ଓଡ଼ିଆ ସାହିତ୍ୟର ବରେଣ୍ୟ କବି ଜଗନ୍ନାଥ ମହାନ୍ତିଙ୍କ କାଳଜୟୀ କବିତା ‘ତୁମ ପରି ଛୋଟ ପିଲାଟିଏ’ର ସେହି ପଦଟି ‘ଏତେ ସରି ତତେ କିଏ କଲା’ ଆଜି ରାଜ୍ୟର ଶାସକ ଦଳ ଓ ସରକାର ପାଇଁ ବେଶ୍ ପ୍ରାସଙ୍ଗିକ ମନେହେଉଛି। କବିତାରେ ଜଣେ ଶିଶୁର ସରଳତା ଓ ଶିକ୍ଷା ଗ୍ରହଣର ଅଭିଳାଷ ଥାଏ, କିନ୍ତୁ ଆଜିର ରାଜନୈତିକ ପ୍ରେକ୍ଷାପଟରେ ଏହି ‘ଛୋଟ ପିଲା’ ଶବ୍ଦଟି ଶାସକ ଦଳର ଅପରିପକ୍ୱତା ଓ ଅନଭିଜ୍ଞତାକୁ ହିଁ ଦର୍ଶାଉଛି। କ୍ଷମତାକୁ ଆସିବାର ୧୮ ମାସ ବିତିଯାଇଥିଲେ ମଧ୍ୟ, ସରକାର ଯେଉଁଭଳି ଭାବେ ନିଷ୍ପତ୍ତି ନେଉଛନ୍ତି ଓ ପୁଣି ସେଥିରୁ ଓହରି ଯାଉଛନ୍ତି, ତାହା ଦର୍ଶାଉଛି ଯେ ସରକାର ଏବେ ବି ଅବୋଧ ବାଳକ ଅବସ୍ଥାରେ ଅଛନ୍ତି।
/odishatv/media/post_attachments/uploadimage/library/16_9/16_9_0/recent_photo_1725429028.jpg)
୧୮ ମାସର ଶାସନ ଓ ବିଫଳତାର ଚିତ୍ର
ଓଡ଼ିଶାରେ ବିଜେପି ସରକାର ଗଢ଼ିବା ପରେ ଜନସାଧାରଣଙ୍କ ମନରେ ଅନେକ ଆଶା ଓ ବିଶ୍ୱାସ ଥିଲା। କିନ୍ତୁ ୧୮ ମାସର ପରିସଂଖ୍ୟାନ କହୁଛି ଯେ, ରାଜ୍ୟ ପାଇଁ କୌଣସି ଆଖିଦୃଶିଆ ବା ଯୁଗାନ୍ତକାରୀ ସଫଳ ଯୋଜନା ଲାଗୁ କରିବାରେ ସରକାର ସମର୍ଥ ହୋଇନାହାନ୍ତି। ଅଧିକାଂଶ ମନ୍ତ୍ରୀ ନିଜ ନିଜ ବିଭାଗକୁ ସମ୍ଭାଳିବାରେ ବାରମ୍ବାର ବିଫଳ ହେଉଛନ୍ତି। କେବଳ ପ୍ରଶାସନିକ ବିଫଳତା ନୁହେଁ, ବରଂ ଅନେକ ସମୟରେ ମନ୍ତ୍ରୀମାନଙ୍କ ଆଚରଣ ଓ ନିଷ୍ପତ୍ତି ସର୍ବସାଧାରଣରେ ନିନ୍ଦିତ ହେଉଛି। ଆଶ୍ଚର୍ଯ୍ୟର କଥା, ଏତେ ସବୁ ପରେ ବି ଶାସକ ଦଳର ମନ୍ତ୍ରୀମାନଙ୍କ ପାଖରେ ସାମାନ୍ୟତମ ଲଜ୍ଜାବୋଧ ନ ଥିବା ଭଳି ମନେହେଉଛି।
ଦରମା ବୃଦ୍ଧି ପ୍ରସଙ୍ଗ: ଏକ ଆତ୍ମଘାତୀ ନିଷ୍ପତ୍ତି
ଗତ ୯ ତାରିଖରେ ବିଧାନସଭାରେ ବିଧାୟକମାନଙ୍କ ଦରମାକୁ ବର୍ତ୍ତମାନର ତୁଳନାରେ ୩ ଗୁଣ ବୃଦ୍ଧି କରିବା ପାଇଁ ଯେଉଁ ପ୍ରସ୍ତାବ ଆଗତ ହେଲା ଓ ବହୁମତରେ ଗୃହୀତ ହେଲା, ତାହା ରାଜ୍ୟ ରାଜନୀତିରେ ଏକ ବଡ଼ ଝଡ଼ ସୃଷ୍ଟି କରିଛି। ଯେଉଁ ସମୟରେ ସାଧାରଣ ଲୋକେ ଦରବୃଦ୍ଧି ଓ ବେକାରୀ ସମସ୍ୟାରେ ଜର୍ଜରିତ, ସେହି ସମୟରେ ଜନପ୍ରତିନିଧିମାନେ ନିଜ ସୁବିଧା ପାଇଁ ଦରମା ବଢ଼ାଇବାକୁ ସରକାରୀ ପ୍ରାଥମିକତା ଦେବା ସମସ୍ତଙ୍କୁ ଚକିତ କରିଛି।
