ପାକିସ୍ତାନ ସହ ଯୁଦ୍ଧ କିଛି ନୂଆ କଥା ନୁହେଁ। ଜନ୍ମ ହେବା ଦିନଠାରୁ ପାକିସ୍ତାନ ଭାରତ ସହ ଯୁଦ୍ଧ କରି ଆସୁଛି। ପାକିସ୍ତାନ ସବୁବେଳେ ଭାରତକୁ ଉସ୍କାଉଛି, ଆକ୍ରମଣ କରୁଛି, ପ୍ରତି ଆକ୍ରମଣ ପରେ ନରମୁଛି। ଏଥର ବି ସେଇ ସ୍ଥିତି ହୋଇଛି, କିନ୍ତୁ ସ୍ଥାନ, କାଳ, ପାତ୍ର ବଦଳିଛି। ଏଥର ଭାରତ ସିଧାସଳଖ ଆତଙ୍କୀଙ୍କ ଶିବର ଉପରେ ଆକ୍ରମଣ କରିଛି। ଧାର୍ମିକ ସ୍ଥଳର ଆଢ଼ୁଆଳରେ ଥିଲେବି ତାହାକୁ ଭ୍ରୁକ୍ଷେପ କରିନାହିଁ ଭାରତ। ଖାଲି ସେତିକି ନୁହେଁ ଏଥର ଭାରତର ସମସ୍ତ ରାଜନୀତିକ ଦଳ ସବୁ ବିରୋଧକୁ ପଛରେ ପକାଇ ସରକାରଙ୍କୁ ସମର୍ଥନ କରିଛନ୍ତି। ଯାହା ଭାରତର ନେତୃତ୍ୱ ଓ ଏକତାକୁ ସ୍ପଷ୍ଟ କରୁଛି। ଏହାହିଁ ଭାରତୀୟ ଗଣତନ୍ତ୍ରର ସୌନ୍ଦର୍ଯ୍ୟ, ଯାହା ଖୁବ୍ କ୍ୱଚିତ୍ ଦେଶରେ ଦେଖିବାକୁ ମିଳେ। ସବୁ ଯୁଦ୍ଧ ପରି ଏ ଯୁଦ୍ଧରେ ମଧ୍ୟ ଆମେ ଅନେକ ଆହ୍ୱାନର ସମ୍ମୁଖୀନ ହୋଇଛୁ। ସୋସାଲ୍ ମିଡିଆଠାରୁ ଆରମ୍ଭ କରି ସାଇବର ଆକ୍ରମଣ, ଅପପ୍ରଚାର ପ୍ରଭୃତି ମାଧ୍ୟମରେ ମଧ୍ୟ ପାକିସ୍ତାନ ଯୁଦ୍ଧ କରିଛି।
୧୯୪୭ରେ ଭାରତଠାରୁ ଅଲଗା ହୋଇ ମଧ୍ୟ ପାକିସ୍ତାନ ଶାନ୍ତ ରହିବାକୁ ଚେଷ୍ଟା କରିନଥିଲା। ଦେଶ ଗଠନ କାର୍ଯ୍ୟରେ ଲିପ୍ତ ରହି ଭବିଷ୍ୟତ ଗଢ଼ିବାକୁ ଅନୁପ୍ରାଣୀତ କରିବା ବଦଳରେ ଏହାର ପୂର୍ବପୁରୁଷମାନେ ଭାରତ ବିରୁଦ୍ଧରେ ବିଷୋଦ୍ଗାର କରିବାକୁ ଉଚିତ ମନେକରିଥିଲେ। ଫଳରେ ଜନ୍ମଠାରୁ ହିଁ ଭାରତ ବିରୋଧରେ ଯୁଦ୍ଧ ଘୋଷଣା କରିବାକୁ ଆଗଭର ହୋଇଥିଲା ପାକିସ୍ତାନ। କେତେବଳେ କାଶ୍ମୀରକୁ ଅକ୍ତିଆର କରିବା ପାଇଁ ତ ଆଉ କେତେବେଳେ ସୀମାପାର ଆତଙ୍କବାଦ ଦ୍ୱାରା ଆମ ଦେଶର ସାର୍ବଭୌମତ୍ୱକୁ ଆଘାତ ଦେବାକୁ ଚାହିଁଛି ପାକିସ୍ତାନ। ସେଥିଯୋଗୁ ୧୯୪୭ ପରଠାରୁ ଭାରତ ୪ଟି ବଡ଼ ଯୁଦ୍ଧ ଏବଂ ଅନେକ ଛୋଟମୋଟ ଛାୟା ଯୁଦ୍ଧର ଜବାବ ଦେଇଛି।
ସର୍ବ ପ୍ରଥମ ହେଉଛି କାଶ୍ମୀର ଯୁଦ୍ଧ। ଇଂରେଜମାନଙ୍କ ଦ୍ୱାରା ବିଭାଜନ ହେବା ପରେ ପାକିସ୍ତାନ କାଶ୍ମୀରକୁ ନେଇ ଅସନ୍ତୁଷ୍ଟ ହେଲା। ବିଭାଜନରେ ଯାହା ମିଳିଲା ସେଥିରେ ଶାନ୍ତ ନ ରହି ଭାରତୀୟ ଭୂମିକୁ ଅକ୍ତିଆର କରିବାକୁ ଚାହିଁଲା। ହେଲେ ଜମ୍ମୁ ଓ କାଶ୍ମୀରର ମହାରାଜା ହରି ସିଂହ ଭାରତରେ ମିଶିବାକୁ ନିଷ୍ପତ୍ତି ନେଇଥିଲେ। ଏହାକୁ ବିରୋଧ କରି ପାକିସ୍ତାନ ଆଦିବାସୀଙ୍କୁ ମେଳି କରି କାଶ୍ମୀରରେ ପ୍ରବେଶ କଲା। ଏହାର ଜବାବ ଦେବା ପାଇଁ ଭାରତୀୟ ସେନାକୁ ହସ୍ତକ୍ଷେପ କରିବାକୁ ପଡ଼ିଲା। ଭାରତୀୟ ସେନା ଶ୍ରୀନଗର ସମେତ ଅଧିକାଂଶ ଅଞ୍ଚଳକୁ ମୁକ୍ତ କଲା, କିନ୍ତୁ କାଶ୍ମୀରର କିଛି ଭାଗ ପାକିସ୍ତାନ ନିୟନ୍ତ୍ରଣରେ ରହିଗଲା। ତତ୍କାଳୀନ ରାଜନେତାଙ୍କ ଦୂରଦୃଷ୍ଟିର ଅଭାବ ହୋଇପାରେ ବା ଶାନ୍ତି ପ୍ରିୟ ରାଷ୍ଟ୍ରର ମହାନତାସ୍ୱରୂପ ଭାରତ ଜାତିସଂଘର ମଧ୍ୟସ୍ଥତାକୁ ଗ୍ରହଣ କରିବାକୁ ଚାହିଁଲେ। ଫଳରେ ୧୯୪୯ରେ ଯୁଦ୍ଧବିରତି ହୋଇଥିଲା, ଆଉ ଏକ ନିୟନ୍ତ୍ରଣ ରେଖା ବା Line of Control ସ୍ଥାପିତ ହେଲା। ଏହି ନିୟନ୍ତ୍ରଣ ରେଖା ଆଜି ଭାରତ ଓ ପାକିସ୍ତାନ ଭିତରେ ସୀମା ନିର୍ଦ୍ଧାରଣ କରୁଛି। ଏହାକୁ ସମ୍ମାନ ଦେବା ଲାଗି ଉଭୟ ଦେଶ ଚୁକ୍ତିବଦ୍ଧ। କିନ୍ତୁ ପାକିସ୍ତାନ ଅନେକ ସମୟରେ ଏହାର ଉଲ୍ଲଂଘନ କରିଆସୁଛି। ଫଳରେ ସୀମାନ୍ତ ଜନବସତି ସବୁବେଳେ ଗୁଳିଗୋଳା ଶବ୍ଦ ଶୁଣିବା ଏବଂ ଏଥିରେ ଆକ୍ରାନ୍ତ ହେବା ସ୍ୱାଭାବିକ ହୋଇଛି। କୁହାଯାଏ, ଯଦି ଭାରତୀୟ ନେତୃତ୍ୱ ସେତେବେଳେ ଉଦାର ହୋଇ ନ ଥାଆନ୍ତେ ତେବେ, ସେହି ନିର୍ଦ୍ଦିଷ୍ଟ ସମୟରେ ହିଁ ଏହି ବିବାଦ ଆଉ ଯୁଦ୍ଧର ପ୍ରସଙ୍ଗ ହୋଇ ରହି ନ ଥାଆନ୍ତା।
