ଭାରତରେ ଜରୁରୀକାଳୀନ ସ୍ଥିତିର ୫୦ ବର୍ଷ ପୂରଣ ହୋଇଛି। ୧୯୭୫ ମସିହା ଜୁନ ୨୫ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତି ଫଖରୁଦ୍ଦୀନ ଅଲୀ ଅହମଦ ଦେଶରେ ଜରୁରୀକାଳୀନ ସ୍ଥିତି ଘୋଷଣା କରିଥିଲେ। ପ୍ରାୟ ୨୧ ମାସ ଧରି ଚାଲିଥିବା ଜରୁରୀକାଳୀନ ପରିସ୍ଥିତି ସମୟରେ କେନ୍ଦ୍ର ସରକାର ଅନେକ ଆଇନରେ ପରିବର୍ତ୍ତନ କରିଥିଲେ। କିଛି ନୂଆ ଅଧ୍ୟାଦେଶ ଜାରି କରାଯାଇଥିଲା। ବିପକ୍ଷ ନେତାମାନଙ୍କୁ ଜେଲରେ ପୁରାଯାଇଥିଲା। ଏହି ସମସ୍ତ ପରିସ୍ଥିତିକୁ ନେଇ ବିଭିନ୍ନ ପ୍ରକାରର ସମାଲୋଚନା ହେଉଥାଏ, କିନ୍ତୁ ଅନ୍ୟ ଦେଶଗୁଡ଼ିକ ଜରୁରୀକାଳୀନ ସ୍ଥିତିକୁ କିପରି ଦେଖୁଥିଲେ? ଆମେରିକା, ସୋଭିଏତ ସଂଘ ଓ ବ୍ରିଟେନ ପରି ବିଶ୍ୱର ଦେଶଗଡ଼ିକ ଜରୟୁରୀକାଳୀନ ସ୍ଥିତିକୁ କେଉଁ ଦୃଷ୍ଟିକୋଣରୁ ଦେଖୁଥିଲେ, ଆସନ୍ତୁ ଜାଣିବାକୁ ଚେଷ୍ଟା କରିବା।
ଭାରତରେ ଜରୁରୀକାଳୀନ ସ୍ଥିତି ଏବଂ ୧୯୭୭ ଜାନୁଆରୀରେ ନିର୍ବାଚନ ଘୋଷଣା ମଧ୍ୟରେ ଅନେକ ପ୍ରକାରର ପରିବର୍ତ୍ତନ ଦେଖାଯାଇଥିଲା। ତେବେ, ଏହି ସମୟରେ ଭାରତ ସରକାର ସହିତ ସମ୍ପର୍କ ରଖୁଥିବା ଅନ୍ୟ ଦେଶର ସରକାରଗୁଡ଼ିକର ଜିଓ ପଲିଟିକାଲ (ଭୂ-ରାଜନୈତିକ) ମାନ୍ୟତା ସ୍ଥିର ରହିଥିଲା।
ବିଦେଶୀ ଗଣମାଧ୍ୟମ କ’ଣ ଲେଖିଥିଲେ?
ବିଦେଶୀ ଖବରକାଗଜଗୁଡ଼ିକ ଏହି ସମୟରେ ଭାରତ ବିଷୟରେ ଭଲ କଥା ଲେଖି ନଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଲଣ୍ଡନର ଦ ଟାଇମ୍ସ ଶୀର୍ଷକ ଲେଖିଥିଲା, ଦ ଇଣ୍ଡିଆନ ଡିକ୍ଟେଟର (ଭାରତୀୟ ଏକଛତ୍ରବାଦୀ)। ଜରୁରୀକାଳୀନ ସ୍ଥିତିର ଖବର ପାଇଁ ଦ ନ୍ୟୁୟର୍କ ଟାଇମ୍ସର ଶୀର୍ଷକ ଥିଲା, ଇଣ୍ଡିଆଜ ଆଇରନ କର୍ଟେନ (ଭାରତର ଲୌହ ପରଦା) ଏବଂ ଦ ଗାର୍ଡିଆନର ଶୀର୍ଷକ ଥିଲା, ଇଣ୍ଡିଆଜ ପ୍ୟୁରିଟାନ ନାନୀ (ଭାରତର ନୈତିକତାବାଦୀ ଆୟା)।
