୧୯୬୭ର ବିଧାନସଭା ନିର୍ବାଚନ ବିହାରର ରାଜନୀତିରେ ଏକ ନିର୍ଣ୍ଣାୟକ ମୋଡ଼ ଥିଲା । ସେତେବେଳେ ରାଜନୀତିର କେନ୍ଦ୍ରବିନ୍ଦୁରେ ଥିବା କଂଗ୍ରେସ ପଛକୁ ଚାଲି ଯାଇଥିଲା ଏବଂ ପ୍ରଥମ ଥର ପାଇଁ ଅଣ-କଂଗ୍ରେସବାଦ ଅସ୍ତିତ୍ୱକୁ ଆସିଥିଲା । ସେହି ସମୟରେ ନିର୍ବାଚନୀ ସ୍ଲୋଗାନ ଏପରି ଚମତ୍କାର ଦେଖାଇଥିଲା ଯେ ମତଦାନର ସମଗ୍ର ପରିଦୃଶ୍ୟ ବଦଳି ଗଲା । ଏହି ନାରାଗୁଡ଼ିକୁ ଗଢ଼ିବାରେ ରାମମନୋହର ଲୋହିଆ ଏବଂ କର୍ପୁରୀ ଠାକୁର ମୁଖ୍ୟ ଭୂମିକା ନିଭାଇଥିଲେ । ଆସନ୍ତୁ ଆଜି ଜାଣିବା ଏମିତି ତିନୋଟି ଚର୍ଚ୍ଚିତ ସ୍ଲୋଗାନ ବାବଦରେ, ଯାହା ୧୯୬୭ରେ କଂଗ୍ରେସର ଡଙ୍ଗା ନିର୍ବାଚନୀ ବୈତରଣିରେ ବୁଡ଼ାଇ ଦେଇଥିଲା ।
ସଂସୋପା ବାନ୍ଧି ହୈ ଗଣ୍ଠ, ପିଛଡେ ପାବେ ଶୋ’ ମୈ ଷାଠ୍
ବିହାରରେ ରାଜନୈତିକ ପରିବର୍ତ୍ତନର ଭିତ୍ତି ୧୯୬୪ରୁ ପ୍ରସ୍ତୁତ ହେବା ଆରମ୍ଭ ହୋଇଥିଲା । ୧୯୬୪ରେ ପ୍ରଜା ସୋସିଆଲିଷ୍ଟ ପାର୍ଟି ଓ ସୋସିଆଲିଷ୍ଟ ପାର୍ଟିର ମିଶ୍ରଣ ପରେ ସଂଯୁକ୍ତ ସୋସିଆଲିଷ୍ଟ ପାର୍ଟିର ଗଠନ ହୋଇଥିଲା। ସଂସୋପାକୁ ବରଗଛ ନିର୍ବାଚନ ଚିହ୍ନ ମିଳିଥିଲା । କଂଗ୍ରେସକୁ ପରାସ୍ତ କରିବା ପାଇଁ ସଂସୋପା ପଛୁଆ, ଅତିପଛୁଆ ଓ ଅନୁସୂଚିତ ଜାତିମାନଙ୍କୁ ଏକଜୁଟ କରିବା ଆରମ୍ଭ କରିଥିଲା । ଏହି ପ୍ରୟାସରେ ସେ ନାରା ଦେଇଥିଲେ- ସଂସୋପା ବାନ୍ଧିଛି ଗଣ୍ଠି, ପଛୁଆ ପାଇବ ଶହେରେ ଷାଠିଏ । ଏହି ନାରା ୧୯୬୭ର ନିର୍ବାଚନର ଚିତ୍ର ବଦଳାଇ ଦେଇଥିଲା। ପୂର୍ବ ତିନୋଟି ନିର୍ବାଚନରୁ ବିହାର କଂଗ୍ରେସ ଯେଉଁ ବହୁମତ ହାସଲ କରୁଥିଲା, ତାହା ଉପରେ ବ୍ରେକ ଲାଗିଗଲା । ୩୧୮ ଆସନ ମଧ୍ୟରୁ କଂଗ୍ରେସକୁ ମାତ୍ର ୧୨୮ ଆସନ ମିଳିଥିଲା । ଏହା ବହୁମତଠାରୁ ବହୁତ ପଛରେ ରହିଗଲା । ସତ୍ତା ତା’ ହାତରୁ ଖସିଗଲା । ସଂସୋପା ୬୮ ଆସନ ଜିତି ଦ୍ୱିତୀୟ ବୃହତ୍ତମ ଦଳ ହୋଇଥିଲା। ଏହା ଜନକ୍ରାନ୍ତି ଦଳ, ପ୍ରସୋପା, ଜନସଂଘ ଓ କମ୍ୟୁନିଷ୍ଟ ପାର୍ଟିର ସହଯୋଗରେ ସରକାର ଗଠନ କରିଥିଲା ।
ଅଂଗ୍ରେଜି ମେ ନ ହୋଗା କାମ,ଦେଶ ନ ହୋଗା ଫିରସେ ଗୁଲାମ

ସଂସୋପାର ବିଜୟରେ ଇଂରାଜୀ ବିରୋଧୀ ଭାବନା ମଧ୍ୟ ବଡ଼ ଭୂମିକା ନିଭାଇଥିଲା ସେହି ସମୟରେ ଗରୀବ ଶ୍ରେଣୀର ଅଧିକାଂଶ ଲୋକ ମାଟ୍ରିକରେ ଇଂରାଜୀର ବାଧ୍ୟତାମୂଳକତା କାରଣରୁ ପଢ଼ାରେ ପଛରେ ରହୁଥିଲେ । ସେମାନେ ମାଟ୍ରିକ ପାସ କରିପାରୁ ନଥିଲେ । ସଂସୋପା ପ୍ରତିଶ୍ରୁତି ଦେଇଥିଲା ଯେ ଯଦି ସରକାର ଗଠନ ହୁଏ, ତେବେ ସେମାନେ ‘କମ୍ପଲସୋରୀ ଇଂଲିଶ’ ବନ୍ଦ କରିଦେବେ । ସଂସୋପା ନିଜର ପ୍ରତିଶ୍ରୁତି ପୂରଣ କରିଥିଲା। ୧୯୬୭ରେ ଯେତେବେଳେ ମହାମାୟା ପ୍ରସାଦ ସିଂହଙ୍କ ନେତୃତ୍ୱରେ ସଂବିଦ ସରକାର ଗଠନ ହୋଇଥିଲା, ସେତେବେଳେ କର୍ପୁରୀ ଠାକୁର ଉପମୁଖ୍ୟମନ୍ତ୍ରୀ ହୋଇଥିଲେ । ଶିକ୍ଷା ବିଭାଗ ତାଙ୍କ ପାଖରେ ଥିଲା। ଶିକ୍ଷାମନ୍ତ୍ରୀ ହେବା ପରେ ସେ ମାଟ୍ରିକ ପରୀକ୍ଷାରେ ଇଂରାଜୀ ପାସର ବାଧ୍ୟତାମୂଳକତା ବନ୍ଦ କରିଦେଇଥିଲେ। ସଂସୋପାର ମତ ଥିଲା ଯେ ଯେତେ ଅଧିକ ସଂଖ୍ୟାରେ ବଞ୍ଚିତ ଶ୍ରେଣୀର ଯୁବକମାନେ ମାଟ୍ରିକ ପାସ କରିବେ, ସେମାନଙ୍କ ପାଇଁ ଚାକିରି ବା ରୋଜଗାରର ସୁଯୋଗ ସେତେ ବଢ଼ିବ । ସଂସୋପାର ଏହି ନାରା ଭାଷାକୁ ରୁଟି ସହିତ ଯୋଡ଼ି ଦେଇଥିଲା, ଯାହା ଜନତାର ମନକୁ ଛୁଇଁଥିଲା । ଜନତାର ଏହି ହୃଦୟ ପରିବର୍ତ୍ତନ ସଂସୋପା ଓ ତା’ର ସହଯୋଗୀ ଦଳମାନଙ୍କୁ ସତ୍ତାର ସିଂହାସନରେ ପହଞ୍ଚାଇ ଦେଇଥିଲା।