ଦ୍ୱିତୀୟ ଯୁଦ୍ଧ ହୋଇଥିଲା ୧୯୬୫ରେ। ଏ ଯୁଦ୍ଧ ହେବାର କାରଣ ହେଲା “ଅପରେସନ ଜିବ୍ରାଲ୍ଟର” ମାଧ୍ୟମରେ ପାକିସ୍ତାନ ଜମ୍ମୁ ଓ କାଶ୍ମୀରରେ ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ଏହା ବିଫଳ ହୋଇ ଏକ ପୂର୍ଣ୍ଣ ଯୁଦ୍ଧରେ ପରିଣତ ହୋଇଥିଲା। ଫଳସ୍ୱରୂପ ଏହି ଦ୍ୱିତୀୟ ଯୁଦ୍ଧରେ ଉଭୟ ପକ୍ଷର ହଜାର ହଜାର ସୈନିକ ହତାହତ ହେଲେ। ସୋଭିଏତ୍ ସଂଘ ଓ ଯୁକ୍ତରାଷ୍ଟ୍ରର ମଧ୍ୟସ୍ଥତାରେ ଜାତିସଂଘ ଯୁଦ୍ଧବିରତି ଘୋଷଣା କଲା, ଏବଂ ତାସକେଣ୍ଟ ଚୁକ୍ତି (୧୯୬୬) ସ୍ୱାକ୍ଷରିତ ହେଲା। କାଶ୍ମୀର ସମସ୍ୟା ଅମୀମାଂସିତ ରହିଲା, ଏବଂ ଉଭୟ ଦେଶ ନିଜ ନିଜ ଅଧିକୃତ ଅଞ୍ଚଳରେ ରହିଲେ।
ତଥାପି ପାକିସ୍ତାନର ଆଭ୍ୟନ୍ତରୀଣ କନ୍ଦଳ ଓ କାଶ୍ମୀରକୁ ନିଜ ଅଞ୍ଚଳଭାବେ ବର୍ଣ୍ଣନା କରିବାର ଆକାଂକ୍ଷା ଏହି ଦେଶର ସେନା ଓ ରାଜନେତାଙ୍କୁ ଉଜାଗର ରଖିଲା। ଏହାଦ୍ୱାରେ ଆନ୍ତର୍ଜାତିକ ସ୍ତରରେ ବଦନାମ ହେବାକୁ ଆରମ୍ଭ କଲା ପାକିସ୍ତାନ।
ପାକିସ୍ତାନ ସହ ସବୁଠାରୁ ବଡ଼ ଯୁଦ୍ଧ ଭାରତ ଲଢ଼ିଲା ୧୯୭୧ରେ। ଏହା ବାଂଲାଦେଶ ମୁକ୍ତି ସଂଗ୍ରାମଭାବେ ପରିଚିତ। ସେତେବଳେ ପାକିସ୍ତାନ ଦୁଇ ଭାଗରେ ବିଭକ୍ତ ଥିଲା। ଧର୍ମ ଆଧାରରେ ବିଭାଜିତ ହୋଇଥିବା ପାକିସ୍ତାନର ପୂର୍ବ ଭାଗରୁ ପଶ୍ଚିମ ଭାଗକୁ ସଂଯୋଗ କରିବା ଲାଗି ଭାରତ ଦେଇ ଯିବାକୁ ପଡ଼ୁଥିଲା। ଫଳରେ ଭାରତର ପ୍ରତିରକ୍ଷା ଅନେକ ସମୟରେ ବାଧାପ୍ରାପ୍ତ ହେଉଥିଲା। ଏହି ସମୟରେ ବାଂଲା ଜାତୀୟତାବାଦ ଉଦ୍ରେକ ହେଲା। ସେମାନେ ଚାହିଁଲେ ସ୍ୱତନ୍ତ୍ର ଦେଶ। ପୁଣି ପାକିସ୍ତାନୀ ସେନାର ଦମନ ନୀତି ବିରୁଦ୍ଧରେ ସେମାନେ ଘୋଷଣା କରିଥିବା ଯୁଦ୍ଧକୁ ଭାରତ ସମର୍ଥନ କରିଲା। ଫଳସ୍ୱରୂପ ଭାରତୀୟ ସେନା ଓ ବାଂଲାଦେଶୀ ମୁକ୍ତିବାହିନୀର ମିଳିତ ପ୍ରୟାସରେ ୧୩ ଦିନ ଧରି ଯୁଦ୍ଧ ଚାଲିଲା।
