ପୁଣ୍ୟତୋୟା ଚିରୋସ୍ରୋତା ମହାନଦୀ । ସମଗ୍ର ଉତ୍କଳର ଜୀବନ ରେଖା ଭାବେ ବେଶ ପରିଚିତ । ଅମରକଂଟକରୁ ଜନ୍ମନେଥିବା ଏଇ ମହାନଦୀ କୂଳରେ ଗଢ଼ି ଉଠିଛି ପ୍ରାଚୀନ ସହର ସୁବର୍ଣ୍ଣପୁର । ହେଲେ ଓଡିଶାର ଜୀବନରେଖା କହୁଥିବା ଚିରସ୍ରୋତା ମହାନଦୀ ଦିନକୁ ଦିନ ଶୁଷ୍କ ହେବାରେ ଲାଗିଛି । ଫେବୃଆରୀ ମାସରୁ ଖରାର ତାତି ଲୋକଙ୍କୁ କଲବଲ କରୁଥିବା ବେଳେ ସୁବର୍ଣ୍ଣ ପୁର ଭାଗରେ ବହୁଥିବା ଶୁଖିଲା ମହାନଦୀ ର ଶୁଖିଲା ଉପତ୍ୟକାରେ ବସତି ସ୍ଥାପନ କରିଥିବା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ମାଘମାସରୁ ହିଁ ଦେଖିବାକୁ ମିଳିଲାଣି ଖରାର ଦାଉ । ଫେବୃଆରୀ ଆରମ୍ଭରୁ ଧୁଧୂ ଖରା । ଖରାର ପ୍ରକୋପରେ ଏବେଠୁ ତ୍ରାହି ତ୍ରାହି ଡାକିଲେଣି ଲୋକେ । ଖରାଦିନ ଆସିବା ପୂର୍ବରୁ ଚିରସ୍ରୋତା ମହାନଦୀର ଜଳ ସ୍ରୋତ କମିବାରେ ଲାଗିଛି । ଶୁଖିଲା ମହାନଦୀକୁ ନେଇ ନଦୀ ପାଶ୍ଵବର୍ତି ଲୋକଙ୍କ ଜୀବନ ଜିବିକା ପ୍ରଭାବିତ ହୋଇ ପଡିଛି । ଦିନକୁ ଦିନ ମହାନଦୀର ଜଳ ପ୍ରବାହ କମି କମି ଆସୁଥିବା ବେଳେ ଲୋକଙ୍କ ପାନୀୟ ଜଳ ସହ ଚାଷ ବାସରେ ମଧ୍ୟ ତା’ର ପ୍ରଭାବ ପଡିଛି । ଆଗକୁ ଖରାଦିନ । ଜଳସ୍ତର ଆହୁରି କମିବାର ଆଶଙ୍କା ମଧ୍ୟ ରହିଛି । ଏବେଠୁ ମହାନଦୀର ସ୍ଥାନେ ସ୍ଥାନେ ଛୋଟ ଛୋଟ ଚେକ୍ ଡ୍ୟାମ କରିବାକୁ ସାଧାରଣରେ ଦାବି ହେଉଛି । ମହାନଦୀର ଜଳ ସୁରକ୍ଷାକୁ ନେଇ ରାଜ୍ୟ ରାଜ୍ୟ ମଧ୍ୟରେ ବାଦ ବିବାଦ ଲାଗି ରହିଥିବା ବେଳେ ଲୋକଙ୍କ ପାଇଁ କିଛି ପଦକ୍ଷେପ ନିଆଯାଇ ପାରୁ ନଥିବା ଅଭିଯୋଗ ହୋଇଛି ।
ଖାସ ସୁବର୍ଣ୍ଣପୁର ଜିଲ୍ଲାରେ ମହାନଦୀ ପାଖାପାଖି ୧୦୦ କିଲୋମିଟର ଧରି ପ୍ରବାହିତ ହେଉଛି । ପାହାଡ ସଦୃଶ ପଥର , ସ୍ଥିର ନୀଳ ଜଳରାଶି, ସରୁବାଲିରେ ଭରପୁର ଥିବା ମହାନଦୀ ଆଜି ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥାରେ ରହିଛି । ଏପରିକି ମହାନଦୀର ଉଭୟ ପାର୍ଶ୍ଵରେ ଥିବା ଶତାଧିକ ଜନ ବସତି ମହାନଦୀ ଉପରେ ନିର୍ଭର କରି ଚଳୁଛନ୍ତି । ହେକ୍ଟର ହେକ୍ଟର ଚାଷ ଜମିକୁ ଜଳ ସେଚନ ବ୍ୟବସ୍ଥାରେ ଚାଷ ମଧ୍ୟ ହେଉଥିଲା । ହେଲେ ଚଳିତ ବର୍ଷ ମହାନଦୀର ପାଣି କ୍ରମଶଃ କମି କମି ଯାଉଛି । ଧିରେ ଧିରେ କମିବାରେ ଲାଗିଛି ଏହି ପ୍ରାକୃତିକ ଉତ୍ସ । ପ୍ରଭାବିତ ହେଉଛି ଲୋକଙ୍କ ଜୀବନ ଜୀବିକା । ଯେଉଁ ମହାନଦୀରେ ଜାନୁୟାରୀ ମାସରେ ୧୦ ଫୁଟ ପାଣି ପ୍ରବାହିତ ହେଉଥିଲା ସେହି ମହାନଦୀରେ ଲୋକେ ପାର ହୋଇ ଚାଲି ଚାଲି ଯିବା ଆସିବା କରୁଛନ୍ତି । କେବଳ ଗୋଟିଏ ଧାରରେ ୨ରୁ ୩ଫୁଟ ପାଣି ପ୍ରବାହିତ ହେଉଥିବାବେଳେ ଆଉ ଯୁଆଡେ ଦେଖିବ ବାଲି ଆଉ ପଥରରେ ଭରି ଯାଇଛି । ସେପଟେ ଖରାକୁ ଦୃଷ୍ଟିରେ ରଖି ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ଏକ ଜରୁରୀକାଳିନ ସଭା କରାଯାଇଛି । ଗ୍ରୀଷ୍ମ ପ୍ରବାହ ପାଇଁ ଖରାଦିନରେ ଅତି ଆବଶ୍ୟକ ଜିନିଷ ମହଜୁଦ୍ ରଖିବାପାଇଁ ସବୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି ।ଆଗକୁ ଆସୁଛି ଖରାଦିନ । ମରୁଭୂମି ପାଲଟିଥିବା ଚିରସ୍ରୋତା ମହାନଦୀରେ ଛୋଟ ଛୋଟ ଚେକ୍ ଡ୍ୟାମ ନିର୍ମାଣ କରିବାକୁ ଦାବି କରିଛନ୍ତି ଏଠିକାର ଲୋକେ ।
Also read https://purvapaksa.com/utkarsh-odisha-vs-karnataka-global-investors-meet-day-1-compare-investment/