ଯାହା ଆଶା କରାଯାଉଥିଲା ତାହାହିଁ ହେଲା। ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପସ୍ୱରୂପ ଓଡ଼ିଶା ରାଜ୍ୟପାଳ ରଘୁବର ଦାସ ଗତ ମଙ୍ଗଳବାର ଦିନ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟପାଳ ପଦରୁ ଇସ୍ତଫା ଦେବା ପରେ ସେ ସକ୍ରିୟ ରାଜନୀତିକୁ ଫେରିବା ନେଇ ବ୍ୟାପକ କଳ୍ପନାଜଳ୍ପନା ଚାଲିଥିଲା।
ଗତ ସେପ୍ଟେମ୍ବର ଏଗାର ତାରିଖରେ, ରଘୁବର ଦାସ ଟୁଇଟର ଏବଂ ଫେସ୍ବୁକରେ ତାଙ୍କର ପ୍ରୋଫାଇଲ୍ ଛବିର ରଙ୍ଗ ବଦଳାଇ ଦେଇଥିଲେ। ଏହା ତାଙ୍କର ଝାଡ଼ଖଣ୍ଡ ରାଜନୀତିରେ ପୁନର୍ବାର ପ୍ରବେଶ ବିଷୟରେ ଗୁଜବ ସୃଷ୍ଟି କରିଥିଲା। ସେ ନିଜ ପ୍ରୋଫାଇଲ୍ ଚିତ୍ରର ଫ୍ରେମକୁ ସାମୟିକ ଭାବରେ ଗେରୁଆ ରଙ୍ଗକୁ ପରିବର୍ତ୍ତନ କରିଥିଲେ। ଏହା ସୋସିଆଲ ମିଡିଆରେ ଆକର୍ଷିତ ହେବା ପରେ ରଙ୍ଗ ବଦଳାଇ ସେ ପୂର୍ବର ଚିତ୍ରକୁ ଫେରି ଆସିଥିଲେ।
ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଦାସ ତାଙ୍କ ପୂର୍ବତନ ନିର୍ବାଚନମଣ୍ଡଳୀ ଜାମସେଦପୁର ପୂର୍ବ ନିର୍ବାଚନ ମଣ୍ଡଳୀରୁ ଲଢ଼ିବେ ବୋଲି ରାଜନୈତିକ ମହଲରେ ଆଶା କରାଯାଉଥିଲା। କିନ୍ତୁ କ’ଣ ହେଲା କେଜାଣି- ଏବେ ଯାଏଁ କାରଣଗୁଡ଼ିକ ଅସ୍ପଷ୍ଟ ରହିଛି- ଏହି ଯୋଜନା ସ୍ଥଗିତ ରଖାଗଲା ଏବଂ ତାଙ୍କ ବୋହୂ ସେହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମନୋନୀତ ହୋଇଥିଲେ।
ଦାସଙ୍କ ନିକଟବର୍ତ୍ତୀ ଲୋକଙ୍କ କହିବା କଥା ଯେ ରାଜ୍ୟପାଳ ଭାବରେ ତାଙ୍କର ଭୂମିକା ତାଙ୍କର ରାଜନୈତିକ ଅଭିଳାଷ ସହିତ ମେଳ ଖାଉ ନାହିଁ। ସୁତରାଂ ରାଜଭବନ ପଦରୁ ଇସ୍ତଫା ଦେବା ସହ ସକ୍ରିୟ ରାଜନୀତିରେ ପୁନଃପ୍ରବେଶ କରିବାକୁ ସେ ଦଳର ତୁଙ୍ଗ ନେତାଙ୍କ ପାଖରେ ଇଚ୍ଛା ପ୍ରକାଶ କରିଥିବା ଜଣାଯାଇଛି।
ଝାଡଖଣ୍ଡ ବିଜେପି ନେତୃତ୍ୱରେ ସେ କେଉଁ ନିର୍ଦ୍ଦିଷ୍ଟ ଭୂମିକା ଗ୍ରହଣ କରିବେ ତାହା ଅନିଶ୍ଚିତତା ମଧ୍ୟରେ ରହିଛି। ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ଶୋଚନୀୟ ପରାଜୟ ପରେ ରାଜନୈତିକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିବା ରାଜ୍ୟ ୟୁନିଟକୁ ପୁନର୍ଜୀବିତ କରିବା ପାଇଁ ସେ ଝାଡ଼ଖଣ୍ଡ ବିଜେପିର ମଙ୍ଗ ଧରିପାରନ୍ତି ବୋଲି ଗୁଜବ ପ୍ରଚାରିତ ହେଉଛି।
