Doordarshan: ଚଳିତ ଶତାବ୍ଦୀର ଆରମ୍ଭରେ ତତ୍କାଳୀନ ଆମେରିକୀୟ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ ଭାରତ ଗସ୍ତରେ ଆସି କହିଥିଲେ, ଆମେରିକାରେ ଯେତିକି ନ୍ୟୁଜ୍ ଚ୍ୟାନେଲ ନାହିଁ ଭାରତରେ ସେତିକି ଅଛି। ୨୪ ବର୍ଷ ତଳେ ଭାରତର ବଢ଼ୁଥିବା ଆର୍ଥିକ ଶକ୍ତିକୁ ଏହା ଥିଲା କ୍ଲିଣ୍ଟନଙ୍କ ସ୍ୱୀକୃତି। କିନ୍ତୁ ଏହା ମଧ୍ୟ ସତ ଥିଲା ଯେ, ସେତେବେଳକୁ ଦୂରଦର୍ଶନର ପତନ ଆରମ୍ଭ ହୋଇସାରିଥିଲା।
ଘରୋଇ ଚ୍ୟାନେଲଗୁଡ଼ିକର ଉତ୍ଥାନ ସହିତ ଦୂରଦର୍ଶନର ପ୍ରାସଙ୍ଗିକତା ହ୍ରାସ ପାଇଥିଲା। ଷ୍ଟିଙ୍ଗ୍ ଅପରେସନ, ଭୂତକଥା, ଡାହାଣୀ ଚିରୁଗୁଣିଙ୍କୁ ନେଇ ଘରୋଇ ଚ୍ୟାନେଲଙ୍କ ତଣ୍ଟିକଟା ପ୍ରତିଯୋଗୀତା ଓ ଘରୋଇ ଚ୍ୟାନେଲ ଷ୍ଟୁଡିଓରେ ବସି ଗଳା ଫଟାଇ ଚିତ୍କାର କରୁଥିବା ଆଙ୍କରଙ୍କ ସ୍ୱର ଭିତରେ ଦୂରଦର୍ଶନର ସୌମ୍ୟ, ସୁଧାର ଆଙ୍କରଙ୍କ ସ୍ୱର ଆଉ ଶୁଭୁ ନ ଥିଲା । ଏହି ସମୟରେ ବର୍ତ୍ତମାନ ସମୟରେ ହୋସରେ ନ ଥାଇ ଡିବେଟ୍ କରିବା ଅଭିଯୋଗରେ ନିନ୍ଦିତ ଆଙ୍କର ଦୀପକ ଚୌରସିଆ ଦୂରଦର୍ଶନରେ ଯୋଗ ଦେଇଥିଲେ। ସେତେବେଳ ଦୂରଦର୍ଶନ ପରଦାରେ ସେ କହୁଥିଲେ; ଆପଣ ମୋତେ ଦେଖିଥିଲେ ଇାରକରେ, ଏବେ ଦେଖିବେ ଦୂରଦର୍ଶନରେ। ଦୂରଦର୍ଶନକୁ ପ୍ରତିଯୋଗୀତା ମଧ୍ୟକୁ ଆଣିବା ପାଇଁ ୨୧ ବର୍ଷ ତଳେ ହୋଇଥିବା ଉଦ୍ୟମ ସେବେ ଫେଲ୍ ମାରିଥିଲା।
