ବିରୋଧୀ ଦଳରେ ଥିବାବେଳେ ବିଜେପି ତତ୍କାଳୀନ ବିଜେଡି ସରକାର ବିରୋଧରେ ‘ମେଗା ସ୍କାମ’ର ଅଭିଯୋଗ ଆଣିଥିଲା। ବିଜେପି ଏବେ ସରକାରକୁ ଆସିବାର ୧୮ ମାସ ପରେ ନିଜର ଆଭିମୁଖ୍ୟ ବଦଳାଇ ଦେଇଛି। ପୂର୍ବ ବିଜେଡି ସରକାର ଅମଳରେ ହୋଇଥିବା ବିଭିନ୍ନ ପ୍ରକାରର ଅନିୟମିତତାକୁ କ୍ଲିନଚିଟ୍ ଦେଇ ପାଣ୍ଡିଆନପନ୍ଥୀ ଅଫିସରମାନଙ୍କୁ ସୁରକ୍ଷା ଦେଇଛି ବୋଲି ଅଭିଯୋଗ ହେଉଛି। ‘ମେଗା ସ୍କାମ’ ଅଭିଯୋଗକୁ ‘କ୍ଲନଚିଟ୍’ ଦେବାକୁ ବର୍ତ୍ତମାନର ବିଜେପି ସରକାର କେଉଁ ଆଧାରରେ ନିର୍ଦ୍ଧାରଣ କଲେ ତାହା ସନ୍ଦେହ ସୃଷ୍ଟି କରିଛି। କୋଭିଡ୍ ମହାମାରୀ ସମୟରେ ଓଡ଼ିଶା ରାଜ୍ୟ ଔଷଧ ନିଗମରେ କୌଣସି ପ୍ରକାରର ଅନିୟମିତତା କିମ୍ବା ଆଖିବୁଜା ଦୁର୍ନୀତି ଘଟିଥିବା ଅଭିଯୋଗ ମିଳିନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଧାନସଭାରେ କହିଛନ୍ତି । ତେଣୁ ଏବେ ପ୍ରଶ୍ନ ଉଠୁଛି ସ୍ୱାସ୍ଥ୍ୟମନ୍ତ୍ରୀ ମହାଲିଙ୍ଗ କେଉଁ ଦଳର ? ବିଜେପିର ନା ବିଜେଡିର। କାରଣ ସେ ଅଫିସରଙ୍କ କଥାରେ ପୋଷା ଶୁଆ ଭଳି କଥା କହି ଅତୀତର ବିଜେଡି ସରକାରର ଦୁର୍ନୀତିକୁ ଘଣ୍ଟ ଘୋଡ଼ାଇଛନ୍ତି। ଆପଣମାନେ ଦେଖୁଥାଆନ୍ତୁ ପୂର୍ବପକ୍ଷ। ମୋର ଆପଣମାନଙ୍କୁ ଅନୁରୋଧ ଆମ ଚ୍ୟାନେଲକୁ ଲାଇକ କରନ୍ତୁ, ସବସ୍କ୍ରାଇବ କରନ୍ତୁ ଓ ସେୟାର କରନ୍ତୁ।

ବିଜେପିକୁ ମିଛୁଆ ପ୍ରମାଣିତ କଲେ ସ୍ୱାସ୍ଥ୍ୟମନ୍ତ୍ରୀ
କୋଭିଡ୍-୧୯ ସମୟରେ ଓଡ଼ିଶା ରାଜ୍ୟ ଔଷଧ ନିଗମ ଦ୍ୱାରା ପିପିଇ କିଟ୍ , ମାସ୍କ ଓ ଅନ୍ୟାନ୍ୟ ସାମଗ୍ରୀ କିଣାରେ ‘ମେଗା ସ୍କାମ’ ହୋଇଛି ବୋଲି ବିରୋଧ ଦଳରେ ଥିବା ସମୟରେ ବିଜେପି ନେତାମାନେ ଅଭିଯୋଗ କରିଥିଲେ। ତତକାଳୀନ ବିଜେଡି ସରକାରକୁ କଡ଼ା ସମାଲୋଚନା କରିବା ସହ ବିଧାନସଭାରେ ବି ତୁମ୍ବିଂତୋଫାନ କରିଥିଲେ। ମାତ୍ର ଏବେ ସରକାରକୁ ଆସିବା ପରେ ବିଜେପି ମନ୍ତ୍ରୀଙ୍କର ସ୍ୱରରେ ପରିବର୍ତ୍ତନ ହୋଇଛି। କାହା ଚାପରେ ବା ନିର୍ଦ୍ଦେଶରେ ସ୍ୱାସ୍ଥ୍ୟମନ୍ତ୍ରୀ ବିଜେଡି ସରକାରକୁ ସୁରକ୍ଷା ଦେଉଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ବିଧାନସଭାରେ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, କୋଭିଡ୍ ସମୟରେ ପିପିଇ କିଟ୍, ମାସ୍କ ଏବଂ ଅନ୍ୟାନ୍ୟ ଉପକରଣ କ୍ରୟ ପାଇଁ ଏର୍ମଜେନ୍ସି ପ୍ରୋକ୍ୟୁରମେଣ୍ଟ କମିଟି ଗଠନ କରାଯାଇଥିଲା । ଯେଉଁଥିରେ ଡିଏଚଏସ୍ , ଡିଏମଇଟି ଓ ଡିପିଏଚର ଟେକନିକାଲ କମିଟିଙ୍କ ନିକଟରୁ ଅନୁମୋଦିତ ଇଣ୍ଡେଣ୍ଟ ଆଧାରିତ କ୍ରୟ ହେଉଥିଲା। ଓଡ଼ିଶା ରାଜ୍ୟ ଔଷଧ ନିଗମ ଦ୍ୱାରା ସମସ୍ତ ଔଷଧ ଓ ଚିକିତ୍ସାରେ ବ୍ୟବହୃତ ସାମଗ୍ରୀ ରାଜ୍ୟ କ୍ରୟ ନୀତି ଓ ପ୍ରାସିଙ୍ଗିକ ନିୟମାବଳୀ ଅନୁସାରେ କ୍ରୟ କରାଯାଇଥିଲା। କୋଭିଡ୍ ସମୟରେ କ୍ରୟପ୍ରକ୍ରିୟାକୁ ସ୍ୱଚ୍ଛ, ପ୍ରତିସ୍ପର୍ଦ୍ଧି ଓ ନିୟମାନୁସାରେ ରଖିବା ପାଇଁ ଇ-ଟେଣ୍ଡର ଓ ରେଟ୍ କଣ୍ଟ୍ରାକ୍ଟ ଭଳି ପ୍ରକ୍ରିୟାକୁ ଅନୁସରଣ କରାଯାଇଥିଲା। ଔଷଧ ନିଗମ ପକ୍ଷରୁ କ୍ରୟ, ନିର୍ଦ୍ଦେଶିତ ପ୍ରୟୋଗ, ଗୁଣ ପରୀକ୍ଷା ଓ ବିତରଣ ସମସ୍ତ ପ୍ରକ୍ରିୟା ବହୁସ୍ତରୀୟ ଯାଞ୍ଚ ଓ ନିରୀକ୍ଷଣ ଅଧୀନରେ ହୋଇଥିଲା। ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି ଯେ, ଔଷଧ ନିଗମ ଦ୍ୱାରା କୌଣସି ପ୍ରକାରର ଅନିୟମିତତା ସରକାରଙ୍କ ହସ୍ତଗତ ହୋଇନାହିଁ।
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଏହି ଉତ୍ତର ସେବେ ବିଜେପି ଉଠାଇଥିବା ଅଭିଯୋଗକୁ ମିଛ ପ୍ରମାଣିତ କରାଇଛି। ଯଦିଓ ସେତେବେଳେ ଏହି ଅନିୟମିତତା ଅଭିଯୋଗ ଆସିବା ପରେ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଆଉ ସରକାର ୨୦୨୦ ଜୁନ୍ ମାସରେ ଏମଜେର୍ନ୍ସି ପ୍ରୋକ୍ୟୁରମେଣ୍ଟ କମିଟିର ଅଧ୍ୟକ୍ଷ ପଦବୀରୁ ମଧ୍ୟ ଆଇଏଏସ୍ ହେମନ୍ତ ଶର୍ମାଙ୍କୁ ହଟାଇ ଦେବା ସହ ଔଷଧ ନିଗମର ଏନ୍-୯୫ ମାସ୍କର ଟେଣ୍ଡରକୁ ପ୍ରଶାସନିକ କାରଣ ଦର୍ଶାଇ ବାତିଲ କରି ଦେଇଥିଲେ। କୋଭିଡ୍ ମହାମାରୀ ସେହି ସମୟରେ ପିକରେ ଥିବାବେଳେ ସରକାରଙ୍କ ଏହି ନିଷ୍ପତ୍ତି ବିରୋଧୀ ଦଳ ଓ ସାଧାରଣ ଲୋକଙ୍କୁ ବି ଆଶ୍ଚର୍ଯ୍ୟ କରିଥିଲା। ତା’ଛଡ଼ା ଯଦି ସେବେ କୌଣସି ଅନିୟମିତତା ହୋଇନଥିଲା ତା’ହେଲେ ଏସବୁ ଅଭିଯୋଗର ତଦନ୍ତ ପାଇଁ ଭିଜିଲାନ୍ସକୁ କାହିଁକି ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଥିଲେ?
