Uttarakhand Avalanche: ଉତ୍ତରାଖଣ୍ଡ ବଦ୍ରିନାଥ ନିକଟରେ ବଡ଼ ଧରଣର ହିମସ୍ଖଳନ । ବରଫ ତଳେ ଫସିଲେ ୨୨ ଶ୍ରମିକ । ଜାରି ରହିଛି ରେସ୍କ୍ୟୁ ଅପରେସନ ।
ଉତ୍ତରାଖଣ୍ଡ ବଦ୍ରିନାଥରେ ବଡ଼ ଧରଣର ହିମସ୍ଖଳନ ହୋଇଛି । ରାସ୍ତା ନିର୍ମାଣ ବେଳେ ଏହି ହିମସ୍ଖଳନ ହୋଇଛି । ସୂଚନା ଅନୁଯାୟୀ, ବର୍ଡର ରୋଡ୍ ଅର୍ଗାନାଇଜେସନ (BRO) ପକ୍ଷରୁ ମାଣା ଗାଁରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିଲା। ଜଣେ କଣ୍ଟ୍ରାକରଙ୍କ ଦ୍ବାରା ବହୁସଂଖ୍ୟାରେ ଶ୍ରମିକ ଏହି ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ସ୍ଥାନୀୟ ଅଞ୍ଚଳରେ ପ୍ରବଳ ତୁଷାରପାତ ଯୋଗୁଁ ହଠାତ୍ ଏଠାରେ ବଡ ଧରଣର ହିମସ୍ଖଳନ ହୋଇଥିଲା । ଫଳରେ ନିର୍ମାଣସ୍ଥଳରେ କାମ କରୁଥିବା ଶ୍ରମିକମାନେ ବରଫ ତଳେ ଫସି ଯାଇଥିଲେ ।
୫୫ ଜଣ ଫସି ରହିଥିବା ଶ୍ରମିକ ମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୩୩ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବାବେଳେ ଏବେ ବି ବରଫ ତଳେ ଫସିରହିଛନ୍ତି ୨୨ ଶ୍ରମିକ । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହି ଶ୍ରମିକମାନଙ୍କୁ ଉଦ୍ଧାର ଲାଗି ପ୍ରସ୍ତୁତ ରହିଛି ଭାରତୀୟ ବାୟୁସେନା ହେଲିକପ୍ଟର । ତେବେ ଅନୁକୂଳ ପାଗକୁ ଅପେକ୍ଷା ରହିଛି । ପାଗ ଅନୁକୂଳ ହେଲେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବ ହେଲିକପ୍ଟର ।
ବରଫରେ ଫସିଥିବା ୫୫ ଶ୍ରମିକଙ୍କ ମଧ୍ୟରୁ ୪୨ ଶ୍ରମିକଙ୍କ ପରିଚୟ ମିଳିଛି । ବିହାରରୁ ୧ ଜଣ, ଉତ୍ତରାଖଣ୍ଡରୁ ୧୧ , ଉତ୍ତର ପ୍ରଦେଶରୁ ୧୧ , ହିମାଚଳରୁ ୭, ପଞ୍ଜାବ ଏବଂ ଜମ୍ମୁ କାଶ୍ମୀରରୁ ଜଣେ ଲେଖାଏଁ ଶ୍ରମିକ ରହିଛନ୍ତି। ୧୩ ଜଣ ଶ୍ରମିକଙ୍କ କେଉଁ ରାଜ୍ୟର ତାହା ସ୍ପଷ୍ଟ ହୋଇନାହିଁ ।
ଏନେଇ ଗତକାଲି ମୁଖ୍ୟମନ୍ତ୍ରୀ ଧାମୀ ଏକ ସମୀକ୍ଷା ବୈଠକ ମଧ୍ୟ କରିଛନ୍ତି । ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କର ସ୍ବତନ୍ତ୍ର ଧ୍ୟାନ ରଖିବାକୁ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ମାଣାରେ ତୁରନ୍ତ ହେଲିପ୍ୟାଡ୍ ଖୋଲିବାକୁ ଏବଂ ଯୋଶୀମଠ ସ୍ଥିତ ଆର୍ମୀ ହସ୍ପିଟାଲ, ଜିଲ୍ଲା ହସ୍ପିଟାଲ ଓ ଏମ୍ସ ଋଷିକେଶରେ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ALSO READ: https://purvapaksa.com/the-floodgates-in-which-the-seed-of-the-whole-earth-is-stored/