Odisha: ପ୍ରାୟତଃ ଶୀତଦିନେ ଲୋକମାନେ ବାହାରକୁ ଯିବା ପାଇଁ ପସନ୍ଦ କରନ୍ତି ।
ଯଦି ଆପଣ ଓଡ଼ିଶାରେ ଅଛନ୍ତି କିମ୍ବା ବୁଲିବାକୁ ଆସୁଛନ୍ତି ତେବେ ଏହି ସ୍ଥାନ ନିଶ୍ଚିନ୍ତ ବୁଲନ୍ତୁ । ନଦନଦୀ, ମନୋରମ ବେଳାଭୂମି, ସୁଉଚ୍ଚ ଗିରିଶୃଙ୍ଗ ସହ ଓଡ଼ିଶାର ପ୍ରତି ପ୍ରାନ୍ତରେ ବହୁପ୍ରାଚନୀ ଦେବାଦେବୀ ମନ୍ଦିର ଦେଖିବାକୁ ମିଳେ । ପ୍ରତିଟି ମନ୍ଦିର ସ୍ବତନ୍ତ୍ର ମହାତ୍ମ୍ୟ ବହନ କରେ । ତାହା ପୁରୀ ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟମନ୍ଦିର ହେଉ ଅବା ବଲାଙ୍ଗୀରର ହରିଶଙ୍କର ।
ଆଜି ଆମେ ଆପଣଙ୍କ ରାଜ୍ୟରେ ସେଭଳି କିଛି ପ୍ରସିଦ୍ଧ ମନ୍ଦିର ସମ୍ପର୍କରେ କହିବୁ, ଯାହାର ଉତ୍କୃଷ୍ଟ ନିର୍ମାଳଶୈଳୀ ସହ ମନୋରମ ପରିବେଶ କେବଳ ଏହାକୁ ଦେବାଳୟ ନୁହେଁ ବରଂ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦିଏ । ଏହିସବୁ ସ୍ଥାନକୁ ବର୍ଷତମାମ୍ ପର୍ଯ୍ୟଟକଙ୍କ ସୁଅ ଛୁଟେ । ଯଦି ଆପଣ ଓଡ଼ିଶାରେ ରହି ବି ଏ ଯାଏଁ ଏହିସବୁ ସ୍ଥାନ ବୁଲିଯାଇ ନାହାନ୍ତି ତେବେ ଆଜି ହିଁ ନିଜ ସାଙ୍ଗସାଥୀ କିମ୍ବା ପରିବାରବର୍ଗଙ୍କ ସହ ପ୍ଲାନ କରନ୍ତୁ ।
ଡେରାସ ଡ୍ୟାମ:
ଭୁବନେଶ୍ୱର ପାଖ ଅଞ୍ଚଳରେ ଥିବା ଏହି ଡେରାସ ଡ୍ୟାମ୍ ବର୍ତ୍ତମାନ ଏକ ପ୍ରମୁଖ ପିକନିକ୍ ସ୍ପଟ୍ ଭାବେ ପରିଚିତ ହୋଇପାରିଛି। ନୂଆ ବର୍ଷରେ ଏଠି ଲୋକଙ୍କ ଜୋରସୋର ଭିଡ଼ ଦେଖିବାକୁ ମିଳୁଛି। ଭୁବନେଶ୍ୱର ସହରଠାରୁ ମାତ୍ର ୨୫ କିଲୋମିଟର ଦୂରରେ ଥିବା ଏହି ସ୍ଥାନକୁ ଆପଣ ରୋଡ୍ ଯୋଗେ ଯାଇପାରିବେ।
ଭୁବନେଶ୍ୱର ସମ୍ ହସ୍ପିଟାଲ ପାଖରୁ ଏହାର ଦୂରତା ମାତ୍ର ୨୦ କିଲୋମିଟର। ତେବେ ଟ୍ରେନରେ ଆସିବାକୁ ଚାହୁଁଥିଲେ ଆପଣଙ୍କୁ ଭୁବନେଶ୍ୱର ରେଳ ଷ୍ଟେସନରୁ ଓହ୍ଲାଇ ସେଠାରୁ ସଡ଼କ ପଥରେ ଆସିବାକୁ ପଡ଼ିବ। ଏହାସହ ଭୁବନେଶ୍ୱର ସମ୍ ହସ୍ପିଟାଲ ପାଖକୁ ଆସି ଆପଣ ଗୁଗୁଲ ମ୍ୟାପରେ ଏହାକୁ ସହଜରେ ଖୋଜି ପାଇପାରିବେ।
ଚଉଷଠୀ ଯୋଗିନୀ ମନ୍ଦିର:
ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ରାଣୀପୁର ଝରିଆଲଠାରେ ରହିଛି ଚଉଷଠୀ ଯୋଗିନୀ ମନ୍ଦିର । ଏଠାରେ ୬୪ ଜଣ ଯୋଗିନୀଙ୍କ ମୂର୍ତ୍ତି ବୃତ୍ତାକାରରେ ସ୍ଥାପିତ ଏବଂ ଏହି ପୀଠରେ ବଜ୍ରଯାନ ବୌଦ୍ଧଯୁଗୀୟ ଶିଳ୍ପକଳା ଦେଖିବାକୁ ମିଳିଥାଏ । ଓଡ଼ିଶାର ଅନ୍ୟତମ ତନ୍ତ୍ରସାଧନା ପୀଠ ଭଦ୍ରକାଳୀ, ସାରଳା, ବିରଜା, ଚର୍ଚ୍ଚିକା ଆଦି ମନ୍ଦିର ମଧ୍ୟରୁ ଏହା ଅନ୍ୟତମ ।
ଚଉଷଠୀ ଯୋଗିନୀ ମନ୍ଦିର ବଲାଙ୍ଗୀର ସହରଠାରୁ ୧୦୭ କିମି ଦୂରରେ ଅବସ୍ଥିତ । ଏଠାକୁ ଯିବାକୁ ପାଖ ରେଳଷ୍ଟେସନ ହେଲା ଟିଟିଲାଗଡ଼ । ବିଭିନ୍ନ ଅଙ୍ଗଭଙ୍ଗୀରେ ୬୪ ଜଣ ଯୋଗିନୀଙ୍କ ମୂର୍ତ୍ତି ରହିଥିବାବେଳେ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ ।
କାଳିଜାଈ:
ଚିଲିକା ହ୍ରଦର ଏକ ଛୋଟ ଦ୍ବୀପ ମଧ୍ୟରେ ସ୍ଥିତ ମା’ କାଳିଜାଈ ମନ୍ଦିର । ଅନେକ କାବ୍ୟକବିତାରେ ଚିଲିକା ଓ କାଳିଜାଈର ଶୋଭା ବର୍ଣ୍ଣନା ଦେଖିବାକୁ ମିଳେ । ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ଏହାର ସ୍ଥାନ ସ୍ବତନ୍ତ୍ର । ଚତୁଃପାର୍ଶ୍ବେ ନୀଳ ଜଳରାଶି ପରିବେଷ୍ଟିତ କାଳିଜାଈ ମନ୍ଦିରର ସୌନ୍ଦର୍ଯ୍ୟ ଅନ୍ୟନ୍ତ ମନମୁଗ୍ଧକର ।
ଚିଲିକା ଶୋଭାରାଜି, ନୌକାବିହାର ସହ ମା’ଙ୍କ ଦର୍ଶନ ପାଇଁ ଏଠାରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ସୁଅ ଛୁଟେ । କାଳିଜାଈ ମନ୍ଦିର ଦର୍ଶନ ପାଇଁ ବୋଟରେ ଯିବାକୁ ପଡ଼ିଥାଏ । ଯଦି ଓଡ଼ିଶାରେ ରହି ଆଜି ଯାଏଁ କାଳିଜାଈ ଦେଖିନାହାନ୍ତି ତାହେଲେ କ’ଣ ଦେଖିଛନ୍ତି ! ସେଥିପାଇଁ ଖୁବ ଶୀଘ୍ର ସେଠାରେ ଯିବାକୁ ପ୍ଲାନ କରନ୍ତୁ ।
ବାଳକୁମାରୀ ପୀଠ:
ପ୍ରାକୃତିକ ଶୋଭାରାଜି ମଧ୍ୟେ କେରାଣ୍ଡିମାଳ ପର୍ବତରେ ଅଧିଷ୍ଠିତ ହୋଇଛନ୍ତି ମା’ ବାଳକୁମାରୀ । ତାରିତାରିଣୀ ମନ୍ଦିର ସହ ଗଞ୍ଜାମ ଜିଲ୍ଲାର ଏହା ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ, ଯାହାକି ଚିକିଟି ଅଞ୍ଚଳରେ ରହିଛି । ପାହାଡ ଶିଖରରେ ପୂଜା ପାଉଥିବା ମାଆଙ୍କ ଦର୍ଶନ ଲାଗି ସବୁବେଳେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ । ତେଣୁ ଗଞ୍ଜାମ ବୁଲିବାର ଯୋଜନା କରୁଥିଲେ ଥରୁଟିଏ ନିଶ୍ଚୟ ମା’ ବାଳକୁମାରୀଙ୍କ ପୀଠ ଦର୍ଶନ କରିବେ ।
ALSO READ: https://purvapaksa.com/do-you-know-about-the-oldest-hotel-of-our-country/