ରାଜ୍ୟରେ ବିଗତ ଦିନରେ ଭିଜିଲାନ୍ସ ଦ୍ୱାରା ଆୟ ବହିର୍ଭୂତ ସଂପତ୍ତି ଜବତ ହୋଇଥିବା ଖବର ଆପଣଙ୍କ ନଜରରେ ପଡିଥିବ କିନ୍ତୁ ଏହି ସମ୍ପତ୍ତି ଠୁଳ ହେଲା ପରେ ଏହାକୁ କିଏ ନିଏ ବା କେଉଁଠାକୁ ଏତେ ସମ୍ପତ୍ତି ଯାଏ ଆପଣ ଜଣନ୍ତି କି ? ଏହି ପ୍ରଶ୍ନ ପ୍ରାୟ ସମସ୍ତଙ୍କ ମନରେ ଉଙ୍କି ମାରେ । ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଚଢ଼ଉ କରୁଛି ଭିଜିଲାନ୍ସ । ଜବତ ହେଉଛି କୋଟି କୋଟି ଟଙ୍କାର ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି । ଅନେକଙ୍କ ମନରେ ପ୍ରଶ୍ନ ଉଠୁଛି, ଏସବୁ ସମ୍ପତ୍ତି ହୁଏ କ’ଣ ? ଟଙ୍କା, ସୁନା ଅଳଙ୍କାର ରଖିଯାଏ କେଉଁଠି ? ଜବତ ହୋଇଥିବା ଗାଡ଼ି ଓ କୋଠା କାହା ହେପାଜରେ ରୁହେ । ଅଭିଯୁକ୍ତ କିମ୍ବା ତାଙ୍କ ପରିବାର ଏହାକୁ ବିକ୍ରି କରିପାରିବେ ନା ନାହିଁ । ପରେ ଜବତ ସମ୍ପତ୍ତି କୁଆଡେ ଯାଏ ।
ତେବେ ଏଠି ଟଙ୍କା ପ୍ରକାଶ ନ ପାଇବା ପର୍ଯ୍ୟନ୍ତ ବ୍ୟାଙ୍କରେ ଜମା ରଖାଯାଇଥାଏ । ଏଥିଲାଗି ବ୍ୟାଙ୍କ ପକ୍ଷରୁ ସରକାରଙ୍କୁ କୌଣସି ସୁଧ ମିଳି ନ ଥାଏ । ଜବତ ହୋଇଥିବା ସୁନାରୁପା ଅଳଙ୍କାରକୁ ପରିବାର ଜିମାରେ ଦିଆଯାଇଥାଏ । ସର୍ଭ ରହିଥାଏ, ବିଚାରଣା ଶେଷ ନ ହେବା ପର୍ଯ୍ୟନ୍ତ ଏହାକୁ ସେମାନେ କୌଣସି ପରିସ୍ଥିତିରେ ବିକ୍ରି କରିପାରିବେ ନାହିଁ । ଅଥଚ ବ୍ୟବହାର କରିପାରିବେ । ସେହିପରି ଜବତ ହୋଇଥିବା କୋଠାବାଡ଼ି ବି ଅଭିଯୁକ୍ତ ଓ ତାଙ୍କ ପରିବାର ଲୋକଙ୍କ ଜିମାରେ ରୁହେ । ଏହାକୁ ସେମାନେ ବ୍ୟବହାର କରିପାରିବେ ଏବଂ ଭଡ଼ାରେ, ଦେଇପାରିବେ । ବିକ୍ରି କରିପାରିବେ ନାହିଁ । ଜବତ ପ୍ଲେଟ ବି ବିକ୍ରି କରିପାରିବେ ନାହିଁ । ଗାଡ଼ିମୋଟର ଓ ଅନ୍ୟାନ୍ୟ ଆସବାବପତ୍ର ବ୍ୟବହାର କରିପାରିବେ, କିନ୍ତୁ ବିକିବା ସମ୍ଭବ ନୁହେଁ ।
ଏହା ଉପରେ କଟକଣା ରହିଥାଏ । ଜବତ ପରେ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରାଯାଏ । ବୀମା ବାବଦରେ ନିୟମିତ ରାଶି ଜମା କରିହେବ ଏବଂ ଯଦି କିଛି ଅଘଟଣ ଘଟେ କ୍ଲେମ କରି ସୁବିଧା ନେଇ ହେବ । ଅଥଚ କୌଣସି ପରିସ୍ଥିତିରେ ଏହାକୁ ବନ୍ଦ କରି ଟଙ୍କା ଉଠାଇପାରିବେ ନାହିଁ କି ଏଥିରୁ ଋଣ ନେଇପାରିବେ ନାହିଁ । କୋର୍ଟରେ ମାମଲାର ବିଚାର ଶେଷ ନ ହେବା ପର୍ଯ୍ୟନ୍ତ କଟକଣା ଜାରି ରହିଥାଏ । କୋର୍ଟରୁ ଯଦି ଅଭିଯୁକ୍ତ ନିର୍ଦ୍ଦେଷରେ ଖଲାସ ହୁଅନ୍ତି, ତାହେଲେ ଜବତ ସମ୍ପତ୍ତି ଫେରିପାଆନ୍ତି । ଆଉ ଯଦି ରାୟ ତାଙ୍କ ବିରୋଧରେ ଯାଏ, ତାହେଲେ ବିଚାରପତିଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଏ । ଅର୍ଥାତ୍ କେତେ ସମ୍ପତ୍ତି ବ୍ୟାଜ୍ୟାପ୍ତ ହେବ ଏବଂ କେତେ ସମ୍ପତ୍ତି ଫେରାଯିବ ।
ALSO READ https://purvapaksa.com/3-let-terrorists-behind-pahalgam-attack-killed-in-op-mahadev/
