ନୂଆପଡ଼ା ଉପନିର୍ବାଚନ ଓ ନୂତନ ରାଜନୀତିକ ସମୀକରଣ । ଦେଶର ଅନେକ ବିରୋଧୀ ଦଳ ମିଳି ଗଢ଼ିଥିବା “ଇଣ୍ଡିଆ ମେଣ୍ଟ” ଦଳଗୁଡ଼ିକୁ ଏକ ସାଧାରଣ ପ୍ଲାଟଫର୍ମରେ ଆଣି ଭାରତୀୟ ଜନତା ପାର୍ଟି ଶାସନ ଓ ନୀତିର ବିକଳ୍ପ ଦେବାର ଦାବି କରିଥିଲା। କିନ୍ତୁ ଓଡ଼ିଶାର ନୂଆପଡ଼ା ଉପନିର୍ବାଚନ ତାହାର ବିପରୀତ ଚିତ୍ର ଦେଖାଇଛି। ନୂଆପଡ଼ାରେ ଇଣ୍ଡି ମେଣ୍ଟର ଦୁଇ ମୁଖ୍ୟ ସହଯୋଗୀ- କଂଗ୍ରେସ ଓ ସମାଜବାଦୀ ପାର୍ଟି; ପରସ୍ପର ବିରୋଧରେ ପ୍ରାର୍ଥୀ ଦେଇ ନିର୍ବାଚନ ମଇଦାନରେ ଲଢ଼ୁଛନ୍ତି। ଏହାର ଅର୍ଥ ହେଉଛି, ଦେଶସ୍ତରର ଏକତାର ଆହ୍ୱାନ ରାଜ୍ୟସ୍ତରରେ ଭାଙ୍ଗି ପଡ଼ୁଛି।

ନୂଆପଡ଼ା ଉପନିର୍ବାଚନ: ଏକ ରାଜ୍ୟସ୍ତରୀୟ ପରୀକ୍ଷା
ନୂଆପଡ଼ା ବିଧାନସଭା ଆସନ, ଓଡ଼ିଶାର ପଶ୍ଚିମ ଅଞ୍ଚଳର ଏକ ଗ୍ରାମୀଣ ଓ ସମାଜିକ ଭାବେ ବିବିଧ ସମସ୍ୟା ଜର୍ଜରିତ ଅଞ୍ଚଳ।
ଏହାର ରାଜନୀତି ସଦାରଣତଃ ସ୍ଥାନୀୟ ବିକାଶ, ଜଳସେଚନ, ଚାଷୀ ଆନ୍ଦୋଳନ ଓ ଗୋଷ୍ଠୀ ରାଜନୀତି ଉପରେ ଆଧାରିତ ଥାଏ।
କିନ୍ତୁ ଏବେ ଏହି ଆସନ ରାଜ୍ୟସ୍ତରର ଏକ ବିଶାଳ ରାଜନୀତିକ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଯାଇଛି।
କଂଗ୍ରେସ ଓ ସମାଜବାଦୀ ପାର୍ଟି- ଯେଉଁମାନେ ଦେଶସ୍ତରରେ ସହଯୋଗୀ, କିନ୍ତୁ ଓଡ଼ିଶା ରାଜନୀତିରେ ଶତ୍ରୁ ହୋଇ ପରସ୍ପର ବିରୋଧରେ ଲଢ଼େଇ କରୁଛନ୍ତି।
ଏହା ଦେଖାଉଛି ଯେ, ଇଣ୍ଡି ମେଣ୍ଟର ରାଜନୀତିକ ସମୀକରଣ ଆଭ୍ୟନ୍ତରୀଣ ଭାବେ ଅସ୍ଥିର ଓ ନିହିତ ସ୍ୱାର୍ଥ ନିର୍ଦ୍ଧାରିତ। ଯାହାକି ଓଡ଼ିଶାରେ କାମ ଦେଲା ନାହିଁ।
ଅଖିଳେଶ ଯାଦବଙ୍କ ଓଡ଼ିଶା ଭାଷଣ: ସ୍ଥାନୀୟ ସ୍ତରରେ ଜାଗା ଖୋଜା
