ଭାରତୀୟ ଇତିହାସରେ ଗୋଟିଏ ନାଁ ଆଜି ପର୍ଯ୍ୟନ୍ତ ଉଦାହରଣ ଭାବେ ଉଚ୍ଚାରିତ ହୁଏ— ମହମ୍ମଦ ବିନ୍ ତୁଗଲକ । ୧୩୨୫ରୁ ୧୩୫୧ ପର୍ଯ୍ୟନ୍ତ ଦିଲ୍ଲୀ ସୁଲତାନତର ୧୮ତମ ସୁଲତାନ ଥିବା ତୁଗଲକଙ୍କୁ ଇତିହାସ ଏକ ଅଜବ ପରିଚୟ ଦେଇଛି— “ଜ୍ଞାନୀ ମୂର୍ଖ ”। ତାଙ୍କ ଭିତରେ ଭବିଷ୍ୟତ୍ ଦୃଷ୍ଟି ଥିଲା, କିନ୍ତୁ କାର୍ଯ୍ୟାନ୍ୱୟନରେ ଅସଫଳତା ଓ ଅତିରିକ୍ତ ଆତ୍ମବିଶ୍ୱାସ ତାଙ୍କୁ ଲୋକମୁଖରେ ବିଚିତ୍ର ଚରିତ୍ରରେ ପରିଣତ କରିଦେଲା । ଦିଲ୍ଲୀରୁ ଦୌଲତାବାଦ ଏବଂ ପୁଣି ଦୌଲତାବାଦରୁ ଦିଲ୍ଲୀକୁ ରାଜଧାନୀ ସ୍ଥାନାନ୍ତରଣ— ଏକ ପ୍ରୟାସ ଯାହାର ଉଦ୍ଦେଶ୍ୟ ରାଜନୈତିକ ଓ ପ୍ରଶାସନିକ ସୁଧାର ଥିଲା, କିନ୍ତୁ ପରିଣାମ ହେଲା ଜନକଷ୍ଟ, ଅସନ୍ତୋଷ ଓ ଅସ୍ଥିରତା।
ଇତିହାସର ଏହି ଉଦାହରଣ ଆଜି କାହିଁକି ଉଲ୍ଲେଖ କରାଯାଉଛି ? କାରଣ ଓଡ଼ିଶାର ବର୍ତ୍ତମାନ ବିଜେପି ଶାସନରେ ନିଷ୍ପତ୍ତି ନେବା ପରେ ତାହାକୁ ପୁଣି ପଛକୁ ନେବାର ଯେଉଁ ଧାରା ଦେଖାଯାଉଛି, ତାହା ଆମକୁ ତୁଗଲକଙ୍କ ସ୍ମୃତି ମନେ ପକାଏ । ବିଶେଷକରି ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUCC) ସମ୍ବନ୍ଧୀୟ “ନାହିଁ ପ୍ରମାଣପତ୍ର, ନାହିଁ ଇନ୍ଧନ” ନିଷ୍ପତ୍ତି ଏବଂ ସେହି ନିଷ୍ପତ୍ତିର ପରିବର୍ତ୍ତନ ଏକ ଗଭୀର ପ୍ରଶ୍ନ ଉଠାଇଛି— ଶାସନରେ ଦୃଢ଼ତା କେଉଁଠି ? ପ୍ରସ୍ତୁତି କେଉଁଠି ? ଏବଂ ଦାୟିତ୍ୱବୋଧ କେଉଁଠି?

