Male Mood Swings: ‘ମୁଡ୍ ସ୍ୱିଙ୍ଗ୍’ କହିଲେ ଏହାକୁ ଝିଅ ବା ମହିଳାମାନଙ୍କ ସହ ଯୋଡ଼ା ଯାଇଥାଏ।
ଅନେକ ସମୟରେ ମହିଳାମାନଙ୍କର ‘ମୁଡ୍ ସ୍ୱିଙ୍ଗ୍’ ହେଉଥିବାର ଦେଖାଯାଏ। ତେବେ ଏହି ‘ମୁଡ୍ ସ୍ୱିଙ୍ଗ୍’ର ଅନେକ ଏବଂ ଭିନ୍ନ କାରଣ ମଧ୍ୟ ରହିଥାଏ। ହେଲେ ଆପଣ କେବେ ‘ମେଲ ମୁଡ୍ ସ୍ୱିଙ୍ଗ୍’ ବିଷୟରେ ଶୁଣିଛନ୍ତି କି?
ଅନେକ ସମୟରେ ପରିବାରର ଲୋକେ ଏହାକୁ କାର୍ଯ୍ୟକ୍ଷେତ୍ରରେ ଅତ୍ୟଧିକ ଚାପ କାରଣରୁ ଏମିତି ଚିଡ଼ା ଲାଗିବା କିମ୍ବା କୌଣସି କାମରେ ମନ ନ ରହିବା ପରି ଲାଗୁଛି ବୋଲି ଭାବିନିଅନ୍ତି। ଏହାକୁ ଡାକ୍ତରି ଭାଷାରେ “ମେଲ୍ ଇରିଟେବଲ୍ ସିଣ୍ଡ୍ରୋମ୍” କୁହାଯାଏ। ମହିଳାମାନଙ୍କ ଠାରେ ମେନୋପଜ୍ ପରି ପୁରୁଷମାନଙ୍କ ଠାରେ ସାଧାରଣତଃ ୪୦-୬୦ ବର୍ଷ ବୟସରେ ଏହା ହର୍ମୋନାଲ୍ ଇମ୍ବାଲାନ୍ସ, “ଆଣ୍ଡ୍ରୋପଜ୍”ର ପ୍ରାଥମିକ ଲକ୍ଷଣ ହିସାବରେ ଦେଖାଯାଏ।
ମେଲ୍ ଇରିଟେବଲ୍ ସିଣ୍ଡ୍ରୋମ୍ର କାରଣ:
ମେଲ୍ ମୁଡ୍ ସ୍ୱିଙ୍ଗ୍ ମୁଖ୍ୟତଃ ବୟସ ବଢିବା ବା ବୟସ୍କ ହେବାର ପ୍ରକ୍ରିୟାରେ ଶରୀରରେ ପୁରୁଷ ହରମୋନ ‘ଟେଷ୍ଟୋଷ୍ଟେରନ୍’ର ମାତ୍ରା କମିବା ବା ଆଣ୍ଡ୍ରୋପଜ୍ ସହ ଜଡିତ। ଟେଷ୍ଟୋଷ୍ଟେରନର ଅନ୍ୟ ନାମ ମେଲ୍ ବା ପୁରୁଷ ହର୍ମୋନ୍। ଏହା ପ୍ରାକୃତିକ ଉପାୟରେ ମେଲ୍ ରିପ୍ରଡକ୍ଟିଭ୍ କ୍ଷେତ୍ରରେ ବିକାଶ କରିଥାଏ। ଏହି ହର୍ମୋନ୍ ହିଁ ପୁରୁଷମାନଙ୍କ ଶାରୀରିକ ବିକାଶ, ମା°ସପେଶୀର ବିକାଶ, ନିଶ-ଦାଢି ତଥା ଦେହରେ ଲୋମ ବା ବଡ଼ି ହେୟାର ଏବଂ ଅନ୍ୟାନ୍ୟ ମେଲ୍ କ୍ୟାରେକ୍ଟରିଷ୍ଟିକ୍ସ ପାଇଁ ଦାୟୀ।