ସମାଜବାଦୀ ପାର୍ଟି ମୁଖ୍ୟତଃ ଯାବଦ ଓ ମୁସଲମାନ ବହୁଳ ଉତ୍ତରପ୍ରଦେଶ କେନ୍ଦ୍ରିତ ଏକ ଦଳ ହୋଇଥିଲେ ମଧ୍ୟ, ଅଖିଳେଶ ଯାଦବ ଏବେ ଜାତୀୟ ସ୍ତରରେ ଏକ ବିକଳ୍ପ ଶକ୍ତି ଗଢ଼ିବାର ସ୍ଵପ୍ନ ଦେଖୁଛନ୍ତି।
ସେ ଯାଦବ ବହୁଳ ପଶ୍ଚିମ ଓଡ଼ିଶାର ନୂଆପଡ଼ା ଉପନିର୍ବାଚନରେ ଦଳ ପାଇଁ ପ୍ରଚାର କରିବାକୁ ଆସି ସ୍ପଷ୍ଟ କରିଦେଇଛନ୍ତି ଯେ- ଆଗାମୀ ଦିନରେ ସମାଜବାଦୀ ପାର୍ଟି ଓଡ଼ିଶାର ସମସ୍ତ ଆସନରେ ପ୍ରାର୍ଥୀ ଦେଇ ନିର୍ବାଚନ ଲଢ଼ିବ।
ଏହି ଘୋଷଣା ମାତ୍ର ଏକ ନିର୍ବାଚନୀ ବାଣୀ ନୁହେଁ, ଏହା ଓଡ଼ିଶାର ବିକଳ୍ପ ରାଜନୀତି ଗଢ଼ିବାର ପ୍ରୟାସ ଭାବରେ ରାଜନୀତିକ ମହଲ ଦେଖୁଛନ୍ତି।
ଅଖିଳେଶଙ୍କ ଦଳ ଏଠାରେ କେବଳ ଭୋଟ ଲଢ଼ିବା ନୁହେଁ — ସେମାନେ ବିଜେଡି, ବିଜେପି ଓ କଂଗ୍ରେସରୁ ଅସନ୍ତୁଷ୍ଟ ନେତାମାନଙ୍କୁ ଆପଣା କରିବା ସହିତ ଦଳରେ ସାମିଲ କରିବାର ମିଶନ ଆରମ୍ଭ କରିଛନ୍ତି।
ସେହିପରି, ଓବିସି ମତଦାତାମାନଙ୍କୁ ସମାଜବାଦୀ ଚିନ୍ତାଧାରା ସହ ଯୋଡ଼ିବା ତାଙ୍କର ପ୍ରାଥମିକ ଲକ୍ଷ୍ୟ ରହିଥିବା କୁହାଯାଉଛି।
ଶ୍ରୀକାନ୍ତ ଜେନା: ଓଡ଼ିଶାରେ ସମାଜବାଦୀ ମୁହଁ?
ପୂର୍ବତନ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା, ଯିଏ ନିଜକୁ ଓବିସି ଓ ଗ୍ରାମ ଆଧାରିତ ରାଜନୀତିର ପ୍ରତିନିଧି ଭାବେ ପ୍ରସ୍ତୁତ କରିଥିଲେ, ସେ ଗତ ଅନେକ ବର୍ଷ ଧରି କଂଗ୍ରେସରେ ଥିଲେ ମଧ୍ୟ ଦଳୀୟ ଅବହେଳାର ଶିକାର ହୋଇ ଆସୁଛନ୍ତି।
ଅଖିଳେଶ ଯାଦବଙ୍କ ସହ ଏପ୍ରିଲ ୧୬ ତାରିଖରେ ତାଙ୍କ ସାକ୍ଷାତକାର ଓ ମିଳିତ ସାମ୍ବାଦିକ ସମ୍ମଳନୀ ପରେ ରାଜନୀତିକ ମହଲରେ ଗୁଞ୍ଜରଣ ହେଉଛି— ଶ୍ରୀକାନ୍ତ ଜେନା ସମାଜବାଦୀ ପାର୍ଟିର ଓଡ଼ିଶା ଚେହେରା ହୋଇପାରନ୍ତି। କାରଣ ଅଖିଳେଶ ଚିନ୍ତା କରୁଛନ୍ତି ଯେ ଓଡ଼ିଶାର ଭେଟେରାନ ନେତା ଶ୍ରୀକାନ୍ତ ଜେନା ଦଳର ନେତୃତ୍ୱ ନେଲେ ତାଙ୍କ ସହିତ ଅନେକ ପ୍ରଭାବଶାଳୀ ନେତା ଦଳରେ ଯୋଗ ଦେଇ ନିର୍ବାଚନୀ ସଫଳତା ପାଇପାରିବେ। ଯାହାକି ତାଙ୍କୁ ରାହୁଲ ଗାନ୍ଧୀଙ୍କ ଭଳି ଜଣେ ସର୍ବଭାରତୀୟ ନେତାର ମାନ୍ୟତା ଦେଇପାରିବ।