ଏହା ପଛରେ ପ୍ରକୃତ କାରଣ ଥିଲା ଓ୍ୱାଶିଂଟନ ଡିସି ଏବଂ ଲଣ୍ଡନରେ ଭାରତୀୟ ରାଜଦୂତ ଟିଏନ କୌଲ ଏବଂ ବିକେ ନେହରୁଙ୍କ ଉପସ୍ଥିତି। କୌଲ ସମଗ୍ର ଆମେରିକାରେ ବୁଲି ବିଶ୍ୱବିଦ୍ୟାଳୟର ଛାତ୍ର, ରାଜ୍ୟର ଗଭର୍ଣ୍ଣର ଏବଂ ସିନେଟରମାନଙ୍କୁ ଜରୁରୀକାଳୀନ ସ୍ଥିତିର ପ୍ରକୃତ ଅବସ୍ଥା ବିଷୟରେ ଅବଗତ କରାଇବାର ଦାୟିତ୍ୱ ନେଇଥିଲେ। ତେବେ, ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ବନ୍ଦ ଦୁଆର ପଛରେ ସେ ଯୁକ୍ତି ଦେଉଥିଲେ ଯେ ବିକାଶଶୀଳ ଦେଶଗୁଡ଼ିକରେ କେବଳ ଗଣତନ୍ତ୍ର ଯଥେଷ୍ଟ ନୁହେଁ।
ଅନ୍ୟପକ୍ଷରେ, ଲଣ୍ଡନରେ ବିକେ ନେହରୁ ବିବିସି ଏବଂ ଅନ୍ୟ ପ୍ରକାଶନ ଗୃହ ଦ୍ୱାରା ପ୍ରକାଶିତ ଖବରଗୁଡ଼ିକ ବିରୁଦ୍ଧରେ ନୋଟ ଲେଖୁଥିଲେ। ତତ୍କାଳୀନ ବୈଦେଶିକ ମନ୍ତ୍ରୀ ୱାଇବି ଚହ୍ୱାଣଙ୍କୁ ସେ ଜଣାଇଥିଲେ ଯେ ଗଣମାଧ୍ୟମରେ ଖରାପ ଖବର ଏବଂ ନକାରାତ୍ମକ ଟିପ୍ପଣୀ ସତ୍ତ୍ୱେ ବ୍ରିଟିଶ ସରକାରର ମନୋଭାବ ଔପଚାରିକ ହିଁ ରହିଥିଲା।
ସୋଭିଏତ ସଂଘର ଦୃଷ୍ଟିରେ ଜରୁରୀକାଳୀନ ସ୍ଥିତି ଆବଶ୍ୟକ ଥିଲା
ତତ୍କାଳୀନ ସୋଭିଏତ ସଂଘ କଥା କହିବାକୁ ଗଲେ, ତାହାର ପୋଲିଟ ବ୍ୟୁରୋର ଅଧିକାଂଶ ସଦସ୍ୟଙ୍କ ମତ ଥିଲା ଯେ ଜରୁରୀକାଳୀନ ସ୍ଥିତି ଆବଶ୍ୟକ ଥିଲା। ସେମାନଙ୍କ ଯୁକ୍ତି ଥିଲା ଯେ ଭାରତରେ ଇନ୍ଦିରା ଗାନ୍ଧୀଙ୍କ ସରକାରକୁ ଦକ୍ଷିଣପନ୍ଥୀ ବିପକ୍ଷ ଏବଂ ପ୍ରତିକ୍ରିୟାଶୀଳ ଶକ୍ତିମାନେ ଅସ୍ଥିର କରିବାକୁ ଚାହୁଁଥିଲେ। ନୂଆଦିଲ୍ଲୀରେ ଉପସ୍ଥିତ ତତ୍କାଳୀନ ବ୍ରିଟିଶ ଅଧିକାରୀମାନଙ୍କ ମତ ଥିଲା ଯେ ସୋଭିଏତ ସଂଘର ମନୋଭାବ ସମ୍ପୂର୍ଣ୍ଣ ଭାବେ ଇନ୍ଦିରା ଗାନ୍ଧୀଙ୍କ ସପକ୍ଷରେ ଥିଲା। ଜରୁରୀକାଳୀନ ସ୍ଥିତିର ଠିକ ଏକ ମାସ ପରେ ସେଠାରେ ପ୍ରକାଶିତ ଏକ ସମ୍ପାଦକୀୟରେ ଦାବି କରାଯାଇଥିଲା ଯେ ଜରୁରୀକାଳୀନ ସ୍ଥିତିକୁ ସାଧାରଣ ଜନତାଙ୍କର ସମ୍ପୂର୍ଣ୍ଣ ସମର୍ଥନ ମିଳିଛି।
ବ୍ରିଟେନର ଆଭ୍ୟନ୍ତରୀଣ ନୀତି
