- ୨ ମାସରେ ସାରା ଦେଶର ୫୨ ବିଧାୟକଙ୍କୁ ନିଲମ୍ବନ
- ନିଲମ୍ବନ ପରେ ବି ଗୃହ ଭିତରେ କଂଗ୍ରେସ ବିଧାୟକ
- କର୍ଣ୍ଣାଟକରେ ସର୍ବାଧିକ ୬ମାସ ପାଇଁ ବିଜେପି ବିଧାୟକ ନିଳମ୍ବିତ
ଏବେ ସାରାଦେଶରେ ଗଣତନ୍ତ୍ରର ଦ୍ୱାହି ଦେଉଥିବା ରାଜନୈତିକ ଦଳଗୁଡିକ ସେମାନଙ୍କ ବିଧାୟକମାନଙ୍କୁ ସାମ୍ବିଧାନିକ ବିଧିବ୍ୟବସ୍ଥା ପ୍ରଶିକ୍ଷଣ ଦେଉନାହିଁ। ଫଳରେ ଗତ ୨ମାସ ମଧ୍ୟରେ ୫ଟି ରାଜ୍ୟର ୫୨ଜଣ ବିଧାୟକଙ୍କୁ ବିଧାନସଭାରୁ ନିଲମ୍ବନ କରାଯାଇଛି। ପଶ୍ଚିମବଙ୍ଗ, ରାଜସ୍ଥାନ, କର୍ଣ୍ଣାଟକ ଓ ଦିଲ୍ଲୀ ପରେ ଆଜତ ଓଡ଼ିଶାର ପାଳି ପଡ଼ିଛି।
ଆଜି ଅପରାହ୍ଣରେ କଂଗ୍ରେସ ବିଧାୟକଙ୍କ ନିରନ୍ତର ବିଶୃଙ୍ଖଳାକୁ ନିୟନ୍ତ୍ରଣ କରିବାକୁ ଯାଇ ୧୨ ଜଣ କଂଗ୍ରେସ ବିଧାୟକଙ୍କୁ ବାଚସ୍ପତି ସୁରମା ପାଢ଼ୀ ନିଲମ୍ବନ କରିଛନ୍ତି। ଏଥିରେ କଂଗ୍ରେସ ଦଳର ବିଧାୟକ ଦଳ ନେତା ଏବଂ ଏକମାତ୍ର ମହିଳା ବିଧାୟକ ବି ସାମିଲ ରହିଛନ୍ତି। ସବୁଠାରୁ ବଡ଼ କଥା ହେଲା ନିଲମ୍ବନ ପରେ ବିଧାନସଭାକୁ ମୁଲତବୀ କରାଯାଇଥିଲେ ମଧ୍ୟ କଂଗ୍ରେସର ବିଧାୟକମାନେ ଗୃହତ୍ୟାଗ କରି ନାହାନ୍ତି। ବାଚସ୍ପତିଙ୍କ ଆସନ ତଳେ ଧାରଣା ଦେଇ ବାଚସ୍ପତିଙ୍କ ଆଦେଶ ବିରୁଦ୍ଧରେ ପ୍ରତିବାଦରେ ଧାରଣା ଦେଇଛନ୍ତି।
ଫେବୃୟାରୀ-ମାର୍ଚ୍ଚ ମାସ ବଜେଟ୍ ସମୟଭାବେ ପରିଚିତ। ଏହି ସମୟରେ ବିଭିନ୍ନ ରାଜ୍ୟ ବଜେଟ୍ ଉପସ୍ଥାପନ କରି ଆସନ୍ତା ବର୍ଷ ଲାଗି ବିଭିନ୍ନ ବିକାଶମୂଳକ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଆଲୋଚନା କରନ୍ତି। ଅର୍ଥାତ୍ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସମୟ ହୋଇଥିଲେ ବି ୨୦୨୫ର ବଜେଟ୍ କାଳ ବିଭିନ୍ନ ରାଜ୍ୟରେ ବିଧାୟକଙ୍କ ପାଇଁ ବିରୋଧ ଓ ନିଲମ୍ବନର ମାସ ହୋଇଛି। କାରଣ ଏହି ସମୟରେ ୫୨ଜଣ ବିରୋଧୀ ଦଳର ବିଧାୟକଙ୍କୁ ବିଭିନ୍ନ ରାଜ୍ୟରେ ନିଲମ୍ବନ କରାଯାଇଛି।
ଓଡ଼ିଶାରେ ଆଜି ୧୨ ଜଣ ବିଧାୟକଙ୍କୁ ନିଲମ୍ବନ କରାଯାଇଥିବାବେଳେ, ଏହା ପୂର୍ବରୁ ଜଣେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ୭ଦିନ ପାଇଁ ନିଲମ୍ବନ କରାଯାଇଥିଲା। ଏହି ଦୁଇମାସ ଭିତରେ ଦିଲ୍ଲୀରେ ଆପ୍ର ୨୧ ଜଣ, କର୍ଣ୍ଣାଟକରେ ବିଜେପିର ୧୮ଜଣ, ରାଜସ୍ଥାନରେ କଂଗ୍ରେସର ୬ଜଣ, ପଶ୍ଚିମବଙ୍ଗରେ ବିଜେପିର ୪ଜଣ ବିଧାୟକଙ୍କୁ ସମ୍ପୃକ୍ତ ରାଜ୍ୟ ବିଧାନସଭାର ବାଚସ୍ପତିମାନେ ନିଲମ୍ବନ ଆଦେଶ ଶୁଣାଇଛନ୍ତି।