ଯଦି ଏହା ସତ୍ୟ ହୁଏ, ତେବେ ଓଡ଼ିଶାର ରାଜନୀତିକ ସମୀକରଣ ଏକ ନୂଆ ମୋଡ଼ ନେବ।
ଏହା କଂଗ୍ରେସ ପାଇଁ ଦୁଇ ଗୁଣ ସମସ୍ୟା ସୃଷ୍ଟି କରିବ —ପ୍ରଥମେ, ଦଳ ଭିତରେ ଅସନ୍ତୋଷ ବଢ଼ିବ। ଅନେକ ନେତା ଯେଉଁମାନେ ଅସନ୍ତୁଷ୍ଟ ଅଛନ୍ତି ସେମାନଙ୍କୁ ବିକଳ୍ପ ସୁଯୋଗ ମିଳିବ। ଦ୍ୱିତୀୟତଃ, ସମାଜବାଦୀ ପାର୍ଟି ଓବିସି ଓ ଗ୍ରାମ ସ୍ତରର ମତଦାତାମାନଙ୍କୁ ଆପଣାର କରିପାରିବ।
ବିଜେଡି ଓ ବିଜେପିରେ ଅସନ୍ତୋଷର ସୁଯୋଗ

ଓଡ଼ିଶାର ଦୀର୍ଘ ୨୫ ବର୍ଷରେ ବିଜେଡି ଶାସନ ରାଜ୍ୟର ରାଜନୀତିକ ପ୍ରାଣକୁ ସୀମିତ କରିଦେଇଛି। ବିଜେଡିରେ ଗଣତନ୍ତ୍ର ଅପେକ୍ଷା ଜଣତନ୍ତ୍ରର ପ୍ରାଧାନ୍ୟ ଥିବାରୁ ଅନେକ ନେତା ଅଣନିଶ୍ୱାସୀ ହୋଇପଡ଼ିଛନ୍ତି। ଅନେକ ଜୁନିଅର ନେତା ଓ ମଧ୍ୟସ୍ତରୀୟ କାର୍ଯ୍ୟକର୍ତ୍ତାମାନେ ଅବସର ନ ପାଇ ଅସନ୍ତୁଷ୍ଟ। ସେମାନେ ବିଳ୍ପ ସନ୍ଧାନରେ ଅଛନ୍ତି। ଯଦି ସମାଜବାଦୀ ପାର୍ଟି ବିକଳ୍ପ ଦେଇପାରିବ ତେବେ ସେମାନେ ଦଳ ଛାଡ଼ି ସମାଜବାଦୀ ପାର୍ଟିକୁ ଯିବାରେ କୌଣସି ସମସ୍ୟା ରହିବ ନାହିଁ।
ଏପରିକି ବିଜେପିରେ ମଧ୍ୟ ଅନେକ ନେତା ମନେକରୁଛନ୍ତି ଯେ ସେମାନଙ୍କ ନେତୃତ୍ୱ ପ୍ରୟାସକୁ ରାଜଧାନୀର ଦଳୀୟ ନୀତିରେ ଆଛାଦିତ ହେଉଛି। ସେମାନଙ୍କୁ ଶୃଙ୍ଖଳା ଆଳରେ ଚାପି ଦିଆଯାଉଛି। ଅଖିଳେଶ ଯାଦବ ଏହି ଦୁଇ ଶକ୍ତିର ଅସନ୍ତୋଷକୁ ଭଲଭାବେ ବୁଝିଛନ୍ତି ଓ ସେଥିରୁ ନୂଆ ରାଜନୀତିକ ବିତକଳ୍ପ ଗଢ଼ିବାର ପ୍ରୟାସ କରୁଛନ୍ତି।
ଇଣ୍ଡି ମେଣ୍ଟର ଉଭାନ: ସାମାଞ୍ଜସ୍ୟ ବା ସ୍ୱାର୍ଥ?
ଇଣ୍ଡି ମେଣ୍ଟ ଆନ୍ଦୋଳନ ଆରମ୍ଭ ସମୟରେ ଏହାକୁ “ସାଧାରଣ ନୀତି ଓ ମୂଲ୍ୟବୋଧର ଏକତା” ଭାବେ ପ୍ରଚାର କରାଯାଇଥିଲା। କିନ୍ତୁ ଆଜି ଏହି ଏକତା ରାଜ୍ୟସ୍ତରରେ ଭାଙ୍ଗିପଡ଼ୁଛି- କେଉଁଠି କଂଗ୍ରେସ ବାମପନ୍ଥୀ ସହ, କେଉଁଠି ସମାଜବାଦୀ ବିରୋଧରେ ଓ କେଉଁଠି ଆଞ୍ଚଳିକ ଦଳ ନିଜ ଆସନ ସୁରକ୍ଷା ନେଇ ବ୍ୟସ୍ତ।
ଏହାର ଅର୍ଥ- ଇଣ୍ଡି ମେଣ୍ଟ ଗଢ଼ି ଉଠିଥିଲା ଆଦର୍ଶର ଢାଞ୍ଚା ଉପରେ, କିନ୍ତୁ ଚାଲୁଛି ନେତାଙ୍କ ସ୍ୱାର୍ଥ ସୁରକ୍ଷା ଉପରେ।
ଓଡ଼ିଶାର ରାଜନୀତି: ବିକଳ୍ପ ଖୋଜିବା ପଥରେ
ଓଡ଼ିଶାର ରାଜନୀତି ଦୀର୍ଘ ସମୟ ଧରି ଦୁଇ ମୁଖ୍ୟଧାରା; ବିଜେଡି ଓ ବିଜେପି ମଧ୍ୟରେ ସୀମିତ ରହିଆସିଛି। କଂଗ୍ରେସ ତଳକୁ ଗଡ଼ିପଡ଼ିଛି, ବାମପନ୍ଥୀ ଶକ୍ତି କଂଗ୍ରେସ ଓ ବିଜେଡି ମଧ୍ୟରେ ସମନ୍ୱୟ ରଖି ଏପରି ଖସି ପଡ଼ିଛି ଯେ ଉପରକୁ ଆଉ ଉଠିପାରୁ ନାହିଁ। ଏହି ଶୂନ୍ୟସ୍ଥାନକୁ ଭରିବା ପାଇଁ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ଠିକଣା ସମୟ ଓ ସୁବିଧା ଅନୁସନ୍ଧାନରେ ଅଛି। ଯଦି ଅଖିଳେଶ ଯାଦବ ଓଡ଼ିଶାରେ ଓବିସି, ଦଳିତ ଓ ଗ୍ରାମଭିତ୍ତିକ ନେତୃତ୍ୱକୁ ସାଙ୍ଗରେ ନେଇ ଚାଲି ପାରନ୍ତି, ତେବେ ଓଡ଼ିଶାର ରାଜନୀତି ଆଗାମୀ ଦିନରେ ନୂତନ ଅଧ୍ୟାୟ ଦେଖିପାରେ।
ଇଣ୍ଡି ମେଣ୍ଟର ଆବଶ୍ୟକ ପୁନର୍ବିଚାର
ନୂଆପଡ଼ା ଉପନିର୍ବାଚନ ଓଡ଼ିଶାର ଏକ ସାଧାରଣ ଆସନ ନୁହେଁ-ଏହା ରାଜ୍ୟରେ ବିରୋଧୀ ରାଜନୀତିର ଦିଗ ନିର୍ଣ୍ଣୟ କରିବାର ପରୀକ୍ଷାଗାର। ଯଦି ଇଣ୍ଡି ମେଣ୍ଟ ସ୍ତରରେ ସମାଜବାଦୀ ଓ କଂଗ୍ରେସ ପରସ୍ପର ବିରୋଧରେ ଥିବେ, ତେବେ ଜନତାଙ୍କ ମନରେ ଏକ ସାଧାରଣ ପ୍ରଶ୍ନ ଉଠିବ- “ଏମାନେ ସତରେ ଦେଶ ଓ ରାଜ୍ୟ ପାଇଁ ଏକତାରେ ଲଢ଼ୁଛନ୍ତି କି ନିଜ ସ୍ୱାର୍ଥ ପାଇଁ?”
ସତ ଗଣତନ୍ତ୍ର ଓ ବିକଳ୍ପ ଶକ୍ତି ଗଢ଼ିବାକୁ, ଇଣ୍ଡି ମେଣ୍ଟକୁ ଆବଶ୍ୟକ ସମନ୍ୱୟ, ସଂଯମ ଓ ସ୍ଥାନୀୟ ନେତୃତ୍ୱର ସମ୍ମାନ।
ନ ହେଲେ, ଓଡ଼ିଶାର ରାଜନୀତିରେ ଏହା ମାତ୍ର ଗୋଟିଏ “ଅସଫଳ ଏକ୍ସପେରିମେଣ୍ଟ” ଭାବେ ଇତିହାସ ହେଇ ରହିଯିବ।
also read https://purvapaksa.com/president-draupadi-murmu-may-address-the-winter-session-of-odisha-assembly/