ଗତ ୨୦୧୯ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ପରେ ରଘୁବର ଦାସ ୧୮ ଅକ୍ଟୋବର ୨୦୨୩ ରେ ଓଡ଼ିଶାର ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଥିଲେ। ରଘୁବର ଦାସଙ୍କ ଏହି ପରାଜୟ ମୁଖ୍ୟତ ଆଦିବାସୀ ଭୋଟରଙ୍କ ମଧ୍ୟରେ ଜାଗ୍ରତ ଅସନ୍ତୋଷର କାରଣ ଥିଲା ବୋଲି ଅନୁମାନ କରାଯାଉଛି। ରଘୁବର ଦାସ ମୁଖ୍ୟମନ୍ତ୍ରୀ ଥିବାବେଳେ ଯେଉଁ ସିଏନଟି / ଏସପିଟି ଆକ୍ଟରେ ସଂଶୋଧନ କରିବାକୁ ଦାସଙ୍କ ନେତୃତ୍ୱାଧୀନ ସରକାରଙ୍କ ଉଦ୍ୟମ କରିଥିଲେ ତାହା ଆଦିବାସୀଙ୍କ ଭିତରେ ଅସନ୍ତୋଷ ସୃଷ୍ଟି କରିଥିଲା।
ଦାସଙ୍କୁ ଯେତେବେଳେ ଓଡ଼ିଶାର ରାଜ୍ୟପାଳ ପଦ ନ୍ୟସ୍ତ କରିବାକୁ ବିଜେପିର ଦିଲ୍ଲୀ ନେତୃତ୍ୱ ନିଷ୍ପତ୍ତି ନେଲେ ତାହା ପଛରେ କାରଣ ଥିଲା ଝାଡ଼ଖଣ୍ଡରେ ବାବୁଲାଲ ମାରାଣ୍ଡିଙ୍କ ହାତ ମୁଠାକୁ ସଶକ୍ତ କରିବା। ଏହାକୁ ଦଳର ସୁଚିନ୍ତିତ ରଣନୀତି ଭାବରେ ବିବେଚନା କରାଯାଇଥିଲା। ବିଶେଷକରି ମାରାଣ୍ଡି ତାଙ୍କ ଦଳ ଜେଭିଏମକୁ ୨୦୨୦ରେ ବିଜେପି ସହିତ ମିଶ୍ରଣ କରିବା ପରେ ବିଜେପି ତାଙ୍କ ରାସ୍ତାରେ କୌଣସି ଅସୁବିଧା ସୃଷ୍ଟି ନ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲା। ଅବଶ୍ୟ ୨୦୨୪ ନିର୍ବାଚନରେ ଜେଏମଏମ ନେତୃତ୍ୱାଧୀନ ମିଳିତ ମଞ୍ଚକୁ କ୍ଷମତାରୁ ଅପସରଣ କରିବା ପାଇଁ ମାରାଣ୍ଡି ସମର୍ଥ ହୋଇନଥିଲେ।
ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପିର ନିରାଶାଜନକ ଫଳାଫଳକୁ ଦୃଷ୍ଟିରେ ରଖି ଝାରଖଣ୍ଡର ୭୪% ଅଣ-ଆଦିବାସୀ ଭୋଟରଙ୍କ ମଧ୍ୟରେ ଦଳର ଶକ୍ତିକୁ ବୃଦ୍ଧି କରିବା ପାଇଁ ଦଳ ଚାହୁଁଚି। ଝାଡ଼ଖଣ୍ଡ ରାଜ୍ୟର ମୋଟ ଜନସଂଖ୍ୟାର ୨୬ ପ୍ରତିଶତ ହେଉଛନ୍ତି ଆଦିବାସୀ ଜନସଂଖ୍ୟା। ୨୦୨୪ ବିଧାନସଭା ନିର୍ବାଚନରେ ଜେଏମଏମ ନେତୃତ୍ୱାଧୀନ ମିଳିତ ମଞ୍ଚକୁ ମୁଖ୍ୟତଃ ଆଦିବାସୀମାନେ ସମର୍ଥନ କରିଥିଲେ ଯାହା ଫଳରେ କି ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ହୋଇପାରିଲେ।
Also readhttps://purvapaksa.com/martyrdom-of-guruputra-zorawar-and-fateh-singh-and-veer-bal-diwas/