ଶେଷଦିନ ପାକିସ୍ତାନର ୯୩,୦୦୦ ସୈନ୍ୟ ଢାକାରେ ଆତ୍ମସମର୍ପଣ କରିଥିଲେ। ଏହି ଯୁଦ୍ଧରେ ଭାରତର ନିର୍ଣ୍ଣାୟକ ବିଜୟ ହାସଲ ହୋଇଥିଲା। ବାଂଲାଦେଶ ଏକ ସ୍ୱାଧୀନ ରାଷ୍ଟ୍ରଭାବେ ଉଦୟ ହେଲା। ଏହା ପାକିସ୍ତାନ ପାଇଁ ଏକ ବଡ଼ ପରାଜୟ ଥିଲା। ସେ ପରାଜୟକୁ ଅପମାନଭାବେ ଗ୍ରହଣ କରିଥିଲା ସେ ଦେଶର ପରବର୍ତ୍ତୀ ପିଢ଼ି। ଏଥିରେ ଶାସକ, ରାଜନେତା ଓ ସେନା ବାହିନୀ ସବୁବେଳେ ଜର୍ଜରିତ ହେଲେ। ଭାରତରେ ଧର୍ମ ଆଧାରରେ ବିଭ୍ରାନ୍ତି ସୃଷ୍ଟି କରିବାକୁ ଚାହିଁଲେ। ଭାରତ ପାକିସ୍ତାନ ସମ୍ପର୍କକୁ ଅଧିକ ତିକ୍ତ କରିବାକୁ ଚାହିଁଲେ।
ଖାଲି ସେତିକି ନୁହେଁ, ଭାରତ ଭିତରେ ଅଯାଚିତ ପ୍ରବେଶ କରିବା ସହ ଆତଙ୍କବାଦୀ କାର୍ଯ୍ୟକଳାପ ଲିପ୍ତ ରହିଲେ। ଏହାର ଅନେକ ମୂଲ୍ୟ ଭାରତ ଦେଇଛି। ଭାରତର ବିମାନ ଅପହରଣ ହୋଇଛି, ଭାରତର ବିଭିନ୍ନ ସହରରେ ବିସ୍ଫୋରଣ ହୋଇଛି, ରାଷ୍ଟ୍ରୀୟ ସମ୍ପତ୍ତି ନଷ୍ଟ ହୋଇଛି। କିନ୍ତୁ ରାଜନୀତିକ କାରଣ, ଅର୍ଥନୀତି ଓ ପାକିସ୍ତାନର ପ୍ରତ୍ୟକ୍ଷ ସମ୍ପୃକ୍ତି ନ ଥିବାରୁ ଭାରତ ଏହାର ଜବାବ ଦେବା ସମ୍ଭବ ହେଉନଥିଲା।
୧୯୯୯ ମସିହାରେ ଏହା ସବୁ ସୀମା ଲଙ୍ଘନ କରିଲା। ପାକିସ୍ତାନୀ ସୈନ୍ୟ ଓ ଆତଙ୍କବାଦୀମାନେ ଗୁପ୍ତରେ କାର୍ଗିଲ ଅଞ୍ଚଳରେ ଭାରତୀୟ ସୀମାନ୍ତରେ ପ୍ରବେଶ କରି ନିୟନ୍ତ୍ରଣ ନେବାକୁ ଚେଷ୍ଟା କରିଥିଲେ। ଜବାବରେ ଭାରତୀୟ ସେନା “ଅପରେସନ ବିଜୟ” ଆରମ୍ଭ କଲା। ଏହା ମାଧ୍ୟମରେ ଅଧିକାଂଶ ଅଞ୍ଚଳକୁ ପୁନରୁଦ୍ଧାର କରାଯାଇଥିଲା। ଆନ୍ତର୍ଜାତୀକ ସମୁଦାୟ ପାକିସ୍ତାନର ଏହି ଆକ୍ରମଣକୁ ନିନ୍ଦା କରିଥିଲା, ଏବଂ ପାକିସ୍ତାନକୁ ନିଜ ସୈନ୍ୟ ପ୍ରତ୍ୟାହାର କରିବାକୁ ବାଧ୍ୟ କରାଯାଇଥିଲା। ଭାରତ ଏହି ସଂଘର୍ଷରେ ବିଜୟୀ ହୋଇଥିଲା।