ଲୋକାୟୁକ୍ତ ତଦନ୍ତ ଓ ସିଏଜି ରିପୋର୍ଟ
୨୦୨୦ ଜୁନ୍ ୫ରେ କୋଭିଡ୍ ସାମଗ୍ରୀର ରାଜ୍ୟସ୍ତରୀୟ କ୍ରୟ କମିଟିର ଅଧ୍ୟକ୍ଷ ଦାୟିତ୍ୱରୁ ବରିଷ୍ଠ ଆଇଏଏସ୍ ହେମନ୍ତ ଶର୍ମାଙ୍କୁ କମିଟିରୁ ତତକାଳୀନ ବିଜେଡି ସରକାର ହଟାଇ ଦେଇଥିଲେ। ସେବେ ଏହି କାର୍ଯ୍ୟାନୁଷ୍ଠାନ ହିଁ ସଙ୍କେତ ଦେଇଥିଲା ଯେ କୋଭିଡ୍ ସାମଗ୍ରୀ କ୍ରୟ ପ୍ରକ୍ରିୟା ଉପରେ ସରକାର ବି ସନ୍ଦେହ କରୁଛନ୍ତି। ୨୦୨୦ ଅଗଷ୍ଟ ୭ରେ ପିପିଇ କିଟ୍ କ୍ରୟରେ ଅନିୟମିତତା ମାମଲାରେ ସୁଶାନ୍ତ କୁମାର ପାଢ଼ୀଙ୍କ ଅଭିଯୋଗ ଆଧାରରେ ଲୋକାଯୁକ୍ତରେ ଶୁଣାଣି, ମାତ୍ର ଆଇଏଏସ୍ ହେମନ୍ତ ଶର୍ମା ଅନୁପସ୍ଥିତ ରହିଲେ। ୨୦୨୦ ସେପ୍ଟେମ୍ବର ୧୪ରେ ଆଇଏଏସ୍ ଶ୍ରୀ ଶର୍ମା ଓ ଆଇଏଏସ୍ ଯାମିନୀ ଷଡ଼ଙ୍ଗୀ-ଔଷଧ ନିଗମ ପରିଚାଳନା ନିର୍ଦ୍ଦେଶକ ଲୋକାୟୁକ୍ତରେ ହାଜର ହୋଇଥିଲେ। ଅଧିକ ତଦନ୍ତ ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଥିଲେ ଲୋକାୟୁକ୍ତ । ୨୦୨୧ ମାର୍ଚ୍ଚ ୧୬ରେ ଲୋକାୟୁକ୍ତଙ୍କ ପାଖରେ ଭିଜିଲାନ୍ସ ନିଜ ରିପୋର୍ଟ ଦାଖଲ କଲା ଓ ଅନିୟମିତତାର କୌଣସି ପ୍ରମାଣ ନାହିଁ ବୋଲି କହିଲା। ତେବେ ଏଭଳି ଆଭିମୁଖ୍ୟ ଉପରେ ଅସନ୍ତୋଷ ବ୍ୟକ୍ତ କରି ଭିଜିଲାନ୍ସର ଏହି ରିପୋର୍ଟକୁ ସାର୍ବଜନୀନ କରିବା ଓ ନିଜ ପକ୍ଷ ରଖିବାର ସୁଯୋଗ ଦେବାକୁ ଆବେଦନକାରୀଙ୍କ ଆବେଦନକୁ ଲୋକାୟୁକ୍ତ ଖାରଜ କରିଦେଲେ। ଯାହାକୁ ନେଇ ସାଧାରଣରେ ସନ୍ଦେହ ବଢ଼ିଥିଲା।
ସିଏଜି ବି ଧରିଥିଲେ ଆର୍ଥିକ ଅନିୟମିତତା]

୨୦୨୪ ଡିସେମ୍ବର ୮ରେ ବିଧାନସଭାରେ ଉପସ୍ଥାପିତ ସିଏଜି ରିପୋର୍ଟରୁ ଜଣାପଡ଼ିଲା ଯେ କୋଭିଡ୍ ସମୟରେ ଉଚିତ ଯାଞ୍ଚ ବିନା ଘରୋଇ ଡାକ୍ତରଖାନାଗୁଡ଼ିକୁ ୧୪୪.୮୮ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି। ବିଲଗୁଡ଼ିକ ଠିକ୍ ଭାବରେ ଯାଞ୍ଚ ହୋଇନଥିଲା, ଜାଲ୍ ଦାବି ଗ୍ରହଣ କରାଯାଇଥିଲା ଏବଂ ରୋଗୀଙ୍କ ରେକର୍ଡରେ ହେରଫେର କରାଯାଇଥିଲା।
