୩ ଜୁନ ୧୯୪୭ ଥିଲା ବିଭାଜନର ମୂଲ୍ୟରେ ଭାରତର ସ୍ୱାଧୀନତାକୁ ଅନୁମୋଦନ କରାଯିବାର ଦିନ। ଏହା କେବଳ ଐତିହାସିକ ନୁହେଁ, ବରଂ ଭାରତର ଭୂଗୋଳକୁ ବଦଳାଇ ଦେଇଥିବା ଏକ ବୈଠକ ଥିଲା। ଏହି ବୈଠକରେ ବ୍ରିଟିଶ ଭାଇସରୟ ଲର୍ଡ ମାଉଣ୍ଟବେଟନଙ୍କ ସହ ସରଦାର ପଟେଲ, ପଣ୍ଡିତ ନେହେରୁ, ଆଚାର୍ଯ୍ୟ କୃପାଳନୀ, ମୋହମ୍ମଦ ଅଲୀ ଜିନ୍ନା, ଲିୟାକତ ଅଲୀ ଖାନ ଓ ସରଦାର ବଲଦେବ ସିଂହ ଉପସ୍ଥିତ ଥିଲେ। ବିଭାଜନ, ଏହାର ପ୍ରକ୍ରିୟା ଓ ବ୍ରିଟିଶମାନଙ୍କର ପ୍ରତ୍ୟାବର୍ତ୍ତନର ସାର୍ବଜନିକ ଘୋଷଣା ଏହି ବୈଠକ ମାଧ୍ୟମରେ ହେବାକୁ ଥିଲା। ବୈଠକରେ ପୁନର୍ବାର ବିତର୍କ ଆରମ୍ଭ ନ ହେଉ, ଏଥିପାଇଁ ମାଉଣ୍ଟବେଟନ ଆଗୁଆ ପୁଙ୍ଖାନୁପୁଙ୍ଖ ବ୍ୟବସ୍ଥା କରିଥିଲେ।
ପୂର୍ବ ଦିନରେ ହିଁ ନିଷ୍ପତ୍ତି
ବାସ୍ତବରେ, ବୈଠକର ଗୋଟିଏ ଦିନ ଆଗରୁ ୨ ଜୁନରେ ମାଉଣ୍ଟବେଟନ ଏହି ନେତାମାନଙ୍କ ସହ ବୈଠକ କରି ସାରିଥିଲେ। ପରଦିନ ହେବାକୁ ଥିବା ଘୋଷଣାର ଅନୁମୋଦନ ମଧ୍ୟ ନେଇ ସାରିଥିଲେ। ତଥାପି, ଜିନ୍ନା ଟାଳଟୁଳ କରୁଥିଲେ। ସେ ଚୂଡ଼ାନ୍ତ ଅନୁମୋଦନ ପାଇଁ ନିଷ୍ପତ୍ତିକୁ ମୁସଲିମ୍ ଲୀଗର ନ୍ୟାସନାଲ କାଉନସିଲ ଆଗରେ ରଖିବାର ଜଟିଳତା ସୃଷ୍ଟି କରିଥିଲେ। ଜିନ୍ନାଙ୍କୁ ‘ଖଣ୍ଡିତ ଓ ଉଇଖିଆ’ ପାକିସ୍ତାନକୁ ଗ୍ରହଣ କରିବାରେ ଦ୍ୱିଧା ଥିଲା।
ଜିନ୍ନାଙ୍କୁ ଧମକ,ରାତିକ ଭିତରେ ନିଅ ନିଷ୍ପତ୍ତି
ମାଉଣ୍ଟବେଟନ ପ୍ରାୟ ଧମକ ଶୈଳୀରେ ଜିନ୍ନାଙ୍କୁ କେବଳ ରାତିକର ସମୟ ଦେଇଥିଲେ। ସେ କହିଥିଲେ, “ବୈଠକରେ ମୋ ଘୋଷଣାକୁ ଅନୁମୋଦନ ପାଇଁ ଆପଣ କେବଳ ମୁଣ୍ଡ ହଲାଇବେ।” ଷ୍ଟାନଲେ ୱୋଲପର୍ଟଙ୍କ ପୁସ୍ତକ “ଜିନ୍ନା: ମୁହମ୍ମଦ ଅଲୀରୁ କାୟଦ-ଏ-ଆଜମ”ରେ ମାଉଣ୍ଟବେଟନଙ୍କୁ ଉଦ୍ଧୃତ କରାଯାଇଛି: “ମାହୋଲରେ ଉତ୍ତେଜନା ଥିଲା। ମୋତେ ଲାଗୁଥିଲା ଯେ ନେତାମାନେ ଯେତେ କମ୍ କଥା କହିବେ, ବୈଠକ ବିଫଳ ହେବାର ସମ୍ଭାବନା ସେତେ କମ୍ ରହିବ। ମୁଁ ନେତାମାନଙ୍କୁ କହିଥିଲି ଯେ ମଧ୍ୟରାତ୍ରି ସୁଦ୍ଧା ନିଜର ଜବାବ ଜଣାଇ ଦିଅନ୍ତୁ। ଜିନ୍ନା କହିଥିଲେ ଯେ କାର୍ଯ୍ୟକାରୀ ସମିତି ସହ ଆଲୋଚନା ପରେ ରାତି ୧୧ଟାରେ ସେ ନିଜେ ଆସି ଭେଟିବ। ମୁଁ ତାଙ୍କୁ ଅଟକାଇ ରଖିଥିଲି, ଯାହା ଦ୍ୱାରା ଲୀଗ ପକ୍ଷରୁ ଏବେ ଅସ୍ୱୀକାରର କୌଣସି ପ୍ରଶ୍ନ ଉଠି ନ ପାରେ।”
ପାକିସ୍ତାନ ହରାଇବାର ଧମକ ସତ୍ତ୍ୱେ ଜିନ୍ନା ଅଟଳ
ଜିନ୍ନା ତଥାପି ପ୍ରସ୍ତୁତ ନ ଥିଲେ। ମାଉଣ୍ଟବେଟନଙ୍କ କର୍ମଚାରୀ କହିଥିଲେ ଯେ ଜିନ୍ନାଙ୍କଠାରୁ ଲିଖିତ ଅନୁମୋଦନ ହାସଲ କରିବାର ସମସ୍ତ ଚେଷ୍ଟା ବିଫଳ ହେଲା। ସେ ଲୀଗର ନ୍ୟାସନାଲ କାଉନସିଲରୁ ଅନୁମୋଦନ ହାସଲ କରିବା ପରେ ହିଁ ଆଗକୁ ବଢ଼ିବାର କଥା କହୁଥିଲେ। ମାଉଣ୍ଟବେଟନ ଜିନ୍ନାଙ୍କୁ କହିଥିଲେ, “ଆପଣଙ୍କ ଏଭଳି ଜିଦଖୋର ମନୋଭାବକୁ କଂଗ୍ରେସ ସବୁବେଳେ ସନ୍ଦେହର ଦୃଷ୍ଟିରେ ଦେଖେ। ଆପଣ କଂଗ୍ରେସର ନିଷ୍ପତ୍ତିର ଅପେକ୍ଷା କରନ୍ତି, ଯାହା ଦ୍ୱାରା ଲୀଗ ଅନୁକୂଳ ପକ୍ଷ ରଖିପାରେ। ଯଦି ଆପଣଙ୍କର ଏହି ମନୋଭାବ ଜାରି ରହେ, ତେବେ ସକାଳର ବୈଠକରେ କଂଗ୍ରେସ ଓ ଶିଖ ଯୋଜନାକୁ ଅସ୍ୱୀକାର କରିଦେବେ ଏବଂ ପାକିସ୍ତାନ ଆପଣଙ୍କ ହାତରୁ ସବୁଦିନ ପାଇଁ ହଜିଯିବ।”ଜିନ୍ନା କାନ୍ଧ ଉଠାଇ କହିଥିଲେ, “ଯାହା ହେବାକୁ ଅଛି, ତାହା ତ ହେବ।” ଜିନ୍ନା ନିଜ ଜିଦରେ ଅଟଳ ଥିଲେ ମଧ୍ୟ ମାଉଣ୍ଟବେଟନ ନିଜ ଯୋଜନାକୁ ବିଫଳ ହେବାକୁ ଦେବାକୁ ଚାହୁଁ ନଥିଲେ। ସେ କହିଥିଲେ, “ମିଷ୍ଟର