କିନ୍ତୁ ଏହାର ଅର୍ଥ ନୁହେଁ ଯେ ଜଳର ଆବଶ୍ୟକତା କମିଯାଏ। ଅତି କମରେ ୮-୧୦ ଗ୍ଲାସ୍ ପାଣି ଶୀତଦିନେ ମଧ୍ୟ ପିଇବା ଉଚିତ, ଯାହା ଦ୍ୱାରା ଶରୀର ହାଇଡ୍ରେଟ୍ ହୋଇ ରହିଥାଏ ଏବଂ ମେଟାବୋଲିଜିମ୍ ସ୍ୱାଭାବିକ ରହିଥାଏ । ଶୀତ ଋତୁରେ ସଂକ୍ରମିତ ରୋଗ ହେବାର ଆଶଙ୍କା ବଢ଼ିଥାଏ । ଯଦି ଆମେ ପର୍ଯ୍ୟାପ୍ତ ପରିମାଣରେ ହାଇଡ୍ରେଟ୍ ହୋଇନଥାଉ ତେବେ ଆମର ପ୍ରତିରକ୍ଷା ପ୍ରଣାଳୀ ଦୁର୍ବଳ ହୋଇଯାଏ । ତେଣୁ ପାଣି ପିଇବା ଜରୁରୀ ଅଟେ। ଆମ ସମସ୍ତ ଅଙ୍ଗର କାର୍ଯ୍ୟ ପାଇଁ ଜଳ ଗୁରୁତ୍ୱପୂର୍ଣ୍ଣ।
ମଣିଷ ଶରୀରରେ ୫୦ରୁ ୭୦ ପ୍ରତିଶତ କେବଳ ପାଣି ଥାଏ । ସାଧାରଣତଃ ଶୀତ ଦିନେ ଲୋକମାନେ କମ୍ ପାଣି ପିଇଥାନ୍ତି । ଥଣ୍ଡା ପବନ ଯୋଗୁଁ ବେଶୀ ଶୋଷ ଲାଗେ ନାହିଁ । ଅନେକ ଲୋକ ଭାବନ୍ତି କେବଳ ଖରା ଦିନେ ଶରୀରରେ ଜଳ ଅଭାବ ବା ଡିହାଇଡ୍ରେସନ ହୋଇଥାଏ । ଏହା ସମ୍ପୂର୍ଣ୍ଣ ଭୁଲ୍ ।
ଖରା ହେଉ କି ଶୀତ ଋତୁ, ପ୍ରତିଦିନ ପର୍ଯ୍ୟାପ୍ତ ପରିମାଣରେ ପାଣି କିମ୍ବା ତରଳ ପଦାର୍ଥ ସେବନ କରିବା ନିହାତି ଆବଶ୍ୟକ । ଯେକୌଣସି ଋତୁରେ ଶରୀରରେ ଜଳାଭାବ ଦେଖାଦେଇପାରେ । ଯେଉଁଥିପାଇଁ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ । ଡାକ୍ତରଙ୍କ କହିବା କଥା, ଥଣ୍ଡା ଦିନେ ଆମେ ଖାଦ୍ୟ ଖାଇବା ଅପେକ୍ଷା ପ୍ରଚୁର ମାତ୍ରାରେ ପାଣି ପିଇବା ଉପରେ ଧ୍ୟାନ ଦେବା ଆବଶ୍ୟକ ।
ଶୀତ ଦିନେ ଜଣେ ବ୍ୟକ୍ତି କେତେ ପାଣି ପିଇବେ ?
