ରାଜନୀତିରେ ନିରବତା ଅନେକ ସମୟରେ ଶବ୍ଦଠାରୁ ବେଶି ଗଭୀର ଅର୍ଥ ବହନ କରେ। ବିଶେଷକରି ବିଜୁ ଜନତା ଦଳ ଭଳି ଏକ ଦଳରେ- ଯେଉଁଠି ଗୋଟିଏ ମାତ୍ର ନେତୃତ୍ୱ ଦୀର୍ଘ ତିନି ଦଶନ୍ଧି ଧରି ସବୁ ରାଜନୀତିକ ଧାରାକୁ ନିୟନ୍ତ୍ରଣ କରିଆସିଛି- ସେଠାରେ ‘ଉତ୍ତରାଧିକାରୀ’ ଶବ୍ଦ ଉଚ୍ଚାରିତ ହେବା ମାତ୍ରେ ଏକ ରାଜନୀତିକ ଘଟଣା ହୋଇଯାଏ।
ଦୀର୍ଘ ସମୟ ଧରି ଦଳ ଭିତରେ ଏହି ପ୍ରସଙ୍ଗକୁ ନେଇ ଏକ ପ୍ରକାର ଅଲିଖିତ ନିଷେଧାଜ୍ଞା ଚାଲିଆସୁଥିଲା। କିନ୍ତୁ ହଠାତ୍ କରି ପଶ୍ଚିମ ଓଡ଼ିଶାରୁ ଆସିଥିବା ଏକ ଖୋଲା ବୟାନ ସେହି ନିରବତାକୁ ଭାଙ୍ଗିଦେଇଛି ଏବଂ ସେଥିସହିତ ବିଜେଡିର ଆଭ୍ୟନ୍ତରୀଣ ରାଜନୀତିକୁ ମଧ୍ୟ। ଏହି ପ୍ରସଙ୍ଗକୁ ସାଧାରଣ ରାଜନୀତିକ ଆଲୋଚନାଠାରୁ ଅଲଗା କରିଦେଉଛି ଏବଂ ଏହାକୁ ଏକ ଗମ୍ଭୀର ରାଜନୀତିକ ସନ୍ଦେହର ରୂପ ଦେଉଛି। ଉପକୂଳ ଓଡ଼ିଶାର ବିଜେଡି ନେତାମାନଙ୍କୁ ପ୍ରଥମ ଥର ପାଇଁ ପଶ୍ଚିମ ଓଡ଼ିଶାର ନେତାମାନେ ଚ୍ୟାଲେଞ୍ଜ ଦେଇଛନ୍ତି। ସେମାନେ ଆଉ ଉପକୂଳ ଓଡ଼ିଶାର ଲୋକମାନଙ୍କୁ ନେତା ଭାବରେ ମାନିବାକୁ ପ୍ରସ୍ତୁତ ନୁହଁନ୍ତି ବୋଲି ପରୋକ୍ଷରେ ଇଙ୍ଗିତ ଦେଇଛିନ୍ତି । କେବଳ ସେତିକି ନୁହେଁ ଏବେ ପଶ୍ଚିମ ଓଡ଼ିଶାର ଜଣେ ନେତାଙ୍କୁ ବିଜେଡି ଉତ୍ତରାଧିକାରୀ କରିବାକୁ ପ୍ରସ୍ତାବ ଦେଇଛନ୍ତି।

ଚର୍ଚ୍ଚାର ସମୟ
ଏହି ଚର୍ଚ୍ଚା ଆସିଲା ସେତେବେଳେ-
ନା ଯେତେବେଳେ ଦଳ ନେତୃତ୍ୱଶୂନ୍ୟ,
ନା ଯେତେବେଳେ ମୁଖ୍ୟ ନେତା ଅକ୍ଷମ,
ନା ଯେତେବେଳେ ଶାସନରେ ଖାଲିସ୍ଥାନ ରହିଛି
ବରଂ ଏହି ଚର୍ଚ୍ଚା ଆସିଲା ସେତେବେଳେ, ଯେତେବେଳେ ନବୀନ ପଟ୍ଟନାୟକ ଏଯାଏଁ ସକ୍ରିୟ, ଦଳର ସର୍ବମାନ୍ୟ ନେତା ଓ ବିଜେଡିର ସମଗ୍ର ରାଜନୀତିକ ଗଠନର କେନ୍ଦ୍ରବିନ୍ଦୁ।
ପଶ୍ଚିମ ଓଡ଼ିଶାର ଅସନ୍ତୋଷ: ସତ ଯନ୍ତ୍ରଣା ନା ରାଜନୀତିକ ଅସ୍ତ୍ର?