ଗଲି ଗଲି ମୈଁ ସୋର ହୈ, କେବି ସହାୟ ଚୋର ହୈ
୧୯୬୨ର ନିର୍ବାଚନ ପର୍ଯ୍ୟନ୍ତ ଜବାହରଲାଲ ନେହୁରୁ ଜୀବିତ ଥିଲେ, ତେଣୁ କଂଗ୍ରେସ କିଛି ଅସୁବିଧା ସତ୍ତ୍ୱେ ବିହାରରେ ଜିତୁଥିଲା । ବିରୋଧୀ ଦଳର ନିର୍ବାଚନୀ ନାରା ମଧ୍ୟ କଂଗ୍ରେସର ଜୟର ପଥକୁ ଅଟକାଇ ପାରି ନଥିଲା। କିନ୍ତୁ ୧୯୬୪ରେ ପଣ୍ଡିତ ନେହୁରୁଙ୍କ ମୃତ୍ୟୁ ପରେ କଂଗ୍ରେସକୁ ରାଜନୈତିକ ଦୃଷ୍ଟିରୁ ବହୁତ କ୍ଷତି ହୋଇଥିଲା । ଏହାର ପରାଭବ ଆରମ୍ଭ ହୋଇଥିଲା । ଏହା ବ୍ୟତୀତ ବିହାର କଂଗ୍ରେସକୁ ଏକଜୁଟ ରଖୁଥିବା ଶ୍ରୀକୃଷ୍ଣ ସିଂହଙ୍କର ମଧ୍ୟ ୧୯୬୧ରେ ଦେହାନ୍ତ ହୋଇଥିଲା । ଶ୍ରୀକୃଷ୍ଣ ସିଂହଙ୍କ ପରେ ବିହାର କଂଗ୍ରେସର ଶୀର୍ଷ ନେତାମାନଙ୍କ ମଧ୍ୟରେ ଗୋଷ୍ଠିବିବାଦ ଆରମ୍ଭ ହୋଇଥିଲା ଫଳରେ ଏହା ଜନତାର ବିଶ୍ୱାସ ହରାଇବାକୁ ଲାଗିଲା । ଚୌକି ପାଇଁ ବିନୋଦାନନ୍ଦ ଝା, କେବି ସହାୟ, ମହେଶ ପ୍ରସାଦ ସିଂହ, ଅନୁଗ୍ରହ ନାରାୟଣ ସିଂହ ଭଳି ବଡ଼ ନେତାମାନେ ନିଜ ମଧ୍ୟରେ ଲଢ଼ୁଥିଲେ । ୧୯୬୫ ସୁଦ୍ଧା ତତ୍କାଳୀନ ମୁଖ୍ୟମନ୍ତ୍ରୀ କେବି ସହାୟଙ୍କ ବିରୁଦ୍ଧରେ ଅସନ୍ତୋଷ ବଢ଼ିବାକୁ ଲାଗିଲା । ସହାୟ ସରକାର ବିରୁଦ୍ଧରେ ବନ୍ଦ ଓ ପ୍ରଦର୍ଶନ ଆରମ୍ଭ ହୋଇଗଲା । ୧୯୬୭ର ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ କେବି ସହାୟଙ୍କ ବିରୁଦ୍ଧରେ ଭ୍ରଷ୍ଟାଚାରର ଗୁରୁତର ଅଭିଯୋଗ ଲାଗିବାକୁ ଲାଗିଲା । ସେହି ସମୟରେ ନାରା ଲାଗୁଥିଲା- ଗଲି ଗଲି ମୈ ସୋର ହୈ, କେବି ସହାୟ ଚୋର ହୈ। କଂଗ୍ରେସ ବିରୁଦ୍ଧରେ ଜୋରଦାର ହାଓ୍ୟା ବହିବାକୁ ଲାଗିଲା ।