ଏବେ ପ୍ରସାର ଭାରତୀ ପୁଣିଥରେ ଜାତୀୟ ବ୍ରୋଡକାଷ୍ଟରକୁ ରେସ୍କୁ ଫେରାଇ ଆଣିବାକୁ ଉଦ୍ୟମ ଆରମ୍ଭ କରିଛି। ଏହି କ୍ରମରେ ଜି ନ୍ୟୁଜ୍ ଓ ଆଜତକ ଫେମର ସୁଧିର ଚୌଧୁରୀଙ୍କ ସହିତ ପ୍ରସାର ଭାରତୀ ଚୁକ୍ତି କରିଛି। ଚୁକ୍ତି ଅନୁସାରେ ସୁଧିରଙ୍କ ସଂସ୍ଥା ସପ୍ତାହକୁ ୫ ଦିନ ଏକ ଘଣ୍ଟିକିଆ କାର୍ଯ୍ୟକ୍ରମ ଦୂରଦର୍ଶନ ପାଇଁ ପ୍ରସ୍ତୁତ କରିବ। ଏଥିପାଇଁ ପ୍ରସାରଭାରତୀ ସୁଧିରଙ୍କୁ ମୋଟା ଅଙ୍କର ଟଙ୍କା ଦେବ।
ତେବେ ସୁଧିର ଚୌଧୁରୀଙ୍କ ସହିତ ପ୍ରସାର ଭାରତୀର ଚୁକ୍ତି ଅନେକ ପ୍ରଶ୍ନ ଉଠାଇଛି। ସୁଧିରଙ୍କୁ ଦୂରଦର୍ଶନ ପରଦା ଉପରକୁ ଆଣିବା ପଛରେ କ’ଣ କେବଳ ଦୂରଦର୍ଶନକୁ ପୁଣି ରେସକୁ ଫେରାଇ ଆଣିବା ରହିଛି ନା ସରକାରଙ୍କ ପ୍ରଚାର ମୁଖ୍ୟ ଉଦ୍ଦେଶ୍ୟ? ଆସନ୍ତୁ ଏହାକୁ ନେଇ ଆଲୋଚନା କରିବା।
ଦୂରଦର୍ଶନର କାୟାକଳ୍ପ ପରିବର୍ତ୍ତନ ନା ନେତାଙ୍କ ପ୍ରଚାର?
ସୁଧିର ଚୌଧୁରୀଙ୍କ ସହିତ ପ୍ରସାର ଭାରତୀର ଚୁକ୍ତିକୁ ଦୂରଦର୍ଶନର ପୁନରୁତ୍ଥାନ ପାଇଁ ଏକ ରଣନୀତିଭାବେ ଦେଖାଯାଉଛି। ସୁଧିର, ଯିଏ ତାଙ୍କର ଆକ୍ରମଣାତ୍ମକ ସାମ୍ବାଦିକତା ଓ ଦର୍ଶକଙ୍କୁ ଆକର୍ଷିତ କରିବାର କ୍ଷମତା ପାଇଁ ପରିଚିତ, ଦୂରଦର୍ଶନର ହ୍ରାସମାନ ଦର୍ଶକ ସଂଖ୍ୟାକୁ ବଢ଼ାଇବାର ଏକ ମାଧ୍ୟମ ହୋଇପାରନ୍ତି। ଅସମର୍ଥିତ ରିପୋର୍ଟ ଅନୁସାରେ, ଏହି ଚୁକ୍ତି ଅନୁଯାୟୀ ସୁଧିରଙ୍କ ସଂସ୍ଥାକୁ ବାର୍ଷିକ ୧୫ କୋଟି ଟଙ୍କା ଦିଆଯିବ ସହିତ ଷ୍ଟୁଡିଓ ସୁବିଧା, ପ୍ରସାରଣ ସମୟ ଓ ଅନ୍ୟାନ୍ୟ ଲଜିଷ୍ଟିକ୍ ସହାୟତା ପ୍ରଦାନ କରାଯିବ। ଏହା ଦୂରଦର୍ଶନକୁ ଆଧୁନିକ ମିଡିଆ ବଜାରରେ ପ୍ରତିଯୋଗୀ କରିବାର ଲକ୍ଷ୍ୟ ରଖିଥିଲେ ମଧ୍ୟ ଏହା ସରକାରୀ ଏଜେଣ୍ଡା ପ୍ରଚାରର ଏକ ଉପାୟ ହୋଇପାରେ ବୋଲି ସମାଲୋଚକମାନେ ମତ ଦେଇଛନ୍ତି।
ଲୋକଙ୍କ ଟ୍ୟାକ୍ସ ଟଙ୍କାରେ ନେତାଙ୍କ ପ୍ରଚାର?