ଲଣ୍ଡନରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ହାରୋଲ୍ଡ ଓ୍ୱିଲସନ ଏବଂ ତାଙ୍କ ସମ୍ପୂର୍ଣ୍ଣ ମନ୍ତ୍ରୀମଣ୍ଡଳର ମନୋଭାବ ମଧ୍ୟ ଇନ୍ଦିରା ଗାନ୍ଧୀଙ୍କ ସରକାରଙ୍କ ସପକ୍ଷରେ ଥିଲା। ସେମାନେ ମନେ କରୁଥିଲେ ଯେ ଭାରତ ସରକାରର ସମସ୍ତ ବିଭାଗ ସହିତ ସେମାନଙ୍କ ସମ୍ପର୍କ ପୂର୍ବ ପରି ରହିବ। ବାସ୍ତବରେ ଏହା ତତ୍କାଳୀନ ବ୍ରିଟିଶ ସରକାରର ଆଧିକାରିକ ଆଭ୍ୟନ୍ତରୀଣ ନୀତି ଥିଲା। ବ୍ରିଟିଶ ବୈଦେଶିକ ବିଭାଗ ଭାରତର ପରିସ୍ଥିତି ଉପରେ ନିୟମିତ ନୋଟରେ ଏହା ଉଲ୍ଲେଖ କରିବାକୁ ଭୁଲୁ ନଥିଲା ଯେ ଦେଶ (ଭାରତ) ନିଜ ପଥରେ ଅଟଳ ଅଛି।
ଏହି ନୋଟରେ ତତ୍କାଳୀନ ଅଧିକାରୀମାନେ ଏହା ମଧ୍ୟ ଲେଖୁଥିଲେ ଯେ ଭାରତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ଭବିଷ୍ୟତରେ ଏକ ବଡ଼ ଖେଳାଳି ହେବ। ସେମାନେ ମନେ କରୁଥିଲେ ଯେ ଭାରତର କ୍ଷମତାକୁ ଆମେ ଆମ ଦୃଷ୍ଟିରୁ ଅଦୃଶ୍ୟ ହେବାକୁ ଦେବା ଉଚିତ ନୁହେଁ।
ଏହା ସେହି ସମୟ ଥିଲା, ଯେତେବେଳେ ବ୍ରିଟେନ ତୈଳ ସଙ୍କଟ ଦ୍ୱାରା ପ୍ରଭାବିତ ହୋଇଥିଲା । ଆମେରିକା ଓ ଚୀନ ମଧ୍ୟରେ ସଂଘର୍ଷ ଚାଲିଥିଲା। ଏହି ସମୟରେ ସୋଭିଏତ ସଂଘର ଗୁପ୍ତଚର ଏଜେନ୍ସି କେଜିବି ଭାରତ ଏବଂ ଏସିଆର ଅଧିକାଂଶ ଅଞ୍ଚଳରେ ପାଶ୍ଚାତ୍ୟ ଦେଶଗୁଡ଼ିକର ପ୍ରତିଷ୍ଠାକୁ ଧୂଳିସାତ କରିବାର ପ୍ରୟାସ ଆରମ୍ଭ କରିଥିଲା।
ଆମେରିକାର ଦୋମୁହାଁ ମନୋଭାବ
ଆମେରିକା କଥା କହିବାକୁ ଗଲେ, କାହାଣୀ କିଛି ଜଟିଳ ଥିଲା। ଜରୁରୀକାଳୀନ ସ୍ଥିତିର ପ୍ରାରମ୍ଭିକ କିଛି ମାସରେ ତତ୍କାଳୀନ ଆମେରିକୀୟ ସରକାର ଭାରତରେ କଂଗ୍ରେସ ସରକାରର ସମର୍ଥକ ଥିଲା। ତତ୍କାଳୀନ ଆମେରିକୀୟ ରାଷ୍ଟ୍ରପତି ଜେରାଲ୍ଡ ଫୋର୍ଡଙ୍କ ପ୍ରଶାସନ ଜରୁରୀକାଳୀନ ସମୟରେ ମଧ୍ୟ ଭାରତ ସହିତ ସ୍ଥାୟୀ ଓ ସରଳ ସମ୍ପର୍କ ବଜାୟ ରଖିବାକୁ ଚାହୁଁଥିଲା। ଆମେରିକାର ମତ ଅନୁସାରେ ଜରୁରୀକାଳୀନ ସ୍ଥିତି ଭାରତର ଆଭ୍ୟନ୍ତରୀଣ ମାମଲା ଥିଲା।
