୭ରୁ ୯ ପର୍ଯ୍ୟନ୍ତ ଭାରତ ଓ ପାକିସ୍ତାନ ମଧ୍ୟରେ ରଣକ୍ଷେତ୍ରରୁ ଗଣମାଧ୍ୟମ ପର୍ଯ୍ୟନ୍ତ ଲଢ଼େଇ। ମାଳମାଳ ଡ୍ରୋନ୍ ଯଦି ଭାରତର ୧୫ରୁ ଅଧିକ ସହର ଉପରେ ଛାଇ ରହିଥିଲେ, ତେବେ ଭାରତୀୟ ଡ୍ରୋନ ପାକିସ୍ତାନରେ ଆତଙ୍କ ସୃଷ୍ଟି କରିଥିଲା। ଆତଙ୍କ ଏମିତି ଯେ, ପାକିସ୍ତାନୀ ତାକୁ ଆସମାନୀ ବିଜଲି କହିବାକୁ ଲାଗିଥିଲେ। ଭାରତୀୟ ସୁପରସୋନିକ୍ ମିସାଇଲ ଓ ଡ୍ରୋନର କାଟ ପାକିସ୍ତାନ ପାଖରେ ନ ଥିଲା। ପାକିସ୍ତାନୀ ଏୟାରଡିଫେନ୍ସ ସିଷ୍ଟମଠାରୁ ସାମରିକ ବିମାନଘାଟି ସବୁ ଉପରେ ଭାରତ କରିଥିଲା, ଜବରଦସ୍ତ ପ୍ରହାର।
କିନ୍ତୁ ପାକିସ୍ତାନର ପାଲଟା ଆକ୍ରମଣକୁ ଆକାଶରେ ହିଁ ଉଡ଼ାଇ ଦେଇଥିଲା ଏସ-୪00। ତଥାପି ପାକିସ୍ତାନ ଆକ୍ରମଣ ଜାରି ରଖିଥିଲା। ଲାଗୁଥିଲା ଏହି ସୀମତି ଯୁଦ୍ଧ ପୂର୍ଣ୍ଣଯୁଦ୍ଧରେ ପରିଣତ ହେବାକୁ ଯାଉଛି। ହୁଏତ ଏହି ଯୁଦ୍ଧ ପରମାଣଉ ଯୁଦ୍ଧର ରୂପ ନେଇପାରେ। ଏହିପରି ଭୟଙ୍କର ଚିନ୍ତା ଓ ଆଶଙ୍କା ଭିତରେ ହଠାତ ଆସିଥିଲା ଯୁଦ୍ଧ ବିରତିର ଖବର। ଖବର ଯାହକୁ କେହି ସହଜରେ ବିଶ୍ୱାସ କରିପାରିନଥିଲେ।
ପୁଣି ଏହି ଖବର ଆଉ କେହି ନୁହେଁ ଖୋଦ ଦୁନିଆର ଦାଦା ଆମେରିକା ଓ ଏହାର ନୂଆ ବସ୍ ଟ୍ରମ୍ପ ଘୋଷଣା କରିଥିଲା। ଟ୍ରମ୍ପ ତାଙ୍କ ନିଜ କମ୍ପାନୀର ସୋସିଆଲ ମିଡିଆ ସାଇଟ ଟ୍ରୁଥରେ ଏହାର ଘୋଷଣା ପ୍ରଥମେ କରିଥିଲେ। ଏହାର ୧୦ ମିନିଟ ପରେ ସେ ଏକ୍ସ ବା ଟ୍ୱିଟରରେ ଯୁଦ୍ଧବିରତି କଥା ଘୋଷଣା କରି ମୋଦୀ ଓ ସରିଫଙ୍କୁ ଶୁଭେଛା ଜଣାଇଥିଲେ।
ତେବେ ଏଇଠି ପ୍ରଶ୍ନ ଉଠୁଛି,ଅପରେସନ ସିନ୍ଦୂର ଆରମ୍ଭ ହେବା କାଳରେ ଭାରତ-ପାକିସ୍ତାନ କଳିଠାରୁ ନିଜକୁ ଦୁରେଇ ନେଇଥିବା ଚୌଧୁରୀ ଆମେରିକା କ’ଣ ପାଇଁ ଶାନ୍ତିପର୍ବ ଭିତରକୁ ଏଣ୍ଟ୍ରି ମାରିଲା ?
