Old age pension : ଚାହିଁ ବସିଛନ୍ତି ୪୫ ଲକ୍ଷ ହିତାଧିକାରୀ, ପଡ଼ୋଶୀ ଆନ୍ଧ୍ର ଦେଉଛି ୪ ହଜାର ‘ସଂକଳ୍ପ’ପତ୍ର ପ୍ରତିଶ୍ରୁତି ପୂରଣ କରନ୍ତୁ ନୂଆ ସରକାର, ୮୦ ବର୍ଷରୁ ଊର୍ଦ୍ଧ୍ୱ ଓ ଭିନ୍ନକ୍ଷମଙ୍କୁ ଏଯାଏ ମିଳିନି ବର୍ଦ୍ଧିତ ଭତ୍ତା।
ପଡ଼ୋଶୀ ଆନ୍ଧ୍ର ଦେଉଛି ୪ ହଜାର । ଓଡ଼ିଶାରେ ମାତ୍ର ୧ ହଜାର। କେବେ ବଢ଼ିବ ବାର୍ଦ୍ଧକ୍ୟ ଭତ୍ତା? ଚାତକ ଭଳି ଚାହିଁ ରହିଛନ୍ତି ରାଜ୍ୟର ପ୍ରାୟ ୪୫ ଲକ୍ଷ ବୁଢ଼ାବୁଢ଼ୀ। ସରକାର କ୍ଷମତାକୁ ଆସିବା ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ ଭତ୍ତା ବଢ଼ିବ। ମାସିକ ମିଳିବ ୩ ହଜାର। ହେଲେ ୫ ମାସ ପରେ ବି ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇ ପାରିନାହାନ୍ତି।
ଏହାଛଡ଼ା ୮୦ ବର୍ଷରୁ ଊର୍ଦ୍ଧ୍ୱ ଏବଂ ଭିନ୍ନକ୍ଷମ ହିତାଧିକାରୀଙ୍କୁ ୩୫୦୦ ଟଙ୍କା ଭତ୍ତା ମିଳିବ ବୋଲି ଗତ ଜୁଲାଇ ମାସର ବଜେଟରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏ ଯାଏଁ କିନ୍ତୁ ବର୍ଦ୍ଧିତ ଭତ୍ତା ମିଳିନି। ଏହାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଅନ୍ୟପକ୍ଷରେ ବଜାର ଦର ବଢ଼ୁଛି ହୁ ହୁ। ଆଳୁ, ପିଆଜ, ଡାଲି, ତେଲରୁ ଆରମ୍ଭ କରି ପନିପରିବା ଯାହାକୁ ହାତ ମାରିଲେ ଲାଗୁଛି ଝଟ୍କା। ବାର୍ଦ୍ଧକ୍ୟ ଭତ୍ତା ଯାହା ମିଳୁଛି, ସମୁଦ୍ରକୁ ଶଙ୍ଖା। ଛଟପଟ ହେଉଛନ୍ତି ରାଜ୍ୟର ଲକ୍ଷ ଲକ୍ଷ ବୁଢ଼ାବୁଢ଼ୀ। ଆହା କହିବାକୁ କେହି ନାହିଁ। ପଡ଼ୋଶୀ ରାଜ୍ୟରେ ଭତ୍ତା ପରିମାଣ ଢେର ଅଧିକ ଅଛି। ଆମ ରାଜ୍ୟରେ କିନ୍ତୁ ଏହାର ପରିମାଣ ହଜାରେ ଟଙ୍କାରେ ସୀମିତ ଅଛି। ବୃଦ୍ଧାବସ୍ଥାରେ ମାତ୍ର ହଜାରେ ଟଙ୍କାରେ ଜୀବନ କାଟିବା କଷ୍ଟକର ହେଉଛି\। ସରକାର ବାସ୍ତବତାକୁ ବିଚାରକୁ ନେଇ ଶୀଘ୍ର ବାର୍ଦ୍ଧକ୍ୟ ଭତ୍ତାକୁ ୩ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ଦାବି ଜୋର ଧରିଲାଣି।
