ଆଜି ଓଡ଼ିଶାର ରାଜନୀତିରେ ଗୋଟିଏ ନୂଆ ଶବ୍ଦ ଘୁରି ବୁଲୁଛି— “ନୂଆ ଆଞ୍ଚଳିକ ଦଳ” । ଚା’ ଦୋକାନରୁ ଆରମ୍ଭ କରି ରାଜନୈତିକ କରିଡର ପର୍ଯ୍ୟନ୍ତ, ନିରବ କଥାବାର୍ତ୍ତାରୁ ଆରମ୍ଭ କରି ଖୋଲା ଇଙ୍ଗିତ ପର୍ଯ୍ୟନ୍ତ— ସବୁଠି ଗୋଟିଏ ପ୍ରଶ୍ନ— ଓଡ଼ିଶାରେ କ’ଣ ପୁଣି ଗୋଟିଏ ଆଞ୍ଚଳିକ ଦଳ ଜନ୍ମ ନେବ ?
• ପ୍ରଶ୍ନଟି ନୂଆ ନୁହେଁ,
• କିନ୍ତୁ ଏଥର ପ୍ରଶ୍ନର ଭିତି ଅଲଗା।
କାରଣ ୨୦୨୪ ନିର୍ବାଚନ ପରେ ଓଡ଼ିଶାର ଭୋଟ ମାନଚିତ୍ର ଯେଉଁ ସଙ୍କେତ ଦେଇଛି, ସେହି ସଙ୍କେତକୁ ରାଜନୀତି ବୁଝୁଥିବା ଲୋକମାନେ ଅଣଦେଖା କରିପାରୁନାହାନ୍ତି । ଆଞ୍ଚଳିକ ଦଳ ପାଇଁ ଏତେ ଆତୁରତା କାହିଁକି? ଏହା କ’ଣ ଲୋକଙ୍କ ଆକାଂକ୍ଷା, ନା ନେତାଙ୍କ ଆତୁରତା ?

• ୨୦୨୪ ବିଧାନସଭା ନିର୍ବାଚନକୁ ଦେଖନ୍ତୁ-
• ଓଡ଼ିଶାରେ ଆଞ୍ଚଳିକ ଦଳ ସର୍ବାଧିକ ଭୋଟ ପାଇଲା, କିନ୍ତୁ ସରକାର କରିପାରିଲାନି।
• ଏକ ଦଳ ଭୋଟରେ ଆଗରେ, କିନ୍ତୁ ସତ୍ତାରୁ ବାହାରେ।
• ଅନ୍ୟ ଦଳ ଭୋଟରେ ପଛରେ, କିନ୍ତୁ ସରକାରରେ।
• ଏହି ଭୋଟ–ଆସନ ଅସନ୍ତୁଳନ ଓଡ଼ିଶା ରାଜନୀତିର ସବୁଠାରୁ ବଡ଼ ସତ୍ୟ।
ଓଡ଼ିଶାର ୧୪୭ ବିଧାନସଭା ଆସନରେ ୨୦୨୪ରେ ହୋଇଥିବା ଭୋଟ ଫଳାଫଳ ଅନୁଯାୟୀ, ବିଜେଡିକୁ ସର୍ବାଧିକ ୧ କୋଟି ୧ ଲକ୍ଷ ୨ ହଜାର ୪୫୪ ଖଣ୍ଡ (୪୦.୨୨%) ଭୋଟ ମିଳିଥିଲା। ଏହି ଭୋଟ ଅନୁଯାୟୀ ବିଜେଡି ୫୧ ଆସନରେ ବିଜୟୀ ହେଇପାରିଥିଲା। ବିଜେପିକୁ ଦ୍ୱିତୀୟ ସର୍ବାଧିକ ଭାବେ ମୋଟ୍ ୧ କୋଟି ୬୪ ହଜାର ୮୨୭ ଖଣ୍ଡ (୪୦.