ତାମିଲନାଡୁ କମ୍ପାନୀକୁ ଅହେତୁକ ଅନୁକମ୍ପା ଅଭିଯୋଗ
୨୦୨୦ ଏପ୍ରିଲ ୬ତାରିଖରେ ଟ୍ରିପଲ ଲେୟାର ମାସ୍କ ପିଛା ୧୦ଟଙ୍କାରେ କିଣିବା ପାଇଁ ରାଜ୍ୟ ଔଷଧ ନିଗମର ତତକାଳୀନ ପରିଚାଳନା ନିର୍ଦ୍ଦେଶିକ ଆଇଏଏସ୍ ଯାମିନୀ ଷଡ଼ଙ୍ଗୀ ଖୋଲା ଟେଣ୍ଡର ଡାକିଥିଲେ। କିନ୍ତୁ ଏହି ନିଗମ ୨୦୨୦ ଏପ୍ରିଲ ୧୭ତାରିଖରେ ତାମିଲନାଡୁର ମେସର୍ସ ବିଷ୍ଣୁ ଡିସପୋଜେବଲ୍ ପ୍ରାଇଭେଟ୍ ଲିମିଟେଡଠୁ ମାସ୍କ ପିଛା ୧୬ଟଙ୍କା ହିସାବରେ ୩୦ଲକ୍ଷ ମାସ୍କ କିଣିଥିଲା । କେବଳ ସେତିକି ନୁହେଁ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ଓ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ଉପକରଣ ମଧ୍ୟ ଅଧିକ ଦରରେ କିଣାଯାଇଥିଲା ବୋଲି ସେବେ ଅଭିଯୋଗ ହୋଇଥିଲା ।
ଏହି ଅନିୟମିତତା ଅଭିଯୋଗ ହେବାପରେ ଦୁଇ ଆଇଏଏସ୍ ହେମନ୍ତ ଶର୍ମା ଓ ଯାମିନୀ ଷଡ଼ଙ୍ଗୀ ୩ଥର ଲୋକାୟୁକ୍ତଙ୍କ ନିକଟରେ ହାଜର ହୋଇ ନିଜର ପକ୍ଷ ରଖିଥିଲେ। ଲୋକାୟୁକ୍ତଙ୍କ ୩ଜଣିଆ ଖଣ୍ଡପୀଠ ରାଜ୍ୟ ଭିଜିଲାନ୍ସ ଦ୍ୱାରା କରାଯାଇଥିବା ପ୍ରାଥମିକ ତଦନ୍ତ ଆଧାରରେ ମାସ୍କ ଓ ପିପିଇ କିଟ୍ କିଣାରେ କୌଣସି ଅନିୟମିତତା ପାଇନଥିଲେ ଓ ମାମଲାକୁ ଖାରଜ କରିଦେଇଥିଲେ । ଯାହାକୁ ନେଇ ୨ ଆବେଦନକାରୀ ସୁଶାନ୍ତ କୁମାର ପାଢ଼ୀ ଓ କଂଗ୍ରେସ ନେତା ସୁଦର୍ଶନ ଦାସ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେମାନଙ୍କୁ ଭିଜିଲାନ୍ସ ରିପୋର୍ଟ ଦେଖିବା ଓ ନିଜ ପକ୍ଷ ରଖିବାର ସୁଯୋଗ ନ ଦେଇ ପିଟିସନକୁ ଖାରଜ କରିଦିଆଯିବା ଦୁର୍ଭାଗ୍ୟଜନକ ବୋଲି କହିଥିଲେ।
ସାଧାରଣରେ ଏବେବି କିଛି ଅସମାହିତ ପ୍ରଶ୍ନ ଉଙ୍କି ମାରୁଛି
୧-କୋଭିଡ୍ କିଟ୍ କିଣାରେ ଯଦି ସବୁକିଛି ସ୍ୱଚ୍ଛ ଥିଲା ତେବେ ଆଇଏଏସ୍ ହେମନ୍ତ ଶର୍ମାଙ୍କୁ କ୍ରୟ କମିଟିରୁ ବିଦା କରାଯାଇଥିଲା କାହିଁକି?