ତଥାପି ପାକିସ୍ତାନ କିଛି ଶିକ୍ଷାଲାଭ କରିପାରିଲା ନାହିଁ। ଦେଶରେ ରାଜନୀତିକ ଅସ୍ଥିରତା, ଅର୍ଥନୀତିକ ଦେବାଳିଆ ସ୍ଥିତି ଥାଇ ମଧ୍ୟ ପାକିସ୍ତାନର ଆତଙ୍କବାଦୀମାନେ ସେନା ଓ ସରକାରଙ୍କ ପ୍ରଚ୍ଛନ୍ନ ସହାୟତାରେ ଭାରତୀୟ ସୀମା ଭିତରେ ଆତଙ୍କୀ କାର୍ଯ୍ୟକଳାପ କରିଲେ। ୨୦୦୦ ମସିହାରେ ଏକ ନୂଆ ଶତାବ୍ଦୀକୁ ଭାରତ ସ୍ୱାଗତ କରି ଭବିଷ୍ୟତ ପାଇଁ ପ୍ରସ୍ତୁତ ହେଉଥିବାବେଳେ, ଭାରତୀୟ ଗଣତନ୍ତ୍ରର ମନ୍ଦିର ଉପରେ ପାକିସ୍ତାନ ପ୍ରାୟଜିତ ଆତଙ୍କବାଦୀ ଆକ୍ରମଣ ହେଲା। ଏଥିରେ ୯ ଜଣଙ୍କ ମୃତ୍ୟୁ ହେବା ସହ ୧୮ ଜଣ ଆହତ ହେଲେ। ୨୦୦୨ରେ ଅକ୍ଷରଧାମ ମନ୍ଦିରରେ ଯେଉଁ ଆକ୍ରମଣ ହେଲା ସେଥିରେ ୩୧ଜଣଙ୍କ ମୃତ୍ୟୁ ହେଲା। ୮୦ ଜଣ ଆହତ ହେଲେ।
୨୦୦୮ରେ ସବୁ ସୀମା ଲଙ୍ଘି ମୁମ୍ବାଇରେ ଯେଉଁ ଆକ୍ରମଣ କଲେ ସେଥିରେ ୧୬୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୦୦ ଗୁରୁତରଭାବେ ପ୍ରଭାବିତ ହେଲେ। ଭାରତ ଏହାକୁ ନେଇ ଆନ୍ତର୍ଜାତିକ ସ୍ତରରେ ଚାପ ପ୍ରୟୋଗ କରିବାକୁ ଚାହିଁଥିଲା। କିନ୍ତୁ ଭିନ୍ନ ଭିନ୍ନ କାରଣରୁ ଭାରତକୁ ଏଥିରେ ପୂର୍ଣ୍ଣ ସଫଳତା ମିଳୁ ନ ଥିଲା। ୨୦୧୬ରେ ଜମ୍ମୁ କାଶ୍ମୀରର ଉରିଠାରେ ଏକ ସେନା କ୍ୟାମ୍ପରେ ଆକ୍ରମଣ କରିଲେ ପାକିସ୍ତାନୀ ଆତଙ୍କବାଦୀ। ୨୦ ଜଣ ଯବାନ ସହିଦ ହେଲେ। ୨୧ଜଣ ଆହତ ହେଲେ।
ସେତିକିରେ ପାକିସ୍ତାନ ଅଟକିଲା ନାହିଁ; ୨୦୧୮ରେ ପୁଲଓ୍ୱାମା ଆକ୍ରମଣ ଭାରତର ଧୈର୍ଯ୍ୟକୁ ଚ୍ୟୁତ କଲା। ଏହି ଆକ୍ରମଣର ଜବାବରେ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟରେ ଜୈଶ-ଏ-ମହମ୍ମଦର ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଥିଲା। ଏହା ଏକ ସଫଳ ଅପରେସନ ଥିଲା, ଯାହା ଭାରତର ଆତଙ୍କବାଦ ବିରୋଧୀ ନୀତିକୁ ଦୃଢ଼ କରିଥିଲା।
