- ବର୍ଡର-ଗାଭାସ୍କର ଟ୍ରଫି: ଡ୍ରେସିଂ ରୁମର ଗୁମର କଥା
- କୋହଲିଙ୍କ ଭଳି ଅଧିନାୟକ ଚାହୁଁଥିଲେ ଗମ୍ଭୀର
ଚଳିତ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜରେ ଟିମ ଇଣ୍ଡିଆର ଦୟନୀୟ ପ୍ରଦର୍ଶନଠୁ ବଳି ଯାଇଛି ଦଳ କନ୍ଦଳ। ପଞ୍ଚମ ଟେଷ୍ଟରୁ ଅଧିନାୟ ରୋହିତ ଶର୍ମାଙ୍କୁ ବାଦ ଦିଆଯାଇଛି ଓ ଯଶପ୍ରୀତ ବୁମରା ନେଉଛନ୍ତି ନେତୃତ୍ୱ। ଆଡିଲେଡ ଓ ମେଲବର୍ଣ୍ଣ ଭଳି ସମଦଶା ଭୋଗିଛି ଭାରତୀୟ ଦଳ। ପ୍ରଥମ ଇନିଂସରେ ମାତ୍ର ୧୮୫ ରନ୍ କରି ଅଲ୍ ଆଉଟ୍ ହୋଇଯାଇଛି। ରୋହିତଙ୍କ ଭଳି ଦଳର ଅନ୍ୟ ସବୁ ଖେଳାଳି ମଧ୍ୟ ବିଫଳ ହେଉଛନ୍ତି। ଦଳଗତ ବିଫଳତାକୁ ନେଇ ରୋହିତଙ୍କୁ ଏକମାତ୍ର ଦୋଷୀ ଭାବେ ବିବେଚନା କରାଯିବା ଓ ଦଳର ସନ୍ତୁଳନକୁ ଉନ୍ନତ କରିବାକୁ ଯାଇ ଜଣେ ଅଧିନାୟକଙ୍କୁ ଏକାଦଶରୁ ବାଦ ଦେବାର ନିଷ୍ପତ୍ତି କେତେଦୂର ଠିକ୍?
ପର୍ଥରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଭାରତ ବିଜୟ ହାସଲ କରିଥିଲା। ରୋହିତ ଉକ୍ତ ଟେଷ୍ଟ ଖେଳିନଥିଲେ। ବୁମରା ନେତୃତ୍ୱ ନେଇଥିଲେ। ଦ୍ୱିତୀୟ ଟେଷ୍ଟ ପୂର୍ବରୁ ରୋହିତ ଦଳ ସଂହ ଯୋଗ ଦେଇଥିଲେ। ଏହାପରେ ଭାରତ ଆଡ଼ିଲେଡରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟ ଓ ମେଲବର୍ଣ୍ଣରେ ଅନୁଷ୍ଠିତ ଚତୁର୍ଥ ଟେଷ୍ଟରେ ପରାଜିତ ହୋଇଥିଲା। ବ୍ରିସବେନରେ ଅନୁଷ୍ଠିତ ତୃତୀୟ ଟେଷ୍ଟ ଡ୍ର’ ରହିଥିଲା। ଦଳର ପରାଜୟ ପରେ ଅଧିନାୟକ ରୋହିତ ଶର୍ମା ଓ କୋଚ ଗୌତମ ଗମ୍ଭୀରଙ୍କୁ ତୀବ୍ର ସମାଲୋଚନା କରାଯାଇଥିଲା। ରୋହିତଙ୍କୁ ଅବସର ନେବା ଆବଶ୍ୟକ ବୋଲି ମଧ୍ୟ ବହୁ ପୂର୍ବତନ କ୍ରିକେଟଣ ମତ ଦେଇଥିଲେ। ସେମିତ ବି ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ସାଇକେଲରେ ଆଉ ମାତ୍ର ଗୋଟିଏ ଟେଷ୍ଟ ବାକି ରହିଥିଲା। ରୋହିତଙ୍କ ଉକ୍ତ ଟେଷ୍ଟ ଖେଳାଇବା ପରେ ଟେଷ୍ଟ କ୍ରିକେଟରୁ ବିଦା କରାଯାଇପାରିଥାନ୍ତା। କିନ୍ତୁ ତାହା ହୋଇନଥିଲା।
ଦଳର ଏହି ନୈରାଶ୍ୟଜନକ ପ୍ରଦର୍ଶନ ପଛରେ ଅନେକ ବିବାଦ ଲୁଚି ରହିଥିବା ସ୍ପଷ୍ଟ ହୋଇଯାଇଛି। ଦଳ ଚୟନଠୁ ଆରମ୍ଭ କରି ରଣନୀତି ପ୍ରସ୍ତୁତି ପର୍ଯ୍ୟନ୍ତ ସବୁଥିରେ ମତ ପ୍ରାର୍ଥକ୍ୟ ରହିଥିଲା । ଦଳରେ ମତଭେଦ ମଧ୍ୟ ନୈରାଶ୍ୟଜନକ ପ୍ରଦର୍ଶନର ଅନ୍ୟତମ କାରଣ।