ବର୍ଷଧରି ଓଡ଼ିଶାର ରାଜନୀତିରେ ଏକ ଧାରଣା ଚାଲିଆସୁଛି- ଶକ୍ତିର କେନ୍ଦ୍ର ଉପକୂଳରେ, ଆଉ ପଶ୍ଚିମ ଓଡ଼ିଶା ଅବହେଳିତ। ଏହି ଧାରଣାର ଆଧାର ରହିଛି- ବିକାଶ, ପ୍ରଶାସନିକ ପଦବୀ, ଦଳୀୟ ନିଷ୍ପତ୍ତିରେ ଆଞ୍ଚଳିକ ଅସନ୍ତୁଳନ।
କିନ୍ତୁ ପ୍ରଶ୍ନ ହେଉଛି- ଏହି ଅସନ୍ତୋଷକୁ ଆଧାର କରି ଉତ୍ତରାଧିକାରୀ ପ୍ରସଙ୍ଗ ଉଠାଇବା କ’ଣ ସଠିକ୍ ସମୟ ?
ନା ଏହା ଏକ ସଚେତନ ରଣନୀତି- ଆଞ୍ଚଳିକ ଭାବନାକୁ ଢାଲ କରି ଦଳ ଭିତରର ଶକ୍ତି ସମୀକରଣକୁ ପୁନଃଲେଖନ କରିବାର ଅପଚେଷ୍ଟା?
ଦିବ୍ୟଶଙ୍କରଙ୍କ ବୟାନ: ଅଜାଣତରେ ନୁହେଁ, ଜାଣିଶୁଣି

ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର ଯେତେବେଳେ ବଲାଙ୍ଗିରରେ କହିଲେ- ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ରାଜ୍ୟର ନେତୃତ୍ୱ ନିଅନ୍ତୁ- ସେତେବେଳେ ସେ ଏକ ସାଧାରଣ ମତ ଦେଉନଥିଲେ। ସେ ଏକ ସିଧାସଳଖ ରାଜନୀତିକ ବାର୍ତ୍ତା ଦେଉଥିଲେ। ଏହି ବୟାନର ଭାଷା, ସମୟ ଓ ସ୍ଥାନ- ସବୁକିଛି ସୂଚାଉଛି ଯେ ଏହା ଅସାବଧାନତା ନୁହେଁ। ଏହା ଜାଣିଶୁଣି ଦିଆଯାଇଥିବା ଏକ ବୟାନ, ଯାହାର ଲକ୍ଷ୍ୟ କେବଳ କଳିକେଶଙ୍କ ପ୍ରଶଂସା ନୁହେଁ, ବରଂ ଦଳ ଭିତରେ ଚାଲିଥିବା ନିରବ ସମୀକରଣକୁ ଭାଙ୍ଗିଦେବା।
ବବି ଦାସ ଶିବିର ଓ ସନ୍ଦେହର ଛାୟା
ଦିବ୍ୟଶଙ୍କର ମିଶ୍ରଙ୍କ ରାଜନୀତିକ ପରିଚୟ ଦଳ ଭିତରେ ସ୍ପଷ୍ଟ। ସେ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସଙ୍କ ଖାସ୍ ଅନୁଗତ ଭାବେ ପରିଚିତ। ଏହି ପରିପ୍ରେକ୍ଷୀରେ ଦଳୀୟ ମହଲରେ ପ୍ରଶ୍ନ ଉଠୁଛି- ବବିଙ୍କ ଅଜାଣତରେ କ’ଣ ଏଭଳି ବୟାନ ଆସିପାରେ? ବିଜେଡି ଏକ ଶୃଙ୍ଖଳାବଦ୍ଧ ଦଳ। ଏଠାରେ ନେତୃତ୍ୱ ବିରୋଧୀ ସୂକ୍ଷ୍ମ ସଙ୍କେତ ମଧ୍ୟ ଦୀର୍ଘ ସମୟ ଚାଲିନଥାଏ। ତେଣୁ ଏପର୍ଯ୍ୟନ୍ତ ଯଦି ଏହି ବୟାନ ପରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଦେଖାଯାଇନି, ତେବେ ସନ୍ଦେହ ଗଭୀର ହେବା ସ୍ୱାଭାବିକ।
ଅରୁଣ ସାହୁ: ନିରପେକ୍ଷ ନା କୌଶଳୀ?