ନିଷ୍ପତ୍ତିର ଆରମ୍ଭ: କଡ଼ା ଘୋଷଣା
ଡିସେମ୍ବର ୨୦୨୫ର ଶେଷ ଭାଗରେ ରାଜ୍ୟ ସରକାର, ଓଡ଼ିଶା ରାଜ୍ୟ ପରିବହନ ପ୍ରାଧିକରଣ (STA) ମାଧ୍ୟମରେ ଏକ କଡ଼ା ନିର୍ଦ୍ଦେଶ ଜାରି କଲେ— ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUCC) ନ ଥିବା ଯାନକୁ ପେଟ୍ରୋଲ କିମ୍ବା ଡିଜେଲ ଦିଆଯିବ ନାହିଁ । ଦିଲ୍ଲୀରେ ଚାଲୁଥିବା “ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ନ ଥିଲେ, ପେଟ୍ରୋଲ-ଡିଜେଲ ମିଳିବ ନାହିଁ” ଦିଲ୍ଲୀ ମଡେଲକୁ ଅନୁସରଣ କରି ଏହି ନିଷ୍ପତ୍ତି ନିଆଯାଇଥିଲା । ଏହାର ମୂଳ ଉଦ୍ଦେଶ୍ୟ ଥିଲା— ମୋଟର ଯାନ ଆଇନ ଅନୁଯାୟୀ ପ୍ରଦୂଷଣ ମାନଦଣ୍ଡକୁ କଡ଼ାକଡ଼ି ପାଳନ କରାଇବା । ପରିବେଶ ସୁରକ୍ଷା ଏବଂ ବାୟୁର ଗୁଣମାନ ଉନ୍ନତି ପାଇଁ ଏହି ନିଷ୍ପତ୍ତିକୁ ଅନେକେ ସ୍ୱାଗତ କରିଥିଲେ । କିନ୍ତୁ ପ୍ରଶ୍ନ ହେଉଛି— ଏହି ନିୟମ ପାଳନ ପାଇଁ ଭିତ୍ତିଭୂମି ପ୍ରସ୍ତୁତି କେତେ ଦୃଢ଼ ଥିଲା?
ଘୋଷଣା ପରେ ଅସ୍ଥିରତା
ଏହି ନିୟମକୁ ୧ ଜାନୁଆରୀ ୨୦୨୬ରୁ ଲାଗୁ କରିବାର ଯୋଜନା ହୋଇଥିଲା । କିନ୍ତୁ ଘୋଷଣା ପରେ ସମଗ୍ର ରାଜ୍ୟରେ ପ୍ରଦୂଷଣ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଅସାଧାରଣ ଭିଡ଼ ଦେଖାଦେଲା । ଯାନ ମାଲିକମାନେ ଦିନ ଦିନ ଧରି ଲାଇନ୍ରେ ଠିଆ ହୋଇଥିବା ଦେଖିବାକୁ ମିଳିଲା । ଅନେକ ସ୍ଥାନରେ ଯନ୍ତ୍ର ଅଭାବ, କର୍ମଚାରୀ ଅଭାବ ଏବଂ ପ୍ରଶାସନିକ ବ୍ୟବସ୍ଥାର ଅସମ୍ପୂର୍ଣ୍ଣତା ପ୍ରକାଶ ପାଇଲା। ଫଳସ୍ୱରୂପ, ସରକାର ନିଷ୍ପତ୍ତିକୁ ୧ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କଲେ । ଏଠି ଆରମ୍ଭ ହେଲା ପ୍ରଶ୍ନ— ଯଦି ନିଷ୍ପତ୍ତି ସଠିକ୍ ଥିଲା, ତେବେ ପ୍ରସ୍ତୁତି କାହିଁକି ଅପର୍ଯ୍ୟାପ୍ତ? ଏବଂ ଯଦି ପ୍ରସ୍ତୁତି ଅପର୍ଯ୍ୟାପ୍ତ ଥିଲା, ତେବେ ଘୋଷଣା କାହିଁକି ଏତେ ତ୍ୱରାନ୍ୱିତ ହୋଇଥିଲା ? ଏହ କାହାକୁ ଲାଭ ଦେବା ପାଇଁ ଉଦ୍ଦିଷ୍ଟ ଥିଲା ।
ନ୍ୟାୟାଳୟର ହସ୍ତକ୍ଷେପ ଓ ପ୍ରତ୍ୟାହାର