ଭ୍ରଷ୍ଟାଚାରର ଅଭିଯୋଗ କଂଗ୍ରେସ ଡଙ୍ଗା ବୁଡ଼ାଇଲା
୧୯୬୭ର ନିର୍ବାଚନରେ କଂଗ୍ରେସ ଗୋଷ୍ଠିବିବାଦ କାରଣରୁ ପୂର୍ବରୁ ଦୁର୍ବଳ ଥିଲା, ମୁଖ୍ୟମନ୍ତ୍ରୀ କେବି ସହାୟଙ୍କ ବିରୁଦ୍ଧରେ ଲାଗିଥିବା ଅଭିଯୋଗଗୁଡ଼ିକ ବାକି କାମ କରିଦେଇଥିଲା । କେବି ସହାୟଙ୍କ ବିରୁଦ୍ଧରେ ଜନତାର ଅସନ୍ତୋଷ ଏତେ ବଢ଼ିଗଲା ଯେ ସେ ନିଜେ ବିଧାନସଭା ନିର୍ବାଚନରେ ହାରିଗଲେ । ପଟନା ପଶ୍ଚିମ ଆସନରେ ତାଙ୍କର ପୁରୁଣା ପ୍ରତିଦ୍ୱନ୍ଦୀ ମହାମାୟା ପ୍ରସାଦ ସିଂହ ତାଙ୍କୁ ପରାସ୍ତ କରିଥିଲେ। ମହାମାୟା ପ୍ରସାଦ ସିଂହ ଚଳିତ ମୁଖ୍ୟମନ୍ତ୍ରୀ କେବି ସହାୟଙ୍କୁ ପ୍ରାୟ ୨୧ ହଜାର ଭୋଟରେ ହରାଇଥିଲେ । କେବି ସହାୟଙ୍କ ଲୋକପ୍ରିୟତା ଏତେ ହ୍ରାସ ପାଇଥିଲା ଯେ ସେ ହଜାରୀବାଗର ଅନ୍ୟ ଏକ ଆସନରେ ମଧ୍ୟ ପ୍ରାୟ ପାଞ୍ଚ ହଜାର ଭୋଟରେ ନିର୍ବାଚନ ହାରିଗଲେ । ତାଙ୍କୁ ଜନକ୍ରାନ୍ତି ଦଳର ଆର ପ୍ରସାଦ ହରାଇଥିଲେ। ଜଣେ ମୁଖ୍ୟମନ୍ତ୍ରୀ ଦୁଇଟି ଆସନରୁ ନିର୍ବାଚନ ହାରିଯାଏ, ତେବେ ବୁଝାଯାଇପାରେ ଯେ ୧୯୬୭ର ନିର୍ବାଚନରେ ଭ୍ରଷ୍ଟାଚାର କେତେ ବଡ଼ ନାରା ଥିଲା । କେବି ସହାୟଙ୍କ ପରାଜୟର ଏକ କାରଣ ପଟନା ଗୁଳିକାଣ୍ଡ ମଧ୍ୟ ହୋଇଥିଲା। ନିର୍ବାଚନର କିଛି ପୂର୍ବରୁ ବିରୋଧ କରୁଥିବା ପ୍ରଦର୍ଶନକାରୀମାନଙ୍କ ଉପରେ ପୁଲିସ ଗୁଳି ଚଳାଇଥିଲା । ଏହା ମଧ୍ୟ ଜନତାକୁ ତାଙ୍କ ବିରୁଦ୍ଧରେ କରିଦେଇଥିଲା।
ALSO READ https://purvapaksa.com/congress-is-against-the-country-and-odisha/
Congress is against the country and Odisha ।। କଂଗ୍ରେସ ଦେଶ ଓ ଓଡ଼ିଶା ବିରୋଧି


