଷ ଦିନରେ ଏକ ବିଶେଷ ଅଧିବେଶନରେ ଅଂଶଗ୍ରହଣ କରିବେ । କାନାଡାରୁ ହଠାତ୍ ନିମନ୍ତ୍ରଣ ମିଳିବା ହେତୁ ପ୍ରଧାନମନ୍ତ୍ରୀଙ୍କର ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଏପର୍ଯ୍ୟନ୍ତ ନିର୍ଦ୍ଧାରିତ ହୋଇନାହିଁ । କିନ୍ତୁ, ସରକାରୀ ସୂତ୍ର ଅନୁଯାୟୀ, ଦ୍ୱିପାକ୍ଷିକ ବୈଠକ କରିବା ପାଇଁ ଚେଷ୍ଟା କରାଯାଉଛି। ତେବେ, ଏହା ପୂର୍ବରୁ ତାଙ୍କର ସାଇପ୍ରସ ଯାତ୍ରା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୨୦୦୨ରେ ଅଟଳ ବିହାରୀ ବାଜପେୟୀ ଏବଂ ୧୯୮୩ରେ ଇନ୍ଦିରା ଗାନ୍ଧୀ ପରେ ଏହା କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ସାଇପ୍ରସ ଯାତ୍ରା ହେବ। ପେହଲଗାମ ଆତଙ୍କବାଦୀ ଆକ୍ରମଣରୁ ଆରମ୍ଭ କରି ଅପରେସନ ସିନ୍ଦୁର ପର୍ଯ୍ୟନ୍ତ ତୁର୍କୀ ଯେଉଁ ଭଳି ପାକିସ୍ତାନର ଆତଙ୍କବାଦକୁ ସମର୍ଥନ କରିଛି, ତାହା ଭାରତ ସହ ତା’ର ଉତ୍ତେଜନା ସୃଷ୍ଟି କରିଛି । ଏପରିକି ତୁର୍କୀର ରାଷ୍ଟ୍ରପତି ରେସେପ ଏର୍ଦୋଗାନ ମଧ୍ୟ ପାକିସ୍ତାନ ସହ ଏକଜୁଟତା ପ୍ରକାଶ କରିଛନ୍ତି। ଏପରି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏହି ସାଇପ୍ରସ ଯାତ୍ରା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ସାଇପ୍ରସର ଅଞ୍ଚଳ ଉପରେ ତୁର୍କୀର ଜବରଦସ୍ତ ଦଖଲ
ବାସ୍ତବରେ, ତୁର୍କୀ ଉତ୍ତର ସାଇପ୍ରସକୁ କଥିତ ‘ତୁର୍କୀ ଗଣରାଜ୍ୟ ଉତ୍ତର ସାଇପ୍ରସ’ ରୂପେ ମାନ୍ୟତା ଦେଇଛି। ଏହି ଅଞ୍ଚଳ ଉପରେ ୧୯୭୪ରେ ତୁର୍କୀର ସେନା ଜବରଦସ୍ତ ଦଖଲ କରିଥିଲା। ପୂର୍ବ ଭୂମଧ୍ୟସାଗରୀୟ ଅଞ୍ଚଳରେ ଗ୍ୟାସ ଖୋଜିବା ଅଧିକାରକୁ ନେଇ ମଧ୍ୟ ତୁର୍କୀ ଏବଂ ୟୁନାନ ମଧ୍ୟରେ ବିବାଦ ରହିଛି। ଭାରତ ସବୁବେଳେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ (UNSC) ର ପ୍ରସ୍ତାବ ଏବଂ ଆନ୍ତର୍ଜାତୀୟ ନିୟମ ମାଧ୍ୟମରେ ସାଇପ୍ରସ ସମସ୍ୟାର ସମାଧାନ ଚାହିଁଛି। ଅନ୍ୟପକ୍ଷରେ, ତୁର୍କୀ ପାକିସ୍ତାନ ସହ ଏକାଠି ଅଛି। ତେଣୁ ଭାରତ ସାଇପ୍ରସ ଏବଂ ଗ୍ରୀସ ସହ ନିଜର ସମ୍ପର୍କକୁ ମଜବୁତ କରୁଛି। ଭାରତ ପ୍ରତିରକ୍ଷା ଏବଂ ସୁରକ୍ଷା କ୍ଷେତ୍ରରେ ସହଯୋଗ ବୃଦ୍ଧି କରୁଛି। ପ୍ରଧାନମନ୍ତ୍ରୀ ମୋଦୀ ୪୦ ବର୍ଷରେ ଗ୍ରୀସ ଯାଇଥିବା ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ସେ ୨୦୨୩ରେ ଏଥେନ୍ସ ଯାତ୍ରା କରିଥିଲେ।
ସାଇପ୍ରସ ଏବଂ ଗ୍ରୀସ ଆତଙ୍କବାଦ ଓ କଶ୍ମୀର ପ୍ରସଙ୍ଗରେ ଭାରତ ସହ
ସାଇପ୍ରସ ଏବଂ ଗ୍ରୀସ ଉଭୟ ଦେଶ ଆତଙ୍କବାଦ ଏବଂ କଶ୍ମୀର ପ୍ରସଙ୍ଗରେ ଭାରତକୁ ସମର୍ଥନ କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ସାଇପ୍ରସ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଭାରତକୁ ସମର୍ଥନ କରିଛି। ଏହା ମଧ୍ୟରେ UNSCରେ ଭାରତର ନିର୍ବାଚନ, ଭାରତ-ଆମେରିକା ପରମାଣୁ ଚୁକ୍ତି, NSG ସଦସ୍ୟତା ଏବଂ ୧୯୯୮ର ପରମାଣୁ ପରୀକ୍ଷଣ ଅନ୍ତର୍ଭୁକ୍ତ। ଏପରି ପରିସ୍ଥିତିରେ ଭାରତ,ତୁର୍କୀର ପଡ଼ୋଷୀଙ୍କ ସହିତ ନିଜ ସମ୍ପର୍କ ମଜବୁତ କରି ଆଙ୍କାରାକୁ ଏହି ସନ୍ଦେଶ ଦେବାକୁ ଚାହୁଁଛନ୍ତି ଯେ, ପାକିସ୍ତାନ ଯେମିତି ତୁମର ବନ୍ଧୁ ଆମର ବି ସେମିିତି ବନ୍ଧୁ ରହିଛନ୍ତି ।