ଆଜି ଓଡ଼ିଶା ବିଧାନସଭାରେ ପ୍ରଶ୍ନୋତ୍ତର କାଳ ଆରମ୍ଭ ହେବାକ୍ଷଣି କଂଗ୍ରେସର ବିଧାୟକମାନେ ଚିରାଚରିତଭାବେ ଘଣ୍ଟ, ଘଣ୍ଟି ଧରି ଗୃହର ମଧ୍ୟଭାଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାଜ୍ୟରେ ବଢ଼ୁଥିବା ଆଇନ ଶୃଙ୍ଖଳା ପରିସ୍ଥିତି, ମହିଳା ସୁରକ୍ଷାକୁ ପ୍ରସଙ୍ଗ କରି ସେମାନେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବାଚସ୍ପତି ସେମାନଙ୍କୁ ନିଜ ଆସନକୁ ଫେରିବା ପାଇଁ ଅନୁରୋଧ କରିଥିଲେ।
ହେଲେ ତାହା ନ ହୋଇଥିବାରୁ ଗୃହକୁ ସ୍ୱାଭାବିକ କରିବାକୁ ଯାଇ ଗୃହକୁ ୧୧ଟା ୩୧ ମିନିଟ ସମୟରେ ପ୍ରଥମଥର ପାଇଁ ଅଧଘଣ୍ଟା ଲାଗି ମୁଲତବୀ କରାଯାଇଥିଲା। ବାଚସ୍ପତି ଓ ସରକାରୀ ଦଳର ନେତାମାନେ ବାରମ୍ବାର ବିରୋଧୀ ଦଳଙ୍କ ସହ ଆଲୋଚନା କରି ଗୃହକୁ ସ୍ୱାଭାବିକ କରିବାକୁ ଚାହିଁଥିଲେ। ହେଲେ କୌଣସି ସୁଫଳ ମିଳି ନ ଥିଲା। ବାରମ୍ବାର ଗୃହ ମୁଲତବୀ ହେବାକୁ ଲାଗିଲା। ପ୍ରାୟ ୧୦ ଥରରୁ ଅଧିକଥର ଗୃହ ମୁଲତବୀ ହେବା ପରେ ବାଚସ୍ପତି ସଂସଦୀୟ ବ୍ୟାପର ମନ୍ତ୍ରୀଙ୍କ ପ୍ରସ୍ତାବ ଏବଂ ନିଜ କ୍ଷମତାକୁ ପ୍ରୟୋଗ କରି କଂଗ୍ରେସର ୧୪ ବିଧାୟକଙ୍କ ଭିତରୁ ୧୨ ଜଣଙ୍କୁ ନିଲମ୍ବନ କରିଛନ୍ତି।
ନିଲମ୍ବନ ପରେ ସମ୍ପୃକ୍ତ ବିଧାୟକଙ୍କୁ ଗୃହ ଛାଡ଼ି ଯିବାର ବିଧି ରହିଛି। କିନ୍ତୁ ତାହାକୁ ବିରୋଧୀ ଦଳ ସ୍ୱୀକାର କରିନଥିଲେ। ଫଳରେ ଗୃହକୁ ପୁଣି ୧୫ ମିନିଟ ମୁଲତବୀ ରଖିଥିଲେ। ଏ ଭିତରେ ମାର୍ଶାଲ ବାଚସ୍ପତିଙ୍କ ନିର୍ଦ୍ଦେଶ ଅନୁସାରେ ନିଲମ୍ବିତ ବିଧାୟକଙ୍କୁ ଗୃହ ବାହାରକୁ ଯିବା ପାଇଁ ଅନୁରୋଧ କରିଥିଲେ। ତାହା କିନ୍ତୁ ହୋଇନଥିଲା। ଫଳରେ ଗୃହ କାର୍ଯ୍ୟ ଆଉ ଚାଲିପାରିନଥିଲା। ଏପରି ଜିଦିଆ ବିଧାୟକଙ୍କୁ ଟେକି ବାହାର କରିବାର କ୍ଷମତା ବାଚସ୍ପତିଙ୍କ ରହିଛି। କିନ୍ତୁ ତାହା ନ କରି ବାଚସ୍ପତି ଆସନ୍ତା କାଲି ଯାଏ ଗୃହକୁ ମୁଲତବୀ ରଖିଛନ୍ତି।