କାରଣ ରୋହିତ ଶର୍ମା ସର୍ବଦା ଖେଳାଳିଙ୍କ ସହ ଆଲୋଚନା କରିବା ଦେଖିବାକୁ ମିଳେ । ମ୍ୟାଚ ପୂର୍ବରୁ ବୋଲିଂ ବିଭାଗ, ବ୍ୟାଟିଂ ବିଭାଗ ଓ ଖେଳାଳିଙ୍କ ସହ ବ୍ୟକ୍ତିଗତ ଭାବେ ମଧ୍ୟ ସେ ଆଲୋଚନା କରନ୍ତି । ଏପରିକି ଟସ୍ ପରେ ମଧ୍ୟ ଏକାଦଶରୁ ବାଦ ପଡ଼ିଥିବା ଖେଳାଳିଙ୍କୁ ବୁଝାଇବାର ପ୍ରମାଣ ରହିଛି । ହେଲେ ଏହି ସିରିଜରେ ରୋହିତ ଗ୍ରାଉଣ୍ଡ ଭିତରେ କୌଣସି ଆଲୋଚନାରେ ସାମିଲ ହେଉ ନଥିବା ଦେଖିବାକୁ ମିଳିଛି ।
ଦଳ ଚୟନ ବେଳେ କୋଚଙ୍କ କିଛି ପ୍ରସ୍ତାବକୁ ଚୟନ କମିଟି ଅଗ୍ରାହ୍ୟ କରିଦେଇଥିବାବେଳେ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଜଣେ ସିନିୟର ଖେଳାଳି ଅଧିନାୟକ ପଦ ହାତେଇବାକୁ ଜୋରଦାର ଯୋଜନା ଚଳାଇଥିଲେ ବୋଲି କିଛି ଦିନ ତେଳ ଏକ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଖାଲି ସେତିକି ନୁହେଁ, ଡ୍ରେସିଂ ରୁମ୍ର ରଣନୀତିକୁ ମଧ୍ୟ ଗ୍ରାଉଣ୍ଡରେ ଗ୍ରହଣ କରାନଯିବା କୋଚ ଗମ୍ଭୀରଙ୍କୁ ଅସନ୍ତୁଷ୍ଟ କରିଥିଲା
ଉକ୍ତ ଗଣ ମାଧ୍ୟମ ପ୍ରକାଶ କରିଛି ଯେ, ରୋହିତ ଶର୍ମା ପ୍ରଥମ ଟେଷ୍ଟରୁ ଓହରି ଯିବାକୁ ନିଷ୍ପତ୍ତି ନେବା ପରେ ଦଳର ଜଣେ ସିନିୟର ଖେଳାଳି ଅଧିନାୟକ ପଦ ହାତେଇବାକୁ ଜୋରଦାର ଚେଷ୍ଠା କରିଥିଲେ । ରୋହିତଙ୍କ ଅନୁପସ୍ଥିତିରେ କିଛି ଖେଳାଳି ଅଧିନାୟକ ହେବା ପାଇଁ ଆଶାବାଦୀ ଥିଲେ । କିନ୍ତୁ ଜଣେ ନିର୍ଦ୍ଦଷ୍ଟ ଖେଳାଳି ନିଜକୁ ଉପଯୁକ୍ତ ବିକଳ୍ପ ଭାବେ ବାରମ୍ବାର ଉପସ୍ଥାପିତ କରିଥିଲେ । ଦଳର ଯୁବ ଖେଳାଳିମାନେ ଅଧିନାୟକ ହେବା ଭଳି ପରିପକ୍ୱ ହୋଇ ନଥିବା ମଧ୍ୟ ଉକ୍ତ ଖେଳାଳି ଜଣକ ବାରମ୍ବାର ଜଣାଉଥିଲେ। ମାତ୍ର ପରେ ଯଶପ୍ରୀତ ବୁମରାଙ୍କୁ ରୋହିତଙ୍କ ଉତ୍ତରାଧିକାରୀ ଭାବେ ଚୟନ କରାଯାଇଥିଲା।
ବିଶୃଙ୍ଖଳିତ ଡ୍ରେସିଂରୁମ୍ ପରିବେଶ
ଚଳିତ ସିରିଜରେ ଖେଳାଳିଙ୍କ ମଧ୍ୟରେ ଏକତା ନଥିବା ପ୍ରକାଶ କରିଥିଲା ଉକ୍ତ ଗଣମାଧ୍ୟମ । ଖେଳାଳିମାନେ ଡ୍ରେସିଂ ରୁମରେ ପ୍ରସ୍ତୁତ କରାଯାଇଥିବା ରଣନୀତିକୁ ଗ୍ରାଉଣ୍ଡରେ ଉପଯୋଗ କରୁନଥିବାରୁ କୋଚ ଗମ୍ଭୀର ବିରକ୍ତ ହୋଇଯାଇଥିଲେ।