ବିଜେପିକୁ ଇମ୍ପୋର୍ଟେଡ୍ ହୋଇଥିବା ନେତାମାନେ ଏବେ ରାଜ୍ୟ ସଂଗଠନରେ ଅଲୋଡ଼ା ହେଲେଣି। ଯେଉଁମାନେ ଦଳକୁ ନିର୍ବାଚନ ସମୟରେ ପ୍ରବେଶ କରିଛନ୍ତି ସେମାନଙ୍କ ସଫଳତା ଓ ସଂଗଠନକୁ ଏବେ ଦଳ ଖାତିର କରୁନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ କିଛିନେତା ଗର୍ଜନ କରୁଛନ୍ତି ତ ଆଉ କେତେ ନେତା ମୈଦାନରୁ ଉଭେଇ ଯାଇଛନ୍ତି। ଏମିତି ମୈଦାନରୁ ଉଭେଇ ଯାଇଥିବା ନେତାଙ୍କ ଭିତରେ ରହିଛନ୍ତି ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ। ଯିଏ ଦିନେ ଗଞ୍ଜାମ ରାଜନୀତିରୁ ନବୀନଙ୍କ ପ୍ରଭାବକୁ ଖିନ୍ ଭିନ୍ କରି ବିଜେପିକୁ ବିଜୟ ଦେଇଥିଲେ ଆଜି ସେ ନିଷ୍ପ୍ରଭ ପ୍ରାୟ। ନା ଦଳ ନା କଳ କେଉଁଠି ତାଙ୍କୁ ଦେଖିବାକୁ ମିଳୁନି।
ରାଜ୍ୟରେ କ୍ଷମତା ପରିବର୍ତ୍ତନକୁ ଏକ ବର୍ଷରୁ ଉର୍ଦ୍ଧ୍ଵ ସମୟ ବିତିଲାଣି। ଗତ ସାଧାରଣ ନିର୍ବାଚନରେ ଅନେକ ବିଜେଡି ନେତା ବିଜେପିକୁ ଆସି ଦଳର ସମ୍ପତ୍ତି ହୋଇଥିଲେ। ବିଜୟ ଦେଇଥିଲେ। ହେଲେ ସେମାନଙ୍କ ଭିତରୁ ଅନେକ ନେତା ଏବେ ଅଲୋଡ଼ା ପ୍ରାୟ। ନା କୌଣସି କ୍ଷମତା ରହିଛି ନା କୌଣସି ଥାଟବାଟ। କେବଳ ସାଂସଦ ବା ବିଧାୟକଟିଏ ହୋଇ ନିଜକୁ ସୀମିତ ରଖିଛନ୍ତି ସେମାନେ। ଏହି ତାଲିକାରେ ବ୍ରହ୍ମପୁରର ପ୍ରଦୀପ ପାଣିଗ୍ରାହୀ, ନିମାପଡ଼ାର ପୂର୍ବତନ ବିଧାୟକ ସମୀର ରଞ୍ଜନ ଦାଶ ରହିଛନ୍ତି। ସିଦ୍ଧାନ୍ତ ମହାପାତ୍ର, ସୀମାରାଣୀ ନାୟକ, ଅମରେନ୍ଦ୍ର ଦାସ, ପ୍ରଶାନ୍ତ ଜଗଦ୍ଦେବ, ସନ୍ତୋଷ ଖଟୁଆ ପ୍ରଭୃତିଙ୍କ ନାଁ ସାମିଲ ରହିଛି।
ଏହି ନେତାଙ୍କୁ ଅଲୋଡ଼ା ବୋଲି ବିଜେଡି ଦିନେ ଚିନ୍ତା କରିଥିଲା। ଟିକଟ ଦେଇନଥିଲା। କିନ୍ତୁ ସେମାନେ ବିଜୟ ଆଣିଲେ। ସିଦ୍ଧାନ୍ତ, ଅମରେନ୍ଦ୍ର, ସୀମାରାଣୀଙ୍କୁ ଏଠାରେ ଉଲ୍ଲେଖ କରାଯାଇପାରେ। ଦଳର ୪ଜଣ ମହିଳା ବିଧାୟକଙ୍କ ଭିତରେ ସୀମାରାଣୀ ରହିଛନ୍ତି। ପୁଣି ବାଚସ୍ପତି ସୁରମା ପାଢ଼ୀଙ୍କ ପରେ ସେ ଦଳର ସବୁଠାରୁ ବରିଷ୍ଠ ମହିଳା ବିଧାୟକ। ୨୦୨୪କୁ ମିଶାଇ ୩ଥର ସେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି, ହେଲେ ତାଙ୍କୁ କୌଣସି ଦାୟିତ୍ୱ ମିଳି ନାହିଁ।
