Mahashivratri: ଆଜି ଫାଲ୍ଗୁନମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥି । ପ୍ରତ୍ୟେକ ଶୈବପୀଠରେ ଦେଖିବାକୁ ମିଳୁଛି ଅସମ୍ଭାଳ ଭିଡ଼ । ସବୁଠି ଶୁଣିବାକୁ ମିଳୁଛି ମହା ମହାମୃତ୍ୟୁଞ୍ଜୟ ମନ୍ତ୍ର ଏବଂ ହର ହର ମହାଦେବରେ କମ୍ପୁଛି ଗଗନ, ପବନ ।
ଆଜି ଦେବ ଦେବ ମହାଦେବଙ୍କ ପର୍ବ ଜାଗର । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଗାଁ ଠୁ ସହର। ଚାରିଆଡେ ଦେଖିବାକୁ ମିଳୁଛି ଭକ୍ତିମୟ ପରିବେଶ । ବାବା ଭୋଳାନାଥଙ୍କୁ ଉପାସନା କରି ଜାଗର ଜାଳିବେ ଶ୍ରଦ୍ଧାଳୁ । ଭଗବାନ ଶିବଙ୍କୁ ସ୍ମରଣ କରିବା, ପ୍ରାର୍ଥନା ଜପ କରିବା, ଉପବାସ କରିବା ଦ୍ୱାରା ମାନବ ଭିତରେ ଥିବା ସମସ୍ତ କଳୁଷିତ ଭାବନାର ଅନ୍ତ ଘଟେ ବୋଲି ବିଶ୍ୱାସ ରହିଛି।
ଭାରତୀୟ ଧାର୍ମିକ ସଂସ୍କୃତିରେ ଏହି ପର୍ବର ଏକ ବିଶେଷ ମହତ୍ତ୍ୱ ରହିଛି। ଶିବରାତ୍ରୀଦିନ ବ୍ରତଧାରୀମାନେ ଉପବାସ ରହନ୍ତି ଓ ସନ୍ଧ୍ୟାରେ ଶିବ ମନ୍ଦିର ଯାଇ ଅଖଣ୍ଡ ଦୀପ ଜାଳି ସାରା ଉଜାଗର ରହିଥାନ୍ତି। ତେବେ ସନାତନ ଧର୍ମର ଏହି ପର୍ବକୁ କାହିଁକି ପାଳନ କରାଯାଏ ଆପଣ ଜାଣିଛନ୍ତି କି ?
କାହିଁକି ପାଳନ କରାଯାଏ ମହାଶିବରାତ୍ରୀ:
ପୌରାଣିକ ମତାନୁସାରେ, ପବିତ୍ର ମହାଶିବରାତ୍ରୀ ଦିନ ଶିବ ଏବଂ ପାର୍ବତୀଙ୍କ ବିବାହ ଅନୁଷ୍ଠିତ ହୋଇଥିଲା । ସଂସାରର ପ୍ରଥମ ପ୍ରେମ ବିବାହର ଏହି ଦିନକୁ ମନେରଖିବା ପାଇଁ ସାରା ଦେଶରେ ମହାଶିବରାତ୍ରୀ ବେଶ୍ ଧୁମଧାମରେ ପାଳନ କରାଯାଏ। ଆଉ କେତେକ ପୌରାଣିକ ମତବାଦ ଅନୁସାରେ, ଫାଲ୍ଗୁନ କୃଷ୍ଣ ଚତୁର୍ଦ୍ଦଶୀ ଦିନ ଭଗବାନ ଶିବ ‘ଲିଙ୍ଗ’ ଭାବରେ ଆବିର୍ଭୂତ ହୋଇଥିବାରୁ ଏହାକୁ ମହାଶିବରାତ୍ରୀ ଭାବରେ ପାଳନ କରାଯାଏ ।
ପୌରାଣିକ କଥାବସ୍ତୁ ଅନୁଯାୟୀ, ଆଜିର ଦିନରେ ଦେବ ଓ ଅସୁରମାନଙ୍କ ଦ୍ୱାରା ସମୁଦ୍ର ମନ୍ଥନ ସମୟରେ ସେଥିରୁ ବାହାରିଥିବା ବିଷକୁ ଶିବ ପାନକରିଥିଲେ । ଯାହା ଦ୍ୱାରା ସୃଷ୍ଟିର ସମସ୍ତ ପ୍ରାଣୀଙ୍କ ଜୀବନରକ୍ଷା କରିଥିଲେ ଦେବ ଦେବ ମହାଦେବ । କିନ୍ତୁ ସେହି ବିଷର ଜ୍ଵାଳାରେ ସେ ମୂର୍ଚ୍ଛା ହୋଇଯାଇଥିଲେ । ତାଙ୍କର ଚେତା ନଫେରିବା ଯାଏ ଦେବଗଣ ଓ ଶୈବବୃନ୍ଦ ଅଖଣ୍ଡ ପ୍ରଦୀପ ଜାଳି ଉଜାଗରରେ ବସିଥିଲେ ।
ତେଣୁ ଦେବଗଣ ଓ ଶୈବବୃନ୍ଦ ଅଖଣ୍ଡ ପ୍ରଦୀପ ଜାଳି ଉଜାଗରରେ ବସିଥିଲେ । ସେହିଦିନକୁ ମନେପକାଇ ଶ୍ରଦ୍ଧାଳୁମାନେ ମହାଶିବରାତ୍ରି ପାଳନ କରିଥାନ୍ତି। ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ଦିନ ଶିବ ଲିଙ୍ଗ ଭାବରେ ଆବିର୍ଭୂତ ହୋଇଥିବାରୁ ପ୍ରତିବର୍ଷ ଏହି ଦିନକୁ ମହାଶିବରାତ୍ରି ଭାବରେ ମଧ୍ୟ ପାଳନ କରାଯାଏ ।
ଚଳିତ ବର୍ଷ ଶିବରାତ୍ରୀ ପୂଜାର ଶୁଭ ମୁହୁର୍ତ୍ତ ଆଜି ସକାଳ ୧୧ଟା ୦୮ ମିନିଟ୍ ସମୟରୁ ଆରମ୍ଭ ହୋଇ ଆସନ୍ତାକାଲି ସକାଳ ୮ଟା ୫୪ ପର୍ଯ୍ୟନ୍ତ ରହିଛି।
ଭଗବାନ ଶିବଙ୍କୁ ଭାଙ୍ଗ ଦେବା ଉଚିତ କି? ଜାଣନ୍ତୁ ଶ୍ରୀମଦ ଭାଗବତ ଗୀତାରେ କ’ଣ ରହିଛି