ଜାନୁଆରୀ ୨୦୨୬ର ଶେଷ ଭାଗରେ ଓଡ଼ିଶା ହାଇକେର୍ଟ ଇନ୍ଧନ ପ୍ରତ୍ୟାଖ୍ୟାନର ଆଇନଗତତା ଉପରେ ପ୍ରଶ୍ନ ଉଠାଇଲେ। ନ୍ୟାୟାଳୟ ପ୍ରଶ୍ନ କଲେ— କୌଣସି ଆଇନଗତ ଆଧାର ବିନା ଏକ ମୂଳଭୂତ ସେବାକୁ ବନ୍ଦ କରାଯାଇପାରେ କି? ଏହା ପରେ ସରକାର କଠୋର “ନାହିଁ ପ୍ରମାଣପତ୍ର, ନାହିଁ ଇନ୍ଧନ” ନିଷ୍ପତ୍ତି”କୁ ପ୍ରତ୍ୟାହାର କଲେ। ପେଟ୍ରୋଲ ପମ୍ପଗୁଡ଼ିକୁ ପ୍ରମାଣପତ୍ର ଚାହିବାକୁ ଅନୁମତି ମିଳିଲା, କିନ୍ତୁ ଇନ୍ଧନ ଦେବା ପାଇ ମନା କରିବାକୁ ନୁହେଁ। ଏଠାରେ ଶାସନର ଛବିକୁ ଘାତ ଲାଗିଲା। ପ୍ରଥମେ କଡ଼ା ଘୋଷଣା, ପରେ ସ୍ଥଗିତ, ଶେଷରେ ପ୍ରତ୍ୟାହାର— ଏହା କ’ଣ ପ୍ରଶାସନିକ ଦୃଢ଼ତାର ପରିଚୟ, ନା କି ଅପ୍ରସ୍ତୁତିର ପ୍ରମାଣପତ୍ର?
ସମୟସୀମା ବୃଦ୍ଧି ଓ ନୂତନ ପଦକ୍ଷେପ
କୋର୍ଟ ନିଷ୍ପତ୍ତି ପୂର୍ବରୁ ମଧ୍ୟ ସରକାର ୧ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ସମୟସୀମା ବୃଦ୍ଧି କରିଥିଲେ। ପରେ ସବୁଜ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ବୈଧତା ଷ୍ଟିକର ବଣ୍ଟନ ଭଳି ପଦକ୍ଷେପ ନିଆଗଲା। ଏବେ ଦୁଇ ଦିନ ତଳେ ନିୟମ ଅନୁଯାୟୀ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ନ ଥିଲେ ବାଧ୍ୟତାମୂଳକ ଜରିମାନା ରହିଛି ଏବଂ ଆଇନଗତ ସମସ୍ୟା ଏଡ଼ାଇବା ପାଇଁ ଆବଶ୍ୟକ ବୈଧ ପ୍ରମାଣପତ୍ର ଆବଶ୍ୟକ ବୋଲି ମନ୍ତ୍ରୀ କହିଛନ୍ତି। ସମସ୍ତ ଏହି ପଦକ୍ଷେପରେ ମୂଳ କଥା ହେଉଛି— ନିଷ୍ପତ୍ତି ନେବା ପୂର୍ବରୁ ଯଥାର୍ଥ ପ୍ରସ୍ତୁତି ଆବଶ୍ୟକ। ନ ହେଲେ ନିଷ୍ପତ୍ତିର ଗମ୍ଭୀରତା କ୍ଷୀଣ ହୁଏ।
ବକ୍ତବ୍ୟରେ ମଧ୍ୟ ଦ୍ୱନ୍ଦ୍ୱ
ଏହି ପ୍ରସଙ୍ଗକୁ ଆହୁରି ଚର୍ଚ୍ଚିତ କରିଦେଲା ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କ ଅନ୍ୟ ଏକ ବକ୍ତବ୍ୟ। ଗତ ସପ୍ତାହରେ ସେ କହିଥିଲେ— ଆଗାମୀ ଦିନରେ ନିର୍ବାଚନ ଲଢ଼ିବାର ଇଚ୍ଛା ନାହିଁ। କିନ୍ତୁ ଦୁଇ ଦିନ ମଧ୍ୟରେ ସେ ଏହାକୁ ଖଣ୍ଡନ କଲେ।
ଏଠି ପ୍ରଶ୍ନ ଉଠେ— ଯଦି ନିଷ୍ପତ୍ତି ଓ ବକ୍ତବ୍ୟ ଏତେ ତ୍ୱରାନ୍ୱିତ ଭାବେ ବଦଳିଯାଏ, ତେବେ ଜନସାଧାରଣ କାହାକୁ ବିଶ୍ୱାସ କରିବେ?