୦୭%) ଭୋଟ ମିଳିଥିଲା। ମାତ୍ର ବିଜେପି ସେତେବେଳେ ୭୮ଟି ଆସନରେ ବିଜୟୀ ହୋଇପାରିଲା। ବିଜେପିଠାରୁ ବିଜେଡିକୁ କିନ୍ତୁ ୩୭ ହଜାର ୬୨୭ ଖଣ୍ଡ ଅଧିକ ଭୋଟ ମିଳିଥିଲା। ଏହାସତ୍ତ୍ୱେ ୨୭ଟି ଅଧିକ ଆସନରେ ଜିତି ବିଜେପି ଓଡ଼ିଶାରେ ସରକାର କରିପାରିଲା। ଏହା ଦେଖାଉଛି—ଲୋକମାନେ ଆଞ୍ଚଳିକ ଦଳକୁ ଛାଡ଼ିନାହାନ୍ତି, କିନ୍ତୁ ଆଞ୍ଚଳିକ ଦଳ ଲୋକଙ୍କ ଭୋଟକୁ ଶକ୍ତିରେ ପରିଣତ କରିପାରୁନାହିଁ।
ଏବେ ଲୋକସଭା ନିର୍ବାଚନକୁ ଦେଖନ୍ତୁ। ୨୦୨୪ରେ ଓଡ଼ିଶାରେ ଅନୁଷ୍ଠିତ ଲୋକସଭା ନିର୍ବାଚନର ଫଳାଫଳକୁ ଦେଖିଲେ, ବିଜେପିକୁ କୋଟି ୧୩ ଲକ୍ଷ ୩୫ ହଜାର ୫୪୯(୪୫.୩୪%) ଭୋଟ ମିଳିଥିଲା। ଏହି ଭୋଟ ଦ୍ୱାରା ୨୧ ଲୋକସଭା ଆସନ ମଧ୍ୟରୁ ବିଜେପି ୨୦ଟି ସ୍ଥାନରେ ବିଜୟୀ ହୋଇଥିଲା। ବିଜେଡିକୁ ମୋଟ ୯୩ ଲକ୍ଷ ୮୨ ହଜାର ୭୧୧ ଖଣ୍ଡ (୩୭.୫୩%) ଭୋଟ ମିଳିଥିଲା। ଦ୍ଵିତୀୟ ସର୍ବାଧିକ ଭୋଟ ପାଇଥିବା ବିଜେଡି କିନ୍ତୁ ଗୋଟିଏ ହେଲେ ଲୋକସଭା ଆସନରେ ଜିତିପାରିନଥିଲା। ବିଜେଡିଠାରୁ ବିଜେପିକୁ ୧୯ ଲକ୍ଷ ୫୨ ହଜାର ୮୩୮ ଖଣ୍ଡ ଅଧିକ ଭୋଟ ମିଳିଥିଲା। କଂଗ୍ରେସ ୩୧ ଲକ୍ଷ ୩୦ ହଜାର ୦୫୬ ଖଣ୍ଡ(୧୨.୫୨%) ଭୋଟ ପାଇଥିଲା। ତୃତୀୟ ସର୍ବାଧିକ ଭୋଟ ପାଇଥିବା କଂଗ୍ରେସ ଗୋଟିଏ ଲୋକସଭା ଆସନ କୋରାପୁଟରେ ବିଜୟୀ ହୋଇଛି। ଦିଲ୍ଲୀ ପାଇଁ ଓଡ଼ିଆ ଭୋଟର କୌଣସି ଦଳର ପ୍ରାର୍ଥୀଙ୍କୁ ପସନ୍ଦ ନ କରି ନୋଟାରେ ୩ ଲକ୍ଷ ୨୪ ହଜାର୫୮୮ ଖଣ୍ଡ ଭୋଟ ଦେଇଛନ୍ତି।
• ଦିଲ୍ଲୀ ପାଇଁ ଓଡ଼ିଆ ଭୋଟର ଜାତୀୟ ଦଳକୁ ବାଛିଲା, କିନ୍ତୁ ଭୋଟର ଏକ ବଡ଼ ଅଂଶ ତଥାପି ଆଞ୍ଚଳିକ ଦଳ ପାଖରେ ରହିଗଲା।
• ଅର୍ଥାତ୍— ଓଡ଼ିଆ ଭୋଟରର ମନରେ ଦୁଇଟି ଧାରା ସ୍ପଷ୍ଟ— ଦିଲ୍ଲୀ ପାଇଁ ଗୋଟିଏ ଚିନ୍ତା, ଓଡ଼ିଶା ପାଇଁ ଆଉ ଗୋଟିଏ।
• ଏହି ଦୁଇ ଧାରାର ମଧ୍ୟରେ ଏବେ ଗୋଟିଏ ଶୂନ୍ୟସ୍ଥାନ ତିଆରି ହେଉଛି।
ବିଜେଡିର ହାର: ବିଜେପିର ଜିତ ନା ବିଜେଡିର ଭୁଲ?