ଜିନ୍ନା, ଏହି ଚୁକ୍ତି ପାଇଁ ମୋର ଶ୍ରମକୁ ନଷ୍ଟ କରିବାକୁ ମୁଁ ଆପଣଙ୍କୁ ଅନୁମତି ଦେଇ ପାରିବି ନାହିଁ। ଯେହେତୁ ଆପଣ ମୁସଲିମ୍ ଲୀଗ ପକ୍ଷରୁ ଅନୁମୋଦନ ଦେଉ ନାହାନ୍ତି, ତେଣୁ ମୁଁ ଲୀଗ ପକ୍ଷରୁ କହିବି। ମୋର ଏକମାତ୍ର ସର୍ତ୍ତ ହେଉଛି ଯେ ସକାଳର ବୈଠକରେ ଯେତେବେଳେ ମୁଁ କହିବି ଯେ ମିଷ୍ଟର ଜିନ୍ନା ମୋତେ ଆଶ୍ୱାସନ ଦେଇଛନ୍ତି, ଯାହାକୁ ମୁଁ ଗ୍ରହଣ କରିଛି ଓ ଯେଉଁଥିରେ ମୁଁ ସନ୍ତୁଷ୍ଟ, ତେବେ ଆପଣ କୌଣସି ମୂଲ୍ୟରେ ଏହାର ଖଣ୍ଡନ କରିବେ ନାହିଁ ଏବଂ ଯେତେବେଳେ ମୁଁ ଆପଣଙ୍କ ଆଡ଼କୁ ଚାହିଁବି, ଆପଣ ସହମତିରେ ମୁଣ୍ଡ ହଲାଇବେ।” ଜିନ୍ନା ଏହି ପ୍ରସ୍ତାବର ଜବାବ ମୁଣ୍ଡ ହଲାଇ ଦେଇଥିଲେ।
ଲୀଗର ଗାନ୍ଧୀଙ୍କ ବିରୋଧରେ ଅଭିଯୋଗ
୩ ଜୁନର ବୈଠକର ଆରମ୍ଭରେ ମାଉଣ୍ଟବେଟନ କହିଥିଲେ, “ଯଦି ଅତୀତକୁ ଭୁଲି ହେବ, ତେବେ ଏକ ଉତ୍ତମ ଭବିଷ୍ୟତର ନିର୍ମାଣ ଆରମ୍ଭ କରାଯାଇପାରେ। ଏଥିପାଇଁ ନିମ୍ନସ୍ତରର ନେତାମାନଙ୍କୁ ଅଭିଯୋଗ-ପ୍ରତ୍ୟାଭିଯୋଗରୁ ଅଟକାଇବା ଆବଶ୍ୟକ, କାରଣ ଏହା ହିଂସାକୁ ଉସକାଇ ପାରେ।” ଏହା ଉପରେ ଲୀଗର ଲିୟାକତ ଅଲୀ ଖାନ ସିଧାସଳଖ ଗାନ୍ଧୀଙ୍କ ଉପରେ ଅଭିଯୋଗ କରିଥିଲେ। ସେ କହିଥିଲେ, “ନିମ୍ନସ୍ତରର ନେତାମାନଙ୍କୁ ଅଟକାଇ ହେବ, କିନ୍ତୁ ସବୁଠାରୁ ବଡ଼ ନେତା, ଯେମିତି ଗାନ୍ଧୀ, ସେମାନେ ଅହିଂସାର କଥା କହନ୍ତି, କିନ୍ତୁ ତାଙ୍କର ପ୍ରାର୍ଥନା ସଭାରେ ଅନେକ ଭାଷଣ ହିଂସାକୁ ଉସକାଉଛି।”