ଏହି ଚୁକ୍ତି ଜନତାର ଟ୍ୟାକ୍ସ ଟଙ୍କାରେ ସରକାରୀ ନେତାଙ୍କ ପ୍ରଚାର ପାଇଁ ବ୍ୟବହୃତ ହେଉଛି ବୋଲି ଅଭିଯୋଗ ଉଠିଛି। ୧୫ କୋଟି ଟଙ୍କାର ଏହି ବଜେଟ୍ ସହିତ ଷ୍ଟୁଡିଓ ଓ ପ୍ରସାରଣ ସୁବିଧା ଦେବା ଦୂରଦର୍ଶନର ସାଧାରଣ ଜନତାଙ୍କ ସ୍ୱାର୍ଥ ଅପେକ୍ଷା ସରକାରୀ କାର୍ଯ୍ୟକ୍ରମ ଓ ନେତାଙ୍କ ପ୍ରଚାରକୁ ଅଗ୍ରାଧିକାର ଦେଉଛି ବୋଲି କୁହାଯାଉଛି। ସୁଧିର ଚୌଧୁରୀଙ୍କ ଅତୀତ ଇତିହାସ, ଯେଉଁଠି ସେ ସରକାରୀ ନୀତିର ସମର୍ଥନ କରିବା ପାଇଁ ପରିଚିତ, ଏହି ଅଭିଯୋଗକୁ ଆହୁରି ଜୋରଦାର କରୁଛି। ଏହା ପ୍ରସାର ଭାରତୀର ସ୍ୱାଧୀନତା ଓ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛି।
ଅତୀତରେ ଘରୋଇ ସଂସ୍ଥାଙ୍କ ସହିତ ଚୁକ୍ତି
ଏମିତି ନୁହେଁ ଯେ, ସୁଧିର ପ୍ରଥମ ବାହର ବ୍ୟକ୍ତି ଯାହାଙ୍କ ସହିତ ଦୂରଦର୍ଶନ ଏଭଳି ଚୁକ୍ତି କରିଛି। ଦୂରଦର୍ଶନ ଅତୀତରେ ମଧ୍ୟ ଘରୋଇ ସଂସ୍ଥାଙ୍କ ସହିତ ଚୁକ୍ତି କରି ଖବର ଓ କାର୍ଯ୍ୟକ୍ରମ ପ୍ରସାରଣ କରିଛି। ୧୯୮୦ ଓ ୧୯୯୦ ଦଶକରେ ପ୍ରଣୟ ରୟଙ୍କ ନ୍ୟୁ ଡେଲି ଟେଲିଭିଜନ ଲିମିଟେଡ୍ ‘ଦି ୱାର୍ଲଡ ଦିସ୍ ୱିକ୍’ ଭଳି କାର୍ଯ୍ୟକ୍ରମ ପ୍ରସାରଣ କରୁଥିଲା। ସେହିପରି, ନଳୀନୀ ସିଂଙ୍କ ସଂଗଠନ ‘ଆଁଖୋ ଦେଖି’ ଏବଂ ବିନୋଦ ଦୁଆ ‘ପରଖ’ ଭଳି କାର୍ଯ୍ୟକ୍ରମ ଦୂରଦର୍ଶନ ପାଇଁ ପ୍ରସ୍ତୁତ କରିଥିଲେ। ୯୦ ଦଶକର ଶେଷ ଭାଗରେ ‘ଆଜତକ୍’ ମଧ୍ୟ ଦୂରଦର୍ଶନର ଟାଇମ୍ ସ୍ଲଟ୍ ବ୍ୟବହାର କରି ଖବର ପ୍ରସାରଣ ଆରମ୍ଭ କରିଥିଲା। ଏହି ସମସ୍ତ ସହଯୋଗିତା କଂଗ୍ରେସ ଅମଳରେ ହୋଇଥିଲା ଏବଂ ସେତେବେଳେ ମଧ୍ୟ ଦୂରଦର୍ଶନକୁ ସରକାରୀ ଏଜେଣ୍ଡା ପ୍ରଚାରର ମାଧ୍ୟମ ଭାବେ ବ୍ୟବହାର କରାଯାଇଥିଲା। ତେଣୁ ସୁଧିର ଚୌଧୁରୀ ଏକମାତ୍ର ଅପବାଦ ନୁହଁନ୍ତି; ଏହା ଏକ ଦୀର୍ଘକାଳୀନ ପରମ୍ପରାର ଅଂଶ।
କଂଗ୍ରେସ ଅମଳରେ ‘ରାଜୀବ ଦର୍ଶନ’
ସରକାର ବଦଳେ କିନ୍ତୁ ନୀତି ବଦଳେନି। କଂଗ୍ରେସ ଅମଳରେ ଯେମିତି ଦୂରଦର୍ଶନ ସରକାରଙ୍କ ପ୍ରଚାର ମାଇକ୍ ଥିଲା ଏବେବି ସେମିତି ବିଜେପି ସରକାରର ଡାକବାଜୀ ଯନ୍ତ୍ର ସାଜିଛି। କଂଗ୍ରେସ ଶାସନ ସମୟରେ, ବିଶେଷକରି ରାଜୀବ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ, ଦୂରଦର୍ଶନକୁ ‘ରାଜୀବ ଦର୍ଶନ’ ବୋଲି ବ୍ୟଙ୍ଗ କରାଯାଉଥିଲା। ରାଜୀବଙ୍କ ଭାଷଣ, ସରକାରୀ ଯୋଜନା ଓ କଂଗ୍ରେସର ରାଜନୈତିକ ଏଜେଣ୍ଡାକୁ ପ୍ରଚାର କରିବା ପାଇଁ ଦୂରଦର୍ଶନ ଏକ ପ୍ରମୁଖ ମାଧ୍ୟମ ହୋଇଥିଲା। ଏହି ସମୟରେ ପ୍ରଣୟ ରୟ, ନଳୀନୀ ସିଂ ଓ ବିନୋଦ ଦୁଆ ଭଳି ସାମ୍ବାଦିକମାନେ ଦୂରଦର୍ଶନ ସହିତ ଜଡ଼ିତ ଥିଲେ, ଏବଂ ସେମାନଙ୍କ କାର୍ଯ୍ୟକ୍ରମ ମାଧ୍ୟମରେ ସରକାରୀ ନୀତିକୁ ଜନସାଧାରଣ ଜନତାଙ୍କ ନିକଟରକୁ ପହଞ୍ଚାଇବାରେ ସହାୟତା କରିଥିଲେ। ଏହା ଦେଖାଯାଏ ଯେ ସବୁ ରାଜନୈତିକ ଦଳ, ନିଜ ଶାସନ କାଳରେ, ଦୂରଦର୍ଶନକୁ ନିଜର ରାଜନୈତିକ ଇମେଜ ଚମକାଇବା ପାଇଁ ବ୍ୟବହାର କରିଛନ୍ତି। ସୁଧିର ଚୌଧୁରୀଙ୍କ ଚୁକ୍ତି ଏହି ଧାରାର ଏକ ନୂଆ ଉଦାହରଣ ମାତ୍ର।
ପ୍ରସାର ଭାରତୀ: ସରକାରଙ୍କ ପୋଶା ଶୁଆ?