ଦ୍ୱିତୀୟ ପ୍ରଶ୍ନ ହେଉଛି,ଭାରତ ଓ ପାକିସ୍ତାନ କେହି ମଧ୍ୟ ପଛଘୁଞ୍ଚା ଦେବାକୁ ପ୍ରସ୍ତୁତ ନ ଥିବାବେଳେ ହଠାତ କାହିଁକି ଅସ୍ଥାୟୀ ଶାନ୍ତି ପାଇଁ ରାଜି ହେଲେ ?
ଏହି ଦୁଇଟି ପ୍ରଶ୍ନର ଉତ୍ତର ରହିଛି ଗୋଟିଏ କ୍ଷେପଣାସ୍ତ୍ର ଓ ଗୋଟିଏ ବିମନାଘାଟିରେ। ଶନିବାର ଦିନ ପାକିସ୍ତାନୀ ଆକ୍ରମଣର ପ୍ରଚଣ୍ଡ ଉତ୍ତର ଦେଇଥିଲା ଭାରତ। ଭାରତ ଡ୍ରୋନ୍ ସହିତ ପାକିସ୍ତାନ ଭିତରକୁ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ପୁଣି ଏମିତି ସେମିତି କ୍ଷେପଣାସ୍ତ୍ର ନୁହେଁ। କୁହାଯାଉଛି ଯେ, ଭାରତ ରାଜଧାନୀ ଇସଲାମାବାଦଠାରୁ ମାତ୍ର ୧୫ କିଲୋମିଟର ଦୂରରେ ଥିବା ନୁରଖାନ ବିମାନଘାଟି ଉପରକୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଏହାଦ୍ୱାରା ଭାରତ ଏକ ସନ୍ଦେଶ ଦେବାକୁ ଚାହୁଁଥିଲା । ତେବେ କ’ଣ ଥିଲା ସେହି ସନ୍ଦେଶ ଓ ସେହି ସନ୍ଦେଶକୁ କାହିଁକି ଗୁରୁତ୍ୱର ସହ ନେଇଥିଲା ଆମେରିକା ?
ନୁରଖାନ ରାଜଧାନୀ ଇସଲାମାବାଦ ଓ ସେନା ମୁଖ୍ୟାଳୟ ପାଖରେ ଅବସ୍ଥିତ। ଇସଲାମାବାଦଠାରୁ ଏହାର ଦୂରତ୍ୱ ମାତ୍ର ୧୫ କିଲୋମିଟର। କୁହାଯାଉଛି ଯେ, ପାକିସ୍ତାନୀ ଆଣବିକ କମାଣ୍ଡ ସେଣ୍ଟର ମଧ୍ୟ ଏହିଠାରେ ଅବସ୍ଥିତ। ଭାରତ ସେହି ବିମାନଘାଟିକୁ କ୍ଷେପଣାସ୍ତ୍ର ମାଡ କରି ଏହା ଜଣାଇବାକୁ ଚାହୁଁଥିଲା ଯେ, ଦେଖ ତୁମ ପରମାଣୁ କମାଣ୍ଡ ସେଣ୍ଟର ଆମ ଲକ୍ଷ୍ୟ ଭିତରେ ରହିଛି। ପାକିସ୍ତାନ ଏହା ବୁଝି ପାରିଥିଲା ଓ ଆମେରିକା ମଧ୍ୟ।
ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁସାରେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ପାଖକୁ ଗୁପ୍ତ ସୂଚନା ଆସିଥିଲା ଯେ, ପାରମ୍ପାରିକ ଯୁଦ୍ଧରେ ହାରିବାକୁ ଯାଉଥିବା ପାକିସ୍ତାନ ପରମାଣୁ ଆକ୍ରମଣ କରିବାକୁ ଯାଉଛି। ଏହି ଖବର ସେ ତୁରନ୍ତ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଦେଇଥିଲେ। ଟ୍ରମ୍ପଙ୍କ ସହିତ କଥା ହେବା ପରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫୋନ୍ କରିଥିଲେ। ମୋଦୀଙ୍କୁ ସେ କହିଥିଲେ ଯେ,ଆଉ ଦୁଇଦିନ ଯଦି ଯୁଦ୍ଧ ଚାଲେ ତେବେ ଘଟଣା ନାଟକୀୟ ମୋଡ଼ ନେବ। ମୋଦୀ ତାଙ୍କୁ ଯୁଦ୍ଧ ବନ୍ଦ ନେଇ କୌଣସି ନିର୍ଦ୍ଦିଷ୍ଟ ପ୍ରତିଶ୍ରୁତି ଦେଇନଥିଲେ।
ଏହାରି ଭିତରେ ପାକିସ୍ତାନର ପାଲଟା ଆକ୍ରମଣ ବାରମ୍ବାର ଫେଲ ହେବା ପରେ ପାକ୍ ଡିଜିଏମଓ ଭାରତୀୟ ଡିଜିଏମଓଙ୍କୁ ଫୋନ୍ କରି ଯୁଦ୍ଧ ବିରତି ପ୍ରସ୍ତାବ ଦେଇଥିଲେ। ଭାରତୀୟ ସେନା ଅନୁସାରେ ଭୟଭୀତ ପାକ୍ ଡିଜିଏମଓ ଶାନ୍ତି ଚାହୁଁଥିଲେ। ତେଣୁ ତାଙ୍କ ଆଡୁ ପ୍ରଥମେ ଫୋନ୍ କଲ ଆସିଥିଲା।
ଏହା ବାଦ୍ ମଧ୍ୟ ଆଉ କିଛି ଘଟଣା ପାଇଁ ଯୁଦ୍ଧ ବିରତି ହେଉଥିବା ଅନୁମାନ କରାଯାଉଛି। ଭାରତ ଏଫ୍-୧୬ ବିମାନ ଉଡ଼ାଇ ଦେଇଥିବା ଅସମର୍ଥିତ ଖବର କୁଆଡ଼େ ଆମେରିକାକୁ ଚିନ୍ତିତ କରିଥିଲା। ଏହାଦ୍ୱାରା ଏଫ୍ -୧୬ ବଜାର ପ୍ରଭାବିତ ହେବା ଆମେରିକା ଆଶଙ୍କା କରୁଥିଲା। ତେଣେ ଭାରତ ଦ୍ୱାରା ଚୀନ୍ ଏୟାର ଡିଫେନ୍ସ ସିଷ୍ଟମ ଧ୍ୱଂସଦ୍ୱାରା ଚୀନର ଅସ୍ତ୍ର ବଜାର ମଧ୍ୟ ପ୍ରଭାବିତ ହୋଇଥିଲା।
କୁହାଯାଉଛି ଯେ, ଚିନ୍ ଏୟାର ଡିଫେନ୍ସ ସିଷ୍ଟମ ଭାରତୟୀ ଆକ୍ରମଣକୁ ଚିହ୍ନଟ କରିବାରେ ବିଫଳ ହେବା ଖବର ପ୍ରଚାରିତ ହେବା ସହିତ,ଅନେକ ଆଫ୍ରିକୀୟ ଦେଶ ଚୀନକୁ ଦେଇଥିବା ଅର୍ଡର କ୍ୟାନସଲ କରିଦେଇଥିଲେ। ଯାହାକୁ ନେଇ ଚୀନ୍ ଚିନ୍ତିତ ଥିଲା। ଏପରିକି କ’ଣ ପାଇଁ ଆମ ଅସ୍ତ୍ରର ପ୍ରଦର୍ଶନ କରୁଛ ବୋଲି କାଳେ ଚୀନ୍, ବେଜିଂ ସ୍ଥିତ ପାକ୍ ରାଷ୍ଟ୍ରଦୂତଙ୍କୁ ପଚାରିଥିଲା।
ଅଧିକ ଦିନ ଯୁଦ୍ଧ ଚାଲିଲେ ଚୀନ୍ ଅସ୍ତ୍ରର ଅସଲ ଚେହେରା ସାମ୍ନାକୁ ଆସିଯିବ ବୋଲି ଚିନ୍ ଭାବୁଥିଲା। ତେଣୁ ଚୀନ୍,ମଧ୍ୟ ଯୁଦ୍ଧ ବିରତି ପାଇଁ ପାକିସ୍ତାନ ଉପରେ ଚାପ ପକାଇଥିବା କୁହାଯାଉଛି।
Also readhttps://purvapaksa.com/jewels-incarnation-of-lord-krishna/