Odisha:‘ଭୀମ’ର ଦାମ ୩୦ କୋଟି ଟଙ୍କା
ଭୁବନେଶ୍ୱର ବରମୁଣ୍ଡା ଖେଳ ପଡିଆଠାରେ ଚାଲିଥିବା ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶରେ ସାମିଲ ହୋଇଛନ୍ତି ରାଜ୍ୟର ବିଭିନ୍ନ ଅଞ୍ଚଳର ମତ୍ସ୍ୟଚାଷୀ ଓ ବିଭିନ୍ନ ବର୍ଗର ପ୍ରାଣୀପାଳକ l ଏହି ସମାବେଶରେ ସମସ୍ତଙ୍କର ଆକର୍ଷଣର କେନ୍ଦ୍ର ପାଲଟିଛି ରାଜସ୍ତାନର ପଣ୍ଡା ‘ଭୀମ’ l ‘ଭୀମ’ର ଜୀବନଶୈଳୀ, ଖାଦ୍ୟଶୈଳୀ ଓ ଭାବଭଙ୍ଗିମା ଲୋକଙ୍କ ମଧ୍ୟରେ ବିଶେଷ କୌତୁହଳ ଜାଗ୍ରତ କରୁଛି l
ରାଜସ୍ଥାନ ଯୋଧପୁର ସହରରୁ ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶକୁ ଆସିଛି ପଣ୍ଡା ‘ଭୀମ’ l ‘ଭୀମ’ ହେଉଛି ମୁରା ପ୍ରଜାତିର ପଣ୍ଡା l ‘ଭୀମ’ର ରଙ୍ଗ ଚିକ୍କଣ କଳା, ଓଜନ ପ୍ରାୟ ୧୫୦୦ କିଲୋଗ୍ରାମ ଓ ଉଚ୍ଚତା ପ୍ରାୟ ୬ ଫୁଟ l ‘ଭୀମ’କୁ ବର୍ତ୍ତମାନ ୯ ବର୍ଷ l ଏହାର ଦାମ ହେଉଛି ୩୦ କୋଟି ଟଙ୍କା। ରାଜସ୍ଥାନର ଜବାହରଲାଲ ଜାଙ୍ଗିଦଙ୍କ ଦ୍ୱରା ପ୍ରତିପାଳିତ ‘ଭୀମ’ର ସୁନ୍ଦର ଓ ବଳିଷ୍ଠ ସ୍ୱାସ୍ଥ୍ୟ, ବିଶାଳ ଆକାର ଓ ଉଚ୍ଚକୋଟିର ଶୁକ୍ରାଣୁ ପାଇଁ ସମଗ୍ର ଦେଶରେ ସ୍ୱତନ୍ତ୍ର ଖ୍ୟାତି ରହିଛି l
ଜବାହରଲାଲ ଜାଙ୍ଗିଦଙ୍କ ପ୍ରଦତ୍ତ ତଥ୍ୟ ଅନୁସାରେ ପଣ୍ଡା ‘ଭୀମ’ର ପ୍ରତିପାଳନରେ ଦୈନନ୍ଦିନ ଖାଦ୍ୟ ପାଇଁ ପ୍ରାୟ ୫୦୦୦ ଟଙ୍କା ଖର୍ଚ୍ଚ ହୋଇଥାଏ l ‘ଭୀମ’ ପ୍ରତିଦିନ ୨୦ ଲିଟର ମହୁମିଶା କ୍ଷୀର ପିଇଥାଏ l ଏହା ସହ କାଜୁ , ପେସ୍ତାବାଦାମ, ଗାଜର, ବନ୍ଧାକୋବି, ଋତୁଜାତୀୟ ପରିବା, ଶୁଖିଲା ନଡ଼ା ଓ ସବୁଜ ଘାସ ଖାଇଥାଏ l ଏଥିସହିତ ଭୀମ ପ୍ରତିଦିନ ବିଲୋନା ଘିଅର ପ୍ରାୟ ୧ କିଲୋ ହାଲୁଆ ଖାଇବାକୁ ଭଲପାଏ ବୋଲି ତାର ପ୍ରତିପାଳକ କହିଛନ୍ତି l
ସୁନ୍ଦର ଓ ବଳିଷ୍ଠ ସ୍ୱାସ୍ଥ୍ୟ ପାଇଁ ପଣ୍ଡା ‘ଭୀମ’ ପ୍ରତିଦିନ ଖୋଲା ପଡ଼ିଆରେ ବ୍ୟାୟମ କରିଥାଏ ଓ ସନ୍ତରଣ କୁଣ୍ଡରେ ପ୍ରତିଦିନ ସକାଳୁ ଓ ସନ୍ଧ୍ୟାରେ ସନ୍ତରଣ କରିଥାଏ l ଏହି ସମସ୍ତ କାରଣ ପାଇଁ ‘ଭୀମ’ ସମଗ୍ର ଦେଶରେ ଏକ ପଣ୍ଡା ଭାବେ ପରିଚିତି ପାଇଛି l ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶରେ ପଣ୍ଡା ‘ଭୀମ’ର ଉପସ୍ଥିତି ଯୋଗୁଁ ମତ୍ସ୍ୟଚାଷୀ ଓ ପ୍ରାଣିପାଳକମାନେ ତାକୁ ଦେଖିବାର ଓ ମୁରା ପ୍ରଜାତି ମଇଁଷିଙ୍କ ବିଷୟରେ ଜାଣିବାର ସୁଯୋଗ ପାଉଛନ୍ତି l ସୂଚନାଯୋଗ୍ୟଯେ, ମୁରା ପ୍ରଜାତିର ମଇଁଷିମାନଙ୍କ ଦୁଗ୍ଧ ଉତ୍ପାଦନ କ୍ଷମତା ଦିନକୁ ୨୦-୨୫ ଲିଟର ହୋଇଥାଏ l
previous article:https://purvapaksa.com/cm-announces-lakhpati-didi-sahayika-yojana-for-shg-women/
ଏସଏଚଜି ମହିଳାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷପତି ଦିଦି ସହାୟିକା ଯୋଜନା ଘୋଷଣା
