ନବୀନ ନିବାସ ଆଉ ଭରସାଯୋଗ୍ୟ ହୋଇନାହିଁ। ଏଣୁ ପରସ୍ପର ଭିତରେ ସଂଗଠନ ବାବଦରେ ଆଲୋଚନା କରିବାକୁ ନେତାଏଁ ନବୀନ ନିବାସ ବାହାରେ ମେଳି କରିଛନ୍ତି। ଏଥିପାଇଁ ଭୁବନେଶ୍ୱରର ଏକ ହୋଟେଲ୍କୁ ବଛାଯାଇଛି। ପରାମର୍ଶଦାତା କମିଟି ବୈଠକ ଭାବେ ଏହାକୁ ସୂଚୀତ କରାଯାଉଥିଲେ ମଧ୍ୟ ଏଥିରେ ବରିଷ୍ଠ ନେତାମାନେ ନିଜ ପକ୍ଷ ମଜଭୁତ କରିବା ପାଇଁ ଏପରି ବୈଠକରେ ବସିଥିବା କୁହାଯାଉଛି।
ଏହି ବୈଠକରେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଶଶିଭୂଷଣ ବେହେରା, ଭୂପିନ୍ଦର ସିଂହ, ଅଶୋକ ପଣ୍ଡା, ନୃସିଂହ ସାହୁ, ଆୟୁବ ଖାଁ, ପ୍ରଣକପ୍ରକାଶ ଦାସ, ଅରୁଣ ସାହୁଙ୍କ ସମେତ ପ୍ରାୟ ୨୦ ନେତା ସାମିଲ ରହିଛନ୍ତି। ଦଳରେ ଚାଲିଥିବା ରାଜନୀତିକ ସଙ୍କଟ ଓ ବିଭାଜନ ଏହି ଆଲୋଚନାରେ ମୁଖ୍ୟ ପ୍ରସଙ୍ଗ ହୋଇଥିବାବେଳେ ଶଶିଭୂଷଣ କହିଛନ୍ତି, ଏହା ହେଉଛି ବିଜେଡିର ପରାମର୍ଶଦାତା ବୈଠକ ଏବଂ ଏହି ବୈଠକ ବିଷୟରେ ନବୀନ ଅବଗତ ରହିଛନ୍ତି।
ବିଜୁ ଜନତା ଦଳର ପରାମର୍ଶଦାତା କମିଟିଭାବେ ନିଜକୁ ପରିଚୟ ଦେଇଛନ୍ତି ଏହି ଗୋଷ୍ଠୀ। ଶ୍ରୀ ବେହେରା କହିଛନ୍ତି ମଝିରେ ମଝିରେ ଆମେ ଏମିତି ବସୁ। ସଂଗଠନ ବିଷୟରେ ଆଲୋଚନା କରୁ। ଆଜି ମଧ୍ୟ ସେହିପରିଭାବେ ବସିଛୁ। ଏ ବିଷୟରେ ଦଳର ସଭାପତି ଜାଣିଛନ୍ତି।
ନବୀନ ପଟ୍ଟନାୟକ ହେଉଛନ୍ତି ବିଜେଡିର ସର୍ବୋଚ୍ଚ ନେତା। ଆଜି ବି ତାଙ୍କ ନାଁ’ରେ ୪୧ ପ୍ରତିଶତ ଭୋଟ ରହିଛି। ଆମେସବୁ ତାଙ୍କ ସାଙ୍ଗରେ ରହିଛୁ। କୌଣସି ପରିସ୍ଥିତିରେ ବାହ୍ୟଶକ୍ତି ତାଙ୍କ ନେତୃତ୍ୱକୁ ଆହ୍ୱାନ ଦେଲେ ଆମେ ତାହାକୁ ବରଦାସ୍ତ କରିବୁ ନାହିଁ ବୋଲି କହିଛନ୍ତି ଶଶିଭୂଷଣ।