‘ତୁଗଲକ’ ଉପମାର ଅର୍ଥ

ଏଠାରେ କାହାକୁ ବ୍ୟକ୍ତିଗତ ଆକ୍ରମଣ କରିବା ଉଦ୍ଦେଶ୍ୟ ନୁହେଁ। କିନ୍ତୁ ଇତିହାସ ଆମକୁ ଶିଖାଏ— ଭଲ ଉଦ୍ଦେଶ୍ୟ ଥିଲେ ମଧ୍ୟ ଯଦି ପ୍ରୟୋଗରେ ଅସ୍ଥିରତା ରହିଥାଏ, ତେବେ ଶାସନର ଛବି ଦୁର୍ବଳ ହୁଏ। ତୁଗଲକଙ୍କ ନୀତିର ମୂଳ ଉଦ୍ଦେଶ୍ୟ ଖରାପ ନଥିଲା, କିନ୍ତୁ ପ୍ରୟୋଗ ଅସଫଳ ହୋଇଥିଲା। ଆଜି ଓଡ଼ିଶାରେ ଯାହା ଘଟୁଛି, ତାହା ଆମକୁ ଏହି ପାଠ ମନେ ପକାଏ— ଶାସନରେ ସ୍ଥିରତା ଏବଂ ଦୃଢ଼ତା ଅତ୍ୟନ୍ତ ଆବଶ୍ୟକ।
ଶାସନର ପାଠ
୧. ଘୋଷଣା ପୂର୍ବରୁ ପ୍ରସ୍ତୁତି।
୨. ଆଇନଗତ ଆଧାର ସ୍ପଷ୍ଟତା।
୩. ପ୍ରଶାସନିକ ମେକାନିଜମ ସୁଦୃଢ଼ତା।
୪. ଜନସାଧାରଣ ସହିତ ସଂଯୋଗ।
ଯଦି ଏହି ଚାରି ଅଂଶ ଦୃଢ଼ ହୁଏ, ତେବେ ନିଷ୍ପତ୍ତି ଦୀର୍ଘକାଳୀନ ହୁଏ। ନଚେତ୍, ବାରମ୍ବାର ନିଷ୍ପତ୍ତି ପରିବର୍ତ୍ତନ ଶାସନକୁ ଅସ୍ଥିର ଭାବରେ ପ୍ରତିଷ୍ଠା କରେ। ଏହି ଚର୍ଚ୍ଚାର ମୂଳ ବିଷୟ କେବଳ ଏକ ନିୟମ ନୁହେଁ; ଏହା ଶାସନ ଶୈଳୀର ପ୍ରଶ୍ନ। ଇତିହାସର ତୁଗଲକ ଆଜି ଜୀବିତ ନୁହେଁ, କିନ୍ତୁ ତାଙ୍କ ଉଦାହରଣ ଆମକୁ ସଚେତନ କରେ— ଦୃଢ଼ତା ବିନା ସୁଧାର ସମ୍ଭବ ନୁହେଁ।
ଓଡ଼ିଶାର ଜନସାଧାରଣ ଆଜି ଆଶା କରୁଛନ୍ତି— ନିଷ୍ପତ୍ତି ଆସୁ, କିନ୍ତୁ ସେହି ନିଷ୍ପତ୍ତି ଦୃଢ଼ ହେଉ। ଘୋଷଣା ହେଉ, କିନ୍ତୁ ସେହି ଘୋଷଣା ପ୍ରସ୍ତୁତି ସହିତ ହେଉ। ନଚେତ୍, “ତୁଗଲକୀ ନୀତି” ଶବ୍ଦଟି ପୁଣିଥରେ ରାଜନୈତିକ ଶବ୍ଦକୋଷରେ ପ୍ରଚଳିତ ହେବାର ଆଶଙ୍କା ରହିଯାଏ। ଶାସନ ହେଉଛି ଏକ ଦୀର୍ଘ ଯାତ୍ରା— ଏଠାରେ ଅସ୍ଥିର ପଦକ୍ଷେପ ନୁହେଁ, ଦୃଢ଼ ନିଷ୍ପତ୍ତି ଆବଶ୍ୟକ।
also read https://purvapaksa.com/women/


