Donald Trump: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ଗ୍ରହଣ କରିବା ପରଠାରୁ କ୍ରମାଗତ ଭାବେ ଇମିଗ୍ରେସନ ନିୟମରେ ପରିବର୍ତ୍ତନ କରିଛନ୍ତି ।
ପ୍ରଥମତଃ ଟ୍ରମ୍ପ ପ୍ରଶାସନ ଜନ୍ମଗତ ନାଗରିକତା ରଦ୍ଦ କରିଥିଲେ ହେଁ ଏବେ ସିଏଟଲ କୋର୍ଟରେ ଏ ନେଇ ମାମଲା ଚାଲିଛି। ସେହିଭଳି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଅନେକ ନିୟମକୁ କଡ଼ାକଡ଼ି କରିବାର ସଙ୍କେତ ଦେଇଛନ୍ତି। ତେବେ ଟ୍ରମ୍ପ ତାଙ୍କ ପ୍ରଚାର ସମୟରେ କହିଥିଲେ ଯେ, ଆମେରିକୀୟ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଥିବା ବିଦେଶୀ ଛାତ୍ରଛାତ୍ରୀଙ୍କୁ ଗ୍ରୀନ କାର୍ଡ ଦିଆଯିବା ଉଚିତ।
ସାଧାରଣତଃ ଇମିଗ୍ରେସନକୁ ନେଇ କଠୋର ଥିବା ଟ୍ରମ୍ପଙ୍କ ମୁହଁରୁ ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସ୍ଥାୟୀ ବାସସ୍ଥାନ, ଯାହାକୁ ସାଧାରଣତଃ ଗ୍ରୀନ୍ କାର୍ଡ ବୋଲି କୁହାଯାଏ, ବିଦେଶୀମାନଙ୍କୁ ଆମେରିକାରେ ସ୍ଥାୟୀ ଭାବରେ ରହିବା ଏବଂ କାମ କରିବା ପାଇଁ ଦିଆଯାଏ । ଗ୍ରୀନ୍ କାର୍ଡ ପାଇଁ ପ୍ରତିବର୍ଷ ହଜାର ହଜାର ଲୋକ ଆବେଦନ କରିଥାନ୍ତି। ଏଥିରେ ଆମେରିକାରେ ପାଠ ପଢ଼ିଥିବା ଏବଂ ବର୍ତ୍ତମାନ ଦେଶରେ କାମ କରୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଅନ୍ତର୍ଭୁକ୍ତ । କିନ୍ତୁ ଭାରତ ଭଳି ଦେଶର ଲୋକଙ୍କ ପାଇଁ ଗ୍ରୀନ୍ କାର୍ଡ ପାଇଁ ଅପେକ୍ଷା ଲମ୍ବା।
କ’ଣ କହିଲେ ଡୋନାଲ୍ଡ ଟ୍ରମ୍ପ ?
ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ସମୟରେ ଡୋନାଲ୍ଡ ଟ୍ରମ୍ପ ସିଲିକନ୍ ଭ୍ୟାଲିର କିଛି ଭେଞ୍ଚର କ୍ୟାପିଟାଲିଷ୍ଟଙ୍କ ସହ ମିଶିଥିଲେ। ଏଥିରେ ଟ୍ରମ୍ପ କହିଛନ୍ତି, “ଆପଣ ହୁଏତ ଅନେକ କାହାଣୀ ଶୁଣିଥିବେ ଯେ ଲୋକମାନେ ଟପ୍ କଲେଜରୁ ଗ୍ରାଜୁଏଟ୍ ହୋଇଛନ୍ତି ଏବଂ ଏଠାରେ ରହିବାକୁ ଚାହୁଁଛନ୍ତି, ସେମାନଙ୍କର ଏକ କମ୍ପାନୀ ପାଇଁ ଯୋଜନା ଥିଲା। ଏକ ଧାରଣା ଥିଲା, କିନ୍ତୁ ସେମାନେ କିଛି କରିପାରିଲେ ନାହିଁ । ସେମାନେ ଭାରତ ଫେରି ଯାଆନ୍ତି, ଚାଇନାକୁ ଫେରିଯାଆନ୍ତି ଏବଂ ସେଠାରେ ସେହି କମ୍ପାନୀଗୁଡ଼ିକ ଆରମ୍ଭ କରନ୍ତି ଏବଂ ତା’ପରେ ହଜାର ହଜାର ଲୋକଙ୍କୁ ନିଯୁକ୍ତି ଦେଇ କୋଟିପତି ହୋଇଯାଆନ୍ତି । ଏହା ଏଠାରେ ମଧ୍ୟ ଘଟିଥାନ୍ତା।
