ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଆସନରେ ବସିବାରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ରେକର୍ଡ ସୃଷ୍ଟି କରିଥିବା ବିଜୁ ଜନତା ଦଳର ନେତା ନବୀନ ପଟ୍ଟନାୟକ ଏବେ ରୋଗରେ ପଡ଼ି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ସ୍ୱାସ୍ଥ୍ୟ ଖରାପକୁ ନେଇ ସମଗ୍ର ରାଜ୍ୟବାସୀ, ବିଜୁ ଜନତା ଦଳର ନେତା, ପିସିସି ସଭାପତିଙ୍କ ସମେତ ରାଜ୍ୟ ସରକାର ଚିନ୍ତାରେ ଅଛନ୍ତି। ଏଭଳି କ୍ଷେତ୍ରରେ ନବୀନଙ୍କୁ ଗତ ନିର୍ବାଚନ ପୂର୍ବରୁ ଅଦ୍ୟାବଧି ନଜରବନ୍ଦୀ କରି ରଖିଥିବା ତାଙ୍କ କର୍ମଚାରୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ରାଜ୍ୟବାସୀଙ୍କ ସହିତ ଲୁଚକାଳି ଖେଳୁଛନ୍ତି। ଏପରିକି ନବୀନଙ୍କୁ ଦେଖିବାକୁ ଡାକ୍ତରଖାନାକୁ ଯାଇଥିବା ଦଳୀୟ ନେତା ଓ ସରକାରଙ୍କ ମନ୍ତ୍ରୀଙ୍କୁ ସେ ଅନୁମତି ଦେଇନାହାନ୍ତି। କାରଣ ନବୀନଙ୍କର କେହି ଉତ୍ତରାଧିକାରୀ ନ ଥିବାରୁ ପାଣ୍ଡିଆନ୍ ଦମ୍ପତ୍ତି ତାଙ୍କୁ ନିଜର ବ୍ୟକ୍ତିଗତ ସମ୍ପତ୍ତି ଭାବରେ ବ୍ୟବହାର କରୁଛନ୍ତି।
ଆଜିକୁ ପ୍ରାୟ ୨ ବର୍ଷ ତଳର ଘଟଣା। ନିର୍ବାଚନ ବାତାବରଣ ଯେତେବେଳେ ରାଜ୍ୟକୁ କବଳିତ କରି ରଖିଥିଲା ସେତେବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡିରେ ଶଶିକଳା ସିଣ୍ଡ୍ରୋମ୍ ଚାଲିଛି ବୋଲି ଅଭିଯୋଗ କରିଥିଲେ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘନିଷ୍ଠ ସେବକ ଭିକେ ପାଣ୍ଡିଆନ୍ଙ୍କୁ ନେଇ ଗଣମାଧ୍ୟମରେ ଏହା ବେଶ୍ ଚର୍ଚ୍ଚିତ ହୋଇଥିଲା। ଆଜି ପୁଣି ସେ ଚର୍ଚ୍ଚା ସାମ୍ନାକୁ ଆସିଛି। ନିର୍ବାଚନରେ ବିଫଳତାକୁ ନେଇ ଦୀର୍ଘଦିନର ନୀରବତା ପରେ ପୁଣି ମୁଣ୍ଡ ଟେକିଛନ୍ତି ପାଣ୍ଡିଆନ୍।