୨- ମାସ୍କ କିଣାରେ ଯଦି ସମସ୍ୟା ନ ଥିଲା ତେବେ ଏନ-୯୫ ମାସ୍କର ଟେଣ୍ଡରକୁ ହଠାତ୍ ବିନା କାରଣରେ ବାତିଲ କରାଯାଇଥିଲା କାହିଁକି?
୩- ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ଭିଜିଲାନ୍ସ ଯେଉଁ ପ୍ରାଥମିକ ତଦନ୍ତ ରିପୋର୍ଟ ଦେଇଥିଲା ତାହା ସରକାରୀ ଚାପମୁକ୍ତ ଥିଲା କି ନାହିଁ?
୩- ସବୁକିଛି ଯଦି ନିୟମ ଆଧାରରେ ଥିଲା ତା’ହେଲେ ସିଏଜିଙ୍କ ରିପୋର୍ଟରେ ୧୪୪.୮୮କୋଟି ଟଙ୍କା ବିନା ଯାଞ୍ଚରେ ଘରୋଇ ହସ୍ପିଟାଲଗୁଡ଼ିକୁ ଅତିରିକ୍ତ ଭାବେ ଦିଆଯାଇଥିବା ଉଲ୍ଲେଖ କଲେ କାହିଁକି?
ପୂର୍ବରୁ ବିରୋଧୀ ଦଳରେ ବିଜେପି ଥିବାବେଳେ ‘ମେଗା ସ୍କାମ’ କହି ବିଜେଡି ସରକାରକୁ ଘେରି ଏହି ଅନିୟମିତତାକୁ ପଦାକୁ ଆଣିଥିଲା । ସେବେଠୁ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଥିବା ଏସବୁ ପ୍ରଶ୍ନର ଉତ୍ତର ଓ ସନ୍ଦେହକୁ କାହିଁକି ବିଜେପି ସରକାର ଦୂର କରିନାହାନ୍ତି? ସିଏଜି ରିପୋର୍ଟରେ ଯେଉଁ ତଥ୍ୟ ଦିଆଯାଇଛି ବିନା ଯାଂଚରେ ଏତେ ପରିମାଣର ଅତିରିକ୍ତ ଅର୍ଥ କିଭଳି ଦିଆଯାଇଥିଲା ତା’ର ଖୋଳତାଡ଼ କରିବାରେ ସମସ୍ୟା କେଉଁଠି ଓ ସ୍ୱାସ୍ଥ୍ୟମନ୍ତ୍ରୀ ଏବେ କେଉଁ ତଥ୍ୟ ଆଧାରରେ ପୂର୍ବ ସରକାରର କାର୍ଯ୍ୟକୁ କ୍ଲିନଚିଟ୍ ଦେଉଛନ୍ତି ତାହା ସାଧାରଣରେ ସନ୍ଦେହ ବଢ଼ାଇଛି।
also read https://purvapaksa.com/seasonal-migration-surges-in-odishas-kalahandi-as-thousands-leave-for-work/
Seasonal migration surges in Odisha’s Kalahandi ।। ଓଡ଼ିଶାର କଳାହାଣ୍ଡିରେ ଋତୁକାଳୀନ ପ୍ରବାସ ବୃଦ୍ଧି ପାଉଛି