ରାଜନୈତିକ ବିଶ୍ଳେଷକମାନଙ୍କ ମଧ୍ୟରେ ଏକ ମତ ପ୍ରବଳ—୨୦୨୪ରେ ବିଜେପି ଯେତେ ଜିତିଲା, ତାଠାରୁ ଅଧିକ ବିଜେଡି ହାରିଲା। ଦଳର ସଭାପତି ନବୀନ ପଟ୍ଟନଦାୟକଙ୍କ ନେତୃତ୍ୱ ଶୈଳୀ, ଘନିଷ୍ଠ ମଣ୍ଡଳୀର ଅତ୍ୟଧିକ ପ୍ରଭାବ, ଏବଂ ତଳସ୍ତରୀୟ କର୍ମୀଙ୍କୁ ଅନଦେଖା—ଏହି ସବୁ କାରଣ ଦଳକୁ ଦୁର୍ବଳ କରିଦେଲା।
ଏହା ସତ୍ତ୍ୱେ ବିଜେଡି ଯେତେ ଭୋଟ ପାଇଛି, ତାହା ପ୍ରମାଣ କରେ ଯେ ଲୋକମାନେ ଦଳର କର୍ମୀ ନେଟୱାର୍କ ଠାରୁ ଅଧିକ ଆଞ୍ଚଳିକ ପରିଚୟକୁ ଭରସା କରିଛନ୍ତି। ଏହି ଭୋଟ ହିଁ ନୂଆ ଆଞ୍ଚଳିକ ଦଳ ପାଇଁ ସବୁଠାରୁ ବଡ଼ ପ୍ରେରଣା।
ଆଉ ଗୋଟିଏ କଠୋର ସତ୍ୟ— ୨୦୨୪ରେ ବିଜେଡି ହାରିଲା, କିନ୍ତୁ ସେହି ହାର ବିଜେପିର ହାୱା ଠାରୁ
ଅଧିକ ବିଜେଡିର ଭୁଲର ପରିଣାମ। ଦଳର ନେତୃତ୍ୱ, ଦଳର ନିଷ୍ପତ୍ତି, ଦଳର ଅନ୍ତର୍ଗତ ରାଜନୀତି— ସବୁକିଛି ମିଶି କର୍ମୀଙ୍କୁ ଅଲଗା କରିଦେଲା।
• କର୍ମୀ ନିରବ ହେଲେ, କିନ୍ତୁ ଭୋଟର ନିରବ ହେଲାନି।
• ସେଇଥିପାଇଁ— କର୍ମୀ ନ ଥାଇ ମଧ୍ୟ ବିଜେଡି ଭୋଟ ପାଇଲା।
• ଏହା ଏକ ବଡ଼ ସଙ୍କେତ।
ଏବେ ପ୍ରଶ୍ନ— ଯଦି ବିଜେଡି ଦୁର୍ବଳ, ଯଦି କଂଗ୍ରେସ ଅସମ୍ପର୍କିତ, ଯଦି ଭୋଟର ଆଞ୍ଚଳିକ ବିକଳ୍ପ ଚାହୁଁଛି—
ତେବେ ଏହି ଭୋଟ କାହା ପାଖକୁ ଯିବ? ଏହି ପ୍ରଶ୍ନର ଉତ୍ତର ଖୋଜି କିଛି ନେତାଙ୍କ ମନରେ ନୂଆ ଆଞ୍ଚଳିକ ଦଳର ସ୍ୱପ୍ନ ଜାଗୁଛି । କିନ୍ତୁ ଏହି ସ୍ୱପ୍ନ କ’ଣ ଓଡ଼ିଶା ପାଇଁ ? ନା କେବଳ ନିଜ ରାଜନୈତିକ ଅସ୍ତିତ୍ୱ ପାଇଁ? ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା— ନୂଆ ଆଞ୍ଚଳିକ ଦଳ ଯଦି କେବଳ ଭୋଟ ଭାଗ କରିବ, ତେବେ ସେ ଓଡ଼ିଶାକୁ ଦୁର୍ବଳ କରିବ।