ନବୀନ ରୋଗଶଯ୍ୟାରେ ପଡ଼ିଥିବାବେଳେ ବିଜେଡିର କୌଣସି ନେତା ବା ରାଜ୍ୟର ମନ୍ତ୍ରିମଣ୍ଡଳ ସଦସ୍ୟ ଓ ପିସିସି ସଭାପତିଙ୍କୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବାକୁ ବି ସେ ଛାଡ଼ି ଦେଉନଥିବା ଅଭିଯୋଗ ହେଉଛି। ଯେମିତି ନବୀନଙ୍କୁ ନିଜର ବ୍ୟକ୍ତିଗତ ସମ୍ପତ୍ତିଭାବେ ବ୍ୟବହାର କରୁଛନ୍ତି ପାଣ୍ତିଆନ୍। ଅବିକଳ ଏମିତି ଏକ ଅବସ୍ଥା ତାମିଲନାଡ଼ୁରେ ସୃଷ୍ଟି ହୋଇଥିଲା ଯେତେବେଳେ ଜୟଲଳିଥା ଡାକ୍ତରଖାନାରେ ପଡ଼ିଥିଲେ। ସେତେବେଳେ ତାଙ୍କ ସହଯୋଗୀ ଶଶିକଳାଙ୍କ ବିନା ଅନୁମତିରେ ହସ୍ପିଟାଲରେ ପ୍ରବେଶ କରିବା ଅସମ୍ଭବ ଥିଲା। ଆଜି ସେ କାହାଣୀର ପୁନରାବୃତ୍ତି ହେଉଛି କି? ଯେଉଁଥିରେ କେବଳ ସ୍ଥାନ, କାଳ ପାତ୍ରରେ ପରିବର୍ତ୍ତନ ହୋଇଛି।
ପୂର୍ବତନ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବରେ ନବୀନ ପଟ୍ଟନାୟକ ରାଜ୍ୟର ସମ୍ପତ୍ତି। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ରାଜ୍ୟବାସୀ, ରାଜ୍ୟ ସରକାର ତଥା ବିଜୁ ଜନତା ଦଳର ନେତା ଓ କର୍ମୀ ଜାଣିବା ଆବଶ୍ୟକ। କିନ୍ତୁ ପ୍ରାୟ ଦୁଇବର୍ଷରୁ ଅଧିକ ସମୟ ଧରି ନବୀନଙ୍କୁ ନିଜ କବ୍ଜାରେ ରଖିଛନ୍ତି ପାଣ୍ଡିଆନ୍। ପାଣ୍ଡିଆନ୍ଙ୍କ ବିନା ଅନୁମତିରେ ନବୀନଙ୍କ ସହିତ ବିଜୁ ଜନତା ଦଳର ନେତା, କର୍ମୀ ସାକ୍ଷାତ୍ କରିବା ଅସମ୍ଭବ। ଯେପରି ପାଣ୍ଡିଆନ୍ ଜନ୍ମ ହୋଇଥିବା ରାଜ୍ୟ ତାମିଲନାଡୁରେ ଜୟଲଳିଥାଙ୍କ କ୍ଷେତ୍ରରେ ଶଶୀକଳା କରୁଥିଲେ। ସେହି ତାମିଲନାଡୁର କବ୍ଜା ସଂସ୍କୃତି ଏବେ ଓଡ଼ିଶାରେ ବ୍ୟାପିବାରେ ଲାଗିଛି।
କିଛିଦିନ ତଳେ ନବୀନଙ୍କର ଅପରେସନ ପାଇଁ ତାଙ୍କୁ ମୁମ୍ବାଇ ନିଆଯାଇଥିଲା। ସେହି ସମୟରେ ଦଳର କିଛି ସାଂସଦ ଓ ପଦାଧିକାରୀମାନେ ନବୀନଙ୍କୁ ଦେଖିବା ପାଇଁ ମୁମ୍ବାଇ ଯାଇଥିଲେ। କିନ୍ତୁ ସେହି ଦଳୀୟ ନେତାମାନଙ୍କର ନବୀନଙ୍କ ସହିତ ଡାକ୍ତରଖାନାରେ ସାକ୍ଷାତ୍ ହୋଇପାରିନଥିଲା। ଅଥଚ ସେହି ଚାଟୁକାର ନୋତାମାନେ ନବୀନଙ୍କୁ ଡାକ୍ତରଖାନାରେ ଭେଟିଲେ ଓ ନବୀନ ସେମାନଙ୍କୁ ଦେଖି ଖୁସି ହେଲେ ବୋଲି ଗଣମାଧ୍ୟମରେ ଅପପ୍ରଚାର କଲେ। କିନ୍ତୁ ପରେ ସେମାନେ ମିଛ କହିଥିବା ଜଣାପଡ଼ିଥିଲା। ଏହି ମିଛ କହିଥିବା ନେତାମାନେ ପାଣ୍ଡିଆନ୍ଙ୍କ କ୍ୟାମ୍ପର।