ଏମାନଙ୍କଠାରୁ କିନ୍ତୁ ପ୍ରଦୀପ ପାଣିଗ୍ରାହୀ ସ୍ୱତନ୍ତ୍ର। କାରଣ ୨୦୨୪ ନିର୍ବାଚନ ପୂର୍ବରୁ ନବୀନଙ୍କ ନାଁ ଓ ଚିହ୍ନ ସବୁକିଛି ଧ୍ୱଂସ କରିବା ପାଇଁ ଶପଥ ନେଇଥିବା ପ୍ରଦୀପ, ତାହା କରି ଦେଖାଇଥିଲା। ବିଜେଡିର ନୀତି ନିର୍ଦ୍ଧାରକ ପାଣ୍ଡିଆନ୍ଙ୍କ ବିରୁଦ୍ଧରେ ଖୋଲା ଚ୍ୟାଲେଞ୍ଜ ଦେଇଥିବା ନେତା ହେଉଛନ୍ତି ପ୍ରଦୀପ। ଏବେ କିନ୍ତୁ ଏହି ଇମ୍ପୋର୍ଟେଡ୍ ନେତା ତାଲିକାର ଟପରେ ସେ ରହିଛନ୍ତି, ଯାହାଙ୍କୁ ଦଳ ଉପେକ୍ଷା କରିଛି।
ଶଙ୍ଖ ଦଳ ଛାଡ଼ି ସେ ପଦ୍ମ ଧରିବା ପରେ ଓଡ଼ିଶାରେ ଏକ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଥିଲା। ତାଙ୍କର ଲୋକପ୍ରିୟ ଡାଏଲଗ ଲେଖା ଛିଣ୍ଡେଇ ଦେବା ଏବଂ ବିଜେଡିକୁ ଶାଣିତ ସ୍ୱରରେ ଟାର୍ଗେଟ୍ ପାଇଁ ସେ ଆଲୋଚନାର ପରିସରକୁ ଆସିଥିଲେ। କୁହାଯାଉଥିଲା ରାଜ୍ୟରେ ପଦ୍ମ ଫୁଟିବା ପଛରେ ତାଙ୍କର ଏକ ଗୁରୁତ୍ଵପୂର୍ଣ୍ଣ ଅବଦାନ ରହିଛି। ବିଶେଷ କରି ଗଞ୍ଜାମର ରାଜନୀତିକୁ ଦୀର୍ଘ ବର୍ଷ ଧରି ନିୟନ୍ତ୍ରଣ କରି ଆସୁଥିବା ପ୍ରଦୀପ ୨୦୨୪ ନିର୍ବାଚନରେ ଜିଲ୍ଲାରେ ବିଜେପିକୁ କୁଆଡ଼େ ସଫଳତା ଦେଇଛନ୍ତି।
ସମ୍ପ୍ରତି ଜିଲ୍ଲାର ୧୩ ବିଧାନସଭାରୁ ୧୧ ଓ ଦୁଇଟି ଲୋକସଭା ଆସନ ବିଜେପି ଦଖଲରେ ରହିଛି। ପ୍ରଦୀପ ନିଜେ ବ୍ରହ୍ମପୁର ଲୋକସଭା ଆସନରୁ ସାଂସଦ ଭାବେ ବିଜୟୀ ହୋଇଛନ୍ତି। ରାଜ୍ୟରେ ସରକାର ଗଢ଼ିବାରେ ବି ଏହା ବେଶ୍ ସହାୟକ ହୋଇଛି। ଆଉ ଏହା ପଛରେ ତାଙ୍କ ରୋକଠୋକ୍ କଥା ଓ ଦମଦାର ଭାଷଣ ହିଁ କମାଲ୍ କରିଥିବା କୁହାଯାଉଛି।
କିନ୍ତୁ ନିର୍ବାଚନ ପରେ ସେ ବିଶେଷ ଆକ୍ଟିଭ୍ ନ ଥିବା ଆଲୋଚନା ହେଲାଣି। ଚର୍ଚ୍ଚା ପ୍ରକାରେ, ବିଜେପିରେ ସାଂସଦ ପ୍ରଦୀପ କୋଣଠେସା ହୋଇ ରହିଛନ୍ତି। ସରକାର ବଦଳିବା ପରେ ତାଙ୍କ ଢାଞ୍ଚା ଓ ଠାଣି ବି ବଦଳିଛି । ତାଙ୍କ ଅମାନିଆ ତୁଣ୍ଡର ଗର୍ଜନ ଉପରେ ଦଳ ବ୍ରେକ୍ ଲଗାଇଛି । ବିଜେଡି ସମୟରେ ଯେଉଁ କାଟ୍ତି ଥିଲା ତାହା ଆଉ ନାହିଁ।
ସେହିପରି ବ୍ରହ୍ମପୁରକୁ ଆଖିଦୃଷ୍ଟିଆ ଗସ୍ତ ନ କରିବା ଫଳରେ ସାଧାରଣରେ ନାନା ଆଲୋଚନା ବଢ଼ିଲାଣି। ସାଧାରଣ ଲୋକେ ମଧ୍ୟ ତାଙ୍କର କାଁ ଭାଁ ଗସ୍ତକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। କିଛି ସରକାରୀ ଏବଂ ସ୍ଵଳ୍ପ ଦଳୀୟ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳୁଛି। ଏହା ପଛରେ ସ୍ଥାନୀୟ ଦଳୀୟ ବିବାଦ ଏକ ପ୍ରମୁଖ ସମସ୍ୟା ବୋଲି ଆଲୋଚନା ହେଉଛି।
ଅସଲ ବନାମ୍ ଆମଦାନୀ ନେତାଙ୍କ ମଧ୍ୟରେ ଲଢ଼େଇ ହିଁ ଏହାର ମୂଖ୍ୟ କାରଣ ବୋଲି କୁହାଯାଉଛି। ନିର୍ବାଚନ ପୂର୍ବରୁ ଜିଲ୍ଲାରେ ସେ ଯେଉଁ ପ୍ରସଙ୍ଗକୁ ମୂଳପ୍ରସଙ୍ଗ କରିଥିଲେ ସେ ନେଇ ମଧ୍ୟ ଆଉ କୌଣସି ବିବୃତି ରଖୁନାହାଁନ୍ତି। ଗତ କିଛିମାସ ପୂର୍ବରୁ ଗଣମାଧ୍ୟମରେ ବିଜେଡିର ପାଞ୍ଜି ଖୋଲିବା କଥା କହିଥିଲେ। ହେଲେ ମାସ ପରେ ମାସ ଗଡ଼ି ଚାଲିଥିଲେ ବି ସେହି ପ୍ରସଙ୍ଗର ସ୍ୱର କି ଶବ୍ଦ ନାହିଁ।
କୁହାଯାଉଛି, ଦଳର ଅଦୃଶ୍ୟ ଶକ୍ତିର ଚାପରେ ସେ ଚେପା ହୋଇ ରହିଛନ୍ତି। ନିଜ ଇଚ୍ଛା ମୁତାବକ ମନ୍ତବ୍ୟରୁ ତାଙ୍କୁ କ୍ଷାନ୍ତ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଶୁଣିବାକୁ ମିଳୁଛି। ଯଦିଓ ଦଳ ବଦଳାଇ ବିଜେଡି ବିରୋଧରେ ପ୍ରତିଶୋଧ ନେଇଛନ୍ତି, ତଥାପି ଗେରୁଆ ଦଳରେ ଥିବା ନୀତି ନିୟମର ଛାଟ ତାଙ୍କୁ କୁଆଡ଼େ ସଠିକ୍ ରାସ୍ତାକୁ ଆଣିଦେଇଛି।
୨୦୨୦ରେ ଜନ ବିରୋଧୀ ନେତାର ଆଖ୍ୟା ପାଇ ବିଜେଡିରୁ ତଡ଼ା ଖାଇବା ପରେ ତାଙ୍କୁ ନେଇ ଚର୍ଚ୍ଚା ବଢ଼ିଥିଲା। ଅନେକ ବାଦ ବିବାଦ ଭିତରେ ୨୦୨୫ ଫେବୃଆରୀ ୨୧ରେ ସେ ପଦ୍ମ ଶିବିରରେ ଏଣ୍ଟ୍ରି ମାରିଥିଲେ। ସାଧାରଣ ନିର୍ବାଚନରେ ଦଳର ଅନ୍ୟ ଏକ ପ୍ରମୁଖ ଚେହେରା ବି ଥିଲେ। ଅନେକ ପ୍ରସଙ୍ଗରେ ଅନର୍ଗଳ କହିଥିଲେ। କିନ୍ତୁ ସମୟ କ୍ରମେ ସ୍ଵର ଥରିବା ସହ ଏବେ ଦଳରେ ତାଙ୍କ ପତିଆରା ଧୀରେ ଧୀରେ ହ୍ରାସ ପାଉଥିବା ରାଜନୈତିକ ପଣ୍ଡିତମାନେ ଆକଳନ କରୁଛନ୍ତି।
କିନ୍ତୁ ୨୦୨୯ରେ ସେ ସ୍ୱର କୁଆଡ଼େ ମୋଡ଼ିବ ତାକୁ ଏବେଠୁ ଆକଳନ କରିବା ମୁସ୍କିଲ୍ । ଏଣୁ ଅପେକ୍ଷା କରିବା। ଘଟୁଥିବା ଘଟଣାଗୁଡ଼ିକୁ ଆପଣଙ୍କ ସାମ୍ନାକୁ ଆଣି ରାଜନୀତିକ ସଚେତନତା ସୃଷ୍ଟି କରିବା।
Also readhttps://purvapaksa.com/kalapahad-of-new-era/