ଏ ଭିତରେ ବିରୋଧୀ କଂଗ୍ରେସର ବିଧାୟକମାନେ ଗୃହ ଛାଡ଼ି ନାହାନ୍ତି। ୨୦୧୬ ମସିହାରେ ମହାନଦୀ ପ୍ରସଙ୍ଗକୁ କେନ୍ଦ୍ର କରି କଂଗ୍ରେସ ପକ୍ଷରୁ ତତ୍କାଳୀନ ବିଜେଡି ସରକାର ବିରୁଦ୍ଧରେ ମଧ୍ୟ ବିରୋଧ ପ୍ରଦର୍ଶନ କରାଯାଇଥିଲା। ରାତିସାରା ଗୃହ ବାହାରେ ବିଧାନସଭା ପରିସରରେ କଂଗ୍ରେସ ବିଧାୟକମାନେ ଆନ୍ଦୋଳନ କରିଥିଲେ।
୧୧ ମାର୍ଚ୍ଚ, ୨୦୨୫ରେ ଯେତେବେଳେ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଗୃହରୁ ନିଲମ୍ବନ କରାଯାଇଥିଲା ସେତେବଳେ ରାତିସାରା ପ୍ରଦର୍ଶନ କରିବେ ବୋଲି କଂଗ୍ରେସ ବିଧାୟକ କହିଥିଲେ। ବିଳମ୍ବିତ ରାତିଯାଏ ଏହି ବିରୋଧ ଜାରି ରହିଥିଲା।
ଚଳିତ ବର୍ଷ ମାର୍ଚ୍ଚ ୨୧ ତାରିଖରେ କର୍ଣ୍ଣାଟକ ବିଧାନସଭାରୁ ୧୮ ଜଣ ବିଜେପି ବିଧାୟକଙ୍କୁ ନିଲମ୍ବିତ କରାଯାଇଛି। ସେମାନଙ୍କୁ ସର୍ବାଧିକ ୬ ମାସ ପାଇଁ ନିଲମ୍ବନ କରାଯାଇଛି। କର୍ଣ୍ଣାଟକରେ କଂଗ୍ରେସ ସରକାର ଚାଲିଛି।
୨୫ ଏପ୍ରିଲ ଦିନ ଦିଲ୍ଲୀ ବିଧାନସଭାରେ ମଧ୍ୟ ଏହିପରି ଏକ ଘଟଣା ଦେଖିବାକୁ ମିଳିଛି। ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ସ୍ଲୋଗାନ ଓ ବିଶୃଙ୍ଖଳା ଲାଗି ୧୨ ଜଣ ଆମ୍ ଆଦମୀ ପାର୍ଟିର ବିଧାୟକଙ୍କୁ ନିଲମ୍ବନ କରାଯାଇଥିଲା।
୧୭ ଏପ୍ରିଲରେ ପଶ୍ଚିମବଙ୍ଗ ବିଧାନସଭା ୪ ଜଣ ବିଜେପି ବିଧାୟକଙ୍କୁ ନିଲମ୍ବନ କରିଛି। ଏକମାସ ଲାଗି ଏହି ବିଧାୟକମାନଙ୍କ ନିଲମ୍ବନ କରିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି।
ଏହା ପୂର୍ବରୁ ଫେବୃୟାରୀ ୨୨ ତାରିଖରେ କଂଗ୍ରେସ ଦଳର ୬ ଜଣ ସଦସ୍ୟଙ୍କୁ ବିଧାନସଭାରୁ ବାଚସ୍ପତି ସମ୍ପୂର୍ଣ୍ଣ ବଜେଟ୍ କାଳ ଲାଗି ନିଲମ୍ବନ କରିଥିଲେ।
କେରଳ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶରେ ଏହିଭଳି ଅନେକ ଘଟଣା ଭାରତର ରାଜନୀତିରେ ଅନେକ ଥର ଚର୍ଚ୍ଚାରେ ରହିଛି। ହେଲେ ବିଜେପି ସରକାର ଆସିବା ବର୍ଷ ହିଁ ଓଡ଼ିଶାରେ କଂଗ୍ରେସର ଏହିପରି ବିରୋଧ ଏବଂ ନାରାବାଜୀ ଆଗକୁ ଗଣତାନ୍ତ୍ରିକ ପରମ୍ପରାକୁ କି ମୋଡ଼ ଦେବ ତାହା ଉପରେ ସମସ୍ତଙ୍କ ନଜର।
୧୦ ମାସରେ ଲୋକେ ହତାଶ୍ ହେଲେ କାହିଁକି, ଶୀର୍ଷ ବିଜେପି ନେତୃତ୍ୱ କରୁଛି କ’ଣ?