କିନ୍ତୁ ଯଦି ସେ ଦଳ ସ୍ପଷ୍ଟ ଦୃଷ୍ଟି, ଶକ୍ତ ନେତୃତ୍ୱ ଏବଂ ଲୋକଙ୍କ ସମସ୍ୟାକୁ କେନ୍ଦ୍ରରେ ରଖି ଆସିବ— ତେବେ ସେ ହେବ କେବଳ ଗୋଟିଏ ଦଳ ନୁହେଁ, ଏକ ଆନ୍ଦୋଳନ।
ନିଶା କି ବିକଳ୍ପ?
ଆଞ୍ଚଳିକ ଦଳ ପାଇଁ ନିଶା ଜନ୍ମ ନେଇଛି କାରଣ ଓଡ଼ିଶାର ଭୋଟର ଏପରିକି ଆଞ୍ଚଳିକ ରାଜନୀତିକୁ ଛାଡ଼ିନାହାନ୍ତି। କିନ୍ତୁ ଏହି ନିଶା ଯଦି ସ୍ପଷ୍ଟ ରାଜନୈତିକ ଦୃଷ୍ଟିକୋଣ, ସଂଗଠନ ଏବଂ ଲୋକଙ୍କ ସମସ୍ୟା ସହିତ ଜଡ଼ିତ ନ ହୁଏ, ତେବେ ଏହା ମାତ୍ର ଆଉ ଗୋଟିଏ ରାଜନୈତିକ ପରୀକ୍ଷା ହୋଇ ରହିଯିବ। ଓଡ଼ିଶାର ରାଜନୀତି ଏବେ ଏକ ସଙ୍କଟମୟ ମୁହୂର୍ତ୍ତରେ—ଯେଉଁଠାରେ ନୂଆ ଆଞ୍ଚଳିକ ଦଳ ଜନ୍ମ ନେବ କି ନାହିଁ, ତାହାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି—ସେ ଦଳ କ’ଣ ସତରେ ଲୋକଙ୍କ ଆକାଂକ୍ଷାର ପ୍ରତିନିଧିତ୍ୱ କରିପାରିବ? ଏଇଠି ପ୍ରଶ୍ନ ଶେଷ ହୁଏନାହିଁ।
ଏଇଠି ପ୍ରଶ୍ନ ଆରମ୍ଭ ହୁଏ। ନୂଆ ଆଞ୍ଚଳିକ ଦଳ— ନିଶା, ନା ବିକଳ୍ପ? ଉତ୍ତର ଆସିବ ରାଜନୀତିରୁ ନୁହେଁ,
ଲୋକଙ୍କ ମନରୁ।
also read https://purvapaksa.com/february-rajyoga-2026/
February Rajyoga 2026 ।। ଫେବୃଆରୀରେ ସୃଷ୍ଟି ହେଉଛି ୬ଟି ଶୁଭ ରାଜଯୋଗ, ୫ ରାଶିଙ୍କ ଭାଗ୍ୟ ଉଜ୍ଜ୍ୱଳ