ତେବେ, ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନିରନ୍ତର ଆମେରିକାର ଚାପରେ ନ ଆସିବା ହେତୁ ସିଆଇଏ ପରେ ଭାରତକୁ ଅସ୍ଥିର କରିବା ଚେଷ୍ଟା କରିଥିଲା। ୧୯୭୬ ଶେଷ ସୁଦ୍ଧା ଆମେରିକୀୟ ପ୍ରଶାସନ ଭାରତକୁ ମିଳୁଥିବା ଋଣ ବନ୍ଦ କରିଦେଇଥିଲା। ସିଆଇଏ ଏବଂ ଇନ୍ଦିରା ଗାନ୍ଧୀଙ୍କ ମଧ୍ୟରେ ବିବାଦର ପରିଣାମ ହେଲା ଯେ ରାତାରାତି ଆମେରିକାର ସୁର ବଦଳିଗଲା ଏବଂ ସେ ଭାରତକୁ ଏକ ପୁଲିସ ରାଷ୍ଟ୍ର ବୋଲି କହିବା ଆରମ୍ଭ କଲା।
ନୂଆ ସରକାର ଗଠନ ହେବାରେ ସବୁ ବଦଳିଗଲା
ଏହା ସତ୍ତ୍ୱେ, ଆଶ୍ଚର୍ଯ୍ୟଜନକ ଭାବେ ବିଶ୍ୱର ଅନେକ ଦେଶର ଜାତୀୟ ରାଜଧାନୀଗୁଡ଼ିକ ଭାରତର ନୂଆ ସାମ୍ବିଧାନିକ ନିରଙ୍କୁଶତାକୁ ଗ୍ରହଣ କରିନେଇଥିଲେ। ତେବେ, ୧୯୭୭ରେ ଯେତେବେଳେ ଜନତା ପାର୍ଟିର ନେତୃତ୍ୱାଧୀନ ମେଣ୍ଟ ସରକାର ଗଠିତ ହେଲା, ସେତେବେଳେ ଏହି ସମସ୍ତ ଦେଶଗୁଡ଼ିକ ନିଜ ମନୋଭାବ ବଦଳାଇ ଦେଇଥିଲେ। ଭାରତରେ ଆମେରିକାର ନୂଆ ରାଜଦୂତ ରବର୍ଟ ଗୋହୀନ ମୋରାରଜୀ ଦେଶାଇଙ୍କ ସରକାର ସହିତ କାମ କରିବାର ସୁଯୋଗର ସ୍ୱାଗତ କରିଥିଲେ। ତେବେ, ଏହା ମନେ କରାଯାଇଥିଲା ଯେ ସୋଭିଏତ ସଂଘ ପାଇଁ ସେତେବେଳେ ପରିସ୍ଥିତି ବହୁତ ସହଜ ନଥିଲା। ଏପରି ପରିସ୍ଥିତିରେ ସୋଭିଏତ ସଂଘର ନେତାମାନେ ମଧ୍ୟ ନିଜ ମନୋଭାବ ବଦଳାଇ ଦେଇଥିଲେ ଏବଂ ସେଠାରେ ଏକ ସମ୍ପାଦକୀୟରେ ଲେଖାଯାଇଥିଲା ଯେ ଇନ୍ଦିରା ଗାନ୍ଧୀ ନିଜ ଶକ୍ତିର ଅତ୍ୟଧିକ ବ୍ୟବହାର କରିଛନ୍ତି। ଅନ୍ୟପକ୍ଷରେ, ବ୍ରିଟିଶ ସରକାରର ମନୋଭାବ ମଧ୍ୟ ବଦଳି ଯାଇଥିଲା ଏବଂ ସେ ଏଲକେ ଆଡଭାନୀ ଭଳି ପ୍ରଗତିଶୀଳ ନେତାଙ୍କ ଉପରେ ଧ୍ୟାନ ଦେବା ଆରମ୍ଭ କରିଥିଲେ।
Also read https://purvapaksa.com/india-russia-su57e-super-fighter-jet-china-pakistan-defense-tension/