ଜବାବରେ ମାଉଣ୍ଟବେଟନ ପୂର୍ବ ଦିନ ମହାତ୍ମା ଗାନ୍ଧୀଙ୍କ ସହ ତାଙ୍କର ଭେଟର ଉଲ୍ଲେଖ କରି କହିଥିଲେ, “ଯେଉଁ ବ୍ୟକ୍ତି ଭାରତର ଏକତା ପାଇଁ ଜିଉଁଛି, କାମ କରୁଛି ଓ କାମନା କରନ୍ତି, ତାଙ୍କର ମନୋଭାବକୁ ମୁଁ ବୁଝିପାରେ। ମୁଁ ତାଙ୍କର ପ୍ରାର୍ଥନା ସଭାର ଭାଷଣ ବିଷୟରେ କଥା ହୋଇଥିଲି। ସେଦିନ ତାଙ୍କର ମୌନ ଦିବସ ଥିଲା। ସେ ଲେଖି ଏକ ବନ୍ଧୁତ୍ୱପୂର୍ଣ୍ଣ ନୋଟ୍ ଦେଇଥିଲେ। ଆଶା କରାଯାଏ ଯେ ସେ ପରିସ୍ଥିତିକୁ ବୁଝି ସହଯୋଗ କରିବେ। ସେ ସବୁବେଳେ ସ୍ପଷ୍ଟ କରିଛନ୍ତି ଯେ ସେ କଂଗ୍ରେସର ଚାରି ଆନାର ସଦସ୍ୟ ମଧ୍ୟ ନୁହନ୍ତି।”
ଗାନ୍ଧୀଙ୍କ ଭାଷଣ ନେଇ ଚିନ୍ତା
କୃପାଳନୀ ଲିୟାକତ ଅଲୀଙ୍କ ଅଭିଯୋଗ ଉପରେ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ସେ କହିଥିଲେ, “ଗାନ୍ଧୀ ଯାହା କିଛି ଓ ଯେତେବେଳେ କହିଛନ୍ତି, ତାହା ଅହିଂସାର ପକ୍ଷରେ ହିଁ କହିଛନ୍ତି। କଂଗ୍ରେସର ସମସ୍ତ ସଦସ୍ୟ ସବୁବେଳେ ସଂଯୁକ୍ତ ଭାରତର ଭାବନାକୁ ଗ୍ରହଣ କରିଛନ୍ତି। ଗାନ୍ଧୀଙ୍କର କାର୍ଯ୍ୟକଳାପ ସବୁବେଳେ ଅହିଂସକ ରହିଛି।” ମାଉଣ୍ଟବେଟନ ସହମତି ପ୍ରକାଶ କରିଥିଲେ, କିନ୍ତୁ ଏକାସାଙ୍ଗରେ ଯୋଡ଼ିଥିଲେ ଯେ ଏହା ସମ୍ଭବ ହେବ ଯେତେବେଳେ ଗାନ୍ଧୀଙ୍କ ଭାଷଣଗୁଡ଼ିକର ସତର୍କତାର ସହ ବିଶ୍ଲେଷଣ କରାଯିବ। କିନ୍ତୁ ନିଶ୍ଚିତ ଭାବେ, ବିଶେଷକରି କମ ବୁଝିବା ଶକ୍ତି ଥିବା ଲୋକମାନଙ୍କର ଭାବନାକୁ ଉସକାଇବା ମିଳେ, ଯେତେବେଳେ ଗାନ୍ଧୀ କହନ୍ତି ଯେ ବିଭାଜନ ଭୁଲ ଏବଂ ଏହାକୁ ଆମେ ଅଟକାଇବା ଉଚିତ। ଆମେ ହାର ମାନିବା ଉଚିତ ନୁହେଁ। ସରଦାର ପଟେଲ ଆଶ୍ୱାସନ ଦେଇଥିଲେ ଯେ ଏକାନ୍ତେ ନିଷ୍ପତ୍ତି ନିଆଗଲେ, ଗାନ୍ଧୀ ଏହାକୁ ଗ୍ରହଣ କରିବେ। ମାଉଣ୍ଟବେଟନ ପୁନର୍ବାର ଆଶ୍ୱାସନ ଦେଇଥିଲେ ଯେ ନିଷ୍ପତ୍ତି ଯାହା ହେଉଛି, ମହାତ୍ମା ଗାନ୍ଧୀ ଅହିଂସା ଉପରେ ହିଁ ଗୁରୁତ୍ୱ ଦେବେ।
ଏକମାତ୍ର ଚିନ୍ତା: ଗାନ୍ଧୀ ଯଦି ନ ମାନନ୍ତି?
