ଚଳିତ ବିହାର ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ ବିପୁଳ ସଂଖ୍ୟା ଗରିଷ୍ଠତା ହାସଲ କରିଛି। ଏହି ଫଳାଫଳ ବିରୋଧୀ ମହାମେଣ୍ଟର ଅନ୍ୟତମ ଅଂଶୀଦାର ଦଳ ଆରଜେଡିକୁ ଶକ୍ତ ଧକ୍କା ପହଞ୍ଚାଇଛି। ଗତ ନିର୍ବାଚନରେ ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ଆରଜେଡି ଏଥର ଏକପ୍ରକାର ଧରାଶାୟୀ ହୋଇପଡ଼ିଛି। ମହାମେଣ୍ଟର ଅନ୍ୟତମ ଅଂଶୀଦାର କଂଗ୍ରେସର ପ୍ରଦର୍ଶନ ଏଥର ଶୋଚନୀୟ ହୋଇପଡ଼ିଛି। ଆରଜେଡି ଓ କଂଗ୍ରେସ ଯଥାକ୍ରମେ ୨୭ ଓ ୬ ଆସନରେ ବିଜୟୀ ହୋଇଥିବାବେଳେ ମହାମେଣ୍ଟ ମୋଟ ୩୪ଟି ଆସନରେ ବିଜୟୀ/ଆଗୁଆ ରହିଛି। ଚୂଡାନ୍ତ ଫଳ ଘୋଷଣା ହେଲେ ଏହି ସଂଖ୍ୟାରେ କିଛି କମ ବେଶୀ ହୋଇପାରେ। ତେବେ ବିହାରରେ ସରକାର ଗଠନ କରିବା ମହାମେଣ୍ଟ ପାଇଁ ସ୍ୱପ୍ନ ପାଲଟିଛି। ନିର୍ବାଚନ ବିଶେଷଜ୍ଞମାନେ ମହାମେଣ୍ଟର ପରାଜୟ ପାଇଁ ୫ଟି ପ୍ରମୁଖ କାରଣ ଦର୍ଶାଇଛନ୍ତି।

ଚଳିତ ନିର୍ବାଚନରେ ଆରଜେଡି ୧୪୩ ଆସନରେ ପ୍ରାର୍ଥୀ ଛିଡ଼ା କରିଛି। ତେବେ ଏମାନଙ୍କ ମଧ୍ୟରେ ଯାଦବ ସଂପ୍ରଦାୟର ୫୨ ପ୍ରତିଶତ ପ୍ରାର୍ଥୀ ସାମିଲ ଅଛନ୍ତି। ଅର୍ଥାତ୍ ମୋଟ ପ୍ରାର୍ଥୀ ସଂଖ୍ୟାର ଏମାନେ ହେଉଛନ୍ତି ୩୬ ପ୍ରତିଶତ। ଗତ ନିର୍ବାଚନ ତୁଳନାରେ ଏଥର ଯାଦବ ପ୍ରାର୍ଥୀଙ୍କ ସଂଖ୍ୟା ପ୍ରାୟ ଦଶଗୁଣ ବୃଦ୍ଧି ପାଇଛି। ଏହା ଅନ୍ୟ ସଂପ୍ରଦାୟର ଭୋଟରଙ୍କୁ ଅସନ୍ତୁଷ୍ଟ କରିଛି।
ମହାମେଣ୍ଟର ନେତୃତ୍ୱ ନେଉଥିଲେ ସୁଦ୍ଧା ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ରଣନୀତି ବୁମେରାଂ ପାଲଟିଛି। ନିର୍ବାଚନ ପୂର୍ବରୁ ଅଂଶୀଦାର ଦଳ ସହ ଆସନ ବୁଝାମଣା ହୋଇନଥିବାବେଳେ ତେଜସ୍ୱୀ ଏକତରଫା ଭାବେ ନିଜକୁ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଥିଲେ। ଇସ୍ତାହାରରେ ମଧ୍ୟ ମହାମେଣ୍ଟ ଶବ୍ଦ ପରିବର୍ତ୍ତେ ‘ତେଜସ୍ୱୀଙ୍କ ସଙ୍କଳ୍ପ’ ଶବ୍ଦ ବ୍ୟବହାର କରାଯାଇଥିଲା। ପୋଷ୍ଟରରେ ତେଜସ୍ୱୀଙ୍କ ବଡ ଫଟୋ ସ୍ଥାନିତ ହୋଇଥିବାବେଳେ କଂଗ୍ରେସର ରାହୁଲ ଗାନ୍ଧୀଙ୍କ ଫଟୋ ଅପେକ୍ଷାକୃତ ଯଥେଷ୍ଟ ଛୋଟ ଥିଲା। ଏହା ମହାମେଣ୍ଟର ଏକତାକୁ ଅତ୍ୟନ୍ତ ଦୁର୍ବଳ କରିଥିଲା। ରାହୁଲ କିମ୍ବା ପ୍ରିୟଙ୍କା ମହାମେଣ୍ଟର ପ୍ରଚାର ଅଭିଯାନକୁ ଆଦୌ ଗୁରୁତ୍ୱ ଦେଇନଥିଲେ।