ଅନେକ ସମୟରେ ମେଦବହୁଳତା ବା ଓଜନ ବଢିବା ମଧ୍ୟ ଆଣ୍ଡ୍ରୋପଜ୍ଜନିତ ମୁଡ୍ ସ୍ୱିଙ୍ଗ୍ର କାରଣ ହୋଇଥାଏ। ମେଦବହୁଳତାରେ ଫ୍ୟାଟ୍ ବା ଚର୍ବି ଟେଷ୍ଟୋଷ୍ଟେରନ୍ ହରମୋନରୁ ଇଷ୍ଟ୍ରୋଜେନ୍ ତିଆରି କରିଦିଅନ୍ତି ଏବଂ ଏହା ପୁରୁଷମାନଙ୍କ ମାନସିକ ଚାପ ଏବଂ ଚିଡ୍ଚିଡା ବ୍ୟବହାର ସୃଷ୍ଟିକରେ। ସେମିତି ଡାଇବେଟିସ୍ ମଧ୍ୟ ସେକ୍ସ ଡ୍ରାଇଭ କମ୍ ହେବା ତଥା ଇରେକ୍ଟାଇଲ୍ ଡିସ୍ଫଙ୍କସନ୍ ପାଇଁ ଦାୟୀ ହୋଇଥାଏ।
ମେଲ୍ ଇରିଟେବଲ୍ ସିଣ୍ଡ୍ରୋମ୍ର ଲକ୍ଷଣ:
ଯେମିତିକି ଅବସ୍ଥାର ନା’ରୁ ହିଁ ଜଣାପଡେ, ଏଥିରେ ପୁରୁଷମାନେ ଇରିଟେବଲ୍ ବା ଚିଡ୍ଚିଡା ହୋଇଯାନ୍ତି। ଅତି ସାଧାରଣ କିମ୍ବା ସାମାନ୍ୟ କଥାରେ ମଧ୍ୟ ଉତ୍ତେଜିତ ଓ ଅଧୈର୍ଯ୍ୟ ହୋଇପଡନ୍ତି।
ଏଥିରେ ଦେଖାଯାଉଥିବା ସାଧାରଣ ଲକ୍ଷଣଗୁଡିକ ହେଲା: ଚିଡ୍ଚିଡା ହେବା, ରାଗିବା ବା ଉତ୍ତେଜିତ ହେବା, ଅଧୈର୍ଯ୍ୟହେବା, ଚିନ୍ତିତ ରହିବା, ଯୁକ୍ତିପ୍ରବଣ, ହତାଶାଭାବ, ପାରିବାରିକ ଓ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ନହେବା, ଆଖପାଖର ଲୋକଙ୍କ ପ୍ରତି ସମ୍ବେଦନଶୀଳ ନହେବା, ସହଜରେ ଉପହାସ ଉଡ଼େଇବା, ପ୍ରତିଶୋଧପରାୟଣ, ଜିଦ୍ଖୋର ହୋଇଯିବା, ନିଜକୁ ସାମାଜିକ ଓ ବନ୍ଧୁ ମହଲରୁ ବାଛନ୍ଦ କରିନେବା, ଦୁଃଖି ଓ ଅସନ୍ତୁଷ୍ଟ ରହିବା। କିଛି ପୁରୁଷ ଏହି ଅବସ୍ଥାରେ ଅନ୍ୟ ଉପରେ ଚିଡି, ରାଗି, ଯୁକ୍ତିକରି ନିଜକୁ ଜାହିର କରିବା ବେଳେ ଅନ୍ୟ କିଛି ଜଣ ନିଜ ମନ ଭିତରେ ସବୁ ଚାପିରଖି ମାନସିକ ଅବସାଦର ଶୀକାର ହୁଅନ୍ତି।
ନିଜେ ନିଜକୁ ସାହାଯ୍ୟ କରନ୍ତୁ:
