କୁହାଯାଏ ପାଦରେ ଚାଲିକି ହେଉ ବା ଯାନବାହନରେ – ସଡ଼କ ଅତିକ୍ରମ କରିବା ଅପେକ୍ଷା ବିମାନ ଯାତ୍ରା ନିରାପଦ । ନିକଟ ଅତୀତରେ ଅହମ୍ମଦାବାଦରେ ଘଟି ଯାଇଥିବା ବିମାନ ଦୁର୍ଘଟଣାରେ କେବଳ ବିମାନ ଭିତରେ ବସିଥିବା ଯାତ୍ରୀମାନଙ୍କ ଜୀବନ ନୁହେଁ ବରଂ ନିକଟବର୍ତ୍ତୀ କଲେଜ ହଷ୍ଟେଲ ଭିତରେ ଥିବା କିଛି ଡାକ୍ତରୀ ଛାତ୍ର ଏବଂ ସଡ଼କରେ ଯାତାୟାତ କରୁଥିବା କିଛି ଯାତ୍ରୀଙ୍କ ଜୀବନ ମଧ୍ୟ ନେଇଛି । ନିରାପତ୍ତା ସମ୍ପର୍କିତ ଉପରୋକ୍ତ
ଧାରଣାକୁ ଏହା ବଦଳାଇ ଦେଇ ନ ପାରେ । ବିମାନ ଦୁର୍ଘଟଣାରେ ପ୍ରାଣ ହରାଇବା ବ୍ୟକ୍ତିମାନଙ୍କ ସଂଖ୍ୟାକୁ ନେଇ କୌଣସି ପରିଶେଷରେ ପହଞ୍ଚିବା କଷ୍ଟ ।
ଦୁର୍ଘଟଣା ସବୁବେଳେ ଦୁର୍ଘଟଣା ହୋଇଥାଏ, ତେବେ ଏହି କ୍ଷେତ୍ରରେ ଏବେ ସମସ୍ତେ ଯାହା ଜାଣିବାର ଆବଶ୍ୟକତା ରହିଛି, ତାହା ହେଉଛି- କାହିଁକି ଏୟାର ଇଣ୍ଡିଆର ବୋଇଂ ୭୮୭-୮ ବା ଅତି ସୁରକ୍ଷିତ ବିମାନ ଭାବରେ ବିବେଚନା କରାଯାଉଥିବା ଡ୍ରିମଲାଇନର ଭଡ଼ାଣ ଭରିବାର ମାତ୍ର ଅଳ୍ପ କେତେ ମିନିଟ୍ ପରେ ତାର ଗତି ହରାଇ ବସିଲା ।
ଏହାର କାରଣ କ’ଣ ଥିଲା ବାୟୁର ତାପମାତ୍ରାରେ ଅଧିକ ଏବଂ ବିମାନ ଇଞ୍ଜିନ୍ର କାର୍ଯ୍ୟ କ୍ଷମତାରେ ଦୁର୍ବଳ ପ୍ରଦର୍ଶନ । ବିମାନ ଡେଣାରେ କିଛି ଅସୁବିଧା ଏବଂ ଏମିତିକି ପକ୍ଷୀମାନଙ୍କ ସହିତ ଧକ୍କା, ଭୁଲ୍ ଚାଳନା, ବିମାନର ଜାଳେଣିରେ କିଛି ଅସୁବିଧା ବା ଜାଳେଣିରେ ଅଭାବ ଇତ୍ୟାଦି ଯହା ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ତାହା ହୋଇପାରେ।ଅବତରଣକାରୀ ଗିୟର ତଥାପି ନିମ୍ନଗତି ଆପଣାଇଥିବା ବି ଅନ୍ୟ ଏକ କାରଣ ବୋଲି କୁହାଯାଉଛି? କେବଳ ଏକ ପୁଙ୍ଖାନୁପୁଙ୍ଖ ତଦନ୍ତ ହିଁ ପ୍ରକୃତ କାରଣ ଖୋଲି ଆଣି ପାରିବ ।ସର୍ବାଧିକ ସୁରକ୍ଷିତ ମନେ କରାଯାଉଥିବା ଏହି ବିମାନଟି ଦୁର୍ଘଟଣାର ସମ୍ମୁଖୀନ ହେବା ସାଂପ୍ରତିକ ଇତିହାସରେ ଏକ ବିରଳ ଘଟଣା ।