ପ୍ରସାର ଭାରତୀ ଦୀର୍ଘ ଦିନ ଧରି ସରକାରଙ୍କ ପୋଶା ଶୁଆ ଭାବେ କାର୍ଯ୍ୟ କରି ଆସୁଛି ବୋଲି ସମାଲୋଚନା ହେଉଛି। କଂଗ୍ରେସ ଅମଳରେ ଏହା ରାଜୀବ ଗାନ୍ଧୀଙ୍କ ନୀତିର ଗୁଣଗାନ କରୁଥିବାବେଳେ, ବର୍ତ୍ତମାନ ଏହା ‘ସ୍ୱଚ୍ଛ ଭାରତ ଅଭିଯାନ’ ଓ ‘ମେକ୍ ଇନ୍ ଇଣ୍ଡିଆ’ ଭଳି ଯୋଜନାଗୁଡ଼ିକର ପ୍ରଚାର କରୁଛି। ସୁଧିର ଚୌଧୁରୀଙ୍କୁ ୧୫ କୋଟି ଟଙ୍କା ଏବଂ ଷ୍ଟୁଡିଓ ସୁବିଧା ଦେଇ ପ୍ରସାର ଭାରତୀ ସରକାରୀ ବାର୍ତ୍ତାକୁ ଜନସାଧାରଣ ମଧ୍ୟକୁ ପହଞ୍ଚାଇବାରେ ଲାଗିଛି। ଏହା ସ୍ୱାଧୀନ ସାମ୍ବାଦିକତାରୁ ଦୂରେଇ ସରକାରୀ ମୁଖପାତ୍ର ଭାବେ କାର୍ଯ୍ୟ କରୁଥିବା ପରି ମନେ ହେଉଛି।
ବିବିସି ଓ ପ୍ରସାର ଭାରତୀ: ଏକ ତୁଳନା
ପ୍ରସାର ଭାରତୀୟ ହେଉଛି ସରକାରୀ ଅର୍ଥରେ ପରିଚାଳିତ ସରକାରୀ ମିଡିଆ। ଏମିତିରେ ବିଶ୍ୱର ଅନ୍ୟ ମିଡିଆ ସହିତ ଏହାର ତୁଳନା କରାଯାଇଥାଏ। ବିଶେଷକରି ବିବିସି ସହିତ। ତେବେ ବିବିସି ଓ ପ୍ରସାର ଭାରତୀ ମଧ୍ୟରେ ମୌଳିକ ପାର୍ଥକ୍ୟ ରହିଛି। ବିବିସି ସରକାରୀ ଅନୁଦାନ ଉପରେ ନିର୍ଭର ନ କରି ଲାଇସେନ୍ସ ଫି’ ମାଧ୍ୟମରେ ଅର୍ଥ ସଂଗ୍ରହ କରେ, ଯାହା ଏହାକୁ ସରକାରୀ ହସ୍ତକ୍ଷେପରୁ ମୁକ୍ତ ରଖେ। ପ୍ରସାର ଭାରତୀ କିନ୍ତୁ ସରକାରୀ ଅନୁଦାନ ଉପରେ ନିର୍ଭରଶୀଳ ଏବଂ ଏହାର ନିଷ୍ପତ୍ତି ସରକାରୀ ନୀତି ଦ୍ୱାରା ପ୍ରଭାବିତ ହୋଇଥାଏ। ବିବିସି ସମାଲୋଚନାତ୍ମକ ସାମ୍ବାଦିକତା ଓ ବିବିଧ ଦୃଷ୍ଟିକୋଣ ପ୍ରଦାନ କରେ, ଯେଉଁଠାରେ ପ୍ରସାର ଭାରତୀ, କଂଗ୍ରେସ ହେଉ ଅବା ଅନ୍ୟ ଦଳର ଶାସନ କାଳରେ, ସରକାରୀ ବାର୍ତ୍ତାର ପ୍ରଚାରକଭାବେ କାର୍ଯ୍ୟ କରିଛି। ସୁଧିରଙ୍କୁ ୧୫ କୋଟି ଟଙ୍କା ଓ ଅନ୍ୟାନ୍ୟ ସୁବିଧା ଦେବା ଏହି ଧାରାର ଏକ ନୂଆ ଅଧ୍ୟାୟ ମାତ୍ର।
ALSO READ: https://purvapaksa.com/four-mps-come-out-in-support-of-pandian-after-muna-khans-threat/