ବୟସ୍କ ହେବାର ପ୍ରକ୍ରିୟାକୁ ଗ୍ରହଣ କରି, ନିଜ ବ୍ୟବହାରରେ ଦେଖାଯାଉଥିବା ପରିବର୍ତ୍ତନ ତଥା ମୁଡ୍ ସ୍ୱିଙ୍ଗ୍ର ଲକ୍ଷଣଗୁଡ଼ିକୁ ଚିହ୍ନଟ କରନ୍ତୁ।
ପରିବାର ତଥା ବନ୍ଧୁମାନେ ଆପଣଙ୍କ ବ୍ୟବହାର ତଥା ମୁଡ୍ରେ ପରିବର୍ତ୍ତନକୁ ସ୍ୱୀକାର କରି ନିୟନ୍ତ୍ରଣ କରନ୍ତୁ, ସେମାନଙ୍କ କଥାକୁ ସବୁବେଳେ ଅଭିଯୋଗ ଭାବନ୍ତୁ ନାହିଁ।
ମୁଡ୍ ସ୍ୱିଙ୍ଗ୍ ଦ୍ୱାରା ଆପଣଙ୍କ ଦୈନନ୍ଦିନ ଜୀବନ ପ୍ରଭାବିତ ହେଉଥିବା ଲକ୍ଷ୍ୟକଲେ, ଟେଷ୍ଟୋଷ୍ଟେରନ୍ ଲେଭେଲ୍ ଟେଷ୍ଟ୍ କରି ଡାକ୍ତରଙ୍କ ସାହାଯ୍ୟ ନିଅନ୍ତୁ। ହର୍ମୋନ୍ ଥେରାପି ଦ୍ୱାରା ତୁରନ୍ତ ସୁପରିଣାମ ନ ଦେଖିଲେ ବ୍ୟସ୍ତ, ବିବ୍ରତ ନ ହୋଇ ଧୈର୍ଯ୍ୟ ରଖନ୍ତୁ।
ଆସନ, ଧ୍ୟାନ, ପ୍ରାଣାୟମ ଦ୍ଵାରା ମାନସିକ ଚାପକୁ ନିୟନ୍ତ୍ରଣ କରିବା ଶିଖନ୍ତୁ, ଆବଶ୍ୟକ ସ୍ଥଳେ ସାଇକିଆଟ୍ରିଷ୍ଟ୍ଙ୍କ ସାହାଯ୍ୟ ନିଅନ୍ତୁ। ଅନେକ ଜାଗାରେ ପ୍ରଦାନ କରାଯାଉଥିବା “କପଲ୍-କାଉନ୍ସେଲିଂ” ବିଶେଷ ଉପକାରୀ ହୋଇଥାଏ।
ଚିନି, ଶର୍କରା, ତୈଳୀୟ, ଜଙ୍କ୍ ଫୁଡ୍ର ଗ୍ରହଣକୁ ନିୟନ୍ତ୍ରଣ କରନ୍ତୁ। ଅଧିକ ଫଳ, ପନିପରିବା, ତନ୍ତୁ ଜାତୀୟ ଖାଦ୍ୟ, ନଟ୍ସ ଗ୍ରହଣ କରନ୍ତୁ।
ଶାରୀରିକ ବ୍ୟାୟାମକୁ ନିଜ ଦୈନନ୍ଦିନ ରୁଟିନ୍ରେ ସାମିଲ କରନ୍ତୁ। ଏକ୍ସରସାଇଜ୍ ଦ୍ୱାରା ଶରୀରରେ ଫିଲ୍-ଗୁଡ୍ ହର୍ମୋନ୍ ‘ଏଣ୍ଡୋରଫିନ୍’ କ୍ଷରଣ ହୋଇଥାଏ। ଏହା ମାନସିକ ଅବସାଦକୁ ଦୂର କରେ ତଥା ମୁଡ୍କୁ ଏଲିଭେଟ୍ ବା ସୁସ୍ଥ କରେ, କାମ କରିବାରେ ମନ ହୁଏ ।
ALSO READ: https://purvapaksa.com/sweating-issue/