ଚିକିତ୍ସିତ ହୋଇ ନବୀନ ଭୁବନେଶ୍ୱର ଆସିବା ପରେ ଦଳର କୌଣସି ନେତାଙ୍କୁ ଭେଟି ନାହାନ୍ତି। ତାଙ୍କର ସମସ୍ତ ଦାୟିତ୍ୱ ପାଣ୍ଡିଆନ୍ ଦମ୍ପତ୍ତି ବୁଝୁଛନ୍ତି। ଏପରି କ୍ଷେତ୍ରରେ ଦୁଇଦିନ ତଳୁ ନବୀନଙ୍କ ଦେହ ଖରାପ ହୋଇଥିଲେ ହେଁ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ଅଣାଯାଇନଥିଲା। ପରିସ୍ଥିତି ଅଣାୟତ ହେବାରୁ ଗତକାଲି ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନବୀନଙ୍କୁ ଦେଖିବା ପାଇଁ ବିଜେଡିର ଅନେକ ନେତା, ପିସିସି ସଭାପତି ଭକ୍ତ ଦାସ, ମୁଖ୍ୟମନ୍ତ୍ରୀଙ୍କ ନିଧିଭାବେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଡାକ୍ତରଖାନାକୁ ଯାଇଥିଲେ। ଏମାନେ କେହି ନବୀନଙ୍କୁ ଭେଟି ନ ପାରି କେବଳ ଡାକ୍ତରଙ୍କ ସହିତ ଆଲୋଚନା କରି ଫେରିଆସିବାକୁ ବାଧ୍ୟ ହୋଇଛନ୍ତି।
କିନ୍ତୁ ଗତକାଲି ଡାକ୍ତରଖାନରେ ବିଜେଡି ନେତାମାନଙ୍କ ସହିତ ପାଣ୍ଡିଆନ୍ ଯେପରି ବ୍ୟବହାର କଲେ ତାହା ଚିନ୍ତାଜନକ। ବିଜେଡିର ୮ଥରର ବିଧାୟକ ତଥା ଦଳର ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ପାଣ୍ଡିଆନ୍ ଧମକ ଦେଇଥିବା ଚର୍ଚ୍ଚା ହେଉଛି। ପ୍ରତକ୍ଷଦର୍ଶୀଙ୍କ କହିବାନୁସାରେ ନବୀନଙ୍କ ଅସୁସ୍ଥତା ସମ୍ପର୍କରେ ଖବର ପାଇ ଡାକ୍ତରଖାନାରେ ଦଳୀୟ ନେତାଙ୍କ ପ୍ରବଳ ଭିଡ଼ ଜମିଥିଲା। ସେହି ଡାକ୍ତରଖାନାର ତୃତୀୟ ମହଲାରେ ନବୀନ ଚିକିତ୍ସାଧୀନ ଥିବାବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଜାଣିବା ପାଇଁ ଦ୍ୱିତୀୟ ମହଲାରେ ବିଜେଡିର ବହୁ ବରିଷ୍ଠ ନେତା ବସି ରହିଥିଲେ। ସେଠାରେ ଉପସ୍ଥିତ ଥିବା ନେତାମାନଙ୍କ ମଧ୍ୟରୁ ୨ଜଣ ବରିଷ୍ଠ ନେତାଙ୍କ ସୂଚନା ଅନୁସାରେ ରାତି ପ୍ରାୟ ୭ଟା ୩୦ରେ ସୁଜାତା ରାଉତ ପାଣ୍ଡିଆନ୍ କେତେଜଣ ଡାକ୍ତରଙ୍କ ସହିତ ତୃତୀୟ ମହଲା ଆଡ଼କୁ ଯିବା ସମୟରେ ଦ୍ଵିତୀୟ ମହଲାରେ ଉପସ୍ଥିତ ବହୁ ନେତା ଠିଆହୋଇ ତାଙ୍କୁ ନମସ୍କାର କରିଥିଲେ। ହେଲେ ଦଳର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୁଜାତାଙ୍କୁ ପ୍ରଶ୍ନ କରିଥିଲେ ଯେ, ଯଦି ନବୀନବାବୁଙ୍କ ଦେହ ଦୁଇଦିନ ହେଲା ଖରାପ ଥିଲା, ତେବେ ତାଙ୍କୁ କାହିଁକି ଏତେ ବିଳମ୍ବରେ ହସ୍ପିଟାଲକୁ ଅଣାଗଲା। ଏ ସମ୍ପର୍କରେ ଦଳର ଅନ୍ୟ ନେତାମାନଙ୍କୁ କାହିଁକି ଖବର ଦିଆଗଲା ନାହିଁ। କ’ଣ ଏଠାରେ ଚାଲିଛି ବୋଲି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରଶ୍ନ ଉଠାଇଥିଲେ। ରଣେନ୍ଦ୍ରଙ୍କ ପ୍ରଶ୍ନର କୌଣସି ଉତ୍ତର ନ ଦେଇ ସୁଜାତା ତୃତୀୟ ମହଲା ଆଡ଼କୁ ଚାଲିଯାଇଥିଲେ। ଏହାର କିଛି ସମୟ ପରେ ପିସିସି ସଭାପତି ଭକ୍ତ ଚରଣ ଦାସ ହସ୍ପିଟାଲର ତୃତୀୟ ମହଲାରେ ପହଞ୍ଚି ନବୀନଙ୍କୁ ଦେଖିବାକୁ ଚାହିଁଥିଲେ। ହେଲେ ତାଙ୍କୁ ସୁଯୋଗ ଦିଆଯାଇନଥିଲା। ଏହାପରେ ସେଠାରେ ଭି.କେ. ପାଣ୍ଡିଆନ୍ ପହଞ୍ଚି ସାକ୍ଷାତ୍ ହୋଇପାରିବ ନାହିଁ ବୋଲି କହିବାରୁ କିଛିସମୟ ଯୁକ୍ତିତର୍କ ହୋଇଥିଲା। ଏହାପରେ ପାଣ୍ଡିଆନ୍ ରାଗ ତମତମ ହୋଇ ତୃତୀୟ ମହଲାରୁ ଆସି ଦ୍ୱିତୀୟ ମହଲାରେ ପହଞ୍ଚିଥିଲେ। ‘ଆଇ ଆମ୍ ଡାଉନ୍, ନଟ୍ ଆଉଟ୍’ ବୋଲି ପାଣ୍ଡିଆନ୍ କହିବା ସହ ଗୋଟାଏ ମିନିଟ୍ରେ ଦଳରୁ ସସ୍ପେଣ୍ଡ କରିଦେବି ବୋଲି ପରୋକ୍ଷରେ ରଣେନ୍ଦ୍ରଙ୍କୁ ଇଙ୍ଗିତ କରି ଚାଲିଯାଇଥିବା ସେଠି ଉପସ୍ଥିତ ଅନ୍ୟ କେତେଜଣ ନେତା କହିଛନ୍ତି। ଏପରିକି ପାଣ୍ଡିଆନ୍ଙ୍କ ଏପରି ବ୍ୟବହାରକୁ ତାଙ୍କର ଗୋଡ଼ାଣିଆ ସାଜିଥିବା କେତେକ ନେତା ସମର୍ଥନ କରିଥିବା ଦେଖିବାକୁ ମିଳିଥିଲା।
ଏଠାରେ ଗୋଟିଏ କଥା ମନେପକାଇ ଦିଆଯାଇପାରେ। ତାହା ହେଲା ଦଳ ହାଇଜାକ୍ ନେଇ ଗତ ଏପ୍ରିଲମାସରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯେଉଁ ଆଶଙ୍କା କରି ନବୀନଙ୍କୁ ଚିଠି ଲେଖିଥିଲେ ତାହା ସତ ବୋଲି ପ୍ରମାଣିତ ହେବାକୁ ଯାଉଛି। କାରଣ ଏବେ ନବୀନଙ୍କୁ ପାଣ୍ଡିଆନ୍ ଦମ୍ପତ୍ତି ହାଇଜାକ୍ କରିନେଇ ନିଜର ବ୍ୟକ୍ତିଗତ ସମ୍ପତ୍ତି ଭାବରେ ବ୍ୟବାହାର କରୁଛନ୍ତି।