“ଆମେ ହାର୍ଭାର୍ଡ, ଏମଆଇଟି ଏବଂ ଦେଶର ଶ୍ରେଷ୍ଠ ଅନୁଷ୍ଠାନରେ ଲୋକଙ୍କୁ ହରାଉଛୁ । ତେଣୁ ଯିଏ କଲେଜରୁ ସ୍ନାତକ ହାସଲ କରିବ, ଆପଣ ଦୁଇ ବର୍ଷ କିମ୍ବା ଚାରି ବର୍ଷ ପାଠ ପଢ଼ନ୍ତି। ଯଦି ଆପଣ କଲେଜରୁ ସ୍ନାତକ କିମ୍ବା ଡକ୍ଟରେଟ୍ ଡିଗ୍ରୀ ହାସଲ କରନ୍ତି । ଏହି ଦେଶରେ ରହିବା ପାଇଁ ଆପଣଙ୍କୁ ସ୍ୱତଃସ୍ପୃତ ଭାବେ ଗ୍ରୀନ୍ କାର୍ଡ ମିଳିବା ଜରୁରୀ । “
ବିଦେଶୀ ଛାତ୍ରଛାତ୍ରୀଙ୍କୁ ମିଳିବ କି ଗ୍ରୀନ୍ କାର୍ଡ? ତେବେ ଏଠାରେ ସବୁଠାରୁ ବଡ ପ୍ରଶ୍ନ ହେଉଛି ଆମେରିକୀୟ ବିଶ୍ୱବିଦ୍ୟାଳୟରେ ପାଠ ପଢିଥିବା ଛାତ୍ରଛାତ୍ରୀଙ୍କୁ ଗ୍ରୀନ କାର୍ଡ ମିଳିବ କି ନାହିଁ । ଏ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ କୌଣସି ଘୋଷଣା କରାଯାଇନାହିଁ। ନିର୍ବାଚନ ପ୍ରଚାର ସମୟରେ ସେ ଏ ବିଷୟରେ ଦୃଢତାର ସହ କହିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହାକୁ କାର୍ଯ୍ୟକାରୀ କରିନାହାନ୍ତି। ଗ୍ରାଜୁଏସନ୍ ସହ ଗ୍ରୀନ୍ କାର୍ଡ ପାଇବା ପାଇଁ ତାଙ୍କ ପ୍ରଶାସନ ବର୍ତ୍ତମାନ କୌଣସି ବ୍ୟବସ୍ଥା ସ୍ଥାପନ କରିନାହିଁ। ଏହାବ୍ୟତୀତ ଛାତ୍ରଛାତ୍ରୀଙ୍କ ପାଇଁ ନିୟମକୁ ନିଶ୍ଚିତ ଭାବେ କଡ଼ାକଡ଼ି କରାଯାଇଛି।
ବର୍ତ୍ତମାନ ଯଦି କୌଣସି ବିଦେଶୀ ଛାତ୍ର ଗ୍ରୀନ କାର୍ଡ ଚାହୁଁଛନ୍ତି ତେବେ ପାଠପଢ଼ା ସରିବା ମାତ୍ରେ ପ୍ରଥମେ ଚାକିରି ଖୋଜିବାକୁ ପଡ଼ିବ। ସାଧାରଣତଃ ଛାତ୍ରଛାତ୍ରୀମାନେ ଏପରି ଚାକିରି ପାଇବାକୁ ଚେଷ୍ଟା କରିଥାନ୍ତି, ଯାହା ଦ୍ୱାରା ସେମାନେ ଏଚ୍-୧ବି ଭିସା ପାଇପାରିବେ। ଏହି ଭିସାକୁ ୩ ବର୍ଷ ପାଇଁ ପ୍ରଦାନ କରାଯାଇଥାଏ ଏବଂ ଏହାକୁ ଆଗକୁ ବଢ଼ାଯାଇପାରିବ । ଏହି ଭିସାରେ କିଛି ବର୍ଷ ବିତାଇବା ପରେ ଛାତ୍ରଛାତ୍ରୀ ଗ୍ରୀନ୍ କାର୍ଡ ପାଇବାକୁ ଯୋଗ୍ୟ ବିବେଚିତ ହୁଅନ୍ତି। ତେବେ ଗ୍ରୀନ କାର୍ଡ ପାଇଁ ଭାରତ ଭଳି ଦେଶର ଲୋକଙ୍କୁ ଅନେକ ସମୟରେ ଦଶନ୍ଧି ଅପେକ୍ଷା କରିବାକୁ ପଡ଼ିଥାଏ ।
ALSO READ: https://purvapaksa.com/trump-says-will-impose-25-tariffs-on-all-steel-aluminum-imports/
ଇସ୍ପାତ ଓ ଆଲୁମିନିୟମ ଆମଦାନୀ ଉପରେ ୨୫% ଶୁଳ୍କ ଲାଗୁ କରାଯିବ: ଟ୍ରମ୍ପ