ଶୀତ ଦିନେ ସକାଳଠୁ ରାତି ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଅଭ୍ୟାସ କରନ୍ତୁ । ଏହି ଦିନରେ ଯଦିଓ ବେଶି ଶୋଷ ଲାଗେ ନାହିଁ ତଥାପି ଦିନକୁ ଅତିକମରେ ୮ରୁ ୧୦ ଗ୍ଲାସ ପାଣି ପିଅନ୍ତୁ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ଶାରିରୀକ ଭାବେ ସକ୍ରିୟ ଥିବା ପୁରୁଷମାନେ ଦିନକୁ ୧୦ରୁ ୧ ଗ୍ଲାସ ପାଣି ପିଇବା ଉଚିତ୍ । ମହିଳାମାନେ ୮ରୁ ୧୨ ଗ୍ଲାସ ପିଅନ୍ତୁ । ଆପଣ ପାଣି ବଦଳରେ ଜୁସ୍, କ୍ଷୀର ଓ ନଡିଆ ପାଣି ପିଇପାରିବେ । ଏହା ଶରୀରରେ ଜଳାଭାବ ଦୂର କରି ହାଇଡ୍ରେଟ ରଖିବାରେ ସାହାଯ୍ୟ କରେ ।
ନ୍ୟାସନାଲ ଲାଇବ୍ରେରୀ ଅଫ ମେଡିସିନ ଆଣ୍ଡ ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍ସନ ୱେବସାଇଟରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଶୀତ ଦିନେ କମ୍ ପାଣି ପିଇଲେ ହୋଇପାରେ ଏହି ସମସ୍ୟା:
ଓଜନ ବୃଦ୍ଧି:
କମ୍ ପାଣି ପିଇବା ଦ୍ବାରା ଓଜନ ବୃଦ୍ଧି ହୋଇଥାଏ । ଗୋଟିଏ ଦିନରେ ଆମେ କେତେ ଖାଦ୍ୟ ଖାଉ ତା’ ଉପରେ ନିର୍ଭର କରି ଶରୀର ପାଇଁ ଆବଶ୍ୟକ ପାଣି ପିଇବା ଉଚିତ । ନହେଲେ ଖାଦ୍ୟ ଭଲରେ ହଜମ ହୋଇପାରେ ନାହିଁ । ଏହା ଓଜନ ବୃଦ୍ଧିର କାରଣ ହୁଏ ।
ମୁଖ ଦୁର୍ଗନ୍ଧ:
କମ୍ ମାତ୍ରାରେ ପାଣି ପିଇଲେ ଗଳା ଓ ପାଟି ଶୁଖିଯାଏ । ଏହାଯୋଗୁଁ ପାଟିରେ ବ୍ୟାକ୍ଟେରିଆ ଜମା ହୋଇ ମୁଖ ଦୁର୍ଗନ୍ଧ ହୋଇଥାଏ । ସେହିପରି ଶରୀରରେ ଜଳ ଅଭାବ ହେଲେ ଝାଳ ବୋହିବା ଓ ପରିସ୍ରା କମ୍ ହୋଇଥାଏ । ଫଳରେ ଶରୀରରୁ ବିଷାକ୍ତ ପଦାର୍ଥ ବାହାରିପାରେ ନାହିଁ ଏବଂ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ ।
ମୁଣ୍ଡବିନ୍ଧା:
କମ୍ ପାଣି ପିଉଥିଲେ ମୁଣ୍ଡବିନ୍ଧା ସମସ୍ୟା ବଢିଥାଏ । ଶରୀରରେ ଜଳ ଅଭାବ ଯୋଗୁଁ ମସ୍ତିଷ୍କ କୋଶିକାଗୁଡିକ ସଙ୍କୁଚିତ ହୋଇ ଏହି ସମସ୍ୟା ଦେଖାଯାଏ । ଏଥିସହ ପେଟରେ ଏସିଡ ସୃଷ୍ଟି ହୋଇ ଗ୍ୟାସ୍ କରେ । କୋଷ୍ଠକାଠିନ୍ୟ ଓ ଛାତିରେ ଜ୍ବଳନ ଭଳି ସମସ୍ୟା ମଧ୍ୟ ହୋଇପାରେ ।
ଥକ୍କାପଣ, ଶୁଷ୍କ ତ୍ବଚା:
ଶରୀର ସକ୍ରିୟ ଭାବେ କାର୍ଯ୍ୟ କରିବା ପାଇଁ ଜଳ ଆବଶ୍ୟକ । ଜଳର ଅଭାବ ହେଲେ ଟିକିଏ କାମ କରିବା ପରେ ଭାରି ଥକ୍କା ଅନୁଭବ ହୋଇଥାଏ । ସେହିପରି ଜଳାଭାବ ହେତୁ ଚର୍ମ ଶୁଷ୍କ ହୋଇଯିବା, କୁଣ୍ଡେଇ ହେବା, ଡାର୍କ ସର୍କଲ ଓ ଚର୍ମ କୁଞ୍ଚନ ଭଳି ସମସ୍ୟା ଦେଖାଯାଏ ।
ଡିହାଇଡ୍ରେସନ ଲକ୍ଷଣ:
ଡାକ୍ତରଙ୍କ କହିବା କଥା, ପ୍ରତ୍ୟେକ ବୟସରେ ଶରୀରରେ ଜଳର ଅଭାବ ବା ଡିହାଇଡ୍ରେସନର ଲକ୍ଷଣ ପ୍ରାୟ ସମାନ । ହେଲେ ବୟସ ଅନୁସାରେ ବେଳେବେଳେ ଲକ୍ଷଣଗୁଡିକ ଭିନ୍ନ ହୋଇପାରେ । ବିଶେଷକରି ଛୋଟ ପିଲାଙ୍କ ଶରୀରରେ ଜଳାଭାବ ହେଲେ ପାଟି ଓ ଜିଭ ଶୁଖିଯିବା, କାନ୍ଦିଲେ କମ୍ ଲୁହ ବୋହିଲା, ପରିସ୍ରା କମିବା ଭଳି ଲକ୍ଷଣ ନଜର ଆସିଥାଏ ।
ALSO READ: https://purvapaksa.com/grey-hair/