ନୟାଗଡ଼ର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ବୟାନ ଏହି ପ୍ରସଙ୍ଗକୁ ଆଉ ଜଟିଳ କରିଛି। ସେ ସିଧାସଳଖ ଭାବେ ଦିବ୍ୟଶଙ୍କରଙ୍କୁ ବିରୋଧ କଲେ ନାହିଁ, ବରଂ ‘ଯୁବ ନେତୃତ୍ୱ’ର ଆବଶ୍ୟକତା କଥା କହିଲେ।
ରାଜନୀତିରେ ଏଭଳି ବୟାନକୁ କଦାପି ନିରପେକ୍ଷ ବୋଲି ଧରାଯାଏନାହିଁ। ନବୀନ ପଟ୍ଟନାୟକ ଥାଉ ଥାଉ ଯଦି ଯୁବ ନେତୃତ୍ୱ ଆବଶ୍ୟକ, ତେବେ ଏହାର ଅର୍ଥ କ’ଣ? ଏହା ଏକ ପ୍ରଶ୍ନ ଉଠାଉଛି- ଦଳ ଭିତରେ କ’ଣ କେହି ନବୀନ ପରବର୍ତ୍ତୀ ସମୟକୁ ଆଗରୁ ଗଢ଼ିବାର ଚେଷ୍ଟା କରୁଛନ୍ତି? ଦିବ୍ୟଶଙ୍କରଙ୍କ ବୟାନକୁ ବବିଙ୍କ ଅନ୍ୟତମ ଖାସ୍ ସହଯୋଗୀ ଅରୁଣ ସମର୍ଥନ କରିବା ମଧ୍ୟ ଏହି ସୁଚିନ୍ତିତ ରଣନୀତି ଓ ଦଳରେ ଅସ୍ଥିରତା ସୃଷ୍ଟିର ଅଂଶବିଶେଷ ବୋଲି ଚର୍ଚ୍ଚା ହେଉଛି ।
ଗଣେଶ୍ୱର ବେହେରା: ଶୃଙ୍ଖଳାର ସ୍ପଷ୍ଟ ବାର୍ତ୍ତା
ଏହି ଅସ୍ଥିରତା ମଧ୍ୟରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରାଙ୍କ ବୟାନ ଦଳୀୟ ଶୃଙ୍ଖଳାକୁ ସ୍ପଷ୍ଟ ଭାବେ ସ୍ମରଣ କରାଇଦେଇଛି। ତାଙ୍କ କଥା ସରଳ- ବିଜେଡିର ଉତ୍ତରାଧିକାରୀ କିଏ ହେବ, ତାହା ନିଷ୍ପତ୍ତି କରିବା ଅଧିକାର କେବଳ ନବୀନ ପଟ୍ଟନାୟକଙ୍କର। ଏହା ଦଳର ନିୟମ, ପରମ୍ପରା ଓ ଶୃଙ୍ଖଳା।
ବିଜେଡି ଅସ୍ଥିରତା ପଛରେ କିଏ?