ଏହି ନିଷ୍ପତ୍ତି ପରେ ବିରୋଧୀ ଦଳଗୁଡ଼ିକ ଯେଉଁଭଳି ଚାଲ୍ ଖେଳିଲେ, ସେଥିରେ ଶାସକ ଦଳ ସମ୍ପୂର୍ଣ୍ଣ ଭାବେ ଫଶିଗଲା। ସିପିଏମ୍ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଏବଂ ପରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ନେବାକୁ ମନା କରିବା ମାତ୍ରେ, ବିଜେପି ସରକାର ବିରୋଧରେ ଜନମତ ତୀବ୍ର ହେବାକୁ ଲାଗିଲା। ଏହା ସରକାରଙ୍କୁ ଏକ ଅଡୁଆ ପରିସ୍ଥିତିରେ ଛିଡ଼ା କରିଦେଲା।
ଏହାପରେ ରାଜ୍ୟର ବିଜେପି ସରକାର ବିରୋଧରେ ଜନମତ ଧୀରେଧୀରେ ପ୍ରବଳ ହେବାକୁ ଲାଗିଲା। ସାଧାରଣ ଲୋକ ପ୍ରଶ୍ନ କଲେ- ମହଙ୍ଗା, ବେକାରି, କୃଷକ ସଂକଟ, ମହିଳା ସୁରକ୍ଷା ଓ ଶିକ୍ଷା-ସ୍ୱାସ୍ଥ୍ୟର ଦୂରବସ୍ଥା ମଧ୍ୟରେ ଏହି ଦରମା ବୃଦ୍ଧିର ଆବଶ୍ୟକତା କ’ଣ ଥିଲା?
ପଲଟିକାଲ ଡ୍ରାମା ଓ କେନ୍ଦ୍ରୀୟ ହସ୍ତକ୍ଷେପ

ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଗତ ୧୬ ତାରିଖ ‘ପଲଟିକାଲ ଭାଗବତ’ ପୂର୍ବରୁ ହିଁ ଆକଳନ କରିଥିଲା ଯେ ଏହା ଲାଗୁ ହେବ ନାହିଁ। ଆଜି ସେହି ସତ୍ୟ ସାମ୍ନାକୁ ଆସୁଛି।
ସୂଚନା ଅନୁଯାୟୀ, ବିଧାୟକଙ୍କ ଦରମା ୩ ଗୁଣ ବଢ଼ାଇବା ନିଷ୍ପତ୍ତିରେ ଦଳର କେନ୍ଦ୍ରୀୟ ନେତୃତ୍ୱ ବେଶ୍ କ୍ଷୁବ୍ଧ। ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତିଙ୍କୁ ଏଥିପାଇଁ ଭଲ କରି ଦୁଇ ପଦ ଶୁଣିବାକୁ ପଡ଼ିଛି।
କେନ୍ଦ୍ରୀୟ ନେତାଙ୍କ ଛାଟ ବାଜିବା ପରେ ବାଟକୁ ଫେରିଛି ବିଜେପି। ଗତକାଲି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଲା, ତାହା କୌଣସି ନାଟକଠାରୁ କମ୍ ନଥିଲା। ଯେଉଁ ବିଧାୟକମାନେ ନିଜେ ବିଲ୍ ପାସ୍ କରିଥିଲେ, ସେମାନେ ହିଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛନ୍ତି ଯେ “ଆମ ଦରମା ବଢ଼ାନ୍ତୁ ନାହିଁ”। ଏହା କେବଳ ନିଜର ଭୁଲ୍ ଲୁଚାଇବାର ଏକ ବିଫଳ ପ୍ରୟାସ ମାତ୍ର। ସବୁଠାରୁ ବଡ଼ କଥା ହେଲା ବିଧାୟକମାନେ ବସି କରି ଅନୁରୋଧ କରୁଛନ୍ତି ଓ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସଭାପତି ଛିଡ଼ା ହୋଇ ଅନୁରୋଧ ପତ୍ର ଗ୍ରହଣ କରୁଛନ୍ତି।
କାହାର ଏହି ‘ଉର୍ବର ମସ୍ତିଷ୍କ’?
ଏଠାରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଏହି ପ୍ରସ୍ତାବ ଆସିଲା କେଉଁଠୁ? କାହା ‘ଉର୍ବର ମସ୍ତିଷ୍କ’ରୁ ଏହି ୩ ଗୁଣା ବୃଦ୍ଧିର ଧାରଣା ଜନ୍ମ ନେଲା? ଜଣେ ମୁଖ୍ୟମନ୍ତ୍ରୀ ବା ଦଳର ଶୀର୍ଷ ନେତୃତ୍ୱ ଏହି ବିଷୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ନ କରି କିପରି ସିଧାସଳଖ ବିଧାନସଭାରେ ବିଲ୍ ଆଣିଲେ? ଏହି ତରବରିଆ ନିଷ୍ପତ୍ତି ଯୋଗୁଁ ଯେଉଁ ରାଜନୈତିକ କ୍ଷତି ହେଲା, ତାକୁ କିଏ ଭରଣା କରିବ?
ବିଶେଷ କରି ସରକାରଙ୍କ ସହ ଜଡ଼ିତ ପରାମର୍ଶଦାତାମାନେ ଏ କ୍ଷେତ୍ରରେ କି ପ୍ରକାର ଭୂମିକା ଗ୍ରହଣ କଲେ? ସେମାନଙ୍କର ଏହି ଭୁଲ ପରାମର୍ଶ ଯୋଗୁଁ ଆଜି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ଭାବମୂର୍ତ୍ତି ଏବଂ ଦଳର ଗାରିମା ହାନି ହୋଇଛି।
ପ୍ରଧାନମନ୍ତ୍ରୀଙ୍କ ଆଦର୍ଶ ବନାମ ରାଜ୍ୟ ସରକାରଙ୍କ ନୀତି

ନରେନ୍ଦ୍ର ମୋଦୀଙ୍କୁ ନିଜର ଆଦର୍ଶ ବୋଲି ମାନୁଥିବା ଓଡ଼ିଶାର ବିଜେପି ନେତାମାନେ ହୁଏତ ମୋଦୀଙ୍କ ଶାସନ ଶୈଳୀରୁ କିଛି ଶିଖିବା ଉଚିତ ଥିଲା। ପ୍ରଧାନମନ୍ତ୍ରୀ ହେବାର ୪ ବର୍ଷ ପରେ ମୋଦୀ ସାଂସଦମାନଙ୍କ ଦରମାରେ ସାମାନ୍ୟ ପରିବର୍ତ୍ତନ କରିଥିଲେ। ଏପରିକି ୨୦୨୦ କୋଭିଡ୍ ସଙ୍କଟ ସମୟରେ ସେ ସାଂସଦଙ୍କ ଦରମାରୁ ୩୦ ପ୍ରତିଶତ କାଟ୍ କରିବାକୁ ଦ୍ୱିଧା କରିନଥିଲେ। ଚଳିତ ବର୍ଷ ମାର୍ଚ୍ଚରେ ବଜାର ଦରକୁ ଦୃଷ୍ଟିରେ ରଖି ମାତ୍ର ୨୪ ପ୍ରତିଶତ ସାଂସଦଙ୍କ ଦରମା ବୃଦ୍ଧି କରାଯାଇଛି।
ଆଲୋଚନା ବିନା, ତରବରରେ ବିଲ ଆଣି ଗୃହୀତ କରାଇ ନେବାରୁ ଦଳ ଯେଉଁ ରାଜନୈତିକ କ୍ଷତି ସହିଛି, ତାହା ପୂରଣ କରିବା ଏତେ ସହଜ ହେବ ନାହିଁ। ଏଠାରେ କ୍ଷତି ପରାମର୍ଶଦାତାଙ୍କର ହୋଇନି, କ୍ଷତି ହୋଇଛି ମୁଖ୍ୟମନ୍ତ୍ରୀଙ୍କର ଓ ସମଗ୍ର ଦଳର। ଅଧିକ ଆଶ୍ଚର୍ଯ୍ୟର କଥା- ଏପରି ଏକ ସମ୍ବେଦନଶୀଳ ପ୍ରସ୍ତାବ ଆଣିବା ପୂର୍ବରୁ ରାଜ୍ୟ ସରକାର କେନ୍ଦ୍ରୀୟ ନେତୃତ୍ୱ ସହିତ ଆଲୋଚନା କରିବାର ନ ଥିୀଲା କି? ଯେଉଁ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଜର ଆଦର୍ଶ ବୋଲି ମାନେ, ସେଇ ଦଳ ତାଙ୍କ ଆଦର୍ଶରୁ ଏତେ ଦୂରକୁ ଚାଲିଗଲା କିପରି?