ଏପରିକି ମେଲବର୍ଣ୍ଣ ପରାଜୟ ପରେ ଗମ୍ଭୀର ଡ୍ରେସିଂ ରୁମରେ ଦଳର ଖେଳାଳିମାନଙ୍କ ଉପରେ ବିରକ୍ତି ଭାବ ପ୍ରକାଶ କରି ‘ବହୁତ ହୋଇଗଲା’ ବୋଲି ଶୁଣାଇଥିଲେ । ଦଳର ଅଧିକାଂଶ ବ୍ୟାଟର ନିଜ ନିଜର ‘ନ୍ୟାଚୁରାଲ ଗେମ’ ଖେଳିବା ବାହାନାରେ ଦଳକୁ ବୁଡ଼ାଇ ଦେଇଛନ୍ତି ବୋଲି ଗମ୍ଭୀର କହିଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି । ଦଳର ଏହି ମନମୁଖୀ କାର୍ଯ୍ୟ ଗତ ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜରୁ ଆରମ୍ଭ ହୋଇଥିବା ଉକ୍ତ ରିପୋର୍ଟରେ ପ୍ରକାଶ ପାଇଥିଲା।
ସିଡନୀରେ ରୋହିତ ନଖେଳିବା ପରେ ସବୁ ରିପୋର୍ଟ ପଛର କାରଣ ସ୍ପଷ୍ଟ ହୋଇଯାଇଛି। ରୋହିତଙ୍କ ଟେଷ୍ଟ ରଣନୀତିରେ ଗମ୍ଭୀର ସନ୍ତୁଷ୍ଟ ନଥିବା ଜଣା ପଡ଼ିଛି। ତେଣୁ ରୋହିତ ନଥିବା ବେଳେ ତାଙ୍କୁ ହଟାଇବା ପାଇଁ ଯୋଜନା ପ୍ରସ୍ତୁତ ହୋଇସାରିଥିଲା। ଏପରିକି କୋହଲି ପୁନର୍ବାର ଅଧିନାୟକ ହେବା ପାଇଁ ମନ ବଳାଇଥିବାରୁ ବୁମରାଙ୍କୁ ମଧ୍ୟ ପରିପକ୍ୱ ଭାବୁ ନଥିଲେ ବୋଲି ଅନୁମାନ କରାଯାଇପାରେ।
ପର୍ଥ ଟେଷ୍ଟ ପରେ ବି ପୂଜାରାଙ୍କୁ ଡ଼କାଇବାକୁ ପ୍ରସ୍ତାବ ଦେଇଥିଲେ ଗମ୍ଭୀର
ଦଳ ଚୟନ ବେଳେ କୋଚ୍ ଗୌତମ ଗମ୍ଭୀର ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରାଙ୍କୁ ଦଳରେ ନେବା ପାଇଁ ପ୍ରସ୍ତାବ ଦେଇଥିଲେ। ମାତ୍ର ତାଙ୍କ ପ୍ରସ୍ତାବକୁ ଅଜିତ ଅଗରକରଙ୍କ ଚୟନ କମିଟି ଅଗ୍ରାହ୍ୟ କରିଦେଇଥିଲା ବୋଲି ଉକ୍ତ ରିପୋର୍ଟରେ ପ୍ରକାଶ ପାଇଥିଲା। ଏପରିକି ଭାରତ ପର୍ଥ ଟେଷ୍ଟ ଜିତିବା ପରେ ମଧ୍ୟ ପୂଜାରାଙ୍କୁ ଡ଼କାଇବାକୁ ଗମ୍ଭୀର ପୁନର୍ବାର ପ୍ରସ୍ତାବ ଦେଇଥିଲେ । ହେଲେ ଚୟନ କମିଟି ଏଥିରେ ରାଜି ହୋଇ ନଥିଲା । ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆରେ ପୂଜାରାଙ୍କ ପ୍ରଦର୍ଶନ ବେଶ୍ ଉନ୍ନତ ରହିଛି । ୨୦୧୭/୧୮ ଓ ୨୦୨୦/୨୧ ସିରିଜରେ ପୂଜାରାଙ୍କ ପ୍ରଦର୍ଶନ ବଳରେ ଭାରତ ଟାଇଟଲ ହାସଲ କରିଥିଲା । ପୂଜାରା ଅଷ୍ଟ୍ରେଲିଆରେ ୧୧ଟି ଟେଷ୍ଟ ଖେଳି ୪୭.୨୮ ହାରରେ ୯୯୩ ରନ୍ ସଂଗ୍ରହ କରିଛନ୍ତି । ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ପୂଜାରା ରଣଜୀ ଟ୍ରଫିରେ ୨୫ତମ ଶତକ ଅର୍ଜନ କରି ଫର୍ମରେ ରହିଥିବା ପ୍ରମାଣ କରିଥିଲେ । ଗମ୍ଭୀର ମଧ୍ୟ ତାଙ୍କୁ ଦଳରେ ସାମିଲ କରିବାକୁ ପ୍ରସ୍ତାବ ଦେଇଥିଲେ ।
previous article:https://purvapaksa.com/will-rohit-play-in-sydney-gambhir-doesnt-say-yes/