ଏବେ ଇଗ୍ନୋରେ ଓଡ଼ିଆ ଭାଷାରେ ଏମବିଏ ପଢିବେ ଶିକ୍ଷାର୍ଥୀ। ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (IGNOU) ଓଡ଼ିଆ ମାଧ୍ୟମରେ ମାଷ୍ଟର ଅଫ୍ ବିଜନେସ୍ ଆଡମିନିଷ୍ଟ୍ରେସନ୍ (MBA) କାର୍ଯ୍ୟକ୍ରମ ଆରମ୍ଭ କରିଛି। ଗତ ମଙ୍ଗଳବାର ଦିନ ନୂଆଦିଲ୍ଲୀରେ ଏହି ପାଠ୍ୟକ୍ରମରେ ପ୍ରବେଶ ଆରମ୍ଭ ହୋଇଯାଇଛି। ଇଗ୍ନୋ(IGNOU)ର କୁଳପତି ଉମା କାଞ୍ଜିଲାଲ କହିଛନ୍ତି ଯେ, ଓଡ଼ିଆରେ ଏମବିଏ କାର୍ଯ୍ୟକ୍ରମ ଆରମ୍ଭ କରି, ଏହି ପ୍ରତିଷ୍ଠାନ ନୂତନ ପିଢ଼ିର ଶିକ୍ଷାର୍ଥୀଙ୍କୁ ଆଞ୍ଚଳିକ ଭାଷାର ପ୍ରତିବନ୍ଧକ ବିନା ପରିଚାଳନା କ୍ଷେତ୍ରକୁ ଆଗେଇ ନେବା ପାଇଁ ସଶକ୍ତ କରିବାକୁ ପ୍ରୟାସ କରିଛି।
ଏହି ପଦକ୍ଷେପ ଜାତୀୟ ଶିକ୍ଷା ନୀତି (NEP) 2020 ସହିତ ସମାନ, ଯାହା ଅନ୍ତର୍ଭୁକ୍ତି ଏବଂ ସମାନତା ବୃଦ୍ଧି କରିବା ପାଇଁ ଉଚ୍ଚଶିକ୍ଷାରେ ଭାରତୀୟ ଭାଷାର ବ୍ୟବହାରକୁ ପ୍ରୋତ୍ସାହିତ କରେ। ଏହି ପ୍ରୟାସ ସହିତ, ଇଗ୍ନୋ(IGNOU) ମୁକ୍ତ ଏବଂ ଦୂର ଶିକ୍ଷା/ଡିଷ୍ଟାନ୍ସ ଲର୍ନିଂ(ODL) ମାଧ୍ୟମରେ ଓଡ଼ିଆ ଭାଷାରେ ଏକ ବୃତ୍ତିଗତ ଶିକ୍ଷା ଏମବିଏ ଡିଗ୍ରୀ ପ୍ରଦାନ କରୁଥିବା ପ୍ରଥମ ଜାତୀୟ ବିଶ୍ୱବିଦ୍ୟାଳୟ ଭାବେ ପରିଗଣିତ ହୋଇଛି। ଓଡ଼ିଆ ଭାଷାରେ ଏମବିଏ ପାଇଁ ପଞ୍ଜୀକୃତ ଶିକ୍ଷାର୍ଥୀମାନେ ଏବେ ଓଡ଼ିଆରେ ପାଠ୍ୟକ୍ରମ ବିଷୟବସ୍ତୁ ଅଧ୍ୟୟନ କରିବା ସହ ପାଠ୍ୟକ୍ରମ ସାମଗ୍ରୀ ପାଇ ପାରିବେ, ଓଡ଼ିଆରେ ଶିକ୍ଷାଗତ ପରାମର୍ଶ ପାଇପାରିବେ ଏବଂ ଓଡ଼ିଆରେ ସେମାନଙ୍କର ପରୀକ୍ଷା ଦେଇପାରିବେ।
ଏହି ଅବସରରେ, ଏଆଇସିଟିିଇ(AICTE) ଉପାଧ୍ୟକ୍ଷ ଅଭୟ ଜେରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ଆଞ୍ଚଳିକ ଭାଷାରେ ଶିକ୍ଷା ସ୍ଥାନୀୟ ଉଦ୍ୟୋଗୀ ଏବଂ ବୃତ୍ତିଗତମାନଙ୍କୁ ପ୍ରୋତ୍ସାହିତ କରିବ, ଯାହା ଦ୍ଵାରା ଓଡ଼ିଶା ଭଳି ରାଜ୍ୟର ଆର୍ଥିକ ଭୀତିଭୂମି ସୁଦୃଢ଼ ହେବ। ଶିକ୍ଷା ମନ୍ତ୍ରଣାଳୟର ଅର୍ଥନୈତିକ ପରାମର୍ଶଦାତା ମୃତ୍ୟୁଞ୍ଜୟ ବେହେରା ପ୍ରତ୍ୟେକ ପରିବାର ପାଇଁ ପରିଚାଳନା ଶିକ୍ଷାକୁ ସୁଗମ କରିବା ପାଇଁ ଇଗ୍ନୋ(IGNOU)ର ପ୍ରୟାସକୁ ପ୍ରଶଂସା କରିବା ସହ କହିଥିଲେ ଯେ, ଏଥିରେ ଏହି ଅଞ୍ଚଳର ଯୁବପିଢ଼ିଙ୍କୁ ଦକ୍ଷ ଏବଂ ଚାକିରି ପାଇଁ ପ୍ରସ୍ତୁତ ବ୍ୟକ୍ତିରେ ପରିଣତ କରିବାର ସମ୍ଭାବନା ଅଧିକ ରହିଛି।
Also readhttps://purvapaksa.com/trump-ellen-fight-its-too-late-for-subhanshus-space-launch/