ଲିୟାକତ ଅଲୀ ଖାନ ତଥାପି ସନ୍ତୁଷ୍ଟ ନଥିଲେ। ପୁନର୍ବାର ଅଭିଯୋଗ ସ୍ୱରରେ ସେ କହିଥିଲେ, “ନିକଟରେ ଗାନ୍ଧୀ ଯେଉଁ ଶବ୍ଦ ବ୍ୟବହାର କରିଛନ୍ତି, ତାହାର ଅର୍ଥ ହେଉଛି ଜନତା ଭାଇସରୟ ଓ ନେତାମାନଙ୍କର ନିଷ୍ପତ୍ତି ଆଡ଼କୁ ଧ୍ୟାନ ନ ଦିଅନ୍ତୁ। ବରଂ ସେମାନେ ଯାହା ଉଚିତ ମନେ କରନ୍ତି, ତାହା କରନ୍ତୁ। ଏଭଳି ବୟାନର ଅର୍ଥ ହେଉଛି ଯେ ଯଦି ଜନତା ଚାହେଁ ଯେ ବିଭାଜନ ନ ହେଉ, ତେବେ ସେମାନେ ନିଜ ମର୍ଜି ଅନୁଯାୟୀ ଆଗକୁ ବଢ଼ନ୍ତୁ।”
ଜିନ୍ନାଙ୍କୁ ମଧ୍ୟ ଗାନ୍ଧୀଙ୍କ ମନୋଭାବ ନେଇ ଚିନ୍ତା ଥିଲା। ସେ କହିଥିଲେ, “ଯଦି ଗାନ୍ଧୀ ଏହି ପଥରେ ଆଗକୁ ବଢ଼ନ୍ତି, ତେବେ ଏହା ଏକ ବାର୍ତ୍ତା ଦେବ ଯେ ଜନତା ଏହି ବୈଠକରେ ନିଆଯାଇଥିବା ନିଷ୍ପତ୍ତିକୁ ମାନିବେ ନାହିଁ।” ଜିନ୍ନାଙ୍କ ମତରେ, ସେ ମାନନ୍ତି ନାହିଁ ଯେ ଗାନ୍ଧୀଙ୍କର ଇରାଦା ଖରାପ। କିନ୍ତୁ ଏହି ଦିନମାନଙ୍କରେ ତାଙ୍କର ଭାଷା ଏଭଳି ଭାବନାକୁ ବଢ଼ାଉଛି ଯେ ମୁସଲିମ୍ ଲୀଗ ବଳ ପ୍ରୟୋଗ ଦ୍ୱାରା ପାକିସ୍ତାନ ହାସଲ କରିବାକୁ ଯାଉଛି, ଯଦିଓ ସେ ନିଜେ ଗାନ୍ଧୀଙ୍କର ସାର୍ବଜନିକ ସମାଲୋଚନାରୁ ଦୂରେଇ ରହିଛନ୍ତି। ମାଉଣ୍ଟବେଟନ ଏହି ପ୍ରସଙ୍ଗକୁ ଏହା କହି ସମାପ୍ତ କରିଥିଲେ ଯେ ସେ ଗାନ୍ଧୀଙ୍କର ବିଶେଷ ସ୍ଥାନକୁ ସ୍ୱୀକାର କରନ୍ତି। କିନ୍ତୁ ନିଶ୍ଚିତ ଯେ କଂଗ୍ରେସର ନେତାମାନେ ଏହି ବିଷୟକୁ ଦେଖିବେ ଓ ନିଜର ସର୍ବୋତ୍ତମ ପ୍ରୟାସ କରିବେ।
ଗାନ୍ଧୀଙ୍କ ବେଦନା: ନେହେରୁ-ପଟେଲ ମଧ୍ୟ ଶୁଣୁ ନାହାନ୍ତି
ସେହି ଦିନମାନଙ୍କରେ ଗାନ୍ଧୀ ତାଙ୍କର ପ୍ରାର୍ଥନା ସଭାରେ ବାରମ୍ବାର କହୁଥିଲେ, “ଦେଶରେ ଯେତେ ନିଆଁ ଜଳୁଛି ଜଳୁ, ଆମେ ଏକ ଇଞ୍ଚ ଜମିରେ ମଧ୍ୟ ପାକିସ୍ତାନ ହେବାକୁ ଦେବୁ ନାହିଁ।” କଂଗ୍ରେସ କାର୍ଯ୍ୟକାରୀ ସମିତି ଦ୍ୱାରା ବିଭାଜନର ଅନୁମୋଦନ ପରେ ଗାନ୍ଧୀ ଗଭୀର ବେଦନାରେ ଥିଲେ। ତାଙ୍କୁ ଲାଗୁଥିଲା ଯେ କଂଗ୍ରେସର ନେତାମାନେ ତାଙ୍କଠାରୁ ଦୂରେଇ ଯାଉଛନ୍ତି। ଦିନେ ସକାଳେ ଜଣେ କର୍ମୀ ତାଙ୍କୁ କହିଥିଲେ, “ନିଷ୍ପତ୍ତିର ଏହି ସମୟରେ ଆପଣଙ୍କର କୌଣସି ଉଲ୍ଲେଖ ନାହିଁ।” ତାଙ୍କର ଜବାବ ଥିଲା, “ମୋ ଚିତ୍ରକୁ ହାର ପିନ୍ଧାଇବା ପାଇଁ ସମସ୍ତେ ଉତ୍ସୁକ, କିନ୍ତୁ ମୋ ପରାମର୍ଶ ମାନିବାକୁ କେହି ପ୍ରସ୍ତୁତ ନାହାନ୍ତି।”
ଦିଲ୍ଲୀର ହରିଜନ ବସ୍ତିରେ ରହୁଥିବା ଗାନ୍ଧୀଙ୍କୁ ଏକ ରାତିରେ ପାଖରେ ଶୋଇଥିବା ମନୁ ତାଙ୍କୁ ଏକାକୀ ବିଳିବିଳି ହେଉଥିବାର ଶୁଣିଥିଲେ, “ଆଜି ମୋ ସହ କେହି ନାହାନ୍ତି। ପଟେଲ ଓ ନେହେରୁ ସମସ୍ତେ ଭାବୁଛନ୍ତି ଯେ, ମୁଁ ଯାହା କହୁଛି, ତାହା ଭୁଲ, ଏବଂ ଯଦି ବିଭାଜନ ଉପରେ ବୁଝାମଣା ହୁଏ, ତେବେ ଶାନ୍ତି ରହିବ। ଏମାନେ ମନେ କରନ୍ତି ଯେ ବୟସ ସହ ମୋର ବୁଦ୍ଧି ମଧ୍ୟ କମୁଛି। ହଁ, ସମଭାବେ ସମସ୍ତେ ଠିକ୍ କହୁଛନ୍ତି ଓ ମୁଁ ହିଁ ଅନ୍ଧକାରରେ ଭ୍ରମୁଛି।”
ରେଡ଼ିଓରେ ନେହେରୁଙ୍କର ବିଷାଦପୂର୍ଣ୍ଣ ସ୍ୱର I
୩ ଜୁନ ୧୯୪୭ର ବୈଠକର ନିଷ୍ପତ୍ତିଗୁଡ଼ିକ ମାଉଣ୍ଟବେଟନଙ୍କର ରେଡ଼ିଓ ଭାଷଣ ମାଧ୍ୟମରେ ସାର୍ବଜନିକ ହେଲା। ସେଦିନ ରେଡ଼ିଓରେ ପଣ୍ଡିତ ନେହେରୁ, ମୋହମ୍ମଦ ଅଲୀ ଜିନ୍ନା ଓ ସରଦାର ବଲଦେବ ସିଂହ ମଧ୍ୟ କଥା ହେଇଥିଲେ। ନେହେରୁ ତାଙ୍କ ଭାଷଣ ଆରମ୍ଭ କରିଥିଲେ, “ମୋତେ କୌଣସି ଖୁସି ନାହିଁ।” ସେହି ଲକ୍ଷ ଲକ୍ଷ ଲୋକଙ୍କ ପାଇଁ, ଯେଉଁମାନେ ଗୃହହୀନ ହେଲେ, ହଜାର ହଜାର ଯେଉଁମାନେ ଜୀବନ ହରାଇଲେ, ଏବଂ ଅନେକ ମହିଳାଙ୍କ ମୃତ୍ୟୁଠାରୁ ମଧ୍ୟ ଭୟଙ୍କର ଯନ୍ତ୍ରଣା ପ୍ରତି ନେହେରୁଙ୍କ ଗଭୀର ସମବେଦନା ପ୍ରକାଶ କରୁଥିବା ସ୍ୱର ବିଷାଦପୂର୍ଣ୍ଣ ଥିଲା। ସେ ପ୍ରତିଶ୍ରୁତି ଦେଇଥିଲେ ସେମାନଙ୍କ ଦୁଃଖରେ ସାହାଯ୍ୟ କରିବାର। ଆଶ୍ୱାସନ ଦେଇଥିଲେ ଯେ ଏଭଳି ଦୁର୍ଘଟଣା ପୁନରାବୃତ୍ତି ହେବ ନାହିଁ। ତାଙ୍କର ବିଷାଦପୂର୍ଣ୍ଣ ସ୍ୱର ତାଙ୍କର ମୁଖ ଓ ହୃଦୟର ଅବସ୍ଥାକୁ ବୟାନ କରୁଥିଲା, “ମୋତେ ଏହି ପ୍ରସ୍ତାବଗୁଡ଼ିକର ପ୍ରଶଂସା କରିବାରେ କୌଣସି ଖୁସି ନାହିଁ। କିନ୍ତୁ ମୋର ସନ୍ଦେହ ନାହିଁ ଯେ ଏହା ହେଉଛି ସଠିକ୍ ପଥ। ପିଢ଼ୀ ପିଢ଼ୀ ଧରି ଆମେ ସ୍ୱାଧୀନ ସଂଯୁକ୍ତ ଭାରତ ପାଇଁ ସଂଘର୍ଷ କରୁଥିଲୁ। ଯଦି ଏହାର କିଛି ଅଂଶ ଅଲଗା ହେବ, ତେବେ ଏହି ନିଷ୍ପତ୍ତି ଗ୍ରହଣ କରା ଆମ ପାଇଁ ଦୁଃଖଦ ହେବ। ତଥାପି, ମୁଁ ସନ୍ତୁଷ୍ଟ ଯେ ବ୍ୟାପକ ଦୃଷ୍ଟିକୋଣରୁ ଏହି ନିଷ୍ପତ୍ତି ସଠିକ୍।”ଜିନ୍ନା ଖୁସିଥିଲେ I
ଅନ୍ୟପଟେ, ଜିନ୍ନା ଉତ୍ସାହରେ ଭରପୂର ଥିଲେ। ସେ ଖୁସି ପ୍ରକାଶ କରିଥିଲେ ଯେ ରେଡ଼ିଓର ଶକ୍ତିଶାଳୀ ମାଧ୍ୟମ ମାଧ୍ୟମରେ ସେ ପ୍ରଥମ ଥର ପାଇଁ ନିଜ ଲୋକଙ୍କ ସହ ସିଧାସଳଖ କଥା ହେଉଛନ୍ତି। ଯଦିଓ, ଏହି ଅବସରରେ ମଧ୍ୟ ସେ ସେହି ଉର୍ଦ୍ଦୁ ଭାଷାରେ କଥା ହୋଇପାରି ନଥିଲେ, ଯାହା ପରେ ପାକିସ୍ତାନର ଜାତୀୟ ଭାଷା ହେଲା। ତାଙ୍କର ସମ୍ବୋଧନ ଇଂରାଜୀରେ ଥିଲା। ବିଜୟର ଖୁସି ମଧ୍ୟରେ ସେ କହିବା ଭୁଲି ନଥିଲେ ଯେ ଏହି ନିଷ୍ପତ୍ତିରେ ସେମାନେ ପୂର୍ଣ୍ଣତଃ ସନ୍ତୁଷ୍ଟ ନାହାନ୍ତି। ଏବେ ଆମକୁ ଏହା ଉପରେ ବିଚାର କରିବାକୁ ହେବ ଯେ ବ୍ରିଟିଶ ସରକାରଙ୍କ ଏହି ପ୍ରସ୍ତାବକୁ ଆମେ ବୁଝାମଣା ହିସାବରେ ଗ୍ରହଣ କରିବୁ ନା ମାମଲାର ସମାଧାନ ହିସାବରେ। ସେ ଏହି ମୁକାମ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ମୁସଲମାନମାନଙ୍କର ପ୍ରତ୍ୟେକ ଶ୍ରେଣୀର ସାହାଯ୍ୟ, କଷ୍ଟ ଓ ତ୍ୟାଗକୁ ସ୍ମରଣ କରିଥିଲେ। ମହାତ୍ମା ଗାନ୍ଧୀଙ୍କର ନିରାଶାଜନକ ପ୍ରତିକ୍ରିୟା ଥିଲା, “ଈଶ୍ୱର ସେମାନଙ୍କର ରକ୍ଷା କରନ୍ତୁ। ସେମାନଙ୍କୁ ସଦବୁଦ୍ଧି ଦିଅନ୍ତୁ।”