ଏହି ସାହସ ପ୍ରମାଣିତ କରିଦେଲା ଯେ ଭାରତ ଆଉ ସହିବ ନାହିଁ। ଏଣିକି ଘରେ ପଶି ଶତ୍ରୁଙ୍କୁ ନିପାତ କରିବ। ତଥାପି ଶିଖିଲେ ନାହିଁ ପାକିସ୍ତାନୀ ଆତଙ୍କବାଦୀ। ଜମ୍ମୁ କାଶ୍ମୀରରେ ସ୍ୱାଭାବିକ ସ୍ଥିତି ଫେରୁଥିବାବେଳେ ପହଲଗାମଠାରେ ଧର୍ମ ପଚାରି ସାଧାରଣ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କଲା ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ ଇ ମହମ୍ମଦର ଛାମୁଆ ସଂଗଠନ ଟିଆର୍ଏଫ୍। ଏହାର ୧୪ ଦିନ ପରେ ଭାରତ ଗତକାଲି ଜବାବ ଦେଇଛି। ପାକିସ୍ତାନ ମାଟିରେ ଏହା ଆତଙ୍କବାଦୀ ଅବସଂରଚନାକୁ ଧ୍ୱସ୍ତ କରିବା ପାଇଁ ଉଦ୍ଦିଷ୍ଟ ଥିଲା। ୨୫ ମିନିଟର ଆକ୍ରମଣରେ ଭାରତ ଏହା ୯ଟି ସ୍ଥାନରେ ଆତଙ୍କୀଙ୍କ ଆଡ୍ଡାରେ ବିସ୍ଫୋରଣ କରି ପାକିସ୍ତାନର ନିଦ ଉଡ଼ିଛି।
୧୯୪୭ ହେଉ କି ୧୯୬୫, ୧୯୭୧, ୧୯୯୯ ଅଥବା ୨୦୧୮ ଓ ୨୦୨୫ ଏ ସବୁଥିରେ ପାକିସ୍ତାନର ପରାଜୟ ହୋଇଛି। ପାକିସ୍ତାନ କେବେ ତା’ର ଉଦ୍ଦେଶ୍ୟ ହାସଲ କରିପାରି ନାହିଁ। ବରଂ ଭାରତ ଶକ୍ତିଶାଳୀ ହୋଇଛି, ପାକିସ୍ତାନ ଭୂମିରେ ଆତଙ୍କୀଙ୍କ ଶିବିରକୁ ଧ୍ୱସ୍ତ କରିବାର କ୍ଷମତା ରଖିପାରିଛି।
ଭାରତ ଏହି ଲଢ଼େଇ ଓ ପରିସ୍ଥିତିରୁ ଅନେକ ଶିକ୍ଷା ଗ୍ରହଣ କରିଛି। ସେ ଭିତରେ ମୂଳ ହେଉଛି ରାଷ୍ଟ୍ର ପ୍ରଥମ। ଆଉ ଏହି ଚିନ୍ତାଧାରାକୁ ସବୁ ଦଳ ଗ୍ରହଣ କରିଛନ୍ତି। ନିର୍ବାଚନ ସମୟରେ ପରସ୍ପର ବିରୁଦ୍ଧରେ ବିଷୋଦ୍ଗାର କରୁଥିଲେ ବି ଯୁଦ୍ଧ ବେଳେ ସରକାରଙ୍କୁ ସମର୍ଥନ କରିଛନ୍ତି। ଅଖଣ୍ଡ ସ୍ୱାଧୀନତା ସେନାକୁ ଦେଇଛନ୍ତି।
ଏ ଭିତରେ ଭାରତ ଶିଖିଛି ଯୁଦ୍ଧ କେବଳ ଅସ୍ତ୍ରଶସ୍ତ୍ର ନୁହେଁ ଏକତା ଓ ଟେକ୍ନୋଲୋଜିରେ ଲଢ଼ାଯାଏ। ସେଥିଲାଗି ସବୁର ପ୍ରମାଣ ଡିଜିଟାଲ୍ ଫୁଟପ୍ରିଣ୍ଟ୍ ପ୍ରସ୍ତୁତ କରିବାକୁ ସକ୍ଷମ ହୋଇଛି। ଶତ୍ରୁ ପକ୍ଷର ଅପପ୍ରଚାରକୁ ରୋକିବା ଲାଗି ବିଶାଳ ଫ୍ୟାକ୍ଟ ଚେକିଂ ଟିମ୍ ଗଠନ କରିପାରିଛି। ସୋଶାଲ୍ ମିଡିଆରେ ଆସୁଥିବା ପ୍ରତିଟି ଅପପ୍ରଚାର ଭିଡିଓକୁ ଜବାବ ଦେବାରେ ସମର୍ଥ ହୋଇପାରିଛି।
ଭାରତ ସବୁ ଦଳକୁ ଏକାଠି ନେଇ ଆଗକୁ ଯିବାକୁ ଚାହିଁଛି। ସମ୍ବିଧାନ ଅନୁସାରେ କ୍ଷମତା ଉପଯୋଗ କରି ଦେଶର ଅଖଣ୍ଡତା ଓ ସାର୍ବଭୌମତ୍ୱକୁ ରକ୍ଷା କରିବା ମୌଳିକ କର୍ତ୍ତବ୍ୟ ବୋଲି ଧରି ନେଇଛି।
ଭାରତ ଅନେକ ଧର୍ମ, ଜାତି, ବର୍ଣ୍ଣର ଦେଶ। କିନ୍ତୁ ବିପଦବେଳେ ସମସ୍ତେ ଭାରତୀୟ ଏହାର ପ୍ରମାଣ ବାରମ୍ବାର ଦେଇଛି। ଯେଉଁ ଦେଶ ଛୋଟ ମୋଟ କାରଣ ନେଇ ଧାର୍ମିକ ଲଢ଼େଇରେ ଲିପ୍ତ ରହେ ଆଜି ପହଲଗାମରେ ଶତ୍ରୁ ପକ୍ଷର ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟିକାରୀ କାର୍ଯ୍ୟକଳାପକୁ ଠିକଣାଭାବେ ଠଉରାଇ ଚୁପ୍ ରହିପାରିଛି। ଏହା ଭାରତର ଗର୍ବ। ଶକ୍ତି। ଅପରପକ୍ଷେ ଶତ୍ରୁପକ୍ଷ ନିଜ ଭିତରେ ଲଢ଼ି ଶକ୍ତି ହରାଇପାରେ ଲାଗିଛି। ପାକିସ୍ତାନର ପ୍ରତିଟି ଦୁର୍ବଳତା ଭାରତର ଶକ୍ତି ହୋଇଛି ଆଉ ଭାରତର ପ୍ରତିଟି ଶକ୍ତି ପାକିସ୍ତାନର ଭୟ। ଏମିତି ଏକ ବାତାବରଣରେ ଭାରତ-ପାକିସ୍ତାନ ସମ୍ପର୍କରେ ଉନ୍ନତି ଆସିବା କଷ୍ଟ। ଅର୍ଥାତ୍ ଭାରତକୁ ପୁଣି ସତର୍କଳ ସଚେତ ରହି ନିଜର ଶକ୍ତି ବଢ଼ାଇବାକୁ ପଡ଼ିବ।
Also readhttps://purvapaksa.com/indias-security-environment-in-2025/