ତାଙ୍କର ନାଁ ଯେମିତି ବଡ଼ ଠାକୁର, କାମ ମଧ୍ୟ ସେମିତି ତାଙ୍କର ବଡ଼, ତାଙ୍କ ଦେଉଳ ବଡ଼, ତାଙ୍କ ଦାଣ୍ଡ ବଡ଼, ତାଙ୍କ ନେତ ବଡ଼, ଖାଇବା ବି ତାଙ୍କର ବଡ଼। ସେଥି ପାଇଁ ତ ଜଗତ ତାଙ୍କୁ ବଡ଼ଖିଆ ଭାବେ ଜାଣନ୍ତି। ସେଥି ପାଇଁ ତ ଦିନରେ ତାଙ୍କର ଆନେକ ସେବା ସାଙ୍ଗକୁ ବିଭିନ୍ନ ଭୋଗ ଲାଗେ। ପୋଡ଼ ପିଠାରୁ ଖିଲି ପାନ ସବୁ ତାଙ୍କର ପ୍ରିୟ। ରତ୍ନ ସିଂହାସନରୁ ଅଣସର ଘର ସବୁଠି ତାଙ୍କର ଲାଗି ହୁଏ ମାନମୁତାବକ ଚିଜ। ରତ୍ନ ସିଂହାସନରେ ବିରାଜିତ ଥିବାବେଳେ ତାଙ୍କ ପାଖରେ ବିଧି ମୁତାବକ ନାନାଦି ଶଙ୍ଖୁଡି ଭୋଗ ଲାଗି ହୋଇଥାଏ। କିନ୍ତୁ ଆଜି ଯେତେବେଳେ ରଥଯାତ୍ରାରେ ଚତୁର୍ଦ୍ଧା ମୂର୍ତ୍ତି ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି ମାଉସୀ ଘରକୁ ଯିବାକୁ ସେତେବେଳେ ସମସ୍ତ ଭକ୍ତଙ୍କ ମନରେ ନିହାତି ପ୍ରଶ୍ନ ଉଠୁଥିବ ଠାକୁର ଖାଆନ୍ତି କ’ଣ? ରଥ ଉପରେ ଏକାଧିକ ଦିନ ରହିବା ବେଳେ ଠାକୁରେ କ’ଣ ଉପାସ ରହନ୍ତି? ବଡ଼ଖିଆ ଠାକୁର କଣ କେବେ ଉପାସରେ ରହିପାରିବେ? ତେବେ ଜାଣନ୍ତୁ ରଥରେ କଣ ଭୋଗ ଲାଗେ…
ରଥଯାତ୍ରା ଦିନ ଠାକୁରଙ୍କୁ ଶଙ୍ଖୁଡି ଭୋଗ ଲାଗେନି ଶୁଖିଲି ଭୋଗ ହୁଏ, ରଥଯାତ୍ରା ଦିନ ସକାଳେ ମନ୍ଦିର ଭିତରେ ମଙ୍ଗଳଆଳତି, ଅବକାଶ ଓ ବେଶ ପରେ ସକାଳଧୂପରେ ଖେଚେଡ଼ି ଭୋଗ ସହ ଗୋପାଳବଲ୍ଲଭ ଭୋଗ ମଣୋହି କରାଯାଏ। ଏଥିରେ ବାରଗୋଟି ଅଧସେର କୁଡ଼ୁଆରେ ଖେଚେଡ଼ି ଭୋଗ ସହ ପରିବା ଭଜା ଏକ ସରା, ଶାଗଭଜା ପାଞ୍ଚ ଓଳି, ବଡ଼କାନ୍ତି ପାଞ୍ଚ ସରା, ପୁଳିପିଠା ଚାରି ସରା, ଚଣ୍ଡପିଠା ଛତିଶି ଗୋଟି, ଟାକୁଆ ପାଞ୍ଚ ସରା ଓ ଅଦା ପାଚେଡ଼ି ଭୋଗ ହୁଏ। ଗୋପାଳବଲ୍ଲଭ ଭୋଗରେ ପାଗଖଇ, ଛୋଟ ନଡ଼ିଆକୋରା, ଦହି, ଖୁଦିନଡ଼ିଆ, କଦଳୀ, ଖୁଆମଣ୍ଡା, ସର ଓ ବିଭିନ୍ନ ଫଳ ଭୋଗ ଲାଗେ। ତା’ ପରେ ଘଷାଜଳ ଭୋଗ ଲାଗେ। ଭୋଗ ମଣୋହି ସରିବା ପରେ ବିଡ଼ିଆ ପାନ ମଣୋହି ହୁଏ ଏବଂ ତା’ପରେ ମଙ୍ଗଳାର୍ପଣ ହୋଇ ପହଣ୍ଡି ଆରମ୍ଭ ହୁଏ। ଅର୍ଥାତ୍ ଠାକୁରେ ଖାଇପିଇ ମନ୍ଦିରରୁ ବାହାରନ୍ତି। ଗୋପାଳବଲ୍ଲବଠାରୁ ଆରମ୍ଭ କରି ସମସ୍ତ ଧୂପ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଧୂପ ଓ ବଡ଼ ସିଂହାର ଧୂପରେ ମୂଖ୍ୟତଃ ବଲ୍ଲଭ ଖଇ, କୋରା, ଶର୍କରା ଜାତୀୟ ଦ୍ରବ୍ୟ ଭୋଗ ହୁଏ । ସ୍ୱତନ୍ତ୍ର ଆକାରର ରଥ କୋରା ଶ୍ରୀମନ୍ଦିରରେ ନିର୍ମିତ ହୋଇ ବଡ଼ଦାଣ୍ଡରେ ରଥ ଯେଉଁ ସ୍ଥାନରେ ରୁହେ ନୀତି ଆରମ୍ଭ ହୋଇଥାଏ, ସେଠାରେ ଏହି ଭୋଗ କରାଯାଏ। ମହାସୁଆରମାନେ ଭୋଗ ଆଣି ରଥ ଉପରେ ପନ୍ତିରେ ବାଢ଼ନ୍ତି । ପୂଜାପଣ୍ଡାମାନେ ପଞ୍ଚୋପଚାରରେ ଏହି ଧୂପ ପୂଜାଗୁଡି଼କୁ ସମାପନ କରିଥାନ୍ତି ।
ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିରେ ଉଲ୍ଲେଖ ଅଛି ଯେ, ରଥ ଉପରେ ପୂର୍ବରୁ ହେଉଥିବା ଭୋଗଗୁଡ଼ିକ ମଧ୍ୟରେ ବଡ଼ ସାନ ମନୋହର, ପଶୁପାଳନ କାକର, ତାଟ ବାବଦ ନାଡି, ଗଜା ବଡ଼ ସାନ, ଟାକୁଆ, ଫେଣି, କକରା, ଡାଳିମ୍ବ, ଟାକୁଆ ସାନ ସରା, ଗଜା, ସୁଆର ନଡୁ ଓ କାକରା ରହିଥାଏ । ଏତଦ୍ ବ୍ୟତୀତ ଶ୍ରୀଗୁଣ୍ଡିଚା ଦିନ ରଥ ଉପରେ ଘଣ୍ଟ ଛତା ଅଧିକ ଭୋଗ ମଧ୍ୟରେ କୋରା, ଖଇ, ବଡ଼ କାକରା, ଉଠା କାକର, ମହା ପ୍ରଶସ୍ତ ମନହର , ବଡ଼ ଅମାଲୁ, ସାନ ଅମାଲୁ, ଝଡେଇ ନେଦା, ମାଣ୍ଡୁଅ, ଟାକୁଆ, ଟାକୁଆ ବଡ଼ସେରା, ରଥ ମନହର, ମରିଚ ନଡୁ ଭୋଗ ଲାଗି ହେବାର ଉଲ୍ଲେଖ ଥିବା ଜଣାଯାଏ। ସମ୍ପ୍ରତି ପରମ୍ପରା ଅନୁଯାୟୀ ବିଭିନ୍ନ ପ୍ରକାରର ଓ ଧାର୍ଯ୍ୟ ପରିମାଣର ରଥ କୋରା, ବଲ୍ଲଭ ଖଇ, ଗଜାମୁଗ, ପାତି ନଡିଆ, ବିଭିନ୍ନ ଫଳ, ଶଙ୍ଖାକୃତି ଶାକର ଇତ୍ୟାଦି ଭୋଗ ରଥରେ ଠାକୁରଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ହେଉଛି।
କିନ୍ତୁ ରଥଟଣା ସମୟରେ ଆଉ କୌଣସି ଭୋଗର ବ୍ୟବସ୍ଥା ନାହିଁ। ରଥଟଣା ବନ୍ଦ ହେବା ପରେ ପୁଣି ଦେବନୀତି ଆରମ୍ଭ ହୋଇଥାଏ। ସକାଳଧୂପ ମନ୍ଦିରରେ ଶେଷ ହୋଇଥିବାରୁ ମଧ୍ୟାହ୍ନଧୂପ, ସନ୍ଧ୍ୟାଧୂପ ଓ ବଡ଼ସିଂହାର ଭୋଗ ରଥ ଉପରେ ଅନୁଷ୍ଠିତ ହୁଏ। ତେବେ ରଥ ଉପରେ ବିଭିନ୍ନ ଧୂପରେ କେବଳ ନିଶଙ୍କୁଡ଼ି ଭୋଗ ହିଁ ଲାଗେ। ଏଥିରେ ପାଗଖଇ, ସାନ, ମଧ୍ୟମ ଓ ବଡ଼ ହୋଇ ତିନି ଆକାରର କୋରା, ମଣ୍ଡାଏଣ୍ଡୁରି କୋରା, ବତୁରାମୁଗ, ପାତିନଡ଼ିଆ ତଥା ବିଭିନ୍ନ ଫଳ ଥାଳିମାନଙ୍କରେ ବଢ଼ାଯାଏ। ଥାଳିମାନଙ୍କରେ ବଢ଼ାଯାଇଥିବା ପାଗଖଇ ଉପରେ ଶୁଦ୍ଧ ଗୁଆଘିଅ ପଡ଼ିଥାଏ। ଏହାସହ ଘଷାଜଳ ମଧ୍ୟ ପନ୍ତିରେ ବଢ଼ାଯାଏ। ରଥ ଉପର ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟାଧୂପ ଷୋଡ଼ଶ ଉପଚାର ବିଧିରେ ଓ ବଡ଼ସିଂହାର ଭୋଗ ପଞ୍ଚ ଉପଚାର ବିଧିରେ ସମ୍ପନ୍ନ ହୋଇଥାଏ। ଷୋଡ଼ଶ ଉପଚାର ପୂଜାବିଧି ପରେ ବିଡ଼ିଆ ପାନ ମଣୋହି ହୁଏ। ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରର ବଲ୍ଲଭଘରେ ଗୁଡ଼ିଆ ସେବକମାନେ ଭୋଗ ପ୍ରସ୍ତୁତ କରିଥାନ୍ତି। ରଥ ଉପରେ ଠାକୁର ଏକାଧିକ ଦିନ ରହିଲେ ବିଧିମତେ ତାଙ୍କର ସମସ୍ତ ରୀତିନୀତି ଓ ତିନି ଧୂପ ହୁଏ। କେବଳ ଶଙ୍କୁଡ଼ି ଭୋଗ ଛଡ଼ା ଉପରୋକ୍ତ ରୀତିରେ ରଥଭୋଗ କରାଯାଏ।
Also read https://purvapaksa.com/one-of-the-attractions-of-the-chariot-procession-is-the-chariot-rope/