କିନ୍ତୁ ଓଡ଼ିଶା ବିଜେପି ସରକାର ୩୦୦ ପ୍ରତିଶତ (୩ ଗୁଣ) ବୃଦ୍ଧି କରିବାକୁ ଯୋଜନା କରି ନିଜର ଅସଲ ଚେହେରା ଦେଖାଇ ଦେଲା। ଯଦି ଏହି ବିଷୟରେ ଦଳର କେନ୍ଦ୍ରୀୟ ନେତା ବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ପୂର୍ବରୁ ଆଲୋଚନା କରାଯାଇଥାନ୍ତା, ତେବେ ଆଜି ସରକାରଙ୍କୁ ଏପରି ଅପଦସ୍ତ ହେବାକୁ ପଡ଼ିନଥାନ୍ତା।
ପରାମର୍ଶଦାତାଙ୍କୁ ଚିହ୍ନିବାର ସମୟ
ଓଡ଼ିଶାରେ ଏବେ ସରକାର ଚଳାଇବା ପାଇଁ ଯେଉଁମାନେ ପରଦା ପଛରେ ରହି ପରାମର୍ଶ ଦେଉଛନ୍ତି, ସେମାନେ ବାସ୍ତବରେ ଦଳର ମଙ୍ଗଳ ଚାହୁଁଛନ୍ତି କି ନାହିଁ ତାହା ଏବେ ସନ୍ଦେହଜନକ। ଏଭଳି ‘ଘରବୁଡ଼ା’ ପରାମର୍ଶଦାତାମାନେ ହିଁ ସରକାରଙ୍କୁ ଜନମାନସରେ ନିନ୍ଦିତ କରୁଛନ୍ତି।
ମୁଖ୍ୟମନ୍ତ୍ରୀଙ୍କୁ ଏବେ ସତର୍କ ହେବାକୁ ପଡ଼ିବ। ଯେଉଁମାନେ ତାଙ୍କୁ ଭ୍ରମିତ କରି ଏଭଳି ଅଦୂରଦର୍ଶୀ ନିଷ୍ପତ୍ତି ନେବାକୁ ବାଧ୍ୟ କରୁଛନ୍ତି, ସେମାନଙ୍କୁ ଚିହ୍ନି ଦୂରେଇ ରଖିବା ଆବଶ୍ୟକ। ଶାସନରେ ଅଭିଜ୍ଞତା ଓ ଜନମତକୁ ସମ୍ମାନ ଦେବା ହିଁ ଗଣତନ୍ତ୍ରର ଶ୍ରେଷ୍ଠ ନୀତି। ଯଦି ସରକାର ଏବେ ବି ସେହି ‘ଛୋଟ ପିଲା’ ଭଳି ଭୁଲ୍ କରି ଚାଲିବେ, ତେବେ ଆଗାମୀ ଦିନରେ ଜନସାଧାରଣ ଉପଯୁକ୍ତ ଶିକ୍ଷା ଦେବାକୁ ପଛାଇବେ ନାହିଁ। ନଚେତ୍, “ତୁମ ପରି ଛୋଟ ପିଲାଟିଏ”ର ଉପମା କେବଳ କବିତାରେ ନୁହେଁ, ଇତିହାସରେ ମଧ୍ୟ ରାଜ୍ୟ ସରକାରଙ୍କ ପରିଚୟ ହୋଇ ରହିଯିବ।
also read https://purvapaksa.com/the-slogan-separate-the-head-from-the-body-incited-people-to-revolt/


