Hailstorm Rain: ବଦଳିଲା ପାଗର ମିଜାଜ । ତାତିରୁ ମିଳିଲା ତ୍ରାହି। ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ସହ ପବନ ହୋଇଛି। ବିଶେଷକରି ଉପକୂଳ ଓଡ଼ିଶାରେ ବର୍ଷା ସହ ହାଲୁକା ପବନ ବହିଥିଲା। ଆଜି ସାରା ରାଜ୍ୟରେ କାଳବୈଶାଖୀ ଆଶଙ୍କା ।
ଗତକାଲିଠୁ ରାଜ୍ୟରେ ପାଗରେ ପରିବର୍ତ୍ତନ ଦେଖା ଦେଇଛି । ଖରାର ପ୍ରଭାବ ବିଶେଷ ନଥିବା ବେଳେ ଥଣ୍ଡା ପବନ ବୋହିଥିଲା । ଆଜି ସକାଳୁ ଟ୍ୱିନସିଟିରେ ମେଘୁଆ ପାଗ ଥିବା ବେଳେ ଏବେ ଝିପିଝିପି ବର୍ଷା ଆରମ୍ଭ ହୋଇଛି । କାଳବୈଶାଖୀ ବର୍ଷା ପ୍ରବାହରେ ୩ ଦିନ ମଧ୍ୟରେ ୩ରୁ ୫ ଡିଗ୍ରି ସେଲସିୟସ ଯାଏ ତାପମାତ୍ରା ହ୍ରାସ ପାଇବ। ୨୫ ତାରିଖ ପରଠାରୁ ଧୀରେ ଧୀରେ ତାପମାତ୍ରା ବୃଦ୍ଧି ପାଇବ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଆଜି ବି ସାରା ରାଜ୍ୟରେ କାଳବୈଶାଖୀ ସମ୍ଭାବନା ରହିଛି । ପ୍ରବଳ ବର୍ଷା ସହ କିଛି କିଛି ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇପାରେ । ଏଥିପାଇଁ ୩୦ ଜିଲ୍ଲାକୁ ବଜ୍ରପାତ ଓ ପବନ ବହିବା ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ସେହିପରି ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ଲାଗି ରହିପାରେ ।
ଏହି ସମୟରେ ଘଡ଼ଘଡ଼ି ସହ ବର୍ଷା ଓ ପବନ ବୋହିବା ନେଇ ୧୭ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ଆଜି ବର୍ଷା ପବନ ନେଇ ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲାଗୁଡିକ ହେଲା ସମ୍ବଲପୁର, ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଦେବଗଡ଼ । ଆସନ୍ତାକାଲି ପାଇଁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ଝଡ଼ ତୋଫାନ ନେଇ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ALSO READ: https://purvapaksa.com/odisha-weather-5-districts-issued-orange-alert-for-kalabaisakhi/