ତ୍ୱରିତ ନ୍ୟାୟ ପ୍ରଦାନରେ ରେକର୍ଡ
ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ଜଣେ ୯ ବର୍ଷର ନାବାଳିକାଙ୍କୁ କୁକର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୯ ବର୍ଷ ବୟସ୍କ ବ୍ୟକ୍ତିକୁ ମୃତ୍ୟୁଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ଚଳିତ ବର୍ଷ ଅକ୍ଟୋବର ମାସରେ ପଶ୍ଚିମବଙ୍ଗର ଜୟନଗରରେ ଜଣେ ୯ ବର୍ଷୀୟା ନାବାଳିକାଙ୍କୁ କୁକର୍ମ ପରେ ହତ୍ୟା କରିଥିବା ଅଭିଯୁକ୍ତକୁ ଦୁଇ ମାସର ଦ୍ରୁତ ତଦନ୍ତ ପରେ ଦୋଷୀ ସାବ୍ୟସ୍ତ ହେବାର ଗୋଟିଏ ଦିନ ପରେ ଶୁକ୍ରବାର ତାଙ୍କୁ ଫାଶୀ ଦଣ୍ଡାଦେଶ ଦିଆଯାଇଛି। ପଶ୍ଚିମବଙ୍ଗର ବାରୁଇପୁରର ଫାଷ୍ଟଟ୍ରାକ୍ କୋର୍ଟ ଦୋଷୀ ମୁସ୍ତାକିନ ସର୍ଦ୍ଦାରକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ମାତ୍ର ୬୧ ଦିନରେ ଦୋଷୀ ସାବ୍ୟସ୍ତ ହୋଇଥିବା ଏହି ଦଣ୍ଡାଦେଶକୁ ପଶ୍ଚିମବଙ୍ଗର ନ୍ୟାୟିକ ଇତିହାସରେ ବିରଳ ବୋଲି ବର୍ଣ୍ଣନା କରାଯାଇଛି।
ଅଦାଲତ ଦଣ୍ଡାଦେଶ ଶୁଣାଇବାର କିଛି ସମୟ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୀଡ଼ିତାଙ୍କୁ ନ୍ୟାୟ ମିଳିବା ପାଇଁ ପୁଲିସ ଓ କୋର୍ଟଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମାତ୍ର ଦୁଇ ମାସ ମଧ୍ୟରେ ଏଭଳି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଫାଶୀ ଦଣ୍ଡ ରାଜ୍ୟ ଇତିହାସରେ ଅଭୂତପୂର୍ବ। ଏହି ଉଲ୍ଲେଖନୀୟ ସଫଳତା ପାଇଁ ମୁଁ ରାଜ୍ୟ ପୁଲିସ ଏବଂ ତଦନ୍ତ ପ୍ରକ୍ରିୟାରେ ସମ୍ପୃକ୍ତ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି। ଅକ୍ଟୋବର ୪ ତାରିଖରେ ୯ ବର୍ଷର ନାବାଳିକା ଟ୍ୟୁସନ କ୍ଲାସରୁ ଫେରୁଥିବା ବେଳେ ମୁସ୍ତାକିନ ସର୍ଦ୍ଦାର ତାଙ୍କୁ କୁକର୍ମ କରି ହତ୍ୟା କରିଥିଲା। ପରଦିନ ସକାଳେ ଶିଶୁଟିର ମୃତଦେହ ମିଳିବା ପରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ମୃତଦେହ ମିଳିବା ପରେ ସ୍ଥାନୀୟ ଲୋକେ ଗାଡ଼ିରେ ନିଆଁ ଲଗାଇବା ସହ ପୁଲିସ ଫାଣ୍ଡି ଭଙ୍ଗାରୁଜା କରିବା ସହ ରାସ୍ତା ଅବରୋଧ କରିବା ଘଟଣାକୁ ନେଇ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଆରଜି କର କୁକର୍ମ ଓ ହତ୍ୟା ମାମଲା ପରେ ଏହି ମାମଲା ସାମ୍ନାକୁ ଆସିବା ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଥିଲା।
ଏପରି ପିଶାଚକୁ ବିରଳତମ ଦଣ୍ଡ ଦିଆଯିବା ଉଚିତ। ଏବେ ଆମର ଏକମାତ୍ର ଦାବି ହେଉଛି ମୃତ୍ୟୁଦଣ୍ଡ। ତା’ହେଲେ ହିଁ ମୋ ପିଲାର ଆତ୍ମାକୁ ଶାନ୍ତି ମିଳିବ ବୋଲି ପୀଡ଼ିତାଙ୍କ ବାପା ସେତେବେଳେ କହିଥିଲେ। ପଶ୍ଚିମବଙ୍ଗ ପୁଲିସ ଏହି ମାମଲାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ଗଠନ କରିଥିଲା ଏବଂ ୩୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ଆମେ ବେଙ୍ଗଲ ନ୍ୟାୟିକ ବ୍ୟବସ୍ଥାରେ ଏହା ଦେଖିନାହୁଁ ଏବଂ ସେଥିପାଇଁ ଏହା ଐତିହାସିକ । ସମସ୍ତେ ନିଜ ନିଜ ଉଦ୍ୟମରେ ସଫଳ ହୋଇଥିଲେ। ଏହା ଏକ ଦୃଢ଼ ବୈଜ୍ଞାନିକ ପ୍ରମାଣ ସହିତ ଏକ ମାମଲା । ପୀଡ଼ିତାଙ୍କ ଶରୀରରେ ସର୍ବନିମ୍ନ ୪୫ଟି କ୍ଷତ ଚିହ୍ନ ରହିଥିବା ସ୍ୱତନ୍ତ୍ର ସରକାରୀ ଓକିଲ ବିଭାସ ଚକ୍ରବର୍ତ୍ତୀ କହିଛନ୍ତି। ୩୬ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଅଦାଲତ ଗୁରୁବାର ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଥିଲେ।
ଭାରତ ନ୍ୟାୟ ସଂହିତା (ବିଏନଏସ) ର ଧାରା ୧୦୩ (ହତ୍ୟା), ୬୫ (କୁକର୍ମ) ଏବଂ ୬୬ (ମୃତ୍ୟୁର କାରଣ) ପାଇଁ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। କଲିକତା ହାଇକୋର୍ଟଙ୍କ ଯାଞ୍ଚ ପରେ ଶିଶୁ ଯୌନ ଅପରାଧ ସୁରକ୍ଷା (ପୋକ୍ସୋ) ଅଧିନିୟମ ମଧ୍ୟ ଯୋଗ କରାଯାଇଥିଲା।
previous article:https://purvapaksa.com/403-migrant-workers-died-in-last-nine-years/