ଦଳକୁ ଅସ୍ଥିର କରିବା ପାଇଁ ସୁଚିନ୍ତିତ ଢଙ୍ଗରେ ଏଭଳି ଅପଚେଷ୍ଟା ଚାଲିଥିବା ଚର୍ଚ୍ଚା ହେଉଛି । କାହାର ବିନା ପରାମର୍ଶରେ ଦିବ୍ୟଶଙ୍କର ଏତେବଡ଼ ବୟାନ ଦେବାକୁ ବିଜେଡିରେ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି ।
କଳିକେଶଙ୍କ ପିତା ବରିଷ୍ଠ ନେତା ଏୟୁ ସିଂହଦେଓ ଗତ ସପ୍ତାହରେ ନବୀନ ନିବାସ ଆସି ନବୀନଙ୍କୁ ଭେଟିଥିବାବେଳେ ଦିବ୍ୟଶଙ୍କରଙ୍କ ଏଭଳି ବୟାନ ପଛରେ ଷଡ଼ଯନ୍ତ୍ରର ଗନ୍ଧ ରହିଥିବା ମଧ୍ୟ ଚର୍ଚ୍ଚା ହେଉଛି । ପୂର୍ବରୁ ଝୁମୁକା ଫାର୍ମହାଉସ ହେଉ କି କଟକ, ଗୋପାଳପୁର ଅବା ଭଦ୍ରକରେ ଦଳୀୟ ନେତାମାନେ ମେଳି କରିବା ପଛରେ ବବିଙ୍କ ଭୂମିକା ଥିବା ସନ୍ଦେହ କରାଯାଉଛି। ରାଜ୍ୟସଭା ନିର୍ବାଚନ ପୂର୍ବରୁ ଦଳରେ ଅସ୍ଥିରତା ସୃଷ୍ଟି କରି ଗୋଳିଆ ପାଣିରୁ ଫାଇଦା ନେଇ ନିଜର ଗୁରୁତ୍ୱ ବୃଦ୍ଧି ସହ ସୁଜାତା କାର୍ତ୍ତିକେୟନଙ୍କ ପ୍ରବେଶର ମାର୍ଗ ପ୍ରଶସ୍ତ ନିମନ୍ତେ ଏଭଳି ଅନାବଶ୍ୟକ ବୟାନବାଜି ପୁଣିଥରେ ଆରମ୍ଭ ହୋଇଥିବା ଦଳୀୟ ମହଲରେ ଚର୍ଚ୍ଚା।
କଂଗ୍ରେସର ପ୍ରବେଶ: ରାଜ୍ୟସଭା ଗଣିତ

ପିସିସି ସଭାପତି ଭକ୍ତ ଚରଣ ଦାସ ମଧ୍ୟ ଏହି ପ୍ରସଙ୍ଗରେ କ୍ଷୋଭ ବ୍ୟକ୍ତ କରିଛନ୍ତି। ନବୀନବାବୁ ଥାଉ ଥାଉ ଦଳ ଭିତରେ ଏତେ ବିଶୃଙ୍ଖଳା ହେଉଛି କେମିତି ବୋଲି କହି ଆଶ୍ଚର୍ଯ୍ୟ ବ୍ୟକ୍ତ କରିଛନ୍ତି। ଏହା ଦଳ ଭିତରର ନିଷ୍ପତ୍ତି। ନବୀନବାବୁ ଏସବୁ ବୁଝିବା କଥା। ଏଭଳି ଘଟଣାରେ କାର୍ଯ୍ୟାନୁଷ୍ଠାନ ହେବା କଥା ବୋଲି ଶ୍ରୀ ଦାସ କହିଛନ୍ତି। ଅବଶ୍ୟ କଳିକେଶଙ୍କ ଯୋଗ୍ୟତାକୁ ନେଇ ସେ କିଛି ପ୍ରତିକ୍ରିୟା ଦେଇନାହାନ୍ତି। କିନ୍ତୁ ରାଜନୀତିକ ମହଲର କହିବା ଅନୁସାରେ ଆଗାମୀ ରାଜ୍ୟସଭା ନିର୍ବାଚନରେ ବିଜେଡି ସମର୍ଥନରେ କଂଗ୍ରେସ ଗୋଟିଏ ଆସନ ହାତେଇବାକୁ ଚାହୁଛି। ତେଣୁ ଭକ୍ତ ଦାସ ବିଜେଡିର ନେତୃତ୍ୱ ପ୍ରସଙ୍ଗରେ ମୁଣ୍ଡ ଖେଳାଇ ନବୀନ ସମର୍ଥନ ପାଇବାକୁ ଅପଚେଷ୍ଠା କରିଛନ୍ତି।