ଆରଜେଡି ପକ୍ଷରୁ ନିର୍ବାଚନ ଇସ୍ତାହାରରେ ଏକାଧିକ ପ୍ରତିଶ୍ରୁତି ଦିଆଯାଇଥିଲା ସତ, ତେବେ ଏଗୁଡ଼ିକୁ ଦଳ କିଭଳି କାର୍ଯ୍ୟକାରୀ କରିବ, ସେ ସମ୍ପର୍କରେ ନକ୍ସା ଭୋଟରଙ୍କ ସାମନାରେ ଉପସ୍ଥାପନ କରାଯାଇନଥିଲା। ପ୍ରତ୍ୟେକ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରିଠାରୁ ଆରମ୍ଭ କରି ପେନସନ ବ୍ୟବସ୍ଥାରେ ଉନ୍ନତି, ମହିଳାଙ୍କ ପାଇଁ ଆର୍ଥିକ ପ୍ରୋତ୍ସାହନ ରାଜ୍ୟରୁ ମଦ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରାଯିବା ଭଳି ପ୍ରତିଶ୍ରୁତି ଦିଆଯାଇଥିଲା। ତେବେ ଏଥିପାଇଁ କେଉଁଠୁ ପାଣ୍ଠି ଯୋଗାଡ଼ କରାଯିବ କିମ୍ବା କିଭଳି ମାନଦଣ୍ଡ ପ୍ରସ୍ତୁତ କରାଯିବ ସେ ସମ୍ପର୍କରେ ସୂଚନା ଦିଆଯାଇନଥିଲା। ଫଳରେ ଭୋଟରଙ୍କ ବିଶ୍ୱାସ କମିଯାଇଥିଲା।

ନିର୍ବାଚନରେ ମୁସଲିମ୍ କାର୍ଡ ଖେଳିବାକୁ ମହାମେଣ୍ଟ ଅଗ୍ରାଧିକାର ଦେଇଥିଲା। ଅବଶ୍ୟ କେତେକ ସ୍ଥାନରେ ମହାମେଣ୍ଟ ମୁସଲିମ ଭୋଟ ହାତେଇବାରେ ସଫଳ ହୋଇଛି। ତେବେ ମେଣ୍ଟର ଏହି ରଣନୀତିକୁ ଅନ୍ୟ ସଂପ୍ରଦାୟ ବିଶେଷ କରି ଯାଦବ ଗୋଷ୍ଠୀ ନାପସନ୍ଦ କରିଛନ୍ତି। କ୍ଷମତାକୁ ଆସିଲେ ରାଜ୍ୟରେ ୱାକଫ୍ ସଂଶୋଧନ ଆଇନକୁ କାର୍ଯ୍ୟକାରୀ କରାଯିବ ନାହିଁ ବୋଲି ତେଜସ୍ୱୀ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାହା ବିଜେପିକୁ ସୁହାଇଛି। ଅତୀତରେ ଲାଲୁପ୍ରସାଦ ଯାଦବ ଏହି ବିଲ୍କୁ ବିରୋଧ କରି ଯେଉଁ ଭାଷଣ ଦେଇଥିଲେ, ସେହି ଭିଡିଓକୁ ବିଜେପି ପ୍ରଚାର କାର୍ଯ୍ୟରେ ବ୍ୟବହାର କରି ଫାଇଦା ଉଠାଇଛି।
ଦିନ ଥିଲା ବିହାର ନିର୍ବାଚନରେ ଆରଜେଡି ସୁପ୍ରିମୋ ଲାଲୁପ୍ରସାଦ ଯାଦବଙ୍କ ପତିଆରା ରହିଥିଲା। ତେବେ ପିତାଙ୍କ ପଦାଙ୍କ ଅନୁସରଣ କରିବାରେ ତେଜସ୍ୱୀ ଅନେକାଂଶରେ ବିଫଳ ହୋଇଛନ୍ତି। ଏଥର ତେଜସ୍ୱୀ ଲାଲୁଙ୍କ ସାମାଜିକ ନ୍ୟାୟ ଫର୍ମୁଲା ଆପଣେଇଥିବାବେଳେ ଅନ୍ୟପଟରେ ‘ଜଙ୍ଗଲ ରାଜ’ ଅଭିଯୋଗରୁ ବର୍ତ୍ତିବାକୁ ଦଳୀୟ ପୋଷ୍ଟରରୁ ଲାଲୁଙ୍କ ଫଟୋ ହଟାଇ ଦେଇଥିଲେ। ତେଜସ୍ୱୀଙ୍କ ଏଭଳି ଦୋମୁହାଁ ନୀତି ଓଲଟା ପ୍ରମାଣିତ ହୋଇଛି।
also read https://purvapaksa.com/has-the-banned-swiss-app-shaken-delhi-and-srinagar/