ଗତ ନିର୍ବାଚନ ସମୟରେ ନବୀନଙ୍କ ସ୍ୱାସ୍ଥ୍ୟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିନ୍ତା ପ୍ରକଟ କରିଥିଲେ। ଏପରିକି ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଏକ କମିଟି ମାଧ୍ୟମରେ ଅନୁଧ୍ୟାନ କରାଯିବ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ନିର୍ବାଚନରେ ଯାହା ଯାହା କହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାହାକୁ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି। ନୀବନଙ୍କ ସ୍ୱାସ୍ଥ୍ୟ ନେଇ ମୋଦୀ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହାକୁ ରାଜ୍ୟ ସରକାର ପାଳନ କରିବା ପାଇଁ ଉପଯୁକ୍ତ ସମୟ ଆସି ପହଞ୍ଚଛି। କାରଣ ତାଙ୍କଦ୍ୱାରା ପଠାଇ ଯାଇଥିବା ମନ୍ତ୍ରିମଣ୍ଡଳର ଦୁଇଜଣ ପ୍ରତିନିଧିଙ୍କୁ ପାଣ୍ଡିଆନ୍ ନବୀନଙ୍କୁ ଦେଖା କରାଇ ଦେଇନାହାନ୍ତି। ପ୍ରତିନିଧି ମଣ୍ଡଳିରେ ଥିବା ମୁକେଶ ମହାଲିଙ୍ଗ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ହୋଇଥିବାରୁ ନବୀନଙ୍କୁ ସାକ୍ଷାତ୍ କରି ତାଙ୍କ ଚିକିତ୍ସା ବାବଦରେ ତଦାରଖ କରିବାର ଅଧିକାର ରହିଛି। କିନ୍ତୁ ନବୀନଙ୍କର ଜଣେ ସେବାକାରୀ ସରକାରଙ୍କୁ ଅବରୋଧ କରିବା ଦୁଃସାହାସ ଛଡ଼ା ଆଉ କିଛି ହୋଇନପାରେ।
ନବୀନଙ୍କର କେହି ଉତ୍ତରାଧିକାରୀ ନ ଥିବାରୁ, ସେ ରାଜ୍ୟର ସମ୍ପତ୍ତି। ମୁଖ୍ୟମନ୍ତ୍ରୀ ତୁରନ୍ତ ଏକ କମିଟି ଗଠନ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତିଶ୍ରୁତି ପାଳନ କରିବା ଆବଶ୍ୟକ। ଜଣେ କେହି ବାହାର ରାଜ୍ୟର ଲୋକ ବିଜେଡି ନେତା, ପିସିସି ସଭାପତି ଓ ସରକାରଙ୍କ ପ୍ରତିନିଧି ଭାବରେ ଯାଇଥିବା ମନ୍ତ୍ରୀଙ୍କୁ ନାଲିଆଖି ଦେଖାଇବା କେତେଦୂର ଗ୍ରହଣୀୟ ଆପଣମାନେ ବିଚାର କରନ୍ତୁ।
Also readhttps://purvapaksa.com/bhakta-will-fall-into-his-own-pit/
Bhakta will fall into his own pit II ନିଜ ଗାତରେ ନିଜେ ପଡ଼ିବେ ଭକ୍ତ !