ବିଜେଡିର ଏହି ଆଭ୍ୟନ୍ତରୀଣ ଅସ୍ଥିରତାରେ କଂଗ୍ରେସ ମଧ୍ୟ ସୁଯୋଗ ଦେଖୁଛି। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ପ୍ରତିକ୍ରିୟା ପଛରେ ଆସନ୍ତା ରାଜ୍ୟସଭା ନିର୍ବାଚନର ହିସାବ ଲୁଚି ରହିଛି। ବିଜେଡି ଯେତେ ଅସ୍ଥିର, ବିରୋଧୀ ଦଳ ସେତେ ଲାଭରେ- ଏହା ରାଜନୀତିର ଅପରିବର୍ତ୍ତନଶୀଳ ସତ୍ୟ।
ମୁଖପତ୍ରର ଦୃଢ଼ ମତ
ବିଜେଡିର ଶକ୍ତି ହେଉଛି ନବୀନ ପଟ୍ଟନାୟକଙ୍କ ନେତୃତ୍ୱ। ସେହି ନେତୃତ୍ୱ ଯେପର୍ଯ୍ୟନ୍ତ ସକ୍ରିୟ, ସେପର୍ଯ୍ୟନ୍ତ ଉତ୍ତରାଧିକାରୀ ଚର୍ଚ୍ଚା ଦଳ ପାଇଁ ଲାଭଦାୟକ ନୁହେଁ, ବରଂ ଆତ୍ମଘାତୀ।
ପଶ୍ଚିମ–ଉପକୂଳ ଦ୍ୱନ୍ଦ୍ୱକୁ କଥା କରି ଯଦି କେହି ଦଳ ଭିତରେ ଶକ୍ତି ଦଖଲର ଖେଳ ଖେଳୁଛନ୍ତି, ତେବେ ତାହାର ପରିଣାମ ଦଳ ଓ ରାଜ୍ୟ- ଉଭୟ ପାଇଁ ଘାତକ ହୋଇପାରେ।
ବିଜେଡି ଯଦି ଏଭଳି ଉତ୍ତରାଧିକାରୀ ଚର୍ଚ୍ଚାକୁ ଏବେ ଅଟକାଉନାହିଁ, ତେବେ ଏହା ଦଳ ପାଇଁ ଭବିଷ୍ୟତରେ ଗୁରୁତର ରାଜନୀତିକ ସଙ୍କଟ ସୃଷ୍ଟି କରିପାରେ।
ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ବିଜେଡିର ଶକ୍ତି।
ନବୀନ ଥାଉ ଥାଉ ଉତ୍ତରାଧିକାରୀ ଖୋଜିବା- ଦଳକୁ ଦୁର୍ବଳ କରିବା ସମାନ।
ଏହା କେବଳ ପଶ୍ଚିମ–ଉପକୂଳ ଦ୍ୱନ୍ଦ୍ୱ ନୁହେଁ; ଏହା ବିଜେଡି ଭିତରେ ଶକ୍ତି ଦଖଲର ଏକ ଅସମୟର ଖେଳ।
ବିଜେଡିକୁ ଏବେ ଆବଶ୍ୟକ-
ନବୀନଙ୍କ ନେତୃତ୍ୱ ଉପରେ ଅଟୁଟ ବିଶ୍ୱାସ,
ଦଳୀୟ ଶୃଙ୍ଖଳାର ପୁନଃପ୍ରତିଷ୍ଠା,
ଏବଂ ଅସମୟର ଆକାଂକ୍ଷାକୁ ସ୍ପଷ୍ଟ “ନା”।
ଉତ୍ତରାଧିକାରୀ ଆସିବ-
କିନ୍ତୁ ସମୟ ଆସିଲେ।
ଆଉ ସେ ସମୟ ନିଷ୍ପତ୍ତି କରିବେ- ନବୀନ ପଟ୍ଟନାୟକ।
also read https://purvapaksa.com/financial-power-to-officers/
Financial power to officers ।। ଅଫିସରଙ୍କୁ ଆର୍ଥିକ କ୍ଷମତା – ଦୁର୍ନୀତିର ନୂଆ ରାସ୍ତା?