ବିମାନ ଭିତରେ ଥିବା ୨୪୨ ଜଣ ଯାତ୍ରୀଙ୍କ ସମେତ ଡାକ୍ତରୀ ଛାତ୍ର ଏବଂ ଅନ୍ୟାନ୍ୟ ବ୍ୟକ୍ତିଙ୍କ ଜୀବନ ହାନି ଘଟାଇ ଥିବା ଏତେ ଭୟଙ୍କର ଦୁର୍ଘଟଣାର କାରଣ ଜାଣିବାକୁ ସମସ୍ତେ ଅପେକ୍ଷା କରିଥିବା ବେଳେ କେତେକ ପ୍ରଶ୍ନ ଉତ୍ତରର ଅପେକ୍ଷା ରଖୁଛି ।
୧୯୯୬ରେ ୩୯୬ ଲୋକ ପ୍ରାଣ ହରାଇ ଥିବା ହରିୟାନାର ଦାଦ୍ରି ଉପରେ ଆକାଶ ମାର୍ଗରେ ଘଟିଥିବା ବିମାନ ଦୁର୍ଘଟଣା ପରେ ଅହମ୍ମଦାବାଦ ଦୁର୍ଘଟଣା ହେଉଛି ଅନ୍ୟତମ ଭୟଙ୍କର ଦୁର୍ଘଟଣା । ଗୁରୁବାର ପର୍ଯ୍ୟନ୍ତ କୌଣସି ଦୁର୍ଘଟଣାକୁ ସମ୍ନା କରି ନ ଥିବାର ରେକର୍ଡକୁ ବହନ କରୁଥିବା ଡ୍ରିମଲାଇନର ଭଡ଼ାଣ ଭରିବା ପରେ ପରେ କାହିଁକି ହଠାତ୍ ଦୁର୍ଘଟଣାଗ୍ରସ୍ତ ହେଲା ଏହି ପ୍ରଶ୍ନଟି ସମ୍ପ୍ରତି ସମସ୍ତଙ୍କ ମନରେ ସବୁଠାରୁ ବଡ଼ କୁହେଳିକା ହୋଇ ରହିଛି । ଏହି ବିମାନର ଦୁଇଗୋଟି ଇଞ୍ଜିନ୍ ରହିଥିବା ବେଳେ ଏକା ଥରକେ କ’ଣ ଦୁଇଟିଯାକ ଇଞ୍ଜିନ୍ ବିଫଳ ହେଲେ ? ନିୟନ୍ତ୍ରଣ ବ୍ୟବସ୍ଥା କ’ଣ ବିଫଳ ହେଲା ? ପକ୍ଷୀମାନଙ୍କ ତରଫରୁ ଏହା ଦୁର୍ଘଟଣାର ଶିକାର ହେଲା କି ? ଜାଳେଣିରେ କିଛି ଅଭାବ ରହିଥିଲା କି ? ନା ଆଉ କିଛି କାରଣ ରହିଛି ଏହା ପଛରେ ।
ଏସବୁ ଏବଂ ଆହୁରି ଅନେକ ପ୍ରଶ୍ନର ଉତ୍ତର କେବଳ ଏକ ପୁଙ୍ଖାନୁପୁଙ୍ଖ ନିରପେକ୍ଷ ତଦନ୍ତ ପରେ ଜଣା ପଡ଼ିବ । ତେବେ ଏଭଳି ଏକ ତଦନ୍ତ ପ୍ରକ୍ରିୟା ବେଶ୍ ଦୀର୍ଘ ସମୟ ନେବାର ସମ୍ଭାବନା ରହିଛି । ତଦନ୍ତ ନ ସରି କୌଣସି ସଠିକ୍ କାରଣ ନିର୍ଣ୍ଣୟ ନ ହେବା ପର୍ଯ୍ୟନ୍ତ କୌଣସି ସିଦ୍ଧାନ୍ତରେ ଉପନୀତ ହେବା ଠିକ୍ ନୁହେଁ କିମ୍ବା ବିମାନ ନିର୍ମାଣକାରୀ କମ୍ପାନୀ ବୋଇଂ ଉପରେ ସବୁ ଦୋଷ ଲଦିଦେବା ବି ଉଚିତ ନୁହେଁ । ଏହି କ୍ଷେତ୍ରରେ ତଦନ୍ତ କାର୍ଯ୍ୟ ଏକ ବଡ଼ ଆହ୍ୱାନ ହେବ, କାରଣ ଏହା ଘଟିଛି ଏକ ସହରାଞ୍ଚଳରେ ଏବଂ କର୍ତ୍ତୃପକ୍ଷମାନଙ୍କ ଦ୍ଵାରା ସ୍ଥାନଟିକୁ ପ୍ରମାଣ ସଂଗ୍ରହ ନିମନ୍ତେ ସୁରକ୍ଷିତ ରଖାଯିବା ପୂର୍ବରୁ ସେଠାରେ ଅନେକ ସଂଖ୍ୟକ ଲୋକ ଜମା ହୋଇ ଯାଇଥିଲେ ।