ବାର୍ଦ୍ଧକ୍ୟ ଭତ୍ତା ନିୟମ-୧୯୮୯ ଏବଂ ଭିନ୍ନକ୍ଷମ ଭତ୍ତା ନିୟମ-୧୯୮୫କୁ ମିଶାଇ ଓଡ଼ିଶା ସରକାର ମଧୁବାବୁ ପେନ୍ସନ୍ ଯୋଜନା ୨୦୦୮ରେ ଆରମ୍ଭ କରିଥିଲେ। ଏହି ଯୋଜନାରେ ଗରିବ ବରିଷ୍ଠ ନାଗରିକ, ବିଧବା ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ମାସିକ ଭତ୍ତା ଦିଆଯାଉଛି । ଏଥିରେ ଯଥାକ୍ରମେ ୧୦୦୦, ୧୨୦୦ ଓ ୧୪୦୦ ଟଙ୍କା ମିଳୁଛି। ୨୦୧୯ ପରେ ଗତ ଫେବ୍ରୁଆରୀ ମାସରେ ଏହି ଭତ୍ତା ପରିମାଣ ବଢ଼ି ଏତିକି ଛୁଇଁଛି। ମାତ୍ର ଅନ୍ୟରାଜ୍ୟ ତୁଳନାରେ ଏହା ଯଥେଷ୍ଟ କମ୍।
ଆନ୍ଧ୍ରପ୍ରଦେଶ ସରକାର ବରିଷ୍ଠ ନାଗରିକ ଓ ବିଧବାମାନଙ୍କୁ ମାସିକ ୪ ହଜାର ଟଙ୍କା ଭତ୍ତା ପ୍ରଦାନ କରୁଛନ୍ତି। ଭିନ୍ନକ୍ଷମ ବ୍ୟକ୍ତିଙ୍କ ଭତ୍ତା ୩୦୦୦ରୁ ୬ ହଜାର ଟଙ୍କାକୁ ବଢ଼ିଛି। ଚଣ୍ଡିଗଡ଼ରେ ଏହି ୩ ବର୍ଗର ବ୍ୟକ୍ତିଙ୍କୁ ୨୦୦୦ ଟଙ୍କା, ଦିଲ୍ଲୀରେ ୨୦୦୦ ଟଙ୍କା (୭୦ବର୍ଷ କିମ୍ବା ତଦୁର୍ଷ ୨୫୦୦ ଟଙ୍କା), ହରିୟାଣାରେ ୨୭୫୦ ଟଙ୍କା, କେରଳରେ ୧୪୦୦ ଟଙ୍କା ମାସିକ ଭତ୍ତା ଦିଆଯାଉଛି। ଉତ୍ତରାଖଣ୍ଡ ଓ ପଞ୍ଜାବରେ ହିତାଧିକାରୀମାନଙ୍କୁ ୧୫୦୦ ଟଙ୍କା ଲେଖାଏଁ ମିଳୁଛି।
ଓଡ଼ିଶାରେ ନିୟମିତ ବ୍ୟବଧାନରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢୁଛି। ଏଠି ମାସିକ ୧୦୦୦ ଟଙ୍କାରେ ଜଣେ ବ୍ୟକ୍ତିଙ୍କ ଭୋକ କେମିତି ମେଣ୍ଟିବ ବୋଲି ପ୍ରଶ୍ନ ଉଠୁଛି।
