ବିଜେଡିରେ ପାଣ୍ଡିଆନଙ୍କ ସ୍ଥିତି କ’ଣ ? ଏବେବି କ’ଣ ନବୀନ ନିବାସ ତାଙ୍କ ନିୟନ୍ତ୍ରଣରେ ଅଛି ? ଏଭଳି ପ୍ରଶ୍ନ ଅନେକ ସମୟରେ ଉଠୁଛି । ଭି.କେ ପାଣ୍ଡିଆନଙ୍କ ପ୍ରଭାବ ଏବେ ମଧ୍ୟ ବିଜେଡିରେ ରହିଛି ବୋଲି ଅନେକ କହୁଛନ୍ତି । ଏହିଭଳି ସମୟରେ ବିଜେଡି ନେତା ମନ୍ମଥ ରାଉତରାୟଙ୍କ ବୟାନ ଆସିଛି । ଶନିବାର ଦିନ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି ଯେ, ଆଗରୁ ପାଣ୍ଡିଆନ ନବୀନଙ୍କ ସ୍ୱାସ୍ଥ୍ୟ କଥା ବୁଝୁଥିଲେ । ଏବେ ମଧ୍ୟ ବୁଝୁଥିବେ ବୋଲି ମୁଁ ଭାବୁଛି ।
ନବୀନ ନିବାସରେ ଚାଲିଛି କାହା ଦରବାର ?
ନବୀନ ନିବାସରେ ପାଣ୍ଡିଆନଙ୍କ ଦରବାର ଚାଲିଛି କି ପ୍ରଶ୍ନର ଉତ୍ତରରେ ମନ୍ମଥ କହିଛନ୍ତି ଯେ, ନବୀନ ନିବାସରେ ନବୀନ ବାବୁଙ୍କ ଦରବାର ଚାଲିଛି । ସେଠାରେ ପାଣ୍ଡିଆନଙ୍କ ଦରବାର ଚାଲୁ ନାହିଁ । ଗତ ନିର୍ବାଚନ ପରଠାରୁ ମୁଁ ତାଙ୍କୁ ଦେଖିନାହିଁ । ଯଦି ବି ଆପଣମାନେ ତାଙ୍କୁ ଦେଖିଥିବେ ତେବେ ଏଥିପାଇଁ ଯେ, ସେ ନବୀନଙ୍କ ସ୍ୱାସ୍ଥ୍ୟ କଥା ବୁଝନ୍ତି । ବାହାରୁ ଆସୁଥିବା ଡାକ୍ତରି ଟିମ୍ ସହିତ କୋଅର୍ଡିନେଟ୍ କରନ୍ତି । ଯେହେତୁ ସେ ଆଗରୁ ନବୀନବାବୁଙ୍କ ସ୍ୱାସ୍ଥ୍ୟ କଥା ବୁଝୁଥିଲେ ଏବେ ମଧ୍ୟ ବୁଝୁଥାଇ ପାରନ୍ତି । କିନ୍ତୁ ରାଜନୀତିରୁ ସେ ସନ୍ୟାସ ନେଇ ସାରିଛନ୍ତି । ସେ ନିଜେ (ପାଣ୍ଡିଆନ) ରାଜନୈତିକ ସନ୍ନ୍ୟାସ କଥା କହିଥିଲେ । ଆଉ ଯଦି ଏବେ ସେ ନବୀନଙ୍କ ସେବା କରୁଛନ୍ତି ତେବେ ଏହା ଓଡ଼ିଆ ସଂସ୍କୃତିର କଥା । ଓଡ଼ିଆ ସଂସ୍କୃତିରେ ଗୁରୁଙ୍କ ସେବା କରାଯାଏ ।
ଅହଙ୍କାର ଥିଓରି ସହ ସହମତ
ବରିଷ୍ଠ ବିଜେଡି ନେତା ଅରୁଣ ସାହୁଙ୍କ ‘ଅହଙ୍କାର ଯୋଗୁ ଦଳ ହାରିଲା ’ ବୟାନ ଉପରେ ମଧ୍ୟ ନିଜ ପ୍ରତିକ୍ରିୟା ରଖିଛନ୍ତି ମନ୍ମଥ ରାଉତରାୟ । ମନ୍ମଥ କହିଛନ୍ତି ଯେ, ମୁଁ ଏହି କଥା ସହିତ କିଛି ମାତ୍ରାରେ ସହମତ । ୨୪ ବର୍ଷର ଶାସନ ପରେ କିଛି ନେତା ଭାବିନେଇଥିଲେ ଯେ,ନବୀନଙ୍କ ନାମ ହିଁ ଜିତିବା ପାଇଁ ଯଥେଷ୍ଟ । ତେଣୁ ଦଳ ଭିତରେ ସ୍ଥାଣୁତା ଆସି ଯାଇଥିଲା । ଯେଉଁଥିପାଇଁ ଦଳକୁ ଏଭଳି ମୂଲ୍ୟ ଦେବାକୁ ପଡ଼ିଲା ।
Also read https://purvapaksa.com/manmath-washed-his-elder-brother-mahabharata-in-surs-house/