ସେହି ସ୍ଥାନର ଏକ ସମ୍ପୂର୍ଣ୍ଣ ପରିଷ୍କରଣ ଆବଶ୍ୟକ । କେବଳ ଦୁର୍ଘଟଣାର କାରଣ ଜାଣିବା ପାଇଁ ପ୍ରମାଣ ସଂଗ୍ରହ ନିମନ୍ତେ ନୁହେଁ, ବରଂ ମୃତକମାନଙ୍କ ପରିଚୟକୁ ପ୍ରତିପାଦିତ କରିବା ନିମନ୍ତେ । ଏଆଇ-୧୭୧ ଦୁର୍ଘଟଣା ମଧ୍ୟ ବିମାନ ନିରାପତ୍ତା ବାବଦରେ ରହିଥିବା ସମସ୍ତ ପ୍ରକାରର ସମସ୍ୟାଗୁଡ଼ିକୁ ତନ୍ନ ତନ୍ନ କରି ଜାଣିବା ପାଇଁ ଏକ ଭଲ ଅବସର । ସମୟ ଅତିବାହିତ ହୋଇ ଚାଲିବ ସହିତ ବିମାନରେ ଯାତ୍ରା କରିବା ଏବେ ଏକ ବଡ଼ ଆବଶ୍ୟକତା ହୋଇ ପଡ଼ିଛି । ତେବେ ଏହି ଧରଣର ଏକ ଦୁର୍ଘଟଣା ଅବଶ୍ୟ ବିମାନ ଉଦ୍ୟୋଗ ଉପରେ କଳାଛାଇଟିଏ ପକାଇବାର ସମସ୍ତ ସମ୍ଭାବନା ବହନ କରୁଛି।
ବିମାନ ଯାତ୍ରା ଭାରତରେ ବେଶ୍ ଦ୍ରୁତ ଗତିରେ ସମ୍ପ୍ରସାରିତ ହେଉଛି । ମଧ୍ୟବିତ୍ତ ବର୍ଗଙ୍କ ସମ୍ପ୍ରସାରଣ, ବ୍ୟୟ କରିବା ଭଳି ଆୟରେ ବୃଦ୍ଧି, ଏବଂ ବୃଦ୍ଧିଗତ ବାଧବାଧକତା ବିମାନ ଯାତ୍ରାର ଚାହିଦାକୁ ବୃଦ୍ଧି କରୁଛି । ଏହି ଚାହିଦାକୁ ମେଣ୍ଟାଇବା ନିମନ୍ତେ ନୂଆ ନୂଆ ବିମାନ ବନ୍ଦରମାନ ତିଆରି କରାଯାଉଛି । ଏବଂ ପୁରୁଣା ବିମାନ ବନ୍ଦରଗୁଡ଼ିକର ସମ୍ପ୍ରସାରଣ କରାଯାଉଛି । ବିମାନ ସେବା ଯୋଗାଇ ଥିବା ଉଭୟ ସ୍ଵଦେଶୀ ଏବଂ ବିଦେଶୀ କମ୍ପାନୀମାନେ ଯାତ୍ରୀମାନଙ୍କର ମନୋଭାବ ଓ ଆବଶ୍ୟକତାରୁ ଢେର ଫାଇବା ପାଉଛନ୍ତି ଏବଂ ନୂଆ ନୂଆ ସ୍ଥାନଗୁଡ଼ିକୁ
ସେମାନଙ୍କ ସେବା ଯୋଗାଇବା ଲକ୍ଷ୍ୟସ୍ଥଳୀରେ ପରିସରଭୁକ୍ତ କରୁଛନ୍ତି ।
ସେମାନଙ୍କ ବିମାନ ଓ ଉଡ଼ାଣ ସେବାର ସଂଖ୍ୟାରେ ବୃଦ୍ଧି ଘଟାଉଛନ୍ତି । ୨୦୧୯ରୁ ୨୦୨୪ ୫ ବର୍ଷ ମଧ୍ୟରେ ଘରୋଇ ରୁଟ୍ ର ସଂଖ୍ୟା ୬୪୬ରୁ ୮୨୩କୁ ବୃଦ୍ଧି ପାଇଛି । ଏହି ଅବଧିରେ ଘରୋଇ ଯାତ୍ରୀମାନଙ୍କ ସଂଖ୍ୟା ୨୦୧୯ରେ ୧୩୭.୬ ମିଲିଅନରୁ ୨୦୨୪ରେ ୨୨୮ ମିଲିଅନକୁ ବୃଦ୍ଧି ପାଇଛି । ତେବେ ଏହି ଉଦ୍ୟୋଗ ନିମନ୍ତେ ଗୁଣାତ୍ମକ ମାନର କର୍ମଚାରୀ ଯଥା ରକ୍ଷଣାବେକ୍ଷଣ ଇଞ୍ଜିନିୟର, ପାଇଲଟ, ଏମିତିକି ଗ୍ରାଉଣ୍ଡ୍ ଷ୍ଟାଫ୍ଙ୍କ ପର୍ଯ୍ୟନ୍ତ କର୍ମଚାରୀମାନଙ୍କ ଆବଶ୍ୟକତାକୁ ପୂରଣ କରିବା କଷ୍ଟକର ସାବ୍ୟସ୍ତ ହୋଇଛି ।