ବିଜେପି କ୍ଷମତାକୁ ଆସିଲେ ବୟସ୍କ, ଦିବ୍ୟାଙ୍ଗ, ବିଧବା, ନିରାଶ୍ରୟଙ୍କୁ ମାସିକ ୩ ହଜାର ଟଙ୍କା ଭତ୍ତା ବା ପେନ୍ସନ ମିଳିବ। ୮୦% ଅକ୍ଷମ ଥିବା ଦିବ୍ୟାଙ୍ଗ ଓ ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ୩୫୦୦ ଲେଖାଏଁ ମିଳିବ ମାସିକ ଭତ୍ତା । ଭୋଟ ପୂର୍ବରୁ ସଂକଳ୍ପପତ୍ରରେ ଏ ପ୍ରତିଶ୍ରୁତି ଦେଇଥିଲା ବିଜେପି। ସଂକଳ୍ପପତ୍ରରେ ବିଜେପି ଦେଇଥିବା ପ୍ରତିଶ୍ରୁତି ମଧ୍ୟରୁ ଧାନ ଏମ୍ଏସ୍ପି ଓ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ହେଲାଣି। ସୁଭଦ୍ରାରେ ୬୦ ବର୍ଷ ଛୁଇଁଥିବା ମହିଳାମାନେ ସହାୟତା ପାଇବାରୁ ବଂଚିତ ହେଉଛନ୍ତି। ତେଣୁ ନୂଆ ସରକାର ଏ ଦିଗରେ ପଦକ୍ଷେପ ନେଇ ନିଜ ସଂକଳ୍ପ ପ୍ରତିଶ୍ରୁତି ପୂରଣ କରିବାକୁ ବରିଷ୍ଠ ନାଗରି କମାନେ ଅନୁରୋଧ କରିଛନ୍ତି ।
ରାଜ୍ୟ ସରକାର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ସାମାଜିକ ସୁରକ୍ଷା ପେନ୍ସନ ବ୍ୟବସ୍ଥା କରିଛନ୍ତି। ଏଥରେ ବରିଷ୍ଠ ନାଗରିକ, ବିଧବା, ଭିନ୍ନକ୍ଷମ, ଅବିବାହିତ ମହିଳା, ସୁସ୍ଥ ହୋଇଥିବା କୁଷ୍ଠ ରୋଗୀ, ଏଡ୍ସ ରୋଗୀ, ଛାଡ଼ପତ୍ର ପାଇଥିବା ମହିଳା, କିନ୍ନର, କୋଭିଡରେ ଅନାଥ ପିଲା ଓ ବିଧବାଙ୍କ ସହ ଅନ୍ୟାନ୍ୟ ଦୁର୍ବଳ ଶ୍ରେଣୀର ବ୍ୟକ୍ତିଙ୍କୁ ସାମିଲ କରାଯାଇଛି। ତେବେ ଗତ ୩ ବର୍ଷ ମଧ୍ୟରେ ରାଜ୍ୟରେ ପ୍ରାୟ ୯ ଲକ୍ଷ ବୟସ୍କ ଲୋକ ଭତ୍ତା ପାଇଁ ଅପେକ୍ଷା କରିଥିଲା ବେଳେ ମାତ୍ର ୫ ଲକ୍ଷ ୮୨ ହଜାର ବୁଢ଼ାବୁଢ଼ୀଙ୍କୁ ଭତ୍ତା ମଞ୍ଜୁର ହୋଇଛି। ଅନ୍ୟ ଆଶାୟୀମାନେ ଏଯାଏ ହତାଶ ହୋଇ ରହିଛନ୍ତି। ବର୍ତ୍ତମାନ ରାଜ୍ୟରେ ପ୍ରାୟ ୫୭ ଲକ୍ଷ ହିତାଧିକାରୀ ଭତ୍ତା ପାଉଛନ୍ତି। ମଧୁବାବୁ ପେନସନ ଯୋଜନାରେ ୩୬.୭୫ ଲକ୍ଷ ଏବଂ ଜାତୀୟ ପେନସନ ହିତାଧିକାରୀ ଅଛତି ପ୍ରାୟ ୨୦ ଲକ୍ଷ ୩୩ ହଜାର।
Also readhttps://purvapaksa.com/sundergarh-dmf-scam/
