Olive Ridley Turtle: ରେକର୍ଡ କଲା ଅଲିଭ୍ ରିଡଲେ କଇଁଛଙ୍କ ଅଣ୍ଡାଦାନ। ଋଷିକୁଲ୍ୟା ନଦୀ ମୁହାଣରେ ପ୍ରାୟ ୭ ଲକ୍ଷ ଅଲିଭ୍ ରିଡଲେଙ୍କ ଅଣ୍ଡାଦାନ। ୮ ଦିନରେ ୬ ଲକ୍ଷ ୯୮ ହଜାରରୁ ଅଧିକ କଇଁଛ ଦେଲେ ଅଣ୍ଡା।
ଗଞ୍ଜାମ ଋଷିକୂଲ୍ୟା ମୁହାଣରେ ଦେଖିବାକୁ ମିଳିଛି ଏକ ବିରଳ ଦୃଶ୍ୟ । ଚଳିତବର୍ଷ ସର୍ବକାଳୀନ ରେକର୍ଡ଼ କରିଛି ବିରଳ ପ୍ରଜାତି ଅଲିଭ ରିଡଲେ କଇଁଛଙ୍କ ଗଣ ଅଣ୍ଡାଦାନ। ପ୍ରଥମଥର ପାଇଁ ଋଷିକୁଲ୍ୟା ନଦୀ ମୁହାଣରେ ଦିନ ତମାମ କୂଳରେ ପହଁଚି କଇଁଛ ଅଣ୍ଡା ଦେଇଥିଲେ । ଏକ ସପ୍ତାହରେ ଋଷିକୁଲ୍ୟା ନଦୀ ମୁହାଣରେ ଆସିଛନ୍ତି ୭ ଲକ୍ଷ କଇଁଛ । ଅନୁକୂଳ ପରିବେଶ, ନରମ ମାଟି ଏବଂ ବନ ବିଭାଗର ପ୍ରସ୍ତୁତି ପାଇଁ ଲକ୍ଷ ଲକ୍ଷ ସଂଖ୍ୟାରେ କଇଁଛଙ୍କ ଓଡ଼ିଶା ଆଗମନ ହୋଇଛି ।

ଏହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଲାଗି ରହିଛି । ଚଳିତବର୍ଷ ବିରଳ ପ୍ରଜାତିର ଅଲିଭ ରିଡଲେ କଇଁଛ ଋଷିକୁଲ୍ୟା ମୁହାଣକୁ ଅଣ୍ଡାଦାନ ପାଇଁ ଆସିଥିଲେ । ଋଷିକୂଲ୍ୟା ମୁହାଣକୁ ଗତବର୍ଷ ୬ ଲକ୍ଷ ୩୭ ହଜାର କଇଁଛ ଆସିଥିବା ବେଳେ ଏଥର ଏମାନଙ୍କ ସଂଖ୍ୟା ୬ ଲକ୍ଷ ୯୮ ହଜାର ୭୧୮ ରେ ପହଞ୍ଚିଛି । ତେବେ ପୂର୍ବ ଥର ଅପେକ୍ଷା ଏଥର ୬୦ ହଜାରରୁ ଅଧିକ କଇଁଛ ଆସିଛନ୍ତି । ପ୍ରାୟ ୮ ଦିନ ଧରି ଚାଲିଥିଲା ଗଣଅଣ୍ଡାଦାନ ପ୍ରକ୍ରିୟା । ଏହି ସମୟ ସୀମା ମଧ୍ୟରେ ପ୍ରାୟ ୬ ଲକ୍ଷ ୯୮ ହଜାର ୭୧୮ କଇଁଛ ଗଣ ଅଣ୍ଡାଦାନରେ ସାମିଲ ହୋଇ ସର୍ବକାଳୀନ ରେକର୍ଡ କରିଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଗହୀରମଥା ଓ ଭିତରକନିକାକୁ ଛାଡି କାହିଁକି ଋଷିକୂଲ୍ୟା ମୁହାଣ ମୁହାଁ ହେଲେ ଅଲିଭ ରିଡଲେ ? ପୂର୍ବତନ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ କହିଛନ୍ତି, ପୂର୍ଣ୍ଣମୀର ଦୁଇ ତିନି ଦିନ ପରେ ଦକ୍ଷିଣ ପବନ ଝଟକାରେ କଇଁଛମାନେ ଋଷିକୂଲ୍ୟା ମୁହାଣ ମୁହାଁ ହୋଇଛନ୍ତି । ଦେବେ ଅଣ୍ଡାଦାନ ହେବା ପରେ ଅଣ୍ଡାକୁ ସୁରକ୍ଷିତ ରଖିବାକୁ ବନ ବିଭାଗ ପକ୍ଷରୁ ଚାଲିଛି ୨୪ ଘଣ୍ଟିଆ ପାଟ୍ରୋଲିଂ ।

ALSO READ: https://purvapaksa.com/the-land-will-burn-in-the-future-it-will-grow/