ଅପର ପକ୍ଷରେ ପାଇଲଟ୍ ପ୍ରଶିକ୍ଷଣରେ ଅବନତି ଦେଖା ଦେଇଛି । ଏହି ସବୁ ଚିନ୍ତା ଏବଂ ଆଶଙ୍କାରେ ଉପରେ ବିଚାର କରିବାର ଜରୁରୀ ଆବଶ୍ୟକତା ରହିଛି । ଯାତ୍ରୀମାନଙ୍କୁ ସେମାନଙ୍କର ନିରାପତ୍ତା ସହିତ କୌଣସି ପ୍ରକାରର ବୁଝାମଣା କରାଯାଉ ନ ଥିବାର ଆଶ୍ଵାସନା ପ୍ରଦାନ କରିବା ନିମନ୍ତେ ବିଭିନ୍ନ ପଦକ୍ଷେପ ଅନିବାର୍ଯ୍ୟ ।
ଭାରତୀୟ ବିମାନ ସେବା ହେଉଛି ଅର୍ଥନୀତିକ ଉଦାରୀକରଣର ଏକ ମହାନ କାହାଣୀ । ଦେଶ ବର୍ତ୍ତମାନ ବିଶ୍ଵର ତୃତୀୟ ବୃହତ୍ତମ ବିମାନ ସେବା ବଜାର । ସମ୍ପ୍ରତି, କେନ୍ଦ୍ର ସରକାର ଭାରତକୁ ବିମାନ ସେବାର ଏକ ପେଣ୍ଠସ୍ଥଳୀରେ ପରିଣତ କରି ଦୁବାଇ ଏବଂ ସିଙ୍ଗାପୁର ଭଳି ବିମାନ ସେବା କେନ୍ଦ୍ରଗୁଡ଼ିକ ସହିତ ପ୍ରତିଯୋଗିତା କରିବାର ମନୋଭାବ ପୋଷଣ କରୁଛନ୍ତି । ଅହମ୍ମଦାବାଦର ଦୁର୍ଘଟଣା ଏଭଳି ମହତଆକାଂକ୍ଷା ଉପରେ ପାଣି ପକାଇ ଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ତେଣୁ ନେଡ଼ିଗୁଡ଼ କହୁଣିକୁ ବୋହିଯିବା ପୂର୍ବରୁ ସରକାର ଅହମ୍ମଦାବାଦ ବିମାନ ଦୁର୍ଘଟଣାର କାରଣ, ଏଥିପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ ସାମ୍ନାକୁ ଆଣିବା, ଦୋଷୀଙ୍କ ଉପରେ ଦଣ୍ଡ ବିଧାନ କରିବା ସଙ୍ଗେ ସଙ୍ଗେ ଆବଶ୍ୟକୀୟ ପ୍ରତିଷେଧକ ବ୍ୟବସ୍ଥାମାନ ଯଥା ଶୀଘ୍ର ଗ୍ରହଣ କରିବା ଉଚିତ । ସେପରି ହେଲେ ଭବିଷ୍ୟତରେ ଏଭଳି ଦୁଃଖଦ ଘଟଣା ଗୁଡ଼ିକୁ ସହଜରେ ଏଡ଼ାଇ ଦିଆଯାଇ ପାରିବ।
ALSO READ https://purvapaksa.com/eleven-years-of-modi-government-rule/
Eleven years of Modi government rule ।। ମୋଦୀ ସରକାରଙ୍କ ଏଗାର ବର୍ଷ ଶାସନ