ଆଜି ଭୁବନେଶ୍ୱର ପଟିଆସ୍ଥିତ ହୋଟେଲ କ୍ରିଷ୍ଟାଲ୍ କ୍ରାଉନ୍ଠାରେ ଏହି ବୈଠକର ଆୟୋଜନ ହୋଇଥିଲା। ଏଥିରେ ପ୍ରାୟ ୨୦ଜଣ ନେତା ଉପସ୍ଥିତ ଥିଲେ। ରାଜନୀତିକ ଦୃଷ୍ଟିକୋଣରେ ଦେଖିଲେ ଏହି ନେତାମାନେ କୌଣସି ନା କୌଣସି ସମୟରେ ତତ୍କାଳୀନ ସୁପ୍ରିମୋଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍ଙ୍କ ଦ୍ୱାରା କ୍ଷତିଗ୍ରସ୍ତ ହୋଇଛନ୍ତି। ଶଶିଭୂଷଣଙ୍କୁ ନିଜ ନିର୍ବାଚନମଣ୍ଡଳୀରୁ ବାହାର କରାଯାଇ କେନ୍ଦ୍ରାପଡ଼ା ପଠାଯାଇଥିଲା। ଏହି ସମୟରେ ତାଙ୍କର ରାଜନୀତିକ ପ୍ରଭାବ କ୍ଷୁର୍ଣ୍ଣ ହୋଇଥିବା କୁହାଯାଏ।
ଠିକ୍ ସେହିପରି ଭୂପିନ୍ଦର ସିଂହଙ୍କୁ ଟିକଟ ନ ମିଳିବାରୁ ସେ ଅସନ୍ତୁଷ୍ଟ ରହିଛନ୍ତି। ନୃସିହ ସାହୁ ଏବଂ ଅଶୋକ ଚନ୍ଦ୍ର ପଣ୍ଡା ମଧ୍ୟ ପାଣ୍ଡିଆନ୍ଙ୍କ ଦ୍ୱାରା କ୍ଷତିଗ୍ରସ୍ତ ହୋଇଛନ୍ତି। ଏଣୁ ପରାମର୍ଶ ନାଁରେ ଭବିଷ୍ୟତ କାର୍ଯ୍ୟାନୁଷ୍ଠାନ ପ୍ରସ୍ତୁତି ଲାଗି ଏହି ମେଳି ଉଦ୍ଦିଷ୍ଟ ହୋଇପାରେ।
ଏ ଭିତରେ ରାଜ୍ୟସଭାରେ ଦଳ ଦୁଇଭାଗ ହେବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ବିଭାଜନ ଦଳରେ ବିଭାଜନକୁ ସ୍ପଷ୍ଟ କରୁଛି ବୋଲି କୁହାଯାଉଛି। ପରୋକ୍ଷଭାବେ ସାଂସଦ ଦେବାଶୀଷ ସାମନ୍ତରାୟ ଏନେଇ ପାଣ୍ଡିଆନ୍ଙ୍କୁ ଦୋଷାରୋପ କରିବା ପରେ ପାଣ୍ଡିଆନ୍ଙ୍କ ସମର୍ଥକ ଗୋଷ୍ଠୀ ଏବେ ତାଙ୍କୁ ଆକ୍ରମଣ କରିବା ପାଇଁ ସୋଶାଲ୍ ମିଡିଆରେ କାଦୁଅ ଫୋପାଡ଼ିଛନ୍ତି।
ଆଜି ଦେବାଶୀଷ ସାମନ୍ତରାୟ ଓରଫ୍ ଋଷି ସେହି ୪ ଜଣ ସାଂସଦଙ୍କୁ ଆକ୍ଷେପ କରି ସୋଶାଲ୍ ମିଡିଆରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ‘ମୋ ନେତା ନବୀନ ପଟ୍ଟନାୟକ। ନିକଟରେ, ଯେଉଁମାନେ ବିଜେଡିରେ ଯୋଗ ଦେଇ କିଛି ପଦପଦବୀ ପାଇଛନ୍ତି, ସେମାନେ ନା ଏ ଦଳର ଇତିହାସ ଜାଣିଛନ୍ତି ନା ନବୀନବାବୁ କି ବିଜୁ ବାବୁଙ୍କ ଆଦର୍ଶ ଜାଣିଛନ୍ତି। ଦଳ ପ୍ରତିଷ୍ଠା ହେବା ଦିନଠାରୁ ଲକ୍ଷଲକ୍ଷ କର୍ମୀ ଓ ବରିଷ୍ଠ ନେତା ଅଜସ୍ର ସଂଗ୍ରାମ କରି ଏକ ଆଞ୍ଚଳିକ ଦଳକୁ ଜାତୀୟ ସ୍ତରରେ ପହଞ୍ଚାଇ ପାରିଥିଲେ। ମାତ୍ର ଏବେକାର କିଛି ନେତା ଓ ନେତ୍ରୀ ନବୀନ ବାବୁଙ୍କର ଆଦର୍ଶ, ଧର୍ମନିରପେକ୍ଷତା ଓ ଓଡ଼ିଶା ପ୍ରତି ପ୍ରତିବଦ୍ଧତା ସହ ଅପରିଚିତ। ସେମାନେ ଆଉ କାହା ଇସାରାରେ ପରିଚାଳିତ। ସ୍ୱାଭିମାନ ନ ଥିବା ସ୍ୱାର୍ଥବାଦୀଙ୍କ ସମ୍ପର୍କରେ ମାତ୍ର ଏତିକି କୁହାଯାଇପାରେ ନା ସେମାନେ ଦଳର ନା ସେମାନେ ଓଡ଼ିଶାର ନା ସେମାନେ ନବୀନ ପଟ୍ଟନାୟକଙ୍କର।’
ଏହି ଉକ୍ତିରୁ ସେ ସିଧାସଳଖ ପାଣ୍ତିଆନ୍ ଓ ପାଣ୍ତିଆନ୍ ସମର୍ଥକଙ୍କୁ ପଦାରେ ପକାଇବାକୁ ଚାହିଁଛନ୍ତି। ଏଠାରେ ସୂଚନା ଦିଆଯାଇପାରେ ଯେ, ଶୁଭାଶୀଷ ଖୁଣ୍ଟିଆ ହୁଅନ୍ତୁ କି ମାନସ ମଙ୍ଗରାଜ ଅବା ସୁଲତା ଦେଓ କି ନିରଞ୍ଜନ ବିଶି ଏହି ଚାରିଜଣ ବିଜେଡିରେ ଯୋଗ ଦେବା ପରେ ତାଙ୍କୁ ରାଜ୍ୟସଭା ପଠାଯାଇଛି। ଏମାନେ କେବେ ସାଧାରଣ ନିର୍ବାଚନ ଲଢ଼ିନାହାନ୍ତି। ପୁଣି ନିକଟ ଅତୀତରେ ଏହି ସାଂସଦମାନେ ଦେବାଶୀଷଙ୍କୁ ବିରୋଧ କରିଥିଲେ। ଏପରିକି ତାଙ୍କୁ ଦଳରୁ ବହିଷ୍କାର କରିବା ପାଇଁ ପ୍ରଭାବ ବିସ୍ତାର କରୁଛନ୍ତି।
ହେଲେ ଏତିକିରେ ଦେବାଶୀଷ ଅଟକି ନାହାନ୍ତି। ସେ ଶେଷରେ କହିଛନ୍ତି, ‘ ଶେଷରେ ଏତିକି କହିବି ଗତ ନିର୍ବାଚନରେ ବିଜେଡି ପରାଜୟ ଓଡ଼ିଆ ଅସ୍ମିତା ପାଇଁ ହୋଇଥିଲା। ଆମେ ଜଗନ୍ନାଥ ପ୍ରଦେଶର ଲୋକ। ଆମ ଅସ୍ମିତା ରକ୍ଷା କରିବା ଆମର ମୂଳ ଲକ୍ଷ୍ୟ। ଜୟ ଜଗନ୍ନାଥ’।
ଦେବାଶୀଷଙ୍କ ଏହି ମନ୍ତବ୍ୟ ଓ ପରାମର୍ଶଦାତାଙ୍କ ନବୀନ ନିବାସ ବାହାରେ ବୈଠକ ଏବେ ରାଜନୀତିକ ଅଙ୍କକୁ ଆହୁରି ଜଟିଳ କରିଛି। ନିଜର ସୁରକ୍ଷା ତଥା ଭାବମୂର୍ତ୍ତି ରକ୍ଷା ପାଇଁ ଏବେ ନବୀନ କି ପଦକ୍ଷେପ ନେବେ ତାହାକୁ ଅପେକ୍ଷା କରାଯାଉଛି।
ଅପରପକ୍ଷେ ପାଣ୍ଡିଆନ୍ଙ୍କ ସମର୍ଥକ କୁହାଯାଉଥିବା ପ୍ରଣବ ପ୍ରକାଶ ଦାସ, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ ଅରୁଣ ସାହୁ ପ୍ରମୁଖ ନେତା ଅନ୍ୟତ୍ର ଏକାଠି ହୋଇ ବୈଠକ କରୁଥିବା ସୂଚନା ମିଳିଛି।
Also readhttps://purvapaksa.com/who-is-the-consipirator